• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାବୁ କୁଆଡ଼େ ଯିବେ ? କେତେ ଲଗେଜ୍‌ ଅଛି? ଆସନ୍ତୁ ଆସନ୍ତୁ...ମୋ ରିକ୍ସାରେ ବସନ୍ତୁ । ମୁଁ ସଙ୍ଗେ ସଙ୍ଗେ ନେଇ ଘରେ ଛାଡିଦେବି । ନା ନା ବାବୁ...୨୦ ଟଙ୍କା ହେଉନି...ସବୁ ମହରଗ ହେଲାଣି । ଘରେ ମୋର ପିଲାଛୁଆ ପରିବାର । ଏତିକି ହେଉନି ଆଉ ୫ ଦିଅ...ଅଟୋରେ ଗଲେ ମାନୁଛି ୧୦ ମିନିଟ୍‌ରେ ପହଞ୍ଚିଯିବ ହେଲେ ସେ ୫୦ ଟଙ୍କାଠୁ କମେଇବନି । ମୁଁ ବାବୁ ୨୫ରେ ଛାଡିଦେବି...ଆସନ୍ତୁ ବସନ୍ତୁ...

ଏ ହେଉଛି ଜଣେ ରିକ୍ସା ବାଲାର ନିତିଦିନର କଥା । ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ ହେଉ । ଆଜିକାଲି ଆଉ ଶୁଭୁନାହିଁ ରିକ୍ସା ବାଲାର ଡାକ । କିଏ ଓଲା ଉବେରରେ ଗଲାଣି ତ ଆଉ କିଏ ପ୍ରାଇଭେଟ୍‌ ଟ୍ୟାକ୍ସିରେ । ନହେଲେ ପର୍ସନାଲ ଗାଡିରେ । ଆଜିକା ମର୍ଡନ ଯୁଗରେ ରିକ୍ସାରେ ଯିବାକୁ କେହି ଆଉ ଇଚ୍ଛା କରୁନାହାନ୍ତି । ହେଲେ ଥରେ ଚିନ୍ତା କରନ୍ତୁ ତ...ଯିଏ ପିଲାଟି ଦିନରୁ ରିକ୍ସା ଚଳାଇ ପରିବାର ପୋଷୁଛି ତା’ର ଅବସ୍ଥା କଣ ହେଉଥିବ?

ଏବେ ଆଉ ଶୁଭୁ ନାହିଁ -- କ୍ରିଂ କ୍ରିଂ କ୍ରିଂ…। ରିକ୍ସା…ରିକ୍ସା…ଶବ୍ଦ । ହେଲେ ଭଦ୍ରକର ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଆଜି ବି କିଛି ଲୋକ ରିକ୍ସା ଚଳାଉଛନ୍ତି । ଅବଶ୍ୟ ଆଗ ପରି ରୋଜଗାର ହେଉନି ହେଲେ ସୀମିତ ରୋଜଗାରରେ ଆଜି ବି ସେମାନେ ପରିବାର ଚଳାଉଛନ୍ତି । ପିଲାଛୁଆଙ୍କୁ ମଣିଷ କରୁଛନ୍ତି ।

ଭଦ୍ରକର ସେକ ମୁର୍ତଜା । ଘର ଭଦ୍ରକ ପୁରୁଣା ବଜାର ଅଂଚଳରେ । ବୟସ ୬୦ ଛୁଇଁଲାଣି । ମୁର୍ତଜା ୧୫ ବର୍ଷ ବେଳଠୁ ରିକ୍ସା ଚଳାଉଛନ୍ତି । ରିକ୍ସାରୁ ଯେତିକି ରୋଜଗାର ହେଉଥିଲା ସେତିକିରେ ପୂରା ପରିବାର ମୁହଁରେ ଦାନା ଦେବା ସହିତ ପିଲାଛୁଆଙ୍କୁ ମଣିଷ କରିଛନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି ତାଙ୍କ ରିକ୍ସାରେ ସେ ବର ନେଇ ଯାଇଛନ୍ତି । କିନ୍ତୁ ଆଜି ସେ ସମୟ ଆଉ ନାହିଁ । ଦିନକୁ ଗୋଟିଏ ଯୋଡିଏ ଭଡା ପାଇବା ବି କଷ୍ଟ ହୋଇପଡୁଛି ।

ସେମିତି ଇମାମ ଖାନ୍‌...୭୦ ବର୍ଷ ହେଲାଣି । ୧୯୭୭ରୁ ରିକ୍ସା ଚଳାଉଛନ୍ତି । ଆଜି ବି ସକାଳୁ ସଂଜ ପର୍ଯ୍ୟନ୍ତ ବନ୍ତ ଛକରେ ରୋଜଗାର ପାଇଁ ଅପେକ୍ଷା କରନ୍ତି ହେଲେ ରିକ୍ସାରେ ବସିବାକୁ ଲୋକ ରାଜି ହେଉ ନାହାନ୍ତି । ମନଦୁଃଖରେ କୁହନ୍ତି, ଆଗରୁ ରିକ୍ସାରେ ବସିବାକୁ ଲୋକେ ଭିଡାଭିଡି ହୁଅନ୍ତି ହେଲେ ଏବେ କେହି ପଚାରୁନାହାନ୍ତି ।

ଖାଲି ଏମାନେ ନୁହନ୍ତି ସେକ ତୋଇଙ୍କର ବି ସମଦଶା । ଘର- ଭଦ୍ରକର ଗୁଜିଦରଡାରେ । ୪୦ ବର୍ଷ ହେଲାଣି ରିକ୍ସା ଚଳାଇ ପରିବାର ଚଳାଉଥିଲେ । ହେଲେ ଏବେ ଦିନକୁ ୫୦ ଟଙ୍କା ରୋଜଗାର ହେବା କଷ୍ଟକର ହେଲାଣି । ତେଣୁ ଏମିତି ସ୍ଥିତିରେ କେମିତି ପରିବାର ଚଳିବ ସେହି ଚିନ୍ତାରେ ପୂରା ପରିବାର ।

ଆମେ ପିଲାଦିନେ ରିକ୍ସାରେ ବସି ବୁଲିବା ପାଇଁ କେତେ ଅଳି କରନ୍ତି...ଝଗଡା ବି କରନ୍ତି । ହେଲେ ଏବେ ସମୟ ବଦଳିଯାଇଛି । ଏବେ ରିକ୍ସା ନୁହେଁ ବରଂ ଲକ୍ସଜ୍ୟୁରି କାର୍‌ରେ ବୁଲିବାକୁ ସମସ୍ତେ ଇଚ୍ଛା କରୁଛନ୍ତି । ଯେଉଁଥି ଲାଗି ରିକ୍ସା ଆଜି ହଜିଯିବାକୁ ବସିଲାଣି । କିନ୍ତୁ ଥରେ ଚିନ୍ତା କରନ୍ତୁତ...ଯିଏ ଆମକୁ ପିଲାଦିନରେ କେତେ ଆଡେ ବସି ବୁଲାଇଛି, ଆଜି ସିଏ ଚଳୁଥିବ କେମିତି?

 

  • Reported by:
  • Partha Sarathi nayak