• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଧୁନିକ ଯୁବପୀଢ଼ିଙ୍କ ପ୍ରେମରେ କିଏ କାହାକୁ ଧୋକ୍କା ଦେଇ ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହେଲାଣି ତ ଆଉ କିଏ ପ୍ରତାରଣା ସହିନପାରି ପ୍ରାଣ ହାରିଦେଲାଣି । ହେଲେ ଏମିତି ଏକ ନିଆରା ପ୍ରେମ କାହାଣୀ ଅଛି, ଯେଉଁଠି ପ୍ରେମିକଟିଏ ପଙ୍ଗୁ ହୋଇଯିବା ପରେ ବି ହାତ ଛାଡୁନି ପ୍ରେମିକା । ଦୁଇଟି ଗୋଡ଼ ହରାଇ ବେରୋଜଗାର ହେବା ପରେ ବି ପ୍ରେମିକାଟିଏ ପର କରୁନି । ବରଂ ଜୀବନସାଥୀ ହୋଇ ରହିବାର ବାଟ ବାଛିନେଇଛି । ମଥାରେ ସିନ୍ଦୁର ନାଇଁ ନିଜକୁ ସମର୍ପି ଦେଇଛି ପ୍ରେମିକ ପାଖରେ ।

ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ । ତାଳଚେର ବଜ୍ରକୋଟ ଗାଁର ପ୍ରିୟ ପୁରୁଷ ଜିତେନ୍ଦ୍ର ବାରିକଙ୍କୁ ଫେସବୁକ୍ ମାଧ୍ୟମରେ ମନ ଦେଇଥିବା ସ୍ବପ୍ନା ଆଉ ଫେରିବାକୁ ଚାହୁଁନାହାଁନ୍ତି । ଆଜି ମନପ୍ରାଣ ଏକାକାର ହୋଇଯାଇଛି ଜିତେନ୍ଦ୍ର ଓ ସ୍ବପ୍ନାଙ୍କର । ଦୁଇଟି ଗୋଡ଼ ହରାଇଥିବା ଜିତେନ୍ଦ୍ରଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପତ୍ନୀ ସାଜି । ସବୁ ଜାଣିଶୁଣି ବି ତାଙ୍କଠୁ ସେ ଆଉ ଦୂରେଇ ଯିବାକୁ ଚାହୁଁନାହାନ୍ତି । ଖାଦ୍ୟ ଖୁଆଇବାଠୁ ଆରମ୍ଭ କରି ଶୁଆଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଉଛନ୍ତି ସ୍ବପ୍ନା ।

ଜିତେନ୍ଦ୍ର ଓ ସ୍ବପ୍ନା । ଉଭୟଙ୍କ ପରିଚୟ ହୁଏ ଫେସବୁକରୁ । ତାପରେ ବାର୍ତ୍ତାଳାପରୁ ବନ୍ଧୁତା । ତାହାରି ଭିତରେ ନିଜ ମାଙ୍କୁ ହରାଇ ବସନ୍ତି ଜିତେନ୍ଦ୍ର । ମାଙ୍କ ଦେହାନ୍ତ ଖବର ଶୁଣି ଜଗତସିଂହପୁର ଅଞ୍ଚଳରୁ ଚାଲିଆସନ୍ତି ସ୍ବପ୍ନା । ମାଙ୍କ ମୃତୁ୍ୟ ପରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିବା ଜିତେନ୍ଦ୍ରଙ୍କୁ ସମ୍ଭାଳିବାକୁ ଲାଗନ୍ତି ସ୍ବପ୍ନାରାଣୀ । ତାହାରି ଭିତରେ ଗଢ଼ିଉଠେ ପ୍ରେମ ସମ୍ପର୍କ, ଆଉ ସେହି ସମ୍ପର୍କ ଭିତରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି । କିନ୍ତୁ ହଠାତ ଦିନେ ଜିତେନ୍ଦ୍ରଙ୍କ ଉପରକୁ ମାଡ଼ିଆସେ ବିପଦ । ଅନୁଗୋଳ ସ୍ଥିତ ଜିନ୍ଦଲ କାରଖାନାରୁ ଡ୍ୟୁଟି ସାରି ଫେରିବାବେଳେ ଏକ ଟ୍ରକ ସହ ଜିତେନ୍ଦ୍ରଙ୍କ ଦୁର୍ଘଟଣା ହୁଏ । ଯେଉଁଥିରେ ଦୁଇଟି ଯାକ ଗୋଡ଼କୁ ହରାନ୍ତି ସେ । ଏତେସବୁ ପରେ ବି ଜିତେନ୍ଦ୍ରଙ୍କ ହାତ ଛାଡ଼ନ୍ତିନି ସ୍ବପ୍ନା । ତାଙ୍କର ସେବା ଶୁଶ୍ରୁଷା କରିଚାଲନ୍ତି ସେ । ଏଭଳି ଭାବେ ବିତିଯାଏ ୫ ବର୍ଷ । ଶେଷରେ ଗତ ଜୁଲାଇ ୮ ତାରିଖରେ ପ୍ରଥମେ ଗାଁ ଶିବ ମନ୍ଦିରରେ ଆଉ ଜୁଲାଇ ୩୦ ବନ୍ଧୁତା ଦିବସରେ କୋର୍ଟ ବିବାହ କରନ୍ତି ଉଭୟେ ।

ପ୍ରେମିକ, ପ୍ରେମିକାରୁ ଏବେ ଉଭୟେ ବନିଯାଇଛନ୍ତି ପତି, ପତ୍ନୀ । ଛୋଟ ଦୋକାନଟିଏ କରି ନିଜର ତେଲଲୁଣର ସଂସାର ଚଳାଉଛନ୍ତି ଜିତେନ୍ଦ୍ର । ପଣ କରିଛନ୍ତି, ଆଜୀବନ କିଏ କାହାକୁ ଛାଡ଼ିବେନି । ଏଭଳି ସ୍ଥିତିରେ ସ୍ବପ୍ନାଙ୍କ ସେବା ଆଉ ସମର୍ପଣ ଭାବକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ପାଖ ପଡ଼ୋଶୀ ଏବଂ ସମ୍ପର୍କୀୟ ।

ବର୍ତ୍ତମାନର ଯୁଗରେ ଜିତେନ୍ଦ୍ର ଏବଂ ସ୍ବପ୍ନାଙ୍କ ଏଭଳି ପ୍ରେମ ଆଉ ସମର୍ପଣ ଭାବ ନିଶ୍ଚିତ ନୂଆ ଉଦାହରଣ ସୃଷ୍ଟି କରିଛି ।

ତାଳଚେରରୁ ମନୀଲ କୁମାର ମହାରଣାଙ୍କ ରିପୋର୍ଟ