ପାହାନ୍ତି ସକାଳର ଶୀତ ହଟିନି କି ସମ୍ପୂର୍ଣ୍ଣ ଅପସରିନି ଭୋର ସମୟର କୁହୁଡ଼ି। ହେଲେ ତା ପୂର୍ବରୁ ସ୍ୱପ୍ନ ପାଇଁ ଆରମ୍ଭ ହେଲାଣି ସଂଘର୍ଷ। ମାତ୍ର ୧୩ ବର୍ଷ ବୟସର ପଢୁଆ ପିଲାର କାନ୍ଧର ପରିବାର ବୋଝ ଆପେ ଆପେ ଲଦି ହୋଇଯିବା ପରେ ସେ ସାଜିଛି ପେପର ବୟ। ବଲାଙ୍ଗିର ସହରର କନ୍ଧପାଲି ପଡ଼ାର ସ୍ୱର୍ଗତ ସିଭିଲ ରାଓଙ୍କ ପୁଅ ଚୁମନ୍ ରାଓ ତା ସଂଘର୍ଷର କଥା କୌଣସି ସିନେମାର କାହାଣୀଠୁ ବି କମ୍ ନୁହେଁ। ବାପା, ମାଓ ଓ ଦୁଇ ଭାଇଙ୍କୁ ନେଇ ବେଶ୍ ଖୁସିରେ ଚାଲିଥିଲା ପରିବାର। ହେଲେ ଠିକ୍ ୨ ବର୍ଷ ପୂର୍ବେ ହଠାତ ବାପା ଚାଲିଯିବା ଏବଂ ମାଆ ରୋଗାକ୍ରାନ୍ତ ହେବା ପରେ ଏଇ ବକଟେ ବୟସରୁ ଚୁମନ୍ କାନ୍ଧରେ ପୁରା ପରିବାରର ବୋଝ। ତେଣୁ ସେ ଦାୟିତ୍ୱ ତୁଲାଇବାକୁ ଦୈନିକ ସକାଳୁ ଘର ଘର ବୁଲି ପେପର ବାଣ୍ଟୁଛି ଚୁମନ୍। ସେଇଥିରୁ ଯାହା ମିଳୁଛି, କଷ୍ଟେମଷ୍ଟେ ଚଳି ଯାଉଛି ତାଙ୍କ ଅଭାବୀ ପରିବାର।
ଚୁମନ୍ର ବାପା ଠିକାଦାର ଥିବାରୁ ଆଗରୁ ବେଶ୍ ସ୍ୱଚ୍ଛନ୍ଦରେ ଚଳୁଥିଲା ପରିବାର। ହେଲେ ବାପାଙ୍କ ଦେହାନ୍ତ ପରେ ଆଉ ସେ ସମୟ ନାହିଁ। ପୂର୍ବରୁ ଘରୋଇ ସ୍କୁଲରରେ ପଢୁଥିବା ଚୁମନ୍ ଏବେ ସ୍ଥାନୀୟ ସରକାରୀ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ନିଜ ପାଠପଢ଼ା ସହ ଏତେ କମ୍ ବୟସରୁ ବି ତାର ଦାୟିତ୍ୱ ଓ ଉତ୍ତରଦାୟିତ୍ୱକୁ ନିଭାଇବାରେ ଟିକିଏ ଅବହେଳା କରିନି ଚୁମନ୍। ସକାଳ ୫ଟାରୁ ୮ଟା ଯାଏଁ ପେପର ବଣ୍ଟା ପରେ ସେଇଠୁ ଆରମ୍ଭ ହୁଏ ସ୍କୁଲ ଯିବା ପ୍ରସ୍ତୁତି।
ତା ଭିତରେ ସାନ ଭାଇର ଲାଳନପାଳନ ଓ ମାଆର ସେବା ଯତ୍ନ କରିବାକୁ ବି ଭୁଲି ନଥାଏ। ଆଉ ଏ ସବୁ ପରେ ବି ସେ ତା ସ୍କୁଲର ଜଣେ ମେଧାବୀ ଛାତ୍ର ବଡ଼ ହୋଇ ଭବିଷ୍ୟତରେ ଡାକ୍ତର ହେବାର ଇଛା ରଖିଛି ସୁମନ୍। ତେଣୁ ତାର ସ୍ବପ୍ନ ପୂରଣ ପାଇଁ ଏବେ ଦରକାର ସହଯୋଗର ଲମ୍ବା ହାତ।
(ରିପୋର୍ଟ: ମନରଞ୍ଜନ ଯୋଶୀ)