• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପିଲାଦିନର ସ୍ମୃତି କାହାକୁ ବା ମନେ ନ ପଡ଼େ । ପିଲା ବେଳର ବନ୍ଧୁତା ଜୀବନର ଶେଷ ନିଶ୍ୱାସ ଯାଏଁ ମନେ ରହେ । ସେ ଗାଁ ଦାଣ୍ତରେ ଧୂଳିମାଟିରେ ଖେଳିବା ହେଉ ବା ସ୍କୁଲ୍‌ ବାରଣ୍ତାରେ ଦୌଡ଼ା ଦୌଡ଼ି ହେବା ପର୍ଯ୍ୟନ୍ତ । ଜୀବନର ସେହି ସ୍ୱର୍ଣ୍ଣିମ ଅଧ୍ୟାୟକୁ ମଣିଷ ପ୍ରତିଟି ମୁହୂର୍ତ୍ତରେ ମନେ ପକାଇଥାଏ । ସ୍କୁଲ୍‌ ବେଳେ ମାରପିଟ୍‌, ରାଗରୁଷା ଭିତରେ ବି ବନ୍ଧୁତା ଲୁଚି ରହିଥାଏ । ଏବେର ସ୍ୱାର୍ଥପର ଦୁନିଆରେ ସେହି ନିଶ୍ୱାର୍ଥପର ଦୁନିଆକୁ ମଣିଷ ଖୋଜି ବୁଲେ । ସ୍କୁଲ୍‌ ବେଳର କିଛିଟା ଘଟଣାକୁ ମଣିଷ ଏବେବି ମନେ ପକାଇ ଆଲୋଚନା କରେ । ସେ ଏକାଠି ମିଶି ଟିଫିନ୍‌ ଖାଇବା ହେଉ କି କାହାର ପେଲସିଲ୍‌ ରବର୍‌ଟି ଲୁଚେଇ ରଖିଦେବା ।

ବୟସ ବଢ଼ିବା ସାଙ୍ଗକୁ ସମସ୍ତେ ନିଜ ଭବିଷ୍ୟତ ଆଡ଼କୁ ଆଗେଇ ଯାଆନ୍ତି । ସେ ସ୍କୁଲ୍‌ ବେଳର ନିତିଦିନିଆ ଭେଟ୍‌ ସମସ୍ତଙ୍କ ପାଇଁ ସ୍ୱପ୍ନ ପାଲଟିଯାଏ । ଯଦି ସ୍କୁଲ ସାଙ୍ଗଟି ୫୫ ବର୍ଷ ପରେ ଭେଟ ହୋଇଯାଏ, ତେବେ ସେ ଖୁସି କହିଲେ ନ ସରେ । ସେମିତି ଏକ ଘଟଣା ଆସାମର ଗୌହାଟୀରେ ଦେଖିବାକୁ ମିଳିଛି । ଦୀର୍ଘ ୫୫ ବର୍ଷ ପରେ ସେ ନିଜ ବନ୍ଧୁ ଖୋଜି ପାଇଛନ୍ତି । ଖୋଜିବାର କାରଣ ହେଉଛି ସ୍କୁଲ୍‌ ବେଳର ସେହି ସୁନା ମୁଦି ଫେରାଇବା ପାଇଁ ।

ପୂର୍ବତନ ଜାତୀୟ ଡିସ୍‌କସ୍‌ ଥ୍ରୋ ଚାମ୍ପିୟନ ତୟବୁନ ନିଶା ୫୫ ବର୍ଷ ଧରି ନିଜ ମୁଣ୍ତରେ ଏକ ବୋଝ ନେଇ ବୁଲୁଛନ୍ତି । ଆସାମର ପ୍ରଥମ ମହିଳା ଆଥଲେଟ୍‌ରେ ଭାବେ ସେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ । ଖେଳରେ ଭଲ ପ୍ରଦର୍ଶନ କାରଣରୁ ସ୍ପୋର୍ଟ୍ସ କୋଟାରେ ରେଲୱେରେ ଚାକିରି କରିଥିଲେ । ଅବସର ପରେ ବି ସେ ସ୍କୁଲ୍‌ ବେଳର ଏକ ମୁହୂର୍ତ୍ତକୁ ଭୁଲି ପାରୁନଥିଲେ ।

୧୯୬୭ ରେ ଆସାମର ସିଭାସନଗରର ଧାଇ ଅଲି ମହିଳା ବିଦ୍ୟାଳୟରେ ଏକାଠି ପାଠ ପଢ଼ୁଥିଲେ ତୟବୁନ ଓ ତାଙ୍କ ସାଙ୍ଗ ଜୁଲେଖା । ଜୁଲେଖା ଗୋଟେ ଧନୀ ପରିବାରରୁ ଆସିଥିଲେ । ତେଣୁ ସ୍କୁଲ୍‌ ବେଳେ ସେ ହାତରେ ସୁନା ମୁଦି ପିନ୍ଧି ଆସୁଥିଲେ । ଦିନେ ହଠାତ ଖେଳୁ ଖେଳୁ ତାଙ୍କ ମୁଦିଟି ସ୍କୁଲ୍‌ରେ ହଜି ଯାଇଥିଲା । ସ୍କୁଲ୍‌ ବେଳୁ ତୟବୁନ ଖେଳକୁଦ୍‌ରେ ମାହିର ଥିଲେ । ମୁଦି ହଜିବାର ପରଦିନ ସେ ପଡ଼ିଆରେ ଖେଳୁଥିବା ବେଳେ ଜୁଲେଖାଙ୍କ ମୁଦିଟି ପାଇଥିଲେ । କିନ୍ତୁ ସେ ସେହି ମୁଦିକୁ ଫେରାଇବା ପାଇଁ ଭୟ କଲେ । କାହିଁକି ନା ସମସ୍ତେ କାଳେ ତାଙ୍କୁ ଚୋର ବୋଲି ଭାବିବେ ।

କିଛିଦିନ ପରେ ତୟବୁନଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ଜୁଲେଖାଙ୍କ ସେହି ମୁଦିକୁ ବିକ୍ରି କରି ପରିବାର ଲୋକେ ନିଜ ଭୋକ ମେଣ୍ଟାଇଥିଲେ । ତବୟୁନଙ୍କୁ ସେହି ମୁଦି ଘଟଣାଟି ଜୀବନଯାକ ବୋଝ ଭଳି ଲାଗୁଥିଲା । ଯେହେତୁ ମୁଦିଟି ବିକ୍ରି ହୋଇଯାଇଛି, ତେଣୁ ସେ ତା ବଦଳରେ ଜୁଲେଖାଙ୍କୁ ଟଙ୍କା ଫେରସ୍ତ କରିବାକୁ ଇଚ୍ଛା ରଖିଥିଲେ । ଜୁଲେଖାଙ୍କୁ ଖୋଜିବା ପାଇଁ ସେ ସବୁ ପ୍ରକାର ଚେଷ୍ଟା ଚଳାଇଥିଲେ । ଶେଷରେ ଜୁଲେଖାଙ୍କ ଠିକଣା ପାଇଥିଲେ ତୟବୁନ ।

୫୫ ବର୍ଷ ପରେ ଦୁଇ ସାଙ୍ଗ ପରସ୍ପରକୁ ଭେଟି ବେଶ୍‌ ଖୁସି ହୋଇଥିଲେ । ତୟବୁନ ସ୍କୁଲ୍‌ ବେଳର ସେହି ଘଟଣାକୁ କହି ମୁଦି ବଦଳରେ ୧୨ ହଜାର ଟଙ୍କା ଫେରସ୍ତ କରିଥିଲେ । କିନ୍ତୁ ଜୁଲେଖା ସେହି ଟଙ୍କା ନେବାକୁ ରାଜି ହୋଇନଥିଲେ । ଏତେବର୍ଷ ପରେ ଦୁହିଙ୍କ ମଧ୍ୟରେ ଭେଟ ହୋଇଥିବାରୁ ସେ ତାଙ୍କର ସ୍କୁଲ୍‌ ବେଳର କିଛି ମୁହୂର୍ତ୍ତକୁ ମନେ ପକାଇ ଖୁସିରେ ବାର୍ତ୍ତାଳାପ କରିବାକୁ ଲାଗିଲେ ।