• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିଜେ ଜଣେ ଦିବ୍ୟାଙ୍ଗ, ହେଲେ ପ୍ରକୃତି ପ୍ରେମରେ ସେ ପାଗଳ । ପେଶାରେ ସେ ଶିକ୍ଷକ, ନିଶା କିନ୍ତୁ ତାଙ୍କର ଗଛ ଲଗାଇବା । ନିଜ ସ୍କୁଲରୁ ଆରମ୍ଭ କରି ପଡୋଶୀ ସ୍କୁଲ ପର୍ଯ୍ୟନ୍ତ ସବୁଆଡେ ବୁଲିବୁଲି ଲଗାଉଛନ୍ତି ଗଛ । ଆଜି କି କାଲି ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ଗଛ ଲଗାଉଛନ୍ତି ଶିକ୍ଷକ ଜଣକ । ଯାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା ।

ଯାଜପୁର ପୌରପାଳିକା ବୈଦ୍ୟରାଜପୁର ନୋଡାଲ ସ୍କୁଲର ଶିକ୍ଷକ ଗଦାଧର ବେହେରା । ନିଜେ ଜଣେ ଦିବ୍ୟାଙ୍ଗ ହୋଇବି ପରିବେଶ ସୁରକ୍ଷା ପାଇଁ ଲଗାଇଛନ୍ତି ଫୁଲ, ଫଳ ତଥା ଔଷଧିୟ ଗଛ ସହ ଅନେକ ମୂଲ୍ୟବାନ ଗଛ । ଆଉ ସେହି ଗଛ ଗୁଡ଼ିକ ବର୍ତ୍ତମାନ ସମୟରେ ଉଦ୍ୟାନର ରୂପ ନେଲାଣି । ତେଣୁ ତାଙ୍କୁ ଏବେ ଗଛ ଶିକ୍ଷକ ଗଦାଧର ସାର୍‌ ବୋଲି ସ୍ଥାନୀୟ ଲୋକ ଡାକୁଛନ୍ତି ।

ଜାଣିଆଶ୍ଚର୍ଯ୍ୟ ହେବେ କି, ବିନା ଆଶାବାଡି କିମ୍ବା ୱାକର ନଧରିଲେ ପାଦେ ଚାଲିବା ତାଙ୍କ ପକ୍ଷରେ କଷ୍ଟ । ହେଲେ ବି ଏମିତି ଅବସ୍ଥାରେ ସେ ବୁଲିବୁଲି ଲଗାଉଛନ୍ତି ଗଛ । ପରିବେଶକୁ ଭଲପାଇବା ସହ ପ୍ରକୃତି ପୃଷ୍ଠକୁ ସୌନ୍ଦର୍ଯ୍ୟକରଣ କରିବା ଲାଗି ଗଛର ବଂଶ ବୃଦ୍ଧି କରି ସୁରକ୍ଷା ଦେବା ଲାଗି ସେ ଶପଥ କରିଛନ୍ତି । ସେଇଥି ଲାଗି ତ ସକାଳୁ ସଂଜ ଯାଏଁ ବୁଲିବୁଲି ଲଗାଉଛନ୍ତି ଗଛ ।

ଗୋଟିଏ ପଟେ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇ ଭବିଷ୍ୟତ ଗଢିବାର ରାସ୍ତା ଦେଖାଉଥିବା ବେଳେ ଅନ୍ୟପଟେ ପରିବେଶର ଯତ୍ନ ନେବାକୁ ବତାଉଛନ୍ତି ବାଟ । ବର୍ତ୍ତମାନ ସୁଦ୍ଧା ସ୍କୁଲ ପରିସରରେ ହଜାରରୁ ଉର୍ଦ୍ଧ୍ୱ ଫୁଲଫଳ ସହ ଔଷଧିୟ ଗଛ ସହ ଅନେକ ମୂଲ୍ୟବାନ ଗଛ ଲଗାଯାଇଛି । ଖାଲି ଏତିକି ନୁହେଁ ବରଂ ମାଛ ଚାଷ, ଜୈବିକ ଖତ ପ୍ରଣାଳି, ପକ୍ଷୀଙ୍କ ଲାଗି ଆହାର କେନ୍ଦ୍ର ଆଦି ତିଆରି କରିଛନ୍ତି ଗଦାଧର ।

ଶ୍ରେଣୀରେ ପିଲାଙ୍କୁ ପରିବେଶ ସମ୍ପର୍କରେ ସେ ପାଠ ପଢାଇବା ପରେ ପ୍ରାକ୍ଟିକାଲ ଉଦ୍ଦେଶ୍ୟ ରଖି ବଗିଚାରେ ଗଛ ଲଗାଇବା ସହିତ କେମିତି କଲମୀକରଣ ହୋଇପାରିବ ସେନେଇ ତାଲିମ୍‌ ବି ଦିଅନ୍ତି । ଯାହାକୁ ନେଇ ପିଲାଙ୍କଠାରୁ ଆରମ୍ଭ କରି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଗଦାଧରଙ୍କୁ ପ୍ରଶଂସା କରିବା ସହିତ ଗଛ ଲଗାଇବାର ପ୍ରେରଣା ପାଇଥିବା କହିଛନ୍ତି ।

 

 

  • Reported by:
  • Sanjeeb Nayak