• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଗବାନ ସିନା ଦୁଇ ପିଲା ଦେଲା, କିନ୍ତୁ ସବୁ କିଛି ଉଜାଡି ଦେଲା । କୋଳରେ ପିଲା ଜନ୍ମ ହେବା ପରେ ବଡ଼ ହସଖୁସିରେ ବ୍ୟସ୍ତ ଥିଲେ ପୂରା ପରିବାରର ଲୋକେ । ହେଲେ ଦିନ ଯେତିକି ଯେତିକି ଗଡିଲା, ସତ ସେତିକି ସେତିକି ସାମ୍ନାକୁ ଆସିଲା । କାରଣ ପୁଅ-ଝିଅ ଉଭୟେ ଥିଲେ ଦିବ୍ୟାଙ୍ଗ । ନା ସେମାନେ ନିଜେ କିଛି କରିପାରୁଛନ୍ତି ନା କିଛି କହିପାରୁନାହାନ୍ତି । ଜନ୍ମ ଯେତେବେଳେ କରିଛନ୍ତି ସେମାନଙ୍କୁ ତିଳେ ମାତ୍ର ହତାଦାର କରୁନାହାନ୍ତି ବାପା-ମାଆ ।

ପିଣ୍ଡାରେ ଭାଇ-ଭଉଣୀ ବସିଛନ୍ତି । ଜଣଙ୍କୁ ବାପା ତ ଆଉ ଜଣଙ୍କୁ ମାଆ ଖୁଆଇ ଦେଉଛନ୍ତି । କଷ୍ଟ ତ ହେଉଛି..ହେଲେ ପିଲାଏ ଯେମିତି କଷ୍ଟ ନପାଇବେ ସେଥିଲାଗି ସଜାଗ ବାପା ଆଉ ମାଆ । ପିଲାମାନେ ଦିବ୍ୟାଙ୍ଗ ହୋଇଥିବାରୁ ସେମାନଙ୍କୁ ହତାଦାର କରୁନାହାନ୍ତି ବରଂ କୋଳେଇ ନେଉଛନ୍ତି, ଗେଲ କରୁଛନ୍ତି ଆଉ ସେବା ଯତ୍ନ ବି କରୁଛନ୍ତି । ଆଉ ତାହାରି ଭିତରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଯେମିତି ପରିଶ୍ରମ କରୁଛନ୍ତି ତାହା ଦେଖିଲେ ଆପଣଙ୍କ ଛାତି ଥରିବ ଆଉ ଆଖିରୁ ଲୁହ ଝରିବ ।

ତତାଲା ଖରାରେ ବିଲରେ ମାଟି ହାଣୁଥିବା ବାପା-ମାଆ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବି. କୋଟିବାଡ଼ି ଗାଁର ରାଧା ଗୌଡ଼ ଓ ବାସନ୍ତୀ ଗୌଡ଼। ନିଇତି ମାଟିରେ ମାଟି ହୋଇ ଖଟିଲେ ଏମାନଙ୍କର ତେଲ ଲୁଣର ସଂସାର ଚଳେ । ସେମାନଙ୍କ ଭାଗ୍ୟରେ ଭଗବାନ ସତେ ଯେମିତି ଲଦି ଦେଇଛନ୍ତି ଦୁଃଖର ପାହାଡ । ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ... ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ। ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ।

ବାସନ୍ତୀଙ୍କର ମୋଟ ୪ ପୁଅଝିଅ । ବଡ଼ ଝିଅ ବାହା ହୋଇ ଯାଇଛି । ଆଉ ଏବେ ପାଖରେ ଅଛନ୍ତି ଏଇ ତିନି ପୁଅଝିଅ । ଦିବ୍ୟାଙ୍ଗ ପୁଅ ଅନିଲକୁ ୨୨ ବର୍ଷ, ଝିଅକୁ ୧୭ ବର୍ଷ । ପାଖରେ ବସିଥିବା ଆର ଝିଅଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନୁହେଁ, ସେ ମଧ୍ୟ ଆଂଶିକ ଦିବ୍ୟାଙ୍ଗ । ଧନ ସମ୍ପତ୍ତି କିଛି ନ ଥିବା ବେଳେ ରୋଜଗାର କହିଲେ ନିଜ ମେହେନତରେ ମିଳୁଥିବା ମୂଲ ଗଣ୍ଡାକ ଆଉ ଦିବ୍ୟାଙ୍ଗ ହିସାବରେ ପୁଅ ଝିଅଙ୍କୁ ମିଳୁଥିବା ମାସିକ ଭତ୍ତା ଯାହା । ଏମାନେ ଏତେ କଷ୍ଟରେ ରହୁଛନ୍ତି ସତ ହେଲେ କାହା ପାଖରେ ପତାଇ ନାହାନ୍ତି ହାତ ।

କଥାରେ ଅଛି, ବାପା-ମାଆ ଅଛି ଯାହାର କି ଆନନ୍ଦ ତାହାର । ବାପା-ମାଆ ହେଉଛନ୍ତି ଚଳନ୍ତି ଠାକୁର...ଆଉ ଏମିତି ଦୃଶ୍ୟ ଦେଖିଲେ ଆପଣ ବି ବୁଝିପାରିବେ ପିଲାଙ୍କ ମୁଣ୍ଡରେ ଯେବେ ବାପା-ମାଆଙ୍କ ହାତ ରହିଥାଏ ସେବେ ପିଲାଙ୍କର କିଛି ଅଭାବ ରୁହେନି ।

 

  • Reported by:
  • Rajesh Kumar Panda