• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲାଟି ଦିନରୁ ମାଆ ଚାଲିଗଲା....ଜେଜେ ମାଆ ପାଖରେ ସେ ମଣିଷ ହେଲା । ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ଶିକ୍ଷକଙ୍କ ସାହାଯ୍ୟରେ ସେ ପାଠ ପଢୁଥିଲା । ହେଲେ ପିଲାଟି ଦିନରୁ ମାଆକୁ ହରାଇଥିବାରୁ ବଡ ହୋଇ ଡାକ୍ତର ହେବାକୁ ସେ ଦେଖୁଛି ସ୍ୱପ୍ନ ।

ଭଦ୍ରକ ଧାମନଗର ଗଢିଆଳି ପଞ୍ଚାୟତ ଝାରିଡିଆ ଗାଁର ଏ ହେଉଛନ୍ତି ସତ୍ୟବ୍ରତ ବାରିକ । ସ୍ଥାନୀୟ ଝାରିଡିଆ ଇଚ୍ଚ ବିଦ୍ୟାପୀଠରେ ପାଠ ପଢୁଥିଲେ । ନିଜସ୍ୱ ଉଦ୍ୟମରେ ସେ ଭଲ ପାଠ ପଢୁଥିବା ସହିତ ଚଳିତଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ମୋଟ୍‌ ୬୦୦ ନମ୍ବରରୁ ୫୫୩ ଅର୍ଥାତ୍‌ ୯୨ ଦଶମିକ ୧୬ ପ୍ରତିଶତ ନମ୍ବର ସେ ରଖିଛନ୍ତି । ଆଜି ସିନା ମାଟ୍ରିକ୍‌ରେ ୯୨ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ହେଲେ ସେ ପାଠ ପଢିବା ପାଇଁ ଯେମିତି ସଂଘର୍ଷ କରିଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ ।

ସତ୍ୟବ୍ରତଙ୍କୁ ସେତେବେଳେ ୬ ବର୍ଷ ହୋଇଥିଲା । ହଠାତ୍‌ ଜଣାପଡିଥିଲା ତାଙ୍କ ମାଆଙ୍କୁ କ୍ୟାନସର ହୋଇଛି ବୋଲି । ଅଭାବୀ ପରିବାର ହୋଇଥିବାରୁ ଯେତିକି ଯଥା ଶକ୍ତି ଚିକିତ୍ସା କରାଇଲେ ସତ କିନ୍ତୁ ମାଆ ତାଙ୍କର ବଞ୍ଚିଲେନି । ସ୍ତ୍ରୀଙ୍କୁ ହରାଇବା ପରେ ସତ୍ୟବ୍ରତଙ୍କ ବାପା ଅତି କଷ୍ଟରେ ପର ଦୁଆରେ ମୂଲ ମଜୁରୀ ଲାଗି ପରିବାର ଚଳାନ୍ତି । ପରିସ୍ଥିତି ଏମିତି ହୋଇଥିଲା ଯେ ପୁଅକୁ ଭଲରେ ଟ୍ୟୁସନ୍‌ ବି ଦେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ହେଲେ ସାର୍‌ଙ୍କ ସହଯୋଗରେ ସେ ଟ୍ୟୁସନ୍‌ ହେଲେ ଆଉ ପାଠ ବି ପଢିଲେ । ଖାଲି ପାଠ ପଢିଲେ ତାହା ନୁହେଁ ବରଂ ଭଲ ମାର୍କ ରଖି ଏବେ ପୂରା ଜିଲ୍ଲାରେ ଚର୍ଚ୍ଚାରେ ରହିଲେ ।

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ସତ୍ୟବ୍ରତ । ଆଉ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏମିତି ସହଯୋଗ ମିଳିଲେ ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବ ବୋଲି କହିଛନ୍ତି ।

 

  • Reported by:
  • Partha Sarathi nayak