• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସେଲୁନରେ ଷ୍ଟ୍ରୋକ୍ । ସେଲୁନ୍ କିମ୍ବା ବ୍ୟୁଟି ପାର୍ଲରରେ କେଶ ସଫା କରିବା ଲାଗି ଯାଇ ଆପଣ ବି ଷ୍ଟ୍ରୋକକୁ ଡାକି ପାରନ୍ତି, ଯାହାର ନାଁ ବ୍ୟୁଟିପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ୍ । ନିକଟରେ ହାଇଦ୍ରାବାଦର ଏକ ବ୍ୟୁଟିପାର୍ଲର ଯାଇଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଏମିତି ଏକ ଘଟଣାଟି ଘଟିଛି । ବ୍ୟୁଟିପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମର ଶିକାର ହୋଇ ସଂପୃକ୍ତ ମହିଳା ଜଣକ ଏବେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି । ସଂପୃକ୍ତ ମହିଳାଙ୍କ ଅବସ୍ଥାରେ ସୁଧାର ଆସୁଥିଲେ ବି ସଂପୂର୍ଣ୍ଣ ଠିକ୍ ହେବା ପାଇଁ ବେଶ୍ କିଛି ଦିନ ଲାଗିଯିବ ବୋଲି ଡାକ୍ତର କହିଛନ୍ତି ।

ଜଣେ ୫୦ ବର୍ଷିୟ ମହିଳା ନିଜ କେଶ ସଜ୍ଜା ପାଇଁ ବ୍ୟୁଟିପାର୍ଲର ଯାଇଥିଲେ । ସେଠାରେ ବ୍ୟୁଟିସିଆନ୍ ତାଙ୍କ କେଶକୁ ସଫା କରି ଧୋଇବା ଆରମ୍ଭ କରିଥିଲେ। ତେବେ ଏହି ମହିଳା ଅଧା ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ପଛକୁ ନେଲା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା । ମୁଣ୍ଡ ବୁଲାଇବା ସହ ବାନ୍ତି ଲାଗି ଅସହଜ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯିବାରୁ ଜଣା ପଡ଼ିଥିଲା ଯେ ସେ ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମର ଶିକାର ହୋଇଛନ୍ତି ।

ଅଧିକ ସମୟ ଧରି ବେକକୁ ପଛୁଆ, ମୁଣ୍ଡକୁ ଉପରମୁହାଁ କରି ରଖିବା କାରଣରୁ ମହିଳାଙ୍କ ବେକ ଦେଇ ମସ୍ତିଷ୍କକୁ ଯାଇଥିବା ନର୍ଭଟି ଦବିଯିବାରୁ ସେ ଷ୍ଟ୍ରୋକର ଶିକାର ହୋଇଥିବା ଜଣାପଡ଼ିଥିଲା । ହାଇଦ୍ରାବାଦର ଜଣେ ନ୍ୟୁରୋ ସର୍ଜନ ଡାକ୍ତର ସୁଧୀର କୁମାର ମଧ୍ୟ ଟ୍ୱିଟ୍ କରି ଏବାବଦରେ ସୂଚନା ଦେଇଛନ୍ତି ।

ଡାକ୍ତରଙ୍କ ମତରେ ଦୀର୍ଘ ସମୟ ଧରି ବେକକୁ ପଛୁଆ କରି ମୁଣ୍ଡକୁ ଉପରମୁହାଁ ରଖିବା ଫଳରେ ମସ୍ତିଷ୍କର ଏକ ଅଂଶ ସଠିକ୍ ଢଙ୍ଗରେ ଅମ୍ଳଜାନ ପାଇପାରେ ନାହିଁ । ରକ୍ତ ସଂଚାଳନରେ ମଧ୍ୟ ବ୍ୟାଘାତ ହୁଏ । ଫଳରେ ବେଳେ ବେଳେ ଏହା ହାନିକାରକ ସାବ୍ୟସ୍ତ ହୋଇଥାଏ । ଏଥିସହ ବ୍ୟୁଟିସିଆନଙ୍କ ଅନଅଭିଜ୍ଞତା ମଧ୍ୟ ଅସୁବିଧାରେ ପକାଇପାରେ । କାରଣ ଅନେକ ସମୟରେ ମସାଜରୁ ଆନନ୍ଦ ନେବା ପାଇଁ ଅନଭିଜ୍ଞ ବ୍ୟୁଟିସିଆନଙ୍କ ଦ୍ୱାରା ବେକ ଓ ମୁଣ୍ଡରେ ଘଷାମୋଡ଼ା ମଧ୍ୟ ବିପଦ ଆଣିପାରେ । ତେଣୁ ପାର୍ଲରରେ କେଶ ଧୋଇବା ସମୟରେ ସାବଧାନତା ଅବଲମ୍ବନ କରିବା ନେଇ ସ୍ନାୟୁରୋଗ ବିଶେଷଜ୍ଞ ମତ ଦେଇଛନ୍ତି ।