ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାପର୍ବ କୁମ୍ଭମେଳା । ପ୍ରତି ୧୨ ବର୍ଷରେ ଥରେ ଏହି ମେଳା ଆୟୋଜିତ ହୋଇଥାଏ। ଆସନ୍ତା ଜାନୁୟାରୀ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ମହାକୁମ୍ଭ ମେଳା। ଏଥିରେ ସାମିଲ୍ ହେବାପାଇଁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ପ୍ରୟାଗରାଜ ମୁହାଁ ହେଉଛନ୍ତି। ମହାକୁମ୍ଭ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅନେକ ବାବା। ସେଥିମଧ୍ୟରୁ ଜଣେ ହେଉଛନ୍ତି ମୌନ ବାବା। ଯିଏକି ୪୧ ବର୍ଷ ଧରି ପଦେ ବି କଥା ହୋଇନାହାନ୍ତି। କେବଳ ଚା ପିଇ ବଞ୍ଚିଛନ୍ତି।
ଭାରତର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜୋର୍ଦାର୍ ପ୍ରସ୍ତୁତି ଜାରି ରହିଛି । କୁମ୍ଭମେଳାରେ ଅନେକ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ପ୍ରୟାଗରାଜରେ ଚାଲିବାକୁ ଥିବା କୁମ୍ଭମେଳାରେ ହଜାର ହଜାର ସାଧୁବାବା ଏକତ୍ରିତ ହୋଇଥାଆନ୍ତି। ଏହି ବାବାମାନେ ନିଜର ବେଶଭୂଷା ଓ ଜୀବନଶୈଳୀ ପାଇଁ ଶ୍ରଦ୍ଧାଳୁଙ୍କ ନଜରକୁ ଆସିଥାଆନ୍ତି । ଏମିତି ଜଣେ ସାଧୁ ହେଲେ ମୌନ ବାବା। ସଙ୍ଗମ ତଟରେ ଏକ ତମ୍ୱୁରେ ରହୁଛନ୍ତି ଏହି ବାବା।
Also Read
ବୁନ୍ଦେଲଖଣ୍ଡର ମହୋବା ନିବାସୀ ପାୟାହରୀ ମୌନି ବାବା ୪୧ ବର୍ଷ ଚୁପ୍ ଅଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ୪୦ ବର୍ଷ ଧରି ଖାଦ୍ୟ ବି ଖାଉ ନାହାନ୍ତି। ତାଙ୍କର ଏକମାତ୍ର ଖାଦ୍ୟ ହେଉଛି କ୍ଷୀର ଚା। ନୀରବତା ପାଳନ କରିବା ସହିତ ଅନ୍ନଜଳ ମଧ୍ୟ ତ୍ୟାଗ କରିଥିଲେ। ସେବେଠାରୁ ଚା’ ଛଡା ଅନ୍ୟ କୌଣସି ପାନୀୟ ପିଅନ୍ତି ନାହିଁ। ଗୋଟିଏ ଦିନରେ ସେ ୧୦ କପ୍ ଚା ପିଅନ୍ତି। ଚା’ ତାଙ୍କର ସବୁଠୁ ପ୍ରିୟ । ତାଙ୍କ ନିକଟକୁ ଆସୁଥିବା ଲୋକଙ୍କୁ ସେ ପ୍ରସାଦ ଭାବରେ ଚା ପରିବେଷଣ କରନ୍ତି ।
ମୌନ ମହାରାଜଙ୍କ ପ୍ରକୃତ ନାମ ହେଉଛି ଦୀନେଶ ସ୍ୱରୂପ ବ୍ରହ୍ମଚାରୀ। ଏହି ବାବା ଏକ ଶିକ୍ଷକ ପରିବାରରେ ଜନ୍ମ ନେଇଛନ୍ତି। ସେ ଉଦ୍ଭିଦ ବିଜ୍ଞାନରେ B.Sc. କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଶିକ୍ଷା ବିଭାଗରେ ନିଯୁକ୍ତି ମିଳିଥିଲା। ମାତ୍ର ସେତେବେଳକୁ ସାଂସାରିକ କାର୍ଯ୍ୟପ୍ରତି ତାଙ୍କର ରୁଚି ନଥିଲା। ସେ ଚାକିରି ନ କରି ବାବା ହେବାକୁ ସ୍ଥିର କଲେ। ବାବାଙ୍କ ପାଇଁ ଧର୍ମ ଏବଂ ଆଧ୍ୟାତ୍ମିକତା ସବୁକିଛି। ସେ ଜନସେବା କରିବା ସହ ଛାତ୍ରମାନଙ୍କୁ ମାଗଣା ଶିକ୍ଷା ମଧ୍ୟ ଦିଅନ୍ତି । ସେମାନଙ୍କ ପାଇଁ ନୋଟ୍ ମଧ୍ୟ ପ୍ରସ୍ତୁତ କରନ୍ତି । ବାବାଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ତାଙ୍କର ୨ ରୁ ୩ ଜଣ ଛାତ୍ର ସିଭିଲ ସର୍ଭିସରେ ମନୋନୀତ ହୁଅନ୍ତି।
ଅଧିକ ପଢନ୍ତୁ:ଟାଟାରେ ଚାକିରି ନାଁରେ ଠକେଇ ମାମଲା; ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ
ସେ ବୁଲେଟ୍ ବି ଚଲାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ବୁଲେଟରେ ମାତ୍ର ୪୫ ମିନିଟ୍ରେ ପ୍ରତାପଗଡ଼ରୁ ପ୍ରୟାଗରାଜ ପହଞ୍ଚିଛନ୍ତି। କେହି ତାଙ୍କୁ କୌଣ,ସି ପ୍ରଶ୍ନ କଲେ ସେ ଲିଖିତ ଆକାରରେ ଉତ୍ତର ଦିଅନ୍ତି। ଗତ ୪୧ ବର୍ଷ ଧରି ବାବାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରିନି।କିନ୍ତୁ ତାଙ୍କ ପଢା ମାଧ୍ୟମରେ ଅନେକ ଛାତ୍ର ସିଭିଲ୍ ସର୍ଭିସେସ୍ ଏବଂ ଷ୍ଟେଟ୍ PCS ରେ ସଫଳତା ପାଇଛନ୍ତି। ସାଧୁଙ୍କ ଅପେକ୍ଷା ତାଙ୍କ ତମ୍ବୁରେ ଅଧିକାଂଶ ଛାତ୍ର ଅଛନ୍ତି, ଯାହାଙ୍କୁ ବାବା ନିଜେ ହ୍ୱାଟସଆପ୍ ମାଧ୍ୟମରେ ଶିକ୍ଷା ଦିଅନ୍ତି। ପିଲାମାନଙ୍କୁ ଶିକ୍ଷା ଦେବା ତାଙ୍କର ଲକ୍ଷ୍ୟ ।
ମୌନ ବାବାଙ୍କ ଅନୁଯାୟୀ, ନୀରବ ରହିବା ଦ୍ୱାରା ଶକ୍ତି ଜମା ହୁଏ ଏବଂ ଏହି ଶକ୍ତି ବିଶ୍ୱର କଲ୍ୟାଣ ପାଇଁ ବ୍ୟବହୃତ ହୁଏ । ସେ 'ଧର୍ମ କର୍ମ ମର୍ମ ସାଗର' ନାମକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଏହି ବହିରେ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଶୋଇବାଠାରୁ ଉଠିବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ପାଇଁ ଶାସ୍ତ୍ରୀୟ ନିୟମ ଅଛି । ମୌନ ମହାରାଜଙ୍କ ପୁସ୍ତକ ଫେବୃଆରୀ ସୁଦ୍ଧା ପ୍ରକାଶ ପାଇବ। ଆପଣ ଯେତେବେଳେ ମୌନ ମହାରାଜଙ୍କୁ ଭେଟିବେ, ସେତେବେଳେ ଅନୁଭବ କରିବେ ଯେ କେବଳ ଚା’ରେ ବଞ୍ଚିଥିବା ବାବାଙ୍କ ନିକଟରେ କିପରି ଶକ୍ତି ଅଛି। ଯିଏକି ଚୁପ୍ ରହି ସୁଦ୍ଧା ସବୁ କାର୍ଯ୍ୟ ଆରାମରେ କରିପାରୁଛନ୍ତି।