• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କହି କହି ମିଳିଲାନି ଖଣ୍ଡେ ଆବାସ ଘର । ପ୍ରଶାସନ ପାଖରେ ଗୁହାରି କଲେ ବି ଲାଭ ହେଲାନି । ସେଇଥି ପାଇଁ ତ ଘର ଖଣ୍ଡିଏ ଲାଗି ହାଇକୋର୍ଟର ଦ୍ୱାରସ୍ଥ ହେଲେ । ପୂରା ଘଟଣା ଜାଣିବା ପରେ ହିତାଧିକାରୀ ମାଧବଙ୍କୁ ତୁରନ୍ତ ଘର ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ ବଡ଼ ଦୁଃଖର କଥା ଏଯାଏଁ ମାଧବଙ୍କୁ ମିଳିପାରିନି ଘର ...ଆଉ ଏବେ ବଡ କଷ୍ଟରେ କାଟୁଛନ୍ତି ଦିନ ।

ପ୍ରଧାନମନ୍ତ୍ରୀ ଆବାସ ପାଇଁ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି କଟକ ନରସିଂହପୁରର ଜଣେ ଦିନ ମଜୁରିଆ । ନରସିଂହପୁର ବ୍ଳକ କାଞ୍ଜିଆପଦା ଗାଁର ମାଧବ ରାଉଳଙ୍କୁ ନେଇ ଏବେ ଚର୍ଚ୍ଚା । ଚାରି-ଚାରୋଟି ଝିଅ, ଗୋଟିଏ ପୁଅ ଓ ପତ୍ନୀଙ୍କ ସହ ଭଙ୍ଗାଦଦରା ଘରେ ରହୁଛନ୍ତି ମାଧବ । ମୂଲ-ମଜୁରୀ କରି ୪ ଝିଅଙ୍କୁ ବଡ଼ କଷ୍ଟରେ ବାହା କଲେ । କିନ୍ତୁ ଆଉ ଘର କରିବାକୁ ଅଣ୍ଟିରେ ଧନ ବି ନାହିଁ । ୨୦୦୫ରେ କୌଣସି କାରଣରୁ ତାଙ୍କ ଘର ପୋଡି ଯାଇଥିଲା । ଆଉ ସେହି ସମୟରୁ ଭଙ୍ଗାଦଦରା ଘରେ ରହୁଛନ୍ତି ମାଧବ ଓ ତାଙ୍କ ପୂରା ପରିବାର ।

ଖଣ୍ଡେ ଘର ପାଇଁ ମାଧବ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓ, ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ସରକାରୀ କର୍ମଚାରୀଙ୍କଠାରୁ ନିରାଶ ହୋଇ ମାଧବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଘଟଣାକୁ ବିଚାର କରି ମାଧବଙ୍କୁ ଘର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମାଧବଙ୍କର ନାଁ ଘର ପାଇଁ ପ୍ରକାଶ ପାଇଥିବା ଲିଷ୍ଟରେ ନାହିଁ ।

ସେପଟେ ମାଧବଙ୍କୁ କାହିଁକି ଘର ମିଳିଲା ନାହିଁ ସେନେଇ ଆମେ ନରସିଂହପୁର ବିଡିଓଙ୍କୁ ଭେଟିଥିଲୁ । ଆଉ ବିଡିଓ କହିଛନ୍ତି, ସବୁ କାଗଜପତ୍ରକୁ ପୁଣି ଥରେ ସର୍ବେକ୍ଷଣ କରାଯିବ ଆଉ କେମିତି ଘର ମିଳିପାରିବ ସେନେଇ ବ୍ୟବସ୍ଥା କରାଯିବ । ଏପଟେ ସରପଞ୍ଚ ମଧ୍ୟ କହିଛନ୍ତି, ମାଧବ ଘର ପାଇବାକୁ ଯୋଗ୍ୟ ବ୍ୟକ୍ତି । ଖୁବଶୀଘ୍ର ତାଙ୍କୁ ଘର ମିଳିବ ।

 

  • Reported by:
  • SARBESWAR SWAIN