• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଅଳ୍ପ ବୟସରେ ସେ ଅନେକ କିଛି ଶିଖି ସାରିଛି । ତା’ ଏ କୁନି ଓଠରେ ସେ ବହୁତ କିଛି କହିପାରୁଛି । ଦୁନିଆକୁ ଜାଣିନି, ହେଲେ ଦୁନିଆ ବିଷୟରେ ମା’ ଠାରୁ ସବୁ ବୁଝିନେଇଛି । ବାସ୍ ଯଦି କିଛି ବାକି ରହିଛି, କେବଳ ଏ କୁନି କୁନି ଆଖି ଯୋଡ଼ାକରେ ଖେିବାକୁ ଭବିଷ୍ୟତର ସ୍ବପ୍ନ । ବୟସ ମାତ୍ର ୨ ବର୍ଷ ଦୁଇ ମାସ । କିନ୍ତୁ ସ୍ମରଣ ଶକ୍ତି ଆଉ ପାଠପଢ଼ାରେ ବେଶ୍ ଆଗରେ ଅର୍ନେଶ ।

ମାତ୍ର କିଛି ସମୟର କଥା ବାର୍ତ୍ତା ଏବଂ ଖେଳକୁଦ ସମୟରେ ମା’ ଯାହା କୁହନ୍ତି ସେ ସବୁକୁ ମନେ ରଖିପାରନ୍ତି ଅର୍ନେଶ । ଯାହାପାଇଁ ଆଜି ପୂରା ପରିବାର ଗର୍ବ କରିବା ସହ ଖୁସିରେ ଫାଟିପଡ଼ୁଛି । କାରଣ ଏତେ କମ୍ ବୟସରେ ଅର୍ନେଶ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇପାରିଛନ୍ତି ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କନ୍ତିଆ ଗାଁରେ କୁନି ପୁଅ ଅର୍ନେଶ ପ୍ରଧାନଙ୍କ ଘର । ବାପା ଅର୍ନ୍ନେନ୍ଦୁ ପ୍ରଧାନ ଜଣେ ସରକାରୀ ଶିକ୍ଷକ । ଆଉ ମା’ ମାନସୀଲତା ମହାଳିକ ଜଣେ ଗୃହିଣୀ । ଅର୍ନେଶ ଧୀରେ ଧୀରେ କଥା କହିବା ପରଠାରୁ ମାଆ ମାନସୀ ତାଙ୍କୁ ଭାରତ, ଓଡ଼ିଶା ଏବଂ ଏମିତି କି ଅନ୍ତଜାତୀୟ ସ୍ତରୀୟ ଅନେକ କିଛି ଜାଣିବା କଥା ଶିଖାଇବା ଆରମ୍ଭ କରିଥିଲେ l ଯାହାଦ୍ଵାରା ଅର୍ନେଶ ଏହି ସଫଳତା ପାଇପାରିଛନ୍ତି l

ଅର୍ନେଶଙ୍କ ଜେଜେ ବାପା ବି ଜଣେ ଶିକ୍ଷକ l ଏବେ ଏବେ ସେ ଶିକ୍ଷକତାରୁ ଅବସର ନେବା ପରେ ନାତି ସହ ସମୟ ବିତାନ୍ତି l ଅନେକ ସମୟରେ ବିଭିନ୍ନ ଖେଳ ମାଧ୍ୟମରେ ଅର୍ନେଶଙ୍କୁ ଶିକ୍ଷା ଦିଅନ୍ତି ଜେଜେ ଅଜୟ କୁମାର ପ୍ରଧାନ l ଏତେ କମ ବୟସରେ ନାତିର ଏହି ସଫଳତା ଦେଖି ସେ ମଧ୍ୟ ବେଶ୍ ଖୁସି । ଅର୍ନେସଙ୍କ ପାଇଁ ପୁରା ପରିବାରରେ ଖୁସିର ଲହରି ଖେଳିଯାଇଛି l

ସବୁ ପରିବାର ସମସ୍ତଙ୍କ ଗେହ୍ଲା ଥାଆନ୍ତି ଏମିତି କୁନିକୁନି ପୁଅ ଆଉ ଝିଅ l ପରିବାରକୁ ଯେତେ ଦୁଃଖ ଆସିଲେ ବି ସେମାନଙ୍କ ହସ ହସ ମୁହଁ ସବୁକଷ୍ଟକୁ ଦୂରେଇ ଦେଇଥାଏ l ଆଉ ସେମାନଙ୍କ ଏଇ ଟିକିଏ ଟିକିଏ ସଫଳତା ପରିବାରରେ ଯେମିତି ସଂଜୀବନୀ ସଦୃଶ ସମ୍ମାନକୁ ଆହୁରି ବଢ଼ାଇଦିଏ l