• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସିଏ ସିନା କଥା କହିପାରୁନି...ହେଲେ ସିଏ ବି ଗୋଟିଏ ମାଆ । ଗର୍ଭରେ ରଖି ଯେଉଁପିଲାଙ୍କୁ ଜନ୍ମ ଦେଇଛି...ଛାତି ଚିରି ଯାହାଙ୍କୁ କ୍ଷୀର ଦେଇଛି ତାଙ୍କୁ ସେ ପର କରିଦେବ ବା କେମିତି? ନିଜର ପଛେ ଜୀବନ ଯାଉ ହେଲେ ତା ଛୁଆର କିଛି କ୍ଷତି ନହେଉ । ପ୍ରତିଟି ମାଆ ପରି ସେ ବି ମମତା ସାଗରରେ ପିଲାଙ୍କୁ ପାଳିଛି । ସେଇଥି ପାଇଁ ତ ଏତେ ଝଡ଼ି ବର୍ଷାରେ ବି ତ ସେ କୁଆଡେ ଯାଉନି । ଶତ ଚେଷ୍ଟା ପରେ ପିଲାଙ୍କୁ ଉଦ୍ଧାର କରିପାରିଲାନି ସତ କିନ୍ତୁ ସେ ହାର ମାନିଲା ନାହିଁ । ବରଂ ନିଜର ବୁଦ୍ଧି ଖର୍ଚ୍ଚ କରି ଏମିତି ପୋଲିସ ବାବୁଙ୍କ ପାଖରେ ନେହୁରା ହେଲା, ଛାଟିପିଟି ହେଲା...ଛୁଆର ଜୀବନ ବଞ୍ଚାଇଲା ।

ପ୍ରବଳ ବର୍ଷାରେ ଆଖି ଯେତେ ବାଟ ଦିଶୁଛି କେବଳ ଦେଖାଯାଉଛି ପାଣି ଆଉ ପାଣି । ହେଲେ ଏହାରି ଭିତରେ କୁକୁର ଛୁଆ ଗୁଡିକ କେଉଁଠାରେ ରହିଯାଇଛନ୍ତି । ସେମାନେ ଏମିତି ସ୍ଥାନରେ ରହିଛନ୍ତି ଯେ ତାଙ୍କୁ ଉଦ୍ଧାର କରିବାକୁ ସତ ଚେଷ୍ଟା କରିବା ପରେ ବି ମାଆ କୁକୁର ପାଖରେ ତାହା ସମ୍ଭବ ହେଉନି । କଣ କରିବ? ମାଆ ମନା ପରା...ବୁଝୁନି କି ବୁଝିବନି । ହେଲେ ଛୁଆଙ୍କ ଜୀବନ ବଞ୍ଚାଇବାକୁ ସେ ଯେଉଁ ଉପାୟଟି ପାଞ୍ଚିଲା ତାହା ସମସ୍ତଙ୍କୁ ବାକ୍‌ଶୂନ୍ୟ କରିଦେଇଛି ।

କୁକୁରଟି ନିଜ ଛୁଆଙ୍କ ପାଇଁ ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଥିଲା । ବାସ୍‌ ଏହି ସମୟରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଛୁଆମାନେ ଗୋଟିଏ ଘରେ ଫଶିରହିଥିଲେ । ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଛୁଆଙ୍କ ପାଖରେ ପହଞ୍ଚିବା ତା’ ପାଖରେ ସମ୍ଭବ ନଥିଲା । ଆଖି ସାମ୍ନାରେ ପିଲାମାନେ ଭୋକରେ ଆକୁଳ ଚିତ୍କାର କରୁଥିଲେ..ତେଣୁ ପିଲାଙ୍କୁ ବଞ୍ଚାଇବାକୁ ପୋଲିସ କର୍ମଚାରୀଙ୍କୁ ଘେରିଯାଇଥିଲା କୁକୁରଟି । କୁକୁର କଣ କହିବାକୁ ଚାହୁଁଛି କେହି ହଠାତ୍‌ ବୁଝିନଥିଲେ ହେଲେ ଏନଟିଆର ଜିଲ୍ଲା ପୋଲିସ କମିଶନର ଶ୍ରୀ କ୍ରାନ୍ତି ରଣା ଟାଟା ବହୁ ସମୟ ପରେ ମା କୁକୁରଟିର ବିଚଳିତ ଅବସ୍ଥା ଦେଖି କିଛି ଅନୁଭବ କରିଥିଲେ । ଆଉ କୁକୁର ଛୁଆଙ୍କୁ ରେସ୍କ୍ୟୁ ଅପରେସନ୍‌ ଆରମ୍ଭ କରିଥିଲେ ।

ଅପରେସନ୍‌ ପରେ ଛୁଆ ଗୁଡିକୁ ଆଣି ସୁରକ୍ଷିତ ସ୍ଥାନରେ ଛଡାଯିବା ପରେ ମାଆ କୁକୁରଟି ସଙ୍ଗେ ସଙ୍ଗେ ତାଙ୍କୁ ଚାଟି ପକାଇବା ସହିତ କ୍ଷୀର ଖୁଆଇ ଥିଲା । ଯାହାର ଦୃଶ୍ୟ ଉପସ୍ଥିତ ଥିବା ସବୁ ପୋଲିସ କର୍ମଚାରୀଙ୍କ ଆଖିରେ ପାଣି ଜକେଇ ଦେଇଥିଲା । ଦର୍ଶକବନ୍ଧୁ ଏମିତି ଘଟଣାଟି ଆନ୍ଧ୍ର ପ୍ରଦେଶର ନନ୍ଦିଗାମରୁ ଆସିଛି । ଲଘୁଚାପ ପ୍ରଭାବରେ ବର୍ଷା ହେବାରୁ ସ୍ଥିତି ଏମିତି ଉପୁଜିଥିଲା । ପ୍ରତିଟି ମାଆ ପାଇଁ ସେମାନଙ୍କ ଛୁଆର ଜୀବନ ଅମୂଲ୍ୟ । ସେମାନଙ୍କ ଦେହରେ କଣ୍ଟା ବାଜିଲେ, ମାଆ ଦେହରୁ ରକ୍ତ ବୋହି ପଡେ । ଆଉ ନିଜ ଛୁଆର ଏମିତି ଅବସ୍ଥାକୁ ଦେଖି କୋଉ ମାଆ ବା ସମ୍ଭାଳି ହେବ...ସତରେ ମଣିଷ ହେଉ କି ପଶୁ...ମାଆର ସ୍ନେହ ମଧ୍ୟରେ କିଛି ଭିନ୍ନତା ନାହିଁ କି ପାର୍ଥକ୍ୟ ନାହିଁ ।

 

(ବିଶାଖପାଟଣାରୁ ଯଶୋବନ୍ତ ପାଢୀଙ୍କ ରିପୋର୍ଟ)