• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଙ୍ଗା ଦଦରା ଘର...କଳା ମଚମଚ କାନ୍ଥ । ଗୋଟିଏ ଘରେ ଶୋଇବାଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ ଏକାଠି ହେଉଛି । ଘରର ଅବସ୍ଥା ଦେଖିବା ପରେ ଯିଏ ନାହିଁ ସିଏ ବୁଝିପାରିବ ତାଙ୍କ କଷ୍ଟ । ସ୍ୱାମୀ ଥିବା ବେଳେ ଯାହା ଯେମିତି ଦୁଃଖ କଷ୍ଟରେ ସଂସାର ରଥ ଆଗକୁ ଗଡୁଥିଲା । ହେଲେ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ସବୁ କିଛି ସରିଗଲା । ପୁଅ-ଝିଅକୁ ମଣିଷ କରିବା ଚିନ୍ତାରେ ରାଲି । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା...

ଜଗତସିଂହପୁର ଜିଲ୍ଳା ସଦର ବ୍ଲକ୍ ଅନ୍ତର୍ଗତ ମଣ୍ଡାସାହି ଗାଁରେ ରାଲି ଓଝାଙ୍କ ଘର । ଆଜକୁ ଠିକ୍‌ ୯ ବର୍ଷ ତଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ ସ୍ୱାମୀ । ସ୍ୱାମୀଙ୍କ ଅବର୍ତ୍ତମାନରେ ପୁଅ-ଝିଅଙ୍କୁ ମଣିଷ କରିବାକୁ ଦିନରାତି ପରିଶ୍ରମ କରି ଯାହା ଯେତିକି ଟଙ୍କା ଯୋଗାଡ କରୁଥିଲେ ସେତିକିରେ ପରିବାର ଚଳୁଥିଲା । କିନ୍ତୁ ବିଧାତା ପୁଣି ରାଲିଙ୍କ ପିଠିରେ ବିଧାଟିଏ ଦେଇଛି । ଅର୍ଥାତ୍‌ ସେ ଏବେ ଲିଭର ସିରୋସିସ୍‌ ରୋଗରେ ପୀଡିତ ।

ଦେହ ଖରାପ ହେବାରୁ ଡାକ୍ତରୀ ଚିକିତ୍ସା ପାଇଁ ମେଡିକାଲ ଯାଇଥିଲେ ରାଲି । ହେଲେ ପରୀକ୍ଷା ହେବା ପରେ ସେ ଲି‌ଭର ସିରୋସିସ୍‌ ରୋଗରେ ପୀଡିତ ବୋଲି ଜାଣିବାକୁ ପାଇଲେ । ବାସ୍‌ ଏହା ଜଣାପଡିବା ପରେ ସେ ଦୁଃଖରେ ଭାଙ୍ଗିପଡିଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ବଡ଼ କଷ୍ଟରେ ଚଳୁଥିବା ପରେ ପୁଣି ଏତେ ବଡ ରୋଗ ପାଇଁ ସେ ଟଙ୍କା କେଉଁଠୁ ଆଣିବେ ସେଇ ଚିନ୍ତାରେ କାଟୁଛନ୍ତି ଦିନ । ରାଲିଙ୍କ ଏମିତି ଅବସ୍ଥାରେ ଦେଢଶୂର ଯାହା ଯେମିତି ସାହାଯ୍ୟ କରୁଛନ୍ତି...ହେଲେ ସେତିକି ସମୁଦ୍ରକୁ ଶଙ୍ଖେ ସଦୃଶ । ତେଣୁ ମୋର ଯଦି କିଛି ହୋଇଯାଏ ମୋ ପିଲାଙ୍କ ଦାୟିତ୍ୱ କିଏ ନେବ ବୋଲି କାନ୍ଦିକାନ୍ଦି କହୁଛନ୍ତି ରାଲି ।

ରାଲିଙ୍କ ଦୁଃଖ ଏତେ ଯେ ଯିଏ ଦେଖୁଛି ସିଏ ଆଖିରୁ ଲୁହ ଝରାଉଛି । ସେପଟେ ରାଲିଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସଂପର୍କୀୟ ଓ ସ୍ଥାନୀୟ ଲୋକ । ରାଲିଙ୍କ ଅସହାୟତା ସଂପର୍କରେ ଆମେ ଜିଲ୍ଳା ଅତିରିକ୍ତ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ପରେ ସରକାରୀ ବ୍ୟବସ୍ଥା ଭିତରେ ଯାହା ସେବା ଯୋଗାଇ ହେବ ସେସବୁ ରାଲିଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।  ଗରିବ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଶହଶହ ଯୋଜନା କରୁଛନ୍ତି ସରକାର । ହେଲେ ରାଲିଙ୍କୁ ଏଯାଏଁ ମିଳିନି ସରକାରୀ ସହାୟତା । ଏବେ ଅପେକ୍ଷା କେବେ ରାଲିଙ୍କୁ ମିଳୁଛି ସରକାରୀ ସହାୟତା ।

 

Strip- Thumb- Title- #SpecialStory #Odisha #OTV

  • Reported by:
  • Sashank Sekhar Panda