• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ ସେଇଠି ମଣିଷ କେହି ରହୁନଥିବେ । ରହୁଥିବେ ଯଦି ଗାଈ କି ଛେଳି । ସ୍ଥିତି ଏମିତି ହେଲାଣି ଯେ ଘର କେତେବେଳେ ଭୁଶୁଡ଼ି ପଡିବ ସେକଥା କିଏ କହିବ ? କିଏ କାହିଁକି ନିଜ ଜୀବନକୁ ବାଜିରେ ଲଗାଇ ସେମିତି ଘରେ ରହିବ ଯେ ? ହୁଏତ ଆପଣ ଏମିତି ଭାବିଥାଇପାରନ୍ତି । ହେଲେ ଏମିତି ଘରେ ରହୁଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ, ଆଉ ବଞ୍ଚବା ଲାଗି କରୁଛନ୍ତି ସଂଘର୍ଷ ।

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଯଦୁପୁର ପଂଚାୟତର ମଶାକଣି ଗାଁର ମୋନାଲିସା ସାମନ୍ତରାୟ । ଦୁଃଖ ତାଙ୍କର ଏତେ ଯେ ବର୍ଣ୍ଣନା କରିବାକୁ ଶବ୍ଦ ବି ନାହିଁ । କଥାରେ ଅଛି ମାଆ ନାହିଁ ତ ସାହା ନାହିଁ । ହେଲେ ବି ଭଙ୍ଗା କୁଡ଼ିଆରେ ଭଙ୍ଗା ବାକ୍ସରେ ଥିବା ଅସଜଡ଼ା ସନ୍ତକକୁ ଦେଖିଲେ ମନେ ପଡୁଛି ମା’ର ମମତା ଆଉ କୋହରେ ଛଳଛଳ ହୋଇଯାଉଛି ଆଖି । ପିଲାଟି ଦିନରୁ ବାପାଙ୍କୁ ଦେଖିନଥିବା ବେଳେ ୨ ବର୍ଷ ତଳେ କ୍ୟାନସରରେ ଆଖି ବୁଜିଛନ୍ତି ମାଆ ।

ମାଆ ଥିଲା ବେଳେ ଯାହା ଯେମିତି ରୋଜଗାର କରି ଝିଅକୁ ଚଳାଇନେଉଥିଲେ । ହେଲେ ଭଗବାନ ସେତିକି ବି ସହିଲେନି । ଦିବ୍ୟାଙ୍ଗ ଝିଅଠୁ ଛଡେଇ ନେଲେ ମାଆକୁ । ଆଉ ଏବେ ମାଆ ଯିବା ପରେ ଜୀବନ ତାଙ୍କର ଦୁର୍ବିପାକ ହୋଇଗଲାଣି । ମୁଣ୍ଡ ଗୁଞ୍ଜିବାକୁ ନା ଘର ଅଛି ନା ଦିଓଳି ଖାଇବାକୁ ସମ୍ବଳ ଅଛି । ସମ୍ବଳ କହିଲେ ୫ କିଲୋ ଚାଉଳ, ଦିବ୍ୟାଙ୍ଗ ଭତା ବାବଦକୁ ମାତ୍ର ୫୦୦ ଟଙ୍କା । ଆଜିକା ମହରଗ ଯୁଗରେ ଏତିକିରେ ସେ କେମିତି ଚଳୁଥିବେ ଥରେ ଚିନ୍ତା କରନ୍ତୁ ।

ସ୍ଥିତି ଏମିତି ହେଲାଣି ଯେ ପେଟ ଚାଖଣ୍ଡେକ ପାଇଁ ଦିନରେ ଦୁଆର ଦୁଆର ବୁଲନ୍ତି ଆଉ ରାତି ହେଲେ ପର ଦୁଆରେ ମୁଣ୍ଡ ଗୁଞ୍ଜନ୍ତି । ଦୁଃଖର ଦରିଆରେ ଉବୁଟୁବୁ ହେଉଥିବା ମୋନାଲିସାଙ୍କ ଦୁଃଖ ବୁଝିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ସରକାରୀ ସାହାଯ୍ୟ ପାଇବାକୁ ବଡବାବୁଙ୍କୁ ଭେଟି ବାରମ୍ବାର ଗୁହାରି କରିଛନ୍ତି ମୋନାଲିସା ହେଲେ ସହାୟତା ଏଯାଏ ତାଙ୍କ ଲାଗି ସାତସପନ ହୋଇ ରହିଛି । ତେବେ ଦେଖିବାକୁ ବାକି ରହିଲା କେବେ ମୋନାଲିସାଙ୍କ ଦୁଃଖ ଶୁଣୁଛି ପ୍ରଶାସନ ।

 

  • Reported by:
  • MANOJ SWAIN