• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାସ୍ଥ୍ୟ ହିଁ ସମ୍ପଦ । ହେଲେ ଆଜିକା ମହଙ୍ଗା ଯୁଗରେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇବା କଷ୍ଟ । ସାମାନ୍ୟ କାଶ କି ଥଣ୍ଡା ହେଲେ ୫୦୦ରୁ ୬୦୦ ଟଙ୍କାର ଔଷଧ ଖାଇବା ପାଇଁ ପଡ଼ୁଛି । ବର୍ତ୍ତମାନ ସମୟରେ ଅନେକ ହସ୍ପିଟାଲ ଚିକିତ୍ସା ନାଁରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳୁଛି । ହେଲେ ହାଇଦ୍ରାବାଦ ସହରର ଜିଜି ଚାରିଟେବୁଲ୍ ହସ୍ପିଟାଲରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମାତ୍ର ଏକ ଟଙ୍କାରେ ଏଠାରେ ସ୍ୱାସ୍ଥ୍ୟସେବା ମିଳୁଛି। ଏହି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି ।

ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସାଧାରଣ ନାଗରିକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ

ହାଇଦ୍ରାବାଦର ଜିଜି ଚାରିଟେବୁଲ୍ ହସ୍ପିଟାଲର ଏମଡି ସୁରି ସୂର୍ଯ୍ୟ ଏସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସାଧାରଣ ନାଗରିକଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଗରିବ ଲୋକମାନେ ଅନେକ ସମୟରେ ହସ୍ପିଟାଲର ବିଲ ଏବଂ ଦାମୀ ଡାକ୍ତରଙ୍କ ଫିସ ଯୋଗୁଁ ଉତ୍ତମ ଚିକିତ୍ସା ପାଇପାରନ୍ତି ନାହିଁ । ଏଭଳି ସ୍ଥିତିରେ ଚିକିତ୍ସା ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି । ଏହି କାରଣରୁ ଜିଜି ଚାରିଟେବୁଲ୍ ହସ୍ପିଟାଲରେ ମାତ୍ର ଏକ ଟଙ୍କାରେ ଚିକିତ୍ସା କରାଯାଉଛି, ଯାହା ଦ୍ୱାରା ଗରିବ ରୋଗୀମାନେ ମଧ୍ୟ ଚିକିତ୍ସାସେବା ପାଇପାରିବେ।

ପ୍ରତିଦିନ ଆସନ୍ତି ୫୦୦ରୁ ୭୦୦ ରୋଗୀ

ବର୍ତ୍ତମାନ ଏହି ହସ୍ପିଟାଲକୁ ପ୍ରତିଦିନ ୫୦୦ରୁ ୭୦୦ ରୋଗୀ ଆସନ୍ତି । ସମସ୍ତ ଚିକିତ୍ସା ମାତ୍ର ଏକ ଟଙ୍କାରେ କରାଯାଉଥିବାରୁ ରୋଗୀମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ପରାମର୍ଶ ଶୁଳ୍କ ଏକ ଟଙ୍କା କରାଯାଇଛି । ତେବେ ପରୀକ୍ଷା ଓ ଅନ୍ୟାନ୍ୟ ଚିକିତ୍ସାରେ ୫୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ରଖାଯାଇଛି । ଆଗାମୀ ସମୟରେ ରୋଗୀମାନଙ୍କୁ ଆହୁରି ଅନେକ ସୁବିଧା ଯୋଗାଇବାର ଯୋଜନା ଅଛି । ହାଇଦ୍ରାବାଦ ସହରର ଏହି ହସ୍ପିଟାଲର ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଗରିବ ରୋଗୀ ମାନେ ବେଶ୍‌ ଖୁସି ଅଛନ୍ତି ।

ସୂଚନାଯୋଗ୍ୟ ଓଡ଼ିଶାରେ ମଧ୍ୟ ଜଣେ ଡାକ୍ତର ଏକ ଟଙ୍କାରେ ଚିକିତ୍ସା ଯୋଗାଉଛନ୍ତି । ଓଡିଶା ସମ୍ବଲପୁର ଜିଲ୍ଲାରେ ଡାକ୍ତର ଶଙ୍କର ରାମଚନ୍ଦାନି ବୁର୍ଲାରେ ଏହି କ୍ଲିନିକ ଖୋଲିଛନ୍ତି । ଗରିବ ଓ ଅଭାବୀମାନେ ଏଠାରେ ଏକ ଟଙ୍କାରେ ଚିକିତ୍ସା ପାଇ ପାରୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଏକ ଘର ଭଡା ନେଇ ସେଠାରେ କ୍ଲିନିକ କରିଛନ୍ତି ଶଙ୍କର ରାମଚନ୍ଦାନି ।