• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପା ! ଏଇ ଶବ୍ଦରେ ଭରି ରହିଛି ଶକ୍ତି । ସନ୍ତାନଙ୍କ ପାଇଁ ବାପା ଯେଉଁ ତ୍ୟାଗ ବଳିଦାନ ଦେଇଥାଏ, ତାହା ଏହି ଇହ ଜଗତରେ ଆଉ କେହି କରିପାରନ୍ତି ନାହିଁ । ସେମିତି ଜଣେ ବାପାଙ୍କ କାହାଣୀ ଆଜି ଆମ ସାମ୍ନାକୁ ଆସିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା । ହୃଦୟକୁ ଛୁଇଁଲା ଭଳି ଏହି କାହାଣୀଟି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଜଣେ ବାପା, ନିଜ ଝିଅର ବାହାଘର ଉତ୍ସବରେ ଯୋଗଦେବା ପାଇଁ ଝଡ଼ ତୋଫାନ ସହ ଲଢ଼ି ୫୦ କିଲୋମିଟର ଚାଲିଚାଲି ଆସିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ସେ ଚାଲି ଚାଲି କାହିଁକି ଆସିଲେ । କ’ଣ ତାଙ୍କ ପାଖରେ ଗାଡ଼ି ନଥିଲା, ନା ଗାଡ଼ି ଭଡ଼ା ପାଇଁ ପାଖରେ ଟଙ୍କା ନଥିଲା । ଆଜ୍ଞା ସେମିତି କିଛି ବି ନୁହେଁ । ବିଲ୍‌କୁଲ ସେମିତି ଭାବନ୍ତୁ ନାହିଁ ।

ଏହି ବାପା ଜଣକ ହେଉଛନ୍ତି ଡେଭିଡ୍ ଜୋନ୍‌ସ । ତାଙ୍କ ଝିଅ ଏଲିଜାବେଥ୍‌ । ଗତ ଶନିବାର ଦିନ ୧୧ଟା ହେବ । ପ୍ରବଳ ଝଡ଼ ତୋଫାନ୍‌ ଚାଲିଥିଲା । ଗାଡ଼ି ମଟର ସବୁ ବନ୍ଦ ଥିଲା । ବାତ୍ୟା ହେଲେନ୍‌ ପ୍ରଭାବରେ ସବୁ ଅସ୍ତବ୍ୟସ୍ତ । ଏମିତି ପରିସ୍ଥିତିରେ ବି ଝିଅର ବାହାଘର ଉତ୍ସବକୁ ମିସ୍‌ କରିବାକୁ ଚାହୁଁନଥିଲେ ଡେଭିଡ୍‌ । ତେଣୁ ସେ ସ୍ଥିର କଲେ ଯେମିତି ହେଲେ ବି ବାହାଘର ଉତ୍ସବରେ ଯୋଗଦେବେ । ସେ ବାହାରିଲେ ଘରୁ । ଯେଉଁ ସ୍ଥାନକୁ ତାଙ୍କୁ ଗାଡ଼ିରେ ମାତ୍ର ଦୁଇ ଘଣ୍ଟା ସମୟ ଲାଗିଥାନ୍ତା । ସେଇ ସ୍ଥାନକୁ ତାଙ୍କୁ ଦୀର୍ଘ ସମୟ ଲାଗିଲା । ପ୍ରାୟ ୫୦ କିଲୋମିଟର ସେ ଚାଲି ଚାଲି ଯାଇ ଝିଅର ବାହାଘର ତ୍ସବରେ ପହଞ୍ଚିଲେ ।

ମାତ୍ର ଅଳ୍ପ କିଛି ଜରୁରୀ ସାମଗ୍ରୀକୁ ବ୍ୟାଗ୍‌ରେ ପ୍ୟାକ୍‌ କରି ବାହାରି ପଡ଼ିଥିଲେ ଡେଭିଡ୍‌ । ତାଙ୍କର ଏହି ଯାତ୍ରା ଖୁବ୍‌ ସଂଘର୍ଷମୟ ଥିଲା । କାରଣ ବାତ୍ୟା ବର୍ଷା ଯୋଗୁଁ ରାସ୍ତାରେ କେଉଁଠି ପାଣି ଜମିଥିଲା ତ କେଉଁଠି କାଦୁଅ ପଚପଚ ରାସ୍ତା ଥିଲା । ଏମିତିକି ଆଣ୍ଠୁଏ କାଦୁଅରେ ସେ ଚାଲି ଚାଲି ଯାଇଛନ୍ତି । ଏଭଳି ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରି ପ୍ରାୟ ୧୨ ଘଣ୍ଟା ଚାଲିବା ପରେ ସେ ପହଞ୍ଚିଥିଲେ ନିଜ ଗନ୍ତବ୍ୟ ସ୍ଥାନରେ । ରାସ୍ତାରେ ତାଙ୍କୁ କିଛି ଲୋକ ବାଟ ଦେଖାଇବାରେ ସାହାଯ୍ୟ ମଧ୍ୟ କରିଥିଲେ ।

ତେବେ ସେ ଯାହା ହେଉ ନା କାହିଁକି, ୧୨ ଘଣ୍ଟା ପରେ ସେ ଯେଉଁଠି ପହଞ୍ଚିବା କଥା ସେଇଠି ପହଞ୍ଚି ସାରିଥିଲେ । ତାପରେ ସେ ନିଜର ଅପରିସ୍କାର ପୋଷାକ ସବୁ କାଢ଼ି ଭଲ ଭାବେ ନିଜକୁ ସଫା ସୁତୁରା କଲେ । ଆଉ ଝିଅକୁ କହିଲେ ଦୁନିଆର କୌଣସି ଶକ୍ତି ବି ମୋତେ ଅଟକାଇ ପାରିଲାନି ।

ଆମେରିକାରୁ ମିଳିଥିବା ଏହି ସୁନ୍ଦର କାହାଣୀଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି । ଅନେକ ଏହି ବାପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝିଅ ପ୍ରତି ତାଙ୍କର ଏଭଳି ଭଲ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now