ଦିନେ ସିଏ ପରିବାର ଚଳାଉଥିଲେ, ପିଲାଛୁଆଙ୍କୁ ଖୁଆଇ ପିଆଇ ମଣିଷ କରି ଗଢିତୋଳିବାର ସ୍ୱପ୍ନ ଦେଖୁଥିଲେ । ହେଲେ ହ୍ୱିଲ ଚେୟାର ଏବେ ତାଙ୍କର ସବୁ ସ୍ୱପ୍ନକୁ ମାଟିରେ ମିଶାଇ ଦେଲା । ଦିନେ ଯିଏ ଅନ୍ୟର ସାହାରା ଥିଲେ, ଆଜି ବିନା ସାହାରାରେ ସେ ପାଦେ ଚାଲିବି ପାରୁନାହାନ୍ତି । ଦୁର୍ଘଟଣା ତାଙ୍କର ସବୁ ଇଚ୍ଛା ଓ ଆଶାକୁ ଯେମିତି ଧୂଳି ଝଡ ପରି ଉଡେଇ ନେଇଛି କୁଆଡେ ।
ହ୍ୱିଲ୍ ଚେୟାରରେ ଏବେ ବସିଛି ଘରର ଏକମାତ୍ର ରୋଜଗାରିଆ ପୁଅ । ପିଲାଛୁଆ, ସ୍ତ୍ରୀ ଓ ମାଆଙ୍କ ପେଟ ପୋଷିବା ପାଇଁ ବାହାର ରାଜ୍ୟରେ କାମ କରୁଥିଲେ । ଯେତିକି ଯାହା ରୋଜଗାର କରୁଥିଲେ ସେତିକିରେ ବେଶ୍ ହସଖୁସିରେ ଚାଲୁଥିଲା ସଂସାର ରଥ । ହେଲେ ଗୋଟିଏ ଦୁର୍ଘଟଣା ତାଙ୍କ ପରିବାରରେ ଭରି ଦେଲା ଅନ୍ଧାର । ଏବେ ରୋଜଗାରିଆ ପୁଅ ବିଛଣାରେ ପଡିଥିବାରୁ ବଡ କଷ୍ଟରେ ଚଳୁଛି ପରିବାର ।
ଆନନ୍ଦପୁର ମୋଚିନ୍ଦା ଗାଁର ରମେଶ କୁମାର ସେଠୀ । ଘର ଚଳିବାକୁ ତାମିଲନାଡୁରର ସୂତାକଳରେ କାମ କରୁଥିଲେ । ମଝିରେ ମଝିରେ ଗାଁକୁ ଆସନ୍ତି ରମେଶ । ହେଲେ ଗାଁକୁ ଆସିବା ହିଁ ତାଙ୍କ ପାଇଁ କାଳ ହେଲା । ସାତକୋଶିଆ ପାଖରେ ଏମିତି ଦୁର୍ଘଟଣାର ଶିକାର ହେଲେ ଯେ ସେବେଠୁ ବିଛଣାରେ ପଡିଛନ୍ତି ଯେ ଆଜିଯାଏଁ ଉଠିବା ତାଙ୍କ ପକ୍ଷରେ ସମ୍ଭବ ହେଉନି ।
Also Read
ରୋଜଗାର କରୁଥିଲା ବେଳେ ସିନା ପରିବାର ଚଳୁଥିଲା ହେଲେ ଏବେ ସବୁ ଗଲା । ଦୁର୍ଘଟଣା ପରେ ରମେଶଙ୍କ ପରିବାରର ଦୁଃଖ ଯେମିତି ୧୦ ଗୁଣା ହୋଇଛି । ସ୍ଥିତି ଏମିତି ହେଲାଣି ଯେ ରମେଶଙ୍କ ପରିବାର ଖାଇବାକୁ ବି ପାଉନି । ଆଉ ସରକାରୀ ଯୋଜନା କହିଲେ ତାଙ୍କ ଲାଗି ସାତସପନ । ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୨୦ କିଲୋ ଚାଉଳ । ପୁଅର ଏମିତି ଅବସ୍ଥା ଦେଖି ବୁଢୀ ମାଆ ନଇଁ ନଇଁ ପର ଘରେ ପାଇଟି କରୁଛି । ଆଉ ସେଥିରୁ ଯେତିକି ରୋଜଗାର ହେଉଛି ସେତକରେ ଚଳୁଛି ପୂରା ପରିବାର । ରମେଶଙ୍କର ଏମିତି ଅବସ୍ଥା ଦେଖି ଗାଁ ଲୋକ କେତେବେଳେ କେମିକି ସାହାଯ୍ୟ କରୁଛନ୍ତି ହେଲେ ତାହା ସମୁଦ୍ରକୁ ଶଙ୍ଖେ ।
ଗରିବ ତଥା ଅସହାୟ ପରିବାର ଲାଗି ସରକାର କେତେ କଣ ଯୋଜନା କରୁଛନ୍ତି, ହେଲେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚିପାରୁନି ଯୋଜନା । ଯଦି ରମେଶଙ୍କ ପରିବାରକୁ ସରକାରୀ ସହାୟତା ମିଳନ୍ତା ତେବେ ସେ ସୁସ୍ଥ ହେବା ସହିତ ତାଙ୍କ ପରିବାର ଭଲରେ ଚଳନ୍ତା ।
(ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ)