• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଝାଟିମାଟିର ଘର...କାନ୍ଥରୁ ଖଣ୍ଡ ଖଣ୍ଡ ହୋଇ ମାଟି ଖସୁଛି । ଚାଳ ଅବସ୍ଥା ଏତେ ଶୋଚନୀୟ ଯେ ମଥାନ କେତେବେଳେ ଭୂଇଁରେ ଲୋଟିବ ତାହା କହିବା ବି ମୁସ୍କିଲ । ଦିନରେ ସୂରୁଜ ଓ ରାତିରେ ଚନ୍ଦ୍ର ସହିତ ତାରା ସ୍ପଷ୍ଟ ଭାବରେ ଦେଖାଯାଉଛି । ସେଇଥି ଲାଗି ତ ଜରିପାଲଟିଏ ନାଁକୁ ମାତ୍ର ଘର ଉପରେ ପଡିଛି । କିନ୍ତୁ ସିଏ କେତେବେଳେ ଯେ ଉଡଯିବ ତାହା ଭଗବାନଙ୍କୁ ଜଣା । ଏମିତି ଗାଈ ଗୁହାଳ ପରି ଘରେ ରହୁଛନ୍ତି ୫ ପ୍ରାଣୀ କୁଟୁମ୍ବ । ଦୁଃଖ ଏତିକିରେ ସରିନି ବରଂ  ଘରେ ରହୁଥିବା ୪ ପ୍ରାଣୀ ମାନସିକ ଅନଗ୍ରସର ହୋଇଥିବା ବେଳେ ଘରର ଜଣେ ମାତ୍ର ମହିଳାଙ୍କ ଉପରେ ଏବେ ସମସ୍ତେ ନିର୍ଭର । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା ।

ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୬ନମ୍ବର ୱାର୍ଡ ଖଣ୍ଡପଡ଼ାର ଶାନ୍ତି ନାୟକ । ସ୍ୱାମୀ ଭଲ ଥିବା ବେଳେ ଯାହା ଯେମିତି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ଆଜିକୁ ଠିକ୍‌ ୧୨ ବର୍ଷ ତଳେ ଶାନ୍ତିଙ୍କ ପରିବାର ଉପରେ ଯେମିତି ଦୁଃଖର କଳାବାଦଲ ମାଡି ଆସିଲା । ଚାହୁଁଚାହୁଁ ସ୍ୱାମୀ ମାନସିକ ଭାରସ୍ୟାମ ହରାଇ ବସିଲେ । ଖାଲି ସ୍ୱାମୀ ନୁହେଁ ବରଂ ନିଜ ଗର୍ଭରୁ ଜନ୍ମ କରିଥିବା ତିନିତିନିଟି ପୁଅଙ୍କ ଅବସ୍ଥା ବି ସେଇୟା । ତେଣୁ ଘର ଚଳାଇବାକୁ ଏବେ ଶାନ୍ତି ଯେତିକି ପରିଶ୍ରମ କରୁଛନ୍ତି ସେତିକିରେ ପରିବାର ଚଳୁଛି । ହେଲେ ଆଜିକା ଦୁନିଆରେ ଜଣେ ମହିଳା ମଜୁରୀ ଖଟି ୪-ଚାରି ଜଣ ପୁରୁଷଙ୍କ ସହ ନିଜ ପେଟ ପୋଷିବା କେତେ ଯେ କଷ୍ଟକର ତାହା ସମସ୍ତଙ୍କୁ ଜଣା ।

ବଡ ଦୁଃଖର କଥା ହେଲା, ସ୍ୱାମୀ ଓ ପୁଅଙ୍କ ମୁହଁରେ ଆହାର ଦେବାକୁ କିନ୍ତୁ ସେ ଦୁଆର ଦୁଆର ବୁଲି କାମ କରନ୍ତି ଓ ଦୁଇ ଓଳିକୁ ୨ ଗଣ୍ଡା ଖାଇବା ଯୋଗାଡ କରନ୍ତି । ବେଳେବେଳେ ସ୍ଥିତି ଏମିତି ହୁଏ କି ଦିନରେ ଚୁଲି ଜଳିଲେ ରାତିରେ ପେଟରେ ଓଦା କନା ଦେଇ ଶୋଇବାକୁ ପଡୁଛି । ଆଉ ସରକାରୀ ଯୋଜନା କହିଲେ ମାସକୁ ଯାହା କେବଳ ୧୫ କିଲୋ ଚାଉଳ । ଥରେ ଚିନ୍ତା କରନ୍ତୁ ତ...ମାତ୍ର ୧୫ କିଲୋ ଚାଉଳରେ ମାସଟା ସାରା ୫ ପ୍ରାଣୀ କୁଟୁମ୍ବ ଚଳିବେ କେମିତି ? ପ୍ରତିବର୍ଷ ନିର୍ବାଚନ ଆସିଲେ ନେତାଏ ଆସନ୍ତି । ଘର ସହ ସରକାରୀ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦିଅନ୍ତି । ହେଲେ ପ୍ରତିଶ୍ରୁତି ପ୍ରତିବର୍ଷ ପାଲଟେ ପ୍ରତାରଣା । ଆଉ ସବୁଥର ପରି ଦେଖିବାକୁ ମିଳେ ଶାନ୍ତିଙ୍କ ଯନ୍ତ୍ରଣା । ତେବେ ପୂରା ଘଟଣାରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଓଟିଭି ପକ୍ଷରୁ ଜଣାଯିବା ପରେ ତୁରନ୍ତ ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 

  • Reported by:
  • Sanjeeb Sahoo