• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟ୍ରେନ ଟ୍ରାଜେଡିର ୭ ଦିନ ପରେ ବି ମୃତଦେହ ଚିହ୍ନଟକୁ ନେଇ ଦହଗଞ୍ଜ ନିଖୋଜ ବ୍ୟକ୍ତିଙ୍କ ପରିବାର । ଦଶାହ କର୍ମ ପାଇଁ ହାତରେ ଆଉ ମାତ୍ର ୩ ଦିନ। ହେଲେ ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ । କାହିଁ କେତେ ଦୂରରୁ ଦୁଇ ଦିନ ହେଲା ଆସି ଅଜଣା ସହରରେ ରହିଛନ୍ତି, ପୁଣି ରିପୋର୍ଟ ଆସିବାକୁ ଆହୁରି ୫-୭ ଦିନ ଲାଗିପାରେ ।

ନା ଆଖିରୁ ଲୁହ ଶୁଖୁଛି, ନା ପାଟିକୁ ଦାନା ଯାଉଛି । ଖାଲି ବାଧ୍ୟବାଧ୍ୟକତାରେ ଯାହା ଜଣେ ସ୍ୱେଚ୍ଛାସେବୀ ଗୁଞ୍ଜି ଦେଉଛନ୍ତି ଭାତ ଡାଲି । ଭୁବନେଶ୍ୱର ଏମସ୍‌ ପରିସରରେ ପଶ୍ଚିମବଙ୍ଗ ହୁଗୁଳିର ସୁର୍ମିଲା ମାଣ୍ଡି କରମଣ୍ଡଳ ଦୁର୍ଘଟଣାରେ ନିଖୋଜ ଜ୍ୱାଇଁଙ୍କୁ ଖୋଜି ଖୋଜି ଶେଷରେ ଏମସ୍‌ରେ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ବାଲେଶ୍ୱର ମେଡିକାଲରୁ କଲ୍ ଆସିଥିଲା ଜ୍ୱାଇଁ ଗୋପାଳ ହେମ୍ବ୍ରମ ଆହତ ହୋଇ ବାଲେଶ୍ୱର ହସ୍ପିଟାଲରେ ଅଛନ୍ତି । ହେଲେ ସେହି ଦିନଠୁ ପରିବାର ଲୋକ ସବୁ ହସ୍ପିଟାଲ ଖୋଜି ସାରିଲେଣି । କିନ୍ତୁ ପତ୍ତା ମିଳୁନି । ବଞ୍ଚିଛନ୍ତି କି ନାହିଁ ବି କହିପାରୁ ନାହାନ୍ତି ।

ସେମିତି ଆଉ ଜଣେ ଅଭାଗିନୀ ମାଆ ହେଉଛନ୍ତି କୋଲକତା ଆମତାଲାର ସବିଲା ମୂଲା । ରୋଜଗାର ପାଇଁ ଘରୁ ଗୋଡ଼ କାଢିଥିଲା ବଡ ପୁଅ ସରିଫୁଲ୍ ଶେଖ୍ । କରମଣ୍ଡଳ ଦୁର୍ଘଟଣା ପରେ ଫୋନ ଗଲା ଆପଣଙ୍କ ପୁଅ ଆଉ ନାହିଁ । ସେଦିନଠୁ ଆସି ପୁଅର ମୃତଦେହକୁ ଖୋଜୁଛନ୍ତି ପୂରା ପରିବାର । ଘରେ ପତ୍ନୀ ଆଉ ବର୍ଷକର ପୁଅ । ଏମସ୍‌ରେ ପୁଅର ଫଟୋ ଦେଖି ବଡି ଚିହ୍ନଟ କଲେ, ହେଲେ ଅଭିଯୋଗ ମେଡିକାଲ ଆଉ ଏକ ମୃତ ଦେହ ନେଇଯିବାକୁ କହୁଛି । ତେଣୁ ବାଧ୍ୟ ହୋଇ ଡିଏନଏ ପରୀକ୍ଷା ପାଇଁ ୭ରୁ ୮ ଦିନ ଅପେକ୍ଷା କରିବାକୁ ଅନିଚ୍ଛା ସତ୍ତ୍ୱେ ରାଜି ହୋଇଛନ୍ତି ମାଆ ।

ସେମତି ଆଉ ଜଣେ ନିଖୋଜ ହେଉଛନ୍ତି ବାଲେଶ୍ୱର ସଦର ବ୍ଲକ ଚପଦାବଡଗାଁର ମଞ୍ଜୁମଣି ସାନ ଝିଅର ଚିକିତ୍ସା ପାଇଁ କଟକ ଯାଉଥିଲେ ମଞ୍ଜୁ । ଦୁର୍ଘଟଣା ପରଠୁ ତାଙ୍କର ବି କିଛି ଖବର ମିଳୁନି । ସେହି ଦିନଠୁ ଘରେ ଚୁଲି ଲାଗିନି । ପରିବାର ଲୋକ ସବୁ ମେଡିକାଲ ବୁଲି ସାରିଲେଣି । ହେଲେ ମାଆଙ୍କ ଖବର ନମିଳିବାରୁ କାନ୍ଦି କାନ୍ଦି ଖାଲି ଲୁହ ପିଇ ବଞ୍ଚିଛନ୍ତି ପରିବାର । କେବଳ ମୃତକଙ୍କ ଫଟୋରୁ ଚିହ୍ନଟ ହେଲା, ହେଲେ ଏପର୍ଯ୍ୟନ୍ତ ମିଳୁନି ମୃତଦେହ । ତେଣୁ କେମିତି କରିବେ ଅନ୍ତିମ ସଂସ୍କାର ତାକୁ ନେଇ ଚିନ୍ତାରେ ।

୭ ଦିନ ବିତିଲାଣି, ଦଶାହ କର୍ମ ପାଇଁ ହାତରେ ମାତ୍ର ଦୁଇ ଦିନ । ହେଲେ ମୃତ ଦେହ ନମିଳିଲେ କେମିତି ଶୁଦ୍ଧିକାର୍ଯ୍ୟ କରିବେ ତାକୁ ନେଇ ଚିନ୍ତାରେ ନିଖୋଜଙ୍କ ପରିବାର । କିଛି ଡିଏନଏ ସାମ୍ପୁଲ ଦେଇ ରିପୋର୍ଟ ଅପେକ୍ଷାରେ ଅଛନ୍ତି । ଆଉ କେହି ଏବେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଘୂରି ବୁଲୁଛନ୍ତି । ଏବେ ବି ୮୨ ମୃତ ଦେହ ଅଚିହ୍ନା ଭାବେ ଏମସ୍‌ରେ ରହିଛି ।

  • Reported by:
  • RASHMIRANJAN DAS , SOUMYA RANJAN SAHOO