ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ୨୦୨୪-୨୫ରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି । ଏହା ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଦୌଡ଼ରୁ ମଧ୍ୟ ବାଦ୍ ପଡ଼ିଛି ।
ଘରେ ନ୍ୟୁଜିଲାଣ୍ଡ ଠାରୁ କ୍ଲିନ୍ ସୁଇପ୍ ହେବା ପରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ସ୍ଥାନ ପାଇବା ପାଇଁ ବିଜିଟି ଟେଷ୍ଟ ସିରିଜ୍କୁ ବଡ଼ ବ୍ୟବଧାନରେ ଜିତିବା ଜରୁରୀ ହୋଇଯାଇଥିଲା । କିନ୍ତୁ ଭାରତୀୟ ଟିମ୍ କୌଣସି କମାଲ୍ କରିପାରି ନାହିଁ ଏବଂ ଅଷ୍ଟ୍ରେଲିଆରେ କ୍ରିକେଟ୍ର ପାରମ୍ପରିକ ଫର୍ମାଟ୍ରେ ଦଶନ୍ଧି ବ୍ୟାପୀ ଆଧିପତ୍ୟର ବି ଅନ୍ତ ଘଟିଛି ।
Also Read
ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍?
ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫ୍ଲପ୍ ଶୋ’ ପରାଜୟର ପ୍ରମୁଖ କାରଣ ହୋଇଥିବା ବେଳେ ବ୍ୟାଟର୍ଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଚୂଡ଼ାନ୍ତ ଏକାଦଶରେ ବାରମ୍ବାର ପରୀକ୍ଷାନିରୀକ୍ଷା, ବୋଲିଂରେ ଯଶପ୍ରୀତ ବୁମ୍ରାଙ୍କ ଏକାକୀ ଲଢ଼େଇ ଏବଂ ଦୁର୍ବଳ ନେତୃତ୍ୱ ଓ ବିଫଳ ରଣକୌଶଳ ଅନ୍ୟ ଚାରି କାରଣ ଥିଲା ।
ରୋହିତ ଓ ବିରାଟଙ୍କ ଫ୍ଲପ୍ ଶୋ’
ଟିମ୍ର ସବୁଠାରୁ ଅଭିଜ୍ଞ ଖେଳାଳି - ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆର ବିଫଳତାର ପ୍ରମୁଖ କାରଣ ଥିଲା । ସିରିଜ୍ରେ ରୋହିତ ପାଞ୍ଚ ଇନିଂସ୍ ଖେଳି ମାତ୍ର ୩୧ ରନ୍ କରିଥିବା ବେଳେ ବିରାଟ ନଅ ଇନିଂସ୍ରେ ୧୯୦ ରନ୍ ସଂଗ୍ରହ କରିଥିଲେ ।
ବିରାଟ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଶତକ ହାସଲ କରିଥିଲେ, ହେଲେ ଏହାପରେ ସେହି ପ୍ରଦର୍ଶନକୁ ସେ ଆଉ ଦୋହରାଇପାରି ନ ଥିଲେ । ସେ ଆଠ ଥର ଅଫ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ।
ରୋହିତଙ୍କ ପାଇଁ ପରିସ୍ଥିତି ଏମିତି ହୋଇଥିଲା ଯେ ସେ ଖୋଦ୍ ଅନ୍ତିମ ଟେଷ୍ଟରୁ ଓହରି ଯାଇଥିଲେ । ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲ ଓ ଲୋକେଶ ରାହୁଲଙ୍କ ଯୋଡ଼ି ଭଲ ପ୍ରଦର୍ଶନ କରିବାରୁ ଦ୍ୱିତୀୟ ଟେଷ୍ଟ ଜରିଆରେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ହିଟ୍ମ୍ୟାନ୍ ଦୁଇ ମ୍ୟାଚ୍ରେ ମଧ୍ୟକ୍ରମରେ ଖେଳିଥିଲେ, କିନ୍ତୁ ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତି ହୋଇଥିଲା ।
ଚତୁର୍ଥ ଟେଷ୍ଟରେ ସେ ଓପନିଂ ସ୍ଥାନକୁ ଫେରିଥିଲେ, ହେଲେ ବିଫଳତା ତାଙ୍କ ପିଛା ଛାଡ଼ି ନ ଥିଲା ।
ଟେଷ୍ଟରେ ଦୀର୍ଘ ଦିନ ହେଲା ଉଭୟ ବିରାଟ ଓ ରୋହିତଙ୍କ ପ୍ରଦର୍ଶନର ଚମକ ଦେଖିବାକୁ ମିଳୁ ନାହିଁ । ଅଷ୍ଟ୍ରେଲିଆରେ ବିଜିଟି ଟେଷ୍ଟ ସିରିଜ୍ ଖେଳିବାର ଅଭିଜ୍ଞତା ଥିଲେ ବି ଉଭୟ ବିଫଳ ହୋଇଥିଲେ । ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ମଧ୍ୟ ସେମାନେ ନିରାଶ କରିଥିଲେ ।
ବ୍ୟାଟର୍ଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ
ସିରିଜ୍ରେ ଭାରତୀୟ ବ୍ୟାଟର୍ଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ଦେଖିବାକୁ ମିଳିଥିଲା । ଚାରି ମ୍ୟାଚ୍ରେ ଓପନିଂ କରିଥିବା ଓ ଗୋଟିଏ ମ୍ୟାଚ୍ରେ ତିନି ନମ୍ବରରେ ଖେଳିଥିବା ଲୋକେଶ ରାହୁଲ ଦୁଇ ଇନିଂସ୍ରେ ଭଲ ଖେଳିଥିଲେ, ହେଲେ ବାକି ଆଠ ଇନିଂସ୍ରେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ସେ ସିରିଜ୍ରେ ମୋଟ୍ ୨୭୬ ରନ୍ କରିଥିଲେ ।
ଓପନର୍ ଯଶସ୍ୱୀ ଜୟସ୍ୱାଲ ଟିମ୍ ପକ୍ଷରୁ ସର୍ବାଧିକ ୩୯୧ ରନ୍ କରିଥିଲେ, କିନ୍ତୁ ତିନି ଇନିଂସ୍ରେ ସେ ଖାତା ବି ଖୋଲିପାରି ନ ଥିଲେ । ନୀତୀଶ କୁମାର ରେଡ୍ଡୀ (୨୯୮) ଭାରତର ଦ୍ୱିତୀୟ ଟପ୍ ସ୍କୋରର୍ ଥିଲେ, ହେଲେ ତାଙ୍କ ପ୍ରଦର୍ଶନରେ ନିରନ୍ତରତା ନ ଥିଲା ।
ରିଷଭ ପନ୍ତ ସିରିଜ୍ରେ ୨୫୫ ରନ୍ କରିଥିଲେ । ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ସେ ୬୧ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ, ହେଲେ ତାଙ୍କ ପ୍ରଦର୍ଶନରେ ବି ନିରନ୍ତରତାର ଅଭାବ ଥିଲା ।
ପ୍ରଥମ ଟେଷ୍ଟରେ ଶତକ ପରେ ବିରାଟ କୋହଲି ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ନିରାଶ କରିଥିଲେ । ଗିଲ୍ଙ୍କ ପ୍ରଦର୍ଶନ ବି ନୈରାଶ୍ୟଜନକ ଥିଲା । ସେ ପାଞ୍ଚ ଇନିଂସ୍ ଖେଳି ମାତ୍ର ୯୩ ରନ୍ କରିଥିଲେ ।
ଚୂଡ଼ାନ୍ତ ଏକାଦଶରେ ବାରମ୍ବାର ପରୀକ୍ଷାନିରୀକ୍ଷା
ଭାରତର ଚୂଡ଼ାନ୍ତ ଏକାଦଶରେ ବାରମ୍ବାର ପରୀକ୍ଷାନିରୀକ୍ଷା ଟିମ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହାଦ୍ୱାରା ଟିମ୍ର ପ୍ରକୃତି ବଦଳି ଚାଲିଲା ଏବଂ ଖେଳାଳି ଅଭିଜ୍ଞତା ହାସଲ କରିପାରି ନ ଥିଲେ ।
ପର୍ଥରେ ହୋଇଥିବା ସିରିଜ୍ର ପ୍ରଥମ ଟେଷ୍ଟ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମା ଉପଲବ୍ଧ ନ ଥିଲେ ଏବଂ ବ୍ୟାଟର୍ ଶୁଭମନ ଗିଲ୍ ଅନ୍ଫିଟ୍ ଥିଲେ । ଏପରି ସ୍ଥଳେ ବୁମ୍ରା ଅଧିନାୟକତ୍ୱ କରିଥିଲେ । ଟିମ୍ ଏହି ମ୍ୟାଚ୍ ଜିତି ଅଗ୍ରଣୀ ହାସଲ କରିଥିଲା ।
ଏଥିରେ ବ୍ୟାଟର୍ ଧ୍ରୁବ ଜୁରେଲ୍ ଓ ଦେବଦତ୍ତ ପଡିକଲ ଖେଳିଥିଲେ । ଏହାଛଡ଼ା ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ୱାଶିଂଟନ୍ ସୁନ୍ଦରଙ୍କ ସହ ଦୁଇ ନବାଗତ - ପେସର୍ ହର୍ଷିତ ରାଣା ଓ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀଙ୍କୁ ବି ସୁଯୋଗ ମିଳିଥିଲା । ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାହାରେ ବସାଯାଇଥିଲା । ତେବେ ଜୁରେଲ୍, ପଡ୍ଡିକଲ ଓ ହର୍ଷିତ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ ।
ଏହାପରେ ଆଡିଲେଡ୍ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ରୋହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ରୋହିତ, ଅଶ୍ୱିନ ଓ ଗିଲ୍ ଚୂଡ଼ାନ୍ତ ଏକାଦଶକୁ ଆସିବା ଯୋଗୁଁ ଜୁରେଲ୍, ପଡିକଲ ଓ ସୁନ୍ଦର ବାଦ୍ ପଡ଼ିଥିଲେ । ପ୍ରଥମ ଟେଷ୍ଟରେ ପ୍ରଭାବିତ କରିପାରି ନ ଥିବା ହର୍ଷିତ ଦ୍ୱିତୀୟ ମ୍ୟାଚ୍ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।
ବ୍ରିସ୍ବେନ୍ ଠାରେ ହୋଇଥିବା ତୃତୀୟ ଟେଷ୍ଟରେ ଅଶ୍ୱିନ ଓ ହର୍ଷିତଙ୍କୁ କାଢ଼ି ସେମାନଙ୍କ ସ୍ଥାନରେ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ ପେସର୍ ଆକାଶ ଦୀପଙ୍କୁ ନିଆଗଲା । ଏହି ମ୍ୟାଚ୍ ପରେ ଅଶ୍ୱିନ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ ।
ମେଲ୍ବର୍ଣ୍ଣ ଠାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଗିଲ୍ଙ୍କୁ ବାଦ୍ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ସୁନ୍ଦର ଖେଳିଥିଲେ । ସିଡ୍ନୀ ଠାରେ ହୋଇଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ଅଧିନାୟକ ରୋହିତ ଓ ଆକାଶ ଖେଳି ନ ଥିଲେ । ସେମାନଙ୍କ ସ୍ଥାନରେ ଗିଲ୍ ଓ ପେସର୍ ପ୍ରସିଦ୍ଧ କ୍ରିଷ୍ଣ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ।
ଖାଲି ସେତିକି ନୁହେଁ, ପ୍ରଥମ ତିନି ଟେଷ୍ଟରେ ଲୋକେଶ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ ଓପନିଂ କରିଥିଲେ ଏବଂ ଚତୁର୍ଥ ଟେଷ୍ଟରେ ଜୟସ୍ୱାଲଙ୍କ ସହ ରୋହିତ ଓପନିଂ କରିବାକୁ ଆସିଥିଲେ । ଏପରି ସ୍ଥଳେ କୌଣସି ଖେଳାଳି ସ୍ଥିର ହୋଇପାରି ନ ଥିଲେ ।
ବୁମ୍ରାଙ୍କ ଏକାକୀ ଲଢ଼େଇ
ପୂରା ସିରିଜ୍ରେ ବୁମ୍ରାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ମନେ ହେଉଥିଲା ସତେ ଯେମିତି କଙ୍ଗାରୁ ଟିମ୍ ଓ ବୁମ୍ରାଙ୍କ ମଧ୍ୟରେ ଲଢ଼େଇ ହେଉଛି । ଭାରତ ଏହି ସିରିଜ୍ରେ ଛଅ ଜଣ ବୋଲର୍ଙ୍କୁ ଖେଳାଇଥିଲା ।
ବୁମ୍ରା ସର୍ବାଧିକ ୩୨ ୱିକେଟ୍ ନେଇଥିଲେ ଏବଂ ଟିମ୍ ହାରିବା ସତ୍ତ୍ୱେ ସେ ‘ପ୍ଲେୟର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଥିଲେ । ସେ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜ୍ରେ ସର୍ବାଧିକ ୱିକେଟ୍ ହାସଲ କରିଥିବା ଭାରତୀୟ ବୋଲର୍ ହୋଇପାରିଥିଲେ । ଏହାଛଡ଼ା ମହମ୍ମଦ ସିରାଜଙ୍କୁ ୨୦ ୱିକେଟ୍ ମିଳିଥିଲା ।
ସିରିଜ୍ରେ ଅନେକ ସମୟରେ ବୁମ୍ରାଙ୍କୁ ବାକି ବୋଲର୍ଙ୍କ ଠାରୁ ଆବଶ୍ୟକ ସହଯୋଗ ମିଳୁ ନ ଥିଲା । ଅନ୍ତିମ ଟେଷ୍ଟରେ ପିଠି ଯନ୍ତ୍ରଣା ଯୋଗୁଁ ସେ ସମ୍ପୂର୍ଣ୍ଣ ରୂପେ ଖେଳିପାରି ନ ଥିଲେ । ଟିମ୍ ଉପରେ ଏହାର ପ୍ରଭାବ ପଡ଼ିଥିଲା । ଏହି ସମୟରେ ବିରାଟ କୋହଲି ଟିମ୍ର ଦାୟିତ୍ୱ ନେଇଥିଲେ ।
ଉପ-ଅଧିନାୟକ ବୁମ୍ରା ପେସ୍ ବାହିନୀର ନେତୃତ୍ୱ ନେଉଥିଲେ । ଏହାଛଡ଼ା ଦୁଇଟି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ତାଙ୍କ ଉପରେ ଅଧିନାୟକତ୍ୱର ଚାପ ବି ପଡ଼ିଥିଲା ।
ଦୁର୍ବଳ ନେତୃତ୍ୱ ଓ ବିଫଳ ରଣକୌଶଳ
ବିଜିଟି ବିଫଳତା ପଛର ଅନ୍ୟତମ କାରଣ ଥିଲା ଦୁର୍ବଳ ନେତୃତ୍ୱ ଓ ବିଫଳ ରଣକୌଶଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଘରେ ନ୍ୟୁଜିଲାଣ୍ଡ ଠାରୁ ୦-୩ରେ ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆରେ ସେ ତିନି ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲେ । ସେଥିମଧ୍ୟରୁ ଟିମ୍ ଦୁଇ ମ୍ୟାଚ୍ ହାରିଥିଲା । କୌଣସି ମ୍ୟାଚ୍ରେ ସେ ଅଧିନାୟକୀୟ ଇନିଂସ୍ ଖେଳିପାରି ନ ଥିଲେ ।
ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରଣକୌଶଳ କ୍ରମାଗତ ଦୁଇ ସିରିଜ୍ରେ ବିଫଳ ହୋଇଥିଲା । ରଣକୌଶଳ ଅନୁଯାୟୀ ମେଲ୍ବର୍ଣ୍ଣ ଓ ସିଡ୍ନୀରେ ଦୁଇ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ - ରବୀନ୍ଦ୍ର ଜାଡ଼େଜା ଓ ୱାଶିଂଟନ୍ ସୁନ୍ଦରଙ୍କୁ ସାମିଲ୍ କରାଯାଇଥିଲା । ଏହାଦ୍ୱାରା ଜଣେ ବିଶେଷଜ୍ଞ ବ୍ୟାଟର୍ କିମ୍ବା ବୋଲର୍ କମିଥିଲେ ।
ମେଲ୍ବର୍ଣ୍ଣରେ ପ୍ରଥମ ଇନିଂସ୍ରେ ଜାଡ଼େଜା ୨୩ ଓଭର୍ ବୋଲିଂ କରି ୩ ୱିକେଟ୍ ନେଇଥିବା ବେଳେ ସୁନ୍ଦର ୧୫ ଓଭର୍ ପକାଇ ଗୋଟିଏ ୱିକେଟ୍ ପାଇଥିଲେ । ସେହିପରି ଦ୍ୱିତୀୟ ଇନିଂସ୍ରେ ଜାଡ଼େଜା ୧୪ ଓଭର୍ ବୋଲିଂ କରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ, ହେଲେ ସୁନ୍ଦର ମାତ୍ର ୪ ଓଭର୍ ପକାଇଥିଲେ ଏବଂ କୌଣସି ୱିକେଟ୍ ପାଇ ନ ଥିଲେ ।
ସିଡ୍ନୀରେ ପ୍ରଥମ ଇନିଂସ୍ରେ ସୁନ୍ଦର ବୋଲିଂ କରି ନ ଥିଲେ ଯେତେବେଳେକି ଜାଡ଼େଜାଙ୍କୁ ମାତ୍ର ୩ ଓଭର୍ ଦିଆଯାଇଥିଲା । ଦ୍ୱିତୀୟ ଇନିଂସ୍ରେ ସୁନ୍ଦର ଗୋଟିଏ ଓଭର୍ ବୋଲିଂ କରିଥିବା ବେଳେ ଜାଡ଼େଜାଙ୍କୁ ବୋଲିଂ ମିଳି ନ ଥିଲା ।
ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଯଦି ସେମାନଙ୍କୁ ବୋଲିଂ ଦେବାର ନ ଥିଲା, ତା’ହେଲେ ଚୂଡ଼ାନ୍ତ ଏକାଦଶରେ କାହିଁକି ନିଆଯାଇଥିଲା?
ଟିମ୍ର ବ୍ୟାଟିଂ ସାମର୍ଥ୍ୟକୁ ବଢ଼ାଇବା ପାଇଁ ଜଣେ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ଙ୍କୁ କାଢ଼ି ଜଣେ ବିଶେଷଜ୍ଞ ବ୍ୟାଟର୍ଙ୍କୁ ନିଆଯାଇପାରିଥା’ନ୍ତା । ଏହାଛଡ଼ା ନୀତୀଶ କୁମାର ରେଡ୍ଡୀ ଅତିରିକ୍ତ ପେସର୍ ଭାବେ ପୂରା ସିରିଜ୍ରେ ବିଫଳ ହୋଇଥିଲେ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)