• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୟସର ଅପରାହ୍ନରେ ମାଆକୁ ଜନ୍ମକଲା ପିଲା ପର କରିଦେବା ପରେ କାନ୍ଦିବା ଛଡ଼ା ଆଉ କରିବ ବା କଣ ? ତିନି ତିନୋଟି ଝିଅ ଜନ୍ମ କରିଥିଲା ସତ ହେଲେ କେହି ଖାଇବାକୁ ଦେଲେନି କି ପଚାରିଲେନି । ଘରେ ରହିବ କେମିତି? ଖାଇବ କଣ? ସେଇଥି ପାଇଁ ତ ଘର ଓ ପିଲା କଥା ପଚାରିଲା ବେଳକୁ ଏମିତି ରାହା ଧରି କାନ୍ଦୁଛି ବୁଢୀ ମାଆ ।

ରତନି ଶତପଥୀ । ବୟସ ପାଖାପାଖି ୮୦ ହେବ । କାନକୁ ଭଲଭାବେ ଶୁଭୁନି କି ଭଲରେ ଛିଡା ହେବାକୁ ଅଣ୍ଟାରେ ଆଉ ଜୁ ନାହିଁ । ହେଲେ ପିଲାଙ୍କ କିନ୍ତୁ ସେ ପାଶୋରି ଦେଇନାହାନ୍ତି । ପ୍ରତି ମୁହୂର୍ତ୍ତରେ ପିଲାଙ୍କ କଥାକୁ ମନେଇ ପକାଇ ସେ କାନ୍ଦୁଛନ୍ତି ।  ଖାଲି ରତନି ନୁହେଁ ବରଂ ସୁଲୋଚନା ପଣ୍ଡାଙ୍କର ବି ସମାନ ଅବସ୍ଥା । ପିଲାଙ୍କ କଥା ପଚାରିଲେ ଛାତିର କୋହ ଆଉ ଆଖିର ଲୁହ ବୋଲ ମାନୁନି । କେମିତି ବା କହିବେ ନିଜର ଦୁଃଖର କଥା? ଯେଉଁ ପିଲାଙ୍କ ଜନ୍ମ କରିଥିଲେ, ବୃଦ୍ଧ ଅବସ୍ଥାରେ ସେବା ପାଇବେ ବୋଲି ସ୍ୱପ୍ନ ଦେଖୁଥିଲେ ଆଜି ସିଏ ପର ଦେଲେ । ପିଲା ସିନା ତାଙ୍କୁ ପର କରିଦେଲେ କିନ୍ତୁ ସେ ପିଲାଙ୍କୁ ଭୁଲିନାହାନ୍ତି । ବରଂ ଏବେ ବି ଚଉରା ମୂଳେ ପ୍ରାର୍ଥନା କଲା ବେଳେ ପିଲାମାନେ ମୋର ଭଲରେ ରୁହନ୍ତୁ ବୋଲି କହୁଛି ।

 

ପିଲାମାନେ ପଚାରିଲେନି, ପରିଣୟ ବୟସରେ ସମସ୍ତେ ପର କରିଦେଲେ । ତେଣୁ ବାଧ୍ୟ ହୋଇ ଏଇ ଆଶ୍ରମରେ ଶେଷ ସମୟ କାଟିବାକୁ ପହଞ୍ଚିଛନ୍ତି ମାଆମାନେ । ଆଜି ମଦରର୍ସ ଡେ...ହେଲେ ଏଇ ମାଆମାନଙ୍କ କଥା ଶୁଣିବା ପରେ ଆପଣଙ୍କ ଆଖିରେ ବି ଜକେଇ ଆସିବ ଲୁହ । ପିଲାଏ ପର କରିଦେବା ପରେ ଜରାଶ୍ରମରେ ୧୭ ଜଣ ମାଆ ରହୁଛନ୍ତି । ପରିବାର ଛାଡି ଆସିଥିବାରୁ ଏହି ଆଶ୍ରମ ଏବେ ଏଇ ବୃଦ୍ଧାଙ୍କ ଲାଗି ପରିବାର ସଦୃଶ । ଆଶ୍ରମରେ ମଧ୍ୟ ଏମାନଙ୍କ ସବୁ ଦାୟିତ୍ୱ ନିଆଯାଏ । କଥାରେ ଅଛି ମାଆର ତୁଳନା ନାହିଁ ...ମାଆ ଅଛି ଯାହାର ଦୁନିଆର ସବୁ ସୁଃଖ ତାହାର । ସତରେ ଏମାନଙ୍କ କଥା ଶୁଣିବା ପରେ ଆପଣ ବି ଅନୁଭବ କରିପାରିବେ ମାଆର ହୃଦୟ କେତେ ବଡ଼ ।

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)