ବାପା ନାହାନ୍ତି କି ମାଆ ନାହାନ୍ତି.. ୪ ଭାଇ ଭଉଣୀଙ୍କୁ ନେଇ ଏବେ ବଡ଼ ଦୁଃଖରେ ଚଳୁଛନ୍ତି ଦ୍ରୌପଦୀ । ଖାଇବାକୁ ନାହିଁ କି ପିଇବାକୁ ବି ନାହିଁ । ପର ଦୁଆରେ ମୂଲ ମଜୁରୀ କରି ମାତ୍ର ୧୪ ବର୍ଷ ବୟସରେ ପରିବାର ଚଳାଉଛନ୍ତି ଦ୍ରୌପଦୀ ଦେହୁରୀ । ବାଡ଼ିରୁ ଶାଗ ତୋଳୁଛନ୍ତି.. ପୁଣି ଲୁଆଣିଆ ଅନ୍ଧାର ଘରେ ଶାଗ ଖରଡି ଦେଇ ସମାନ ଭାଗରେ ବାଢି ଦେଉଛନ୍ତି । ପେଟର ଭୋକ ଯେତେବେଳେ ଅସମ୍ଭାଳ ହୁଏ ସେତେବେଳେ ଶାଗ ଭାତ ବି ନ ତିଅଣ ଛ ଭଜା ପରି ଲାଗେ । ପାଖରେ ପଇସା ନାହିଁ, ଏପଟେ ୫ ପ୍ରାଣୀ ଚଳିବାର ଚିନ୍ତା ।
Also Read
କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି । ନିଜେ ମଜୁରୀ ଲାଗି ଯେଉଁ ଦୁଇ ପଇସା ରୋଜଗାର କରୁଛନ୍ତି ସେତିକିରେ ଭାଇ-ଭଉଣୀଙ୍କ ମୁହଁରେ ଦେଉଛନ୍ତି ଆହର । ଏମିତି କାହାଣୀ ଆମ ସାମ୍ନାକୁ ଆସିଛି କେନ୍ଦୁଝର ବାଂଶପାଳ ଇରିଡା ଗାଁର । ଏହି ଗାଁରେ ରହୁଛନ୍ତି ଦ୍ରୌପଦୀ ।
ବାପା-ମାଆ ଆରପାରିକୁ ଚାଲିଯିବା ପରେ ୪ ଭାଇ-ଭଉଣୀଙ୍କ ଦାୟିତ୍ୱ ନେଉଛନ୍ତି ଦ୍ରୌପଦୀ । ଏକାଠି ଧାଡିରେ ବସାଇ ସମାନ ଭାଗରେ ଭାଗବାଣ୍ଟି ବାଢ଼ି ଦେଉଛନ୍ତି ଖାଇବା । ଆଉ ଭାଇର ବୟସ ଏତେ କମ୍ ଯେ ସେ ନିଜେ ଖାଇବା ସମ୍ଭବ ବି ନୁହେଁ । ସେଇଥିପାଇଁ ତାକୁ କୋଳରେ ବସାଇ ମାଆ ପରି ଖୁଆଇ ଦିଅନ୍ତି ଦ୍ରୌପଦୀ । ଏମିତି ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ପ୍ରେରଣା ଦାୟକ ମଧ୍ୟ ।
ଖାଲି ଭାଇକୁ କାହିଁକି ବରଂ ଭଉଣୀମାନଙ୍କର ମୁଣ୍ଡ କୁଣ୍ଡାଇ ଦେବା ସହ ସେମାନଙ୍କୁ ସଫା ସୁତୁରା କରିବା ଆଦି ସବୁ ଦାୟିତ୍ୱକୁ ବେଶ୍ ଖୁସିରେ କରିଚାଲିଛନ୍ତି ଦ୍ରୌପଦୀ । ଆଉ ଚେଷ୍ଟା ଜାରି ରଖିଛନ୍ତି ଏମାନେ ଯେମିତି ବାପା-ମାଆ ଯିବାର ଦୁଃଖରେ ଭାଙ୍ଗି ନପଡିବେ । ପିଲାମାନେ ଅନାଥ ହୋଇଯିବା ପରେ ଗାଁର ସମ୍ପର୍କୀୟ ଅଜା ଏମାନଙ୍କୁ ସାହରା ଦେଇଥିଲେ ସତ ହେଲେ ସମସ୍ତଙ୍କୁ ଖାଦ୍ୟ ଦେବା ପାଇଁ ସମର୍ଥ ହୋଇନଥିଲେ । ପରିବାର ଅଭାବ କଥାକୁ ହୃଦୟଙ୍ଗମ କରିବା ପରେ ନିଜେ ମୂଲ ଲାଗିବାକୁ ବାହାରି ପଡ଼ିଥିଲେ ଦ୍ରୌପଦୀ । ଏମିତିକି ବାପା ରଖିଥିବା ବିଲକୁ ନିଜେ ଚାଷ ବି କରିଥିଲେ ।
ଦୁଃଖର କଥା କି କଷ୍ଟେମଷ୍ଟେ ସିନା ଭାଇଭଉଣୀଙ୍କ ମୁହଁରେ ସେ ଆହାର ଦେଉଛନ୍ତି ହେଲେ ଭଲ ପୋଷାକ କିମ୍ବା ପାଠ ପଢିବା ପାଇଁ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି ଦୌପଦୀ । ଯଦି ସରକାରଙ୍କ ପକ୍ଷରୁ ପ୍ରଶାସନ ଏହି ପରରିରକୁ ସହାୟତାର ହାତ ବଢାନ୍ତା ତେବେ ୫ ଭାଇ-ଭଉଣୀଙ୍କର ଦୁଃଖ ଦୂର ହୁଅନ୍ତା । ସେପଟେ ସ୍ଥାନୀୟ ୱାର୍ଡ ମେମ୍ବର କହିଛନ୍ତି ଦ୍ରୌପଦୀଙ୍କୁ ଦରକାର ସରକାରୀ ସହାୟତା ।
(ରିପୋର୍ଟ- ଚିନ୍ମୟ କୁମାର ସାହୁ, ତେଲକୋଇ)