World's Oldest Female Barber: କର୍ମ ଆଗରେ ହାର୍ ମାନିଛି ବୟସ, ୧୦୮ ବର୍ଷୀୟା ମହିଳା କଲେ ଗିନିସ୍ ବିଶ୍ୱ ରେକର୍ଡ

ଜିଡବ୍ଲ୍ୟୁଆର୍‌ରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ । ଏହି ସମୟକୁ ସେ ଖୁବ୍‌ ଉପଭୋଗ କରିଥାନ୍ତି । ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି ।

୧୦୮ ବର୍ଷରେ ବିଶ୍ୱ ରେକର୍ଡ

୧୦୮ ବର୍ଷରେ ଏବେ ବି କାର୍ଯ୍ୟରତ ଅଛନ୍ତି। ସେଥିପାଇଁ ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ ଗିନିସ୍ ବିଶ୍ୱ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନ ପାଇଛନ୍ତି । କଥାଟା ହୁଏତ ଆପଣଙ୍କର ବିଶ୍ୱାସ ହେଉନଥିବ । କିନ୍ତୁ, ଏହି କଥାଟା ପୂରା ସତ ।

ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରର ୧୦୮ ବର୍ଷୀୟା ମହିଳା ଶିତ୍‌ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ ଗିନିସ୍ ବିଶ୍ୱ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନ ପାଇଛନ୍ତି । ନାକାଗାଓ୍ବା ସହରରେ ଥିବା ହାକୋଇଶିଙ୍କ ସେଲୁନରେ ଜିଡବ୍ଲ୍ୟୁଆର୍‌ର ଅଧିକାରୀମାନେ ତାଙ୍କୁ ସବୁଠାରୁ ବୟସ୍କ ମହିଳା ବାରିକ ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଏହି ଖୁସିକୁ ଶିତ୍‌ସୁଇଙ୍କ ନିୟମିତ ଗ୍ରାହକ ଏବଂ ସ୍ଥାନୀୟ ଲୋକେ ମିଶି କେକ୍‌ କାଟି ସେଲିବ୍ରେଟ୍‌ କରିଥିଲେ । କେବଳ ଏତିକି ନୁହେଁ ଏହି ବିଶେଷ ମୁହୂର୍ତ୍ତକୁ ମନେ ରଖିବାକୁ ହାକୋଇଶିଙ୍କ ସେଲୁନକୁ ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଥିଲା ।

ଅଧିକ ପଢ଼ନ୍ତୁ: ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୪ର ଦୁଇଟି କଥା ସତ ହେଲାଣି… ଆହୁରି ଅଛି ତିନି

ହାକୋଇଶି ୧୯୧୬ ନଭେମ୍ବର ୧୦ ତାରିଖରେ ନାକାଗାୱାର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୩୬ରେ ମାତ୍ର ୨୦ ବର୍ଷ ବୟସରେ ସେଲୁନ ଖୋଲିବା ପାଇଁ ତାଙ୍କୁ ଲାଇସେନ୍ସ ମିଳିଥିଲା । ତାଙ୍କ ସ୍ବାମୀ ମଧ୍ୟ ଜଣେ କେଶ କଟାଳି ଥିଲେ । ସେ ସ୍ବାମୀଙ୍କ ସହ ମିଶି ଜାପାନର ରାଜଧାନୀ ଟୋକିଓରେ ନିଜ ପ୍ରଥମ ସେଲୁନ ଖୋଲିଥିଲେ ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହେବାପରେ ସେ ନିଜ ଦୋକାନ ମଧ୍ୟ ହରାଇଥିଲେ । ଫଳରେ ହାକୋଇଶି ନିଜ ବାପଘର ନାକାଗାଓ୍ବାକୁ ଫେରି ଆସିଥିଲେ । ସେ ନାକାଗାଓ୍ବାରେ ନୂତନ ସେଲୁନ ଆରମ୍ଭ କରି ନିଜ ୨ ପିଲାଙ୍କୁ ଲାଳନପାଳନ କରିଥିଲେ ।

ଏହି ସେଲୁନ ବର୍ତ୍ତମାନ ମଧ୍ୟ ଚାଲିଛି । ଜିଡବ୍ଲ୍ୟୁଆର୍‌ରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ । ଏହି ସମୟକୁ ସେ ଖୁବ୍‌ ଉପଭୋଗ କରିଥାନ୍ତି । ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି ।

ଅପରପକ୍ଷରେ ହାକୋଇଶି ସ୍ୱୀକାର କରିଛନ୍ତି ଆଣ୍ଠୁ ଯନ୍ତ୍ରଣା କାରଣରୁ ,ସେ ପ୍ରତି ମାସରେ ଅଳ୍ପ ସଂଖ୍ୟକ ନିୟମିତ ଗ୍ରାହକଙ୍କ କେଶ କାଟୁଛନ୍ତି । ସେ କହିଛନ୍ତି "ଛୋଟବେଳୁ ମୋ ଜୀବନ କଷ୍ଟରେ ପରିପୂର୍ଣ୍ଣ, କିନ୍ତୁ ମୁଁ ପ୍ରକୃତରେ ଖୁସି ।''

ଅନ୍ୟପଟେ ଯେପର୍ଯ୍ୟନ୍ତ ତାଙ୍କ ସେଲୁନକୁ ଗ୍ରାହକ ଆସୁଥିବେ, ସେପର୍ଯ୍ୟନ୍ତ ସେ ସେମାନଙ୍କୁ ସେବା ପ୍ରଦାନ କରି ଚାଲୁଥିବେ ବୋଲି ଏହି ବୟସ୍କା କେଶ କଟାଳି କହିଛନ୍ତି । ସୂଚନାଯୋଗ୍ୟ , ୨୦୨୧ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ପାଇଁ କରାଯାଇଥିବା ମଶାଲ ରିଲେରେ ଅଂଶଗ୍ରହଣ କରିବାକୁ ହାକୋଇଶିଙ୍କୁ ସୁଯୋଗ ମିଳିଥିଲା ।

ଅଧିକ ପଢ଼ନ୍ତୁ: NASAର ଭୟଙ୍କର ଭବିଷ୍ୟବାଣୀ; ଏହିଦିନ ଶେଷ ହେବ ପୃଥିବୀ !