/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687080372.jpg)
Nuapada Road
କିଏ କୋଦାଳ ଧରି ମାଟି ହାଣୁଛି ତ ଆଉ କିଏ ବସି ରାସ୍ତାରେ ମାଟି ସବୁକୁ ଖେଳାଇ ସମାନ କରୁଛି । ପୂରା ଗାଁଟା ଯାକର ପୁରୁଷ ଓ ମହିଳା ଏକାଠି ହୋଇଛନ୍ତି । ଧୁଧୁ ଖରାକୁ ଖାତିର ନାହିଁ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଏମିତି ସକାଳୁ ସଂଜଯାଏଁ କରୁଛନ୍ତି ପରିଶ୍ରମ । ଆଉ କହୁଛନ୍ତି ଆମ ଗାଁକୁ ଆମେ ତିଆରି କରିବୁ ରାସ୍ତା ।
ନୂଆପଡ଼ା କୋମନା ବ୍ଲକ ବରପଦରପଡା ଗାଁ ଲୋକମାନେ ମିଶି ଯାହା କରିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଗାଁ କୁ ଭଲ ରାସ୍ତାଟିଏ ନଥିବାରୁ ସମସ୍ତେ ଏକାଠି ହୋଇ କରୁଛନ୍ତି ରାସ୍ତା କାମ । ପ୍ରବଳ ଖରାକୁ ବି ସେମାନଙ୍କ ଖାତିର ନାହିଁ । ଜାଣିଆଶ୍ଚର୍ଯ୍ୟ ହେବେ କି ରାସ୍ତା କାମ କରୁଥିବା ଲୋକମାନେ କୌଣସି ମଜୁରିଆ କି ଶ୍ରମିକ ନୁହନ୍ତି । ବରଂ ସେମାନେ ହେଉଛନ୍ତି କୋମନା ବ୍ଲକ ବୁଦ୍ଧିକୋମନା ପଂଚାୟତ ବରପଦରପଡା ଗାଁର ଲୋକେ ।
ପଣ୍ଡରାପଥର ଓ ବରପଦରପଡା ଗାଁରୁ ଏନଏଚ ୩୫୩ ରାସ୍ତା ମରଣଯନ୍ତା ଅବସ୍ଥାରେ ରହିଛି । ତେଣୁ ଯିବାଆସିବାରେ ଅନେକ ସମସ୍ୟା ରହିଛି । ରାସ୍ତା ତିଆରି କରିବା ଲାଗି ପ୍ରଶାସନକୁ ବାରମ୍ବାର ଗୁହାରି କରିବା ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ତେଣୁ ନିଜ ଗାଁକୁ ରାସ୍ତା ନିର୍ମାଣ କରିବା ଲାଗି ସେମାନେ ଅଣ୍ଟା ଭିଡିଲେ । ଖାଲି ଅଣ୍ଟା ଭିଡିଲେ ତାହା ନୁହେଁ ବରଂ ଏକାଠି ହୋଇ ରାସ୍ତା କଲେ । ପ୍ରତିଘର ପିଛା ୧୦୦୦ ଟଙ୍କା ଆଦାୟ କରି ଏମିତି ତିଆରି କରୁଛନ୍ତି ରାସ୍ତା ।
ସେପଟେ ପ୍ରଶାସନ ପାଖରେ ଏନେଇ ଖବର ପହଞ୍ଚିବା ପରେ ଗ୍ରାମବାସୀଙ୍କୁ ବିଡିଓ ପ୍ରଶଂସା କରିବା ସହିତ କେମିତି ସରକାରୀ ଯୋଜନାରେ ରାସ୍ତା ନିର୍ମାଣ କରାଯାଇପାରିବ ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦର୍ଶକବନ୍ଧୁ ଆମେ ଅନେକ ଦୃଶ୍ୟ ଏମିତି ଦେଖିଛନ୍ତି ଯେଉଁଠି ରାସ୍ତା ନଥିବାରୁ ଲୋକମାନେ ପ୍ରତିବାଦ କରିଛନ୍ତି । ଆନ୍ଦୋଳନ ବି କରିଛନ୍ତି । ହେଲେ ଏମାନେ ଆନ୍ଦୋଳନ କି ପ୍ରତିବାଦର ରାସ୍ତା ନଆପଣାଇ ନିଜସ୍ୱ ପରିଶ୍ରମରେ ରାସ୍ତା ନିର୍ମାଣ କରିଥିବାରୁ ସବୁଆଡୁ କରାଯାଉଛି ପ୍ରଶଂସା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)