• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବାପା ଫେରିବାଲା। ସେଇଥିରୁ ଯାହା କିଛି ରୋଜଗାର କରେ ସେଥିରେ ଚଳେ ପରିବାର । ହେଲେ ବାପା କରୁଥିବା କଠିନ ପରିଶ୍ରମର ଲାଘବ ପାଇଁ ଝିଅ ସତେ ଯେପରି କରିଛି ବଜ୍ର ଶପଥ । ଆଜ୍ଞା ହଁ, ଆମେ କହୁଚୁ ସେଇ ଫେରିବାଲା ଝିଅର କାହାଣୀ। ନିଜ ସ୍ୱପ୍ନ ପୂରଣ ପାଇଁ ସେ ଯେମିତି ଶତ ଚେଷ୍ଟିତ । ଝିଅମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଯାହାକୁ ପ୍ରମାଣିତ କରିଛନ୍ତି ଅନୁଗୋଳ ବ୍ଲକ ବନ୍ତଳା ବଜାରର ପ୍ରଦୀପ ନାଥ ଓ ଶିଲାରାଣୀ ନାଥଙ୍କ ଝିଅ ସ୍ୱର୍ଣ୍ଣପ୍ରିୟା ନାଥ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ ୯୪ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବନ୍ତଳାସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଡୁଥିଲେ ସେ । ତାଙ୍କ କୃତିତ୍ୱକୁ ନେଇ କେବଳ ପରିବାରବର୍ଗ ନୁହଁନ୍ତି ଶିକ୍ଷାନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ତାଙ୍କୁ କୋଚିଂ ଦେଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବେଶ ଗର୍ବିତ । ଝିଅଙ୍କ ସଫଳତାରେ ତାଙ୍କ ପରିବାର ସହ ପୁରା ଗାଁରେ ଖୁସିର ମାହୋଲ ।

Also Read

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ଜଣା ପଡିଯାଇଥିଲା ସ୍ଵର୍ଣପ୍ରିୟାଙ୍କ ପ୍ରତିଭା । ଈଶ୍ୱର ଦତ୍ତ ପ୍ରତିଭାରେ ଭରପୂର ସେ । ଭଲ ପାଠପଢା ସହ କରିକୁଲାର ଆକ୍ଟିଭିଟିରେ ନିପୁଣା ମଧ୍ୟ ସ୍ଵର୍ଣପ୍ରିୟା। ସଫଳତା ପରେ ସବୁଠି ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସଫଳତା ପଛରେ ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ଥିବା କହିଛନ୍ତି ସ୍ୱର୍ଣ୍ଣପ୍ରିୟା । ନିଜର ପିତାମାତା,ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ସ୍ୱର୍ଣ୍ଣପ୍ରିୟା ।ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ରୋଗୀସେବା ପାଇଁ ଲକ୍ଷ ରଖିଛନ୍ତି ।

ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବନ୍ତଳା ବଜାରର ପ୍ରଦୀପ ନାଥ ଓ ଶୀଲାରାଣୀ ନାଥଙ୍କ ଝିଅ ସ୍ଵର୍ଣପ୍ରିୟା। ଦୁଇ ପୁଅଝିଅଙ୍କ ମଧ୍ୟରେ ବଡ ଝିଅ ହେଉଛନ୍ତି ସ୍ୱର୍ଣ୍ଣପ୍ରିୟା। ଝିଅର ପାଠପଢ଼ା ସହ ତା’ର ଲକ୍ଷ ହାସଲ ଦିଗରେ ସର୍ବଦା ଚେଷ୍ଟିତ ବାପା ପ୍ରଦୀପ । ଝିଅ ଓ ଗୋଟିଏ ପୁଅ ସହ ବୁଢା ବାପା ମାଙ୍କୁ ନେଇ ପ୍ରଦୀପ ଓ ଶୀଲାରାଣୀଙ୍କ ପରିବାର । ଝିଅର ସଫଳତାକୁ ନେଇ ବାପା ମା ବେଶ ଗର୍ବିତ । ଆଜି ବି ପୁଅ ଝିଅ ମଧ୍ୟରେ ବାଛ ବିଚାର କରାଯାଉଥିବା ବେଳେ ସେମାନେ କିନ୍ତୁ ସେସବୁରୁ ଉର୍ଦ୍ଧ୍ଵରେ । ଝିଅକୁ ଆଗକୁ ବଢିବା ପାଇଁ ସବୁ ସମୟରେ ଦେଇ ଆସିଛନ୍ତି ପ୍ରୋତ୍ସାହନ ।

ଆର୍ଥିକ ଅନଟନ ଭିତରେ ଗତି କରୁଥିଲେ ମଧ୍ୟ ଝିଅର ସବୁ ଆଶା ସହ ଲକ୍ଷ୍ୟ ପୂରଣ ଦିଗରେ ବାପା ପ୍ରଦୀପ ସର୍ବଦା ଚେଷ୍ଟିତ । ଗାଁ ଗାଁ ବୁଲି ଫେରି କରି ପରିବାର ପ୍ରତିପୋଷଣ କରୁଥିବା ପ୍ରଦୀପ କିନ୍ତୁ ଝିଅର ସ୍ୱପ୍ନ ପୂରଣ ପାଇଁ କେବେ ବି ଅବହେଳା କରିନାହାଁନ୍ତି। ସ୍ୱର୍ଣ୍ଣପ୍ରିୟା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍ଥାନୀୟ ଶିଶୁ ମନ୍ଦିରରେ ପଢ଼ିବା ପରେ ୮ରୁ ୧୦ମ ପର୍ଯ୍ୟନ୍ତ ପଢିଥିଲେ ବନ୍ତଳା ବାଳିକା ଉଚ୍ଚ ବିଦ୍ୟାଳୟରେ ।୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଧ୍ୟ ସ୍ୱର୍ଣ୍ଣପ୍ରିୟା ୯୨ପ୍ରତିଶତ ନମ୍ବର ରଖି ହୋଇଥିଲେ ଉତ୍ତୀର୍ଣ୍ଣ ।

ଆଉ ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷାରେ ୯୪ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି । ଝିଅର ଏହି କୃତିତ୍ଵ ଯୋଗୁଁ ପରିବାରରେ ସମସ୍ତେ ଖୁସି । କେବଳ ପରିବାର ନୁହେଁ ସେ ପଢ଼ୁଥିବା ଶିକ୍ଷାନୁଷ୍ଠାନରେ ମଧ୍ୟ ଖୁସିର ମାହୋଲ । ସ୍ୱର୍ଣ୍ଣପ୍ରିୟାଙ୍କ କୃତିତ୍ୱକୁ ନେଇ ସମସ୍ତେ ନିଜର ଖୁସି ଜାହିର କରିଥିବାବେଳେ ତାଙ୍କ ସଫଳତା ପାଇଁ ଅଞ୍ଚଳବାସୀ ବେଶ ଗର୍ବିତ । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀ ସେବାର ଲକ୍ଷ ରଖିଥିବା ସ୍ୱର୍ଣ୍ଣପ୍ରିୟାଙ୍କୁ ସରକାରୀ ସହାୟତା ମିଳିବା ନିତାନ୍ତ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

  • Reported by:
  • BIRAJA DAS
ଓଟିଭି ବିଜ୍ଞାପନ