/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748681454.jpg)
World No Tobacco Day
ଆଜି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଅବଗତ କରିବା ଏବଂ ପ୍ରଭାବୀ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା। ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା। ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା। ଲକ୍ଷ୍ୟ ଥିଲା, ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ତମାଖୁ ସେବନରୁ ନିବୃତ୍ତ ରହିବାକୁ ସହାୟତା କରିବା।
ତେବେ ଏହି ଦିବସ ପାଳନ କରାଯାଉଛି ସତ, କିନ୍ତୁ କେତେ ମାତ୍ରାରେ ତାହା ଫଳପ୍ରଦ ହୋଇଛି, ଆଜିର ଯୁବପିଢିଙ୍କୁ ଦେଖିଲେ ଜଣା ପଡେ । ବର୍ତ୍ତମାନ ସ୍ଥିତିରେ ଯୁବପିଢିମାନଙ୍କୁ କବଳିତ କରି ରଖିଛି ତମାଖୁ । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ବିଶେଷ କରି ତମାଖୁ ସେବନ କରିବା ଦ୍ୱାରା ତାହା ଶରୀରକୁ କିଭଳି ଗ୍ରାସ କରେ ତାହା ଜାଣି ମଧ୍ୟ କେତେକ ଲୋକ ଏହାକୁ ପ୍ରତ୍ୟେକ ଦିନ ସେବନ କରିଥାନ୍ତି । ଆଉ କିଛି ଲୋକ ଏହି ବିଷୟରେ ସଚେତନ ନଥିବାରୁ ପ୍ରତି ଦିନ ଏକ ଅଭ୍ୟାସ ରୂପେ ତମାଖୁ ସେବନ କରିଥାନ୍ତି । ତମାଖୁ ଆମ ପରିବେଶ ଉପରେ ମଧ୍ୟ ବହୁ ଖରାପ ପ୍ରଭାବ ପକାଇଥାଏ । ତମାଖୁ ସେବନ ଦ୍ୱାରା ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ । ବିଶେଷ କରି ଏଥିରେ ଥିବା ନିକୋଟିନ୍ ସ୍ୱାସ୍ଥ୍ୟ, ସମାଜ ଓ ପରିବେଶ ପ୍ରତିକୂଳ ଅଟେ । ନିକୋଟିନ ସେବନ ଦ୍ୱାରା ତାହା ଅଭ୍ୟାସରେ ପରିଣତ ହୋଇଯାଏ । ଯାହା ମସ୍ତିଷ୍କ, ଫୁସଫୁସ ଓ ହୃତପିଣ୍ଡ ଉପରେ ଖରାପ ପ୍ରଭାବ ପକାଇଥାଏ ।
ତମାଖୁ ସେବନ ଦ୍ୱାରା ହୃଦ ରୋଗ, କର୍କଟ ରୋଗ, ହୃଦ ରୋଗ, ଶ୍ୱାସ ରୋଗ ଓ ଆଲର୍ଜି ଆଦି ଅନେକ ପ୍ରକାର ରୋଗ ହେବାର ଆଶଙ୍କା ଥାଏ । ଶିଶୁମାନଙ୍କ ପ୍ରତି ବହୁ ଘାତକ ଏହି ତମାଖୁ । ଗର୍ଭସ୍ଥ ଶିଶୁ ଏହି ତମାଖୁ ଧୂଆଁର ସଂସ୍ପର୍ଶରେ ଆସିଲେ ମା’ ଗର୍ଭରେ ତା’ର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ମା’ ଗର୍ଭରେ ଶିଶୁର ମୃତ୍ୟୁ ହୋଇଯିବାର ଆଶଙ୍କା ମଧ୍ୟ ଥାଏ ।
ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ହସ୍ପିଟାଲରେ ୧୫ ହଜାରରୁ ଅଧିକ କ୍ୟାନସର ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ରୁ ୫୫ ପ୍ରତିଶତ ଲୋକ କେବଳ ମୁଖଗହ୍ୱର କର୍କଟରେ ପୀଡିତ ଥିଲେ । ସେମାନଙ୍କ ମଧ୍ୟରୁ ୮୦ରୁ ୯୦ ପ୍ରତିଶତ ରୋଗୀ କେବଳ ତମାଖୁ ସେବନ ଦ୍ୱାରା ହିଁ ମୁଖଗହ୍ୱର କର୍କଟରେ ପୀଡିତ ହୋଇଥିଲେ ।
ତେବେ ଜାଣିଛନ୍ତି କି ତମାଖୁ ଛାଡିବା ଦ୍ୱାରା ଆପଣଙ୍କ ଅସୁସ୍ଥ ଶରୀର ଧୀରେ ଧୀରେ ଭଲ ହୁଏ ।
ଜାଣନ୍ତୁ ତମାଖୁ ବର୍ଜନ କରିବା ପରେ କ’ଣ ସବୁ ଲାଭ ହୋଇଥାଏ:-
- ୨୦ ମିନିଟ୍ ଭିତରେ ବଢୁଥିବା ହୃଦ ସ୍ପନ୍ଦନ କମିଯାଏ ।
- ୧୨ ଘଣ୍ଟା ଭିତରେ ରକ୍ତରେ ଥିବା କାର୍ବନ ମନୋକ୍ସାଇଡ ସ୍ତର ନର୍ମାଲ ହୋଇଆସେ ।
- ୨-୧୨ ସପ୍ତାହ ଭିତରେ ରକ୍ତ ସଞ୍ଚାଳନ ଉନ୍ନତ ହୁଏ ଓ ଫୁସଫୁସର କାର୍ଯ୍ୟ ବୃଦ୍ଧି ପାଏ ।
- ୧-୯ ମାସ ଭିତରେ କାଶ ହେବା ବନ୍ଦ ହୁଏ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ମଧ୍ୟ ହ୍ରାସ ପାଇଥାଏ ।
- ୧ ବର୍ଷ ମଧ୍ୟରେ ହୃଦରୋଗ ଜନିତ ରୋଗ ଆଶଙ୍କା ଅଧା କମିଯାଏ ।
- ୫-୧୦ ମଧ୍ୟରେ ସାଧାରଣ ଲୋକଙ୍କ ତୁଳନାରେ ହୃଦଘାତ ଆଶଙ୍କା କମିଯାଏ ।
- ୧୦ ବର୍ଷ ମଧ୍ୟରେ ଫୁସଫୁସ୍ କର୍କଟ ଜନିତ ମୃତ୍ୟୁ ହାର ଅଧା କମିଯିବାର ସମ୍ଭାବନା ଥାଏ ।
ଆପଣ ଧୂମ୍ରପାନ ତ୍ୟାଗ କରିବାକୁ ଚାହୁଁନ୍ତି କିନ୍ତୁ ଛାଡି ପାରୁ ନାହାନ୍ତି । ତାହାଲେ ମାନସିକ ଭାବେ ନିଜକୁ ଧୂମ୍ରପାନ ଛାଡିବା ପାଇଁ ନିଜକୁ ଦୃଢ କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନିଜ ପ୍ରିୟଜନଙ୍କୁ ଏ ବିଷୟରେ ଜଣାନ୍ତୁ, ଯିଏ ଆପଣଙ୍କୁ ତମାଖୁ ସେବନ କରିବାରେ ରୋକି ପାରିବେ । ଖରାପ ସଙ୍ଗତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।
କିଛି ବ୍ୟକ୍ତି ଥାଆନ୍ତି ଧୂମ୍ରପାନ କରନ୍ତି ନାହିଁ । କିନ୍ତୁ ସେମାନେ ମଧ୍ୟ ଚାହିଁଲେ ତାଙ୍କ ପରିପାର୍ଶ୍ୱରେ ଥିବା ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଉଦ୍ୟମ କରି ପାରିବେ ଏବଂ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ସଚେତନତା ସୃଷ୍ଟି କରି ପାରିବେ ।
- ଯେଉଁମାନେ ତମାଖୂ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ଉତ୍ସାହିତ କରନ୍ତୁ ।
- ଧୂମ୍ରପାନ କଲେ କ’ଣ କ୍ଷତି ହୁଏ, ସେ ନେଇ ସୋସିଆଲ ମିଡିଆରେ କୋଟ୍ କିମ୍ବା ମେସେଜ ଲେଖି ପୋଷ୍ଟ କରନ୍ତୁ
- ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ନ କରିବା ପାଇଁ ପ୍ରୋତ୍ସାହନ ଯୋଗାନ୍ତୁ ।
- ଯୁବପିଢିଙ୍କ ମଧ୍ୟରେ ତମାଖୁ ସେବନ କଲେ କ’ଣ କ୍ଷତି ହୁଏ, ସେ ନେଇ ସଚେତନତା ସୃଷ୍ଟି କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)