• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆମ ରୋଷେଇଘରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ପାତ୍ର ମଧ୍ୟରେ ଅନେକ ବିଭିନ୍ନତା ରହିଛି। ଆପଣ ଜାଣନ୍ତି କି ଆମେ ଗ୍ରହଣ କରୁଥିବା ଖାଦ୍ୟ ଉପରେ ଏହାର ରନ୍ଧନ ପାତ୍ରର ପ୍ରଭାବ ଥାଏ। ଖାଦ୍ୟରେ ଥିବା ଖାଦ୍ୟସାର ତଥା ପୋଷକ ତତ୍ୱ ଉପଯୁକ୍ତ ପରିମାଣରେ ଲାଭ କରିବାକୁ ହେଲେ ଆମକୁ ଠିକ୍ ରୋଷେଇପାତ୍ରରେ ରନ୍ଧନ କରିବା ଆବଶ୍ୟକ। ମନୁଷ୍ୟ ଯେବେଠାରୁ ସଭ୍ୟ ଭାବେ ବସତି ସ୍ଥାପନ କରି ରନ୍ଧନ କରି ଖାଇବା ଆରମ୍ଭ କଲା, ମାଟି ହିଁ ଏକମାତ୍ର ବିକଳ୍ପ ଥିଲା। ଭାରତର ପ୍ରାଚୀନ ସଭ୍ୟତାର ପ୍ରମାଣ ମିଳିଥିବା ହରପ୍ପା ଓ ସିନ୍ଧୁନଦୀ କୂଳବର୍ତ୍ତୀ ଅଞ୍ଚଳରୁ ମାଟିପାତ୍ର ଓ କଂସା ପାତ୍ରର ଅବଶେଷ ମିଳିଛି। ଏହା ପୂର୍ବରୁ ଚାଇନାର ଜିଆନ୍‌ରେନ୍‌ଦଙ୍ଗ୍‌ରୁ ପ୍ରାୟ ୧୯୦୦୦ ବର୍ଷର ପୁରୁଣା ମାଟିର ରନ୍ଧନ ପାତ୍ର ଖନନ ବେଳେ ମିଳିଛି। ଏଥିରୁ ଜଣାଯାଏ ଧାତୁର ଉଦ୍ଭାବନ ହେବା ଆଗରୁ ମାଟିପାତ୍ର ହିଁ କେବଳ ବ୍ୟବହାର ହେଉଥିଲା।

ତେବେ ସମୟାନୁସାରେ ଧାତୁର କ୍ରମବିବର୍ତ୍ତନ ଫଳରେ ମନୁଷ୍ୟ ନିଜ ସୁବିଧା ଅନୁଯାୟୀ ରନ୍ଧନ ସାମଗ୍ରୀ ବଦଳାଇଲା। ମାଟିରୁ କଂସା, ତା ପରେ ତମ୍ୱା, ପିତ୍ତଳ ଇତ୍ୟାଦି ଏବଂ ବର୍ତ୍ତମାନ ସମୟରେ ଆଲୁମିନିୟମ୍ (ରସ), ଷ୍ଟିଲ୍ ଓ ନନ୍‌ଷ୍ଟିକ୍ ଏବଂ ଲୁହାର କଡ଼େଇ, ଡେକ୍ଚି ଆଦି ବ୍ୟବହାର କରିବାର ପ୍ରଥା ରହିଛି। ତେବେ ଆସନ୍ତୁ ଜାଣିବା ପ୍ରକୃତରେ କେଉଁ ବାସନରେ ରନ୍ଧା ତଥା ଖାଦ୍ୟ ଗ୍ରହଣ କଲେ ଆପଣ ଗ୍ରହଣ କରୁଥିବାର ଖାଦ୍ୟର ସଠିକ୍ ପ୍ରଭାବ ବଜାୟ ରହିବ।

ଆଲୁମିନିୟମ୍ ପାତ୍ର

ଆମେ ରୋଷେଇଘରେ ବ୍ୟବହାର କରୁଥିବା ପ୍ୟାନ୍, କଡ଼େଇ, ତାୱା ପରି ଅନେକ ଉପକରଣ ଧାତୁରୁ ତିଆରି। ଏହା ଲୁହା, ଆଲୁମିନିୟମ୍ ତଥା ପିତ୍ତଳ ହୋଇପାରେ। ବହୁଳ ଭାବେ ସମସ୍ତ ପରିବାରରେ ପ୍ରାୟ ରସର ପାତ୍ର ବା ଆଲୁମିନିୟମ୍ ପାତ୍ର ବ୍ୟବହୃତ ହୁଏ। ମାଟି ଅପେକ୍ଷା ଧାତୁ ତାପର ସୁପରୀବାହୀ କିନ୍ତୁ କେତେକ ଧାତବ ପାତ୍ରରେ ରାନ୍ଧିବା ବେଳେ ଏହାର ଅବଶେଷ ଖାଦ୍ୟରେ ମିଶେ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତାପ ପ୍ରୟୋଗ ଫଳରେ ଜାରଣ ପ୍ରକ୍ରିୟାରେ ଆଲୁମିନିୟମ୍ ଅକ୍ସାଇଡ୍ କୌଣସି ଅମ୍ଲୀୟ ଖାଦ୍ୟରେ ମିଶିବା ଦ୍ୱାରା ଏହାକୁ କ୍ରମାଗତ ସେବନ ଫଳରେ ଆଲଜାଇମର୍ସ ଡିଜିସ୍ ଦେଖାଯିବାର ଆଶଂକା ରହେ।

ତମ୍ୱା ପାତ୍ର-

ତମ୍ୱା ତାପର ଏକ ଭଲ ପରିବାହୀ। ତେବେ ଏଥିରେ ରୋଷେଇ କଲେ କ୍ଷତି କ’ଣ ?ତମ୍ୱା ପାତ୍ର ଅତି ଶୀଘ୍ର ଗରମ ହୁଏ ଏବଂ ଅସମାନ ଭାବେ ତାପ ପାତ୍ରସାରା ବିଛୁରିତ ହୁଏ। ଏହା ଖାଦ୍ୟର ଅସଙ୍ଗତ ରନ୍ଧନର କାରଣ ହୁଏ। ତମ୍ୱା ଅମ୍ଲୀୟ ଖାଦ୍ୟ ପଦାର୍ଥ ସହ ମିଶିଲେ ବିଷାକ୍ତ କରିଦିଏ। ଖାଦ୍ୟ ପ୍ରସ୍ତୁତି ପାଇଁ ଅତି କମ୍‌ରେ ଅଢ଼େଇ ମି.ମି ମୋଟେଇ ବିଶିଷ୍ଟ ପାତ୍ର ଦରକାର ଯାହା ଅତ୍ୟନ୍ତ ଖର୍ଚ୍ଚବହୁଳ। ସାଧାରଣ ଭାବେ ବ୍ୟବହୃତ ହେଉଥିବା ତମ୍ୱା ରୋଷେଇ ପାତ୍ର ଉପରେ ଷ୍ଟିଲ୍ କିମ୍ୱା ରସର ପରସ୍ତ ଦିଆଯାଇ ବ୍ୟବହାର ହୁଏ। କିନ୍ତୁ ପାନୀୟ ଗ୍ଲାସ୍ ଓ ଥାଳି ଗିନା ଆଦି ଆମେ ଖାଦ୍ୟ ଗ୍ରହଣ କରିବା ବେଳେ ବ୍ୟବହାର କରିପାରିବା।

ନନ୍-ଷ୍ଟିକ୍ ରୋଷେଇ ଉପକରଣ

ଆଜିକାଲି ବହୁଳ ଭାବେ ବ୍ୟବହୃତ ଉପକରଣ ଏହି ବର୍ଗର ଅଟେ। ଷ୍ଟିଲ୍ କିମ୍ୱା ଆଲୁମିନିୟମ୍ ପ୍ୟାନ୍ ବା କଡ଼େଇ ଉପରେ ଟେଫ୍‌ଲନ୍ ପରସ୍ତ ଦିଆଯାଇ ଏହା ପ୍ରସ୍ତୁତ ହୁଏ। ଏହାର ରାସାୟନିକ ନାମ ପଲିଟେଟ୍ରାଫ୍ଲୋରୋଇଥାଇଲିନ୍ ଯାହା ଖାଦ୍ୟକୁ ରନ୍ଧନ ବେଳେ କଡ଼େଇ ବା ପ୍ୟାନ୍‌ରେ ଚିପ୍‌କିବାକୁ ଦେଇନଥାଏ। ହେଲେ ଏହା ଅତ୍ୟଧିକ ତାପ ପ୍ରୟୋଗ କଲେ ଛାଡ଼ିଯାଇ ଖାଦ୍ୟରେ ମିଶିଥାଏ। ଏଣୁ ସର୍ବଦା ନନ୍ ଷ୍ଟିକ୍ ପାତ୍ରକୁ କମ୍ ଆଞ୍ଚରେ ବସାଇ ରୋଷେଇ କରିବା ବିଧେୟ।

କେତେକ ସୁସ୍ଥ ଖାଦ୍ୟ ପ୍ରସ୍ତୁତ ପାଇଁ ଉପଯୁକ୍ତ ପାତ୍ରଗୁଡ଼ିକ ଏଠାରେ ପ୍ରଦତ୍ତ-

ମାଟି ପାତ୍ର

ମାଟିରେ ପ୍ରସ୍ତୁତ ରନ୍ଧା ପାତ୍ର ତାପ ରେଜିଷ୍ଟାଣ୍ଟ ହୋଇଥିବାରୁ କମ୍ ତେଲରେ ରୋଷେଇ ହୋଇପାରେ ଏବଂ ଡାଲି ଓ ପରିବା ଆଦିର ପୋଷକ ତତ୍ୱ ନଷ୍ଟ ହୁଏ ନାହିଁ। ମାଟିରେ ଅନେକ ପ୍ରାକର ମିନେରାଲ ବା ଖଣିଜ ଲବଣ ସଂରକ୍ଷିତ ଥାଏ ଯାହା ଏହାକୁ ଆଲକାଲାଇନ୍ ବା କ୍ଷାରୀୟ ଗୁଣଜନିତ କରିଥାଏ। ଏହା ଦ୍ୱାରା ଅମ୍ଲୀୟ ଖାଦ୍ୟଗୁଡ଼ିକର ଖରାପ ପ୍ରଭାବ ପଡ଼େ ନାହିଁ ଏବଂ ଆମ ଶରୀରର ମିନେରାଲସ ଆବଶ୍ୟକତାରେ ମଧ୍ୟ ଏହା ଅଂଶଦାନ କରେ। କମ୍ ବଜେଟ୍‌ରେ ସହଜରେ ମିଳୁଥିବା ମାଟିର କ଼ଡ଼େଇ ତଥା ହାଣ୍ଡି ଆଦିରେ ଖାଦ୍ୟ ଅଧିକ ସମୟଧରି ସତେଜ ରୁହେ ଏବଂ ସ୍ୱାଦ ମଧ୍ୟ ଭଲ ରୁହେ। ଏଣୁ ଖାଦ୍ୟ ପ୍ରସ୍ତୁତି ପାଇଁ ମାଟି ପାତ୍ର ସବୁଠାରୁ ଭଲ ବିକଳ୍ପ।

ଲୁହା ପାତ୍ର (କାଷ୍ଟ ଆଇରନ୍)

ଲୌହ ଆମ ଶରୀର ପାଇଁ ଏକ ଅତ୍ୟାବଶ୍ୟକ ଖଣିଜ ଲବଣ। ଏହା ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଥିବା ପାତ୍ର। ତେବେ ଏହାର ଅଧିକ ଓଜନ ଯୋଗୁଁ ଏହା ବ୍ୟବହାର କରିବା କଷ୍ଟ ହୋଇଥାଏ। କିନ୍ଚୁ ବର୍ତ୍ତମାନ ବଜାରରେ ମିଳୁଥିବା କାଷ୍ଟ ଆଇରନ୍ କଡ଼େଇ ଓ ପ୍ୟାନ୍ ଆଦିରେ ପୋରସିଲେନ୍‌ର ଏକ ପରସ୍ତ ଲେପ ଦିଆଯାଏ ଯାହା ପାତ୍ରକୁ ମସୃଣ କରେ। ଏହା ଛଡ଼ା କେତେକ କ୍ଷେତ୍ରରେ ଲୌହ ବାସନ ଉପରେ ତେଲର ଏକ ଲେପ ଦିଆଯାଏ ଯାହା ଏହାକୁ ନନ୍ ଷ୍ଟିକ୍ ପରି ଅନୁଭବ କରାଏ। ଲୌହ ପାତ୍ରରେ ତାପ ସଂଚରଣ ସମାନ ଭାବେ ହୋଇଥାଏ ଯାହା ଦ୍ୱାରା ଧୀର ରନ୍ଧନ ପ୍ରକ୍ରିୟା ପାଇଁ ଉପଯୋଗୀ ହୋଇଥାଏ। ତେବେ ଯାହା ହେଉ ଲୁହା ବାସନରେ ରାନ୍ଧିବା ନିହାତି ସ୍ୱାସ୍ଥ୍ୟକର ଏବଂ ବିଶେଷ ରୂପେ ଗର୍ଭବତୀ ଓ କିଶୋରୀ ଝିଅମାନେ ନିହାତି ଲୌହ ବାସନରେ ହିଁ ରାନ୍ଧି ଖାଇବା ଆବଶ୍ୟକ ରହିଛି।

ଷ୍ଟେନ୍‌ଲେସ୍ ଷ୍ଟିଲ୍

ଷ୍ଟିଲ ବାସନ ତାପର ଏକ ଅତି ଉତ୍ତମ ପରିବାହୀ ହୋଇ ନଥିଲେ ମଧ୍ୟ ଏଥିରେ ତିଆରି କଡ଼େଇ ଆଦି ବ୍ୟବହାର କରାଯାଏ। ଏହା ପ୍ରକୃତରେ କାର୍ବନ, ନିକେଲ୍, ମଲିବଡେନମ୍, ମାଙ୍ଗାନିଜ୍‌ର ମିଶ୍ରଣ ହୋଇଥାଏ। ତେବେ ଏଥିରେ କଳଙ୍କି ଲାଗେ ନାହିଁ ଏବଂ ଏହା ଦୀର୍ଘସ୍ଥାୟୀ ହୋଇଥାଏ। ଏହାର ଦାମ୍ ମଧ୍ୟ ଅପେକ୍ଷାକୃତ କମ୍ ଥିବା ବେଳେ ଏହା ସହଜରେ ନେବା ଆଣିବା କରିହୁଏ। ଏଣୁ ଯଦି ଆପଣ ମାଟି ଓ ଲୌହ ବାସନ ପାଇଁ ବଜେଟ୍ କରିପାରୁନାହାନ୍ତିତେବେ ଷ୍ଟିଲ୍ ଏକ ବିକଳ୍ପ ହୋଇପାରିବ।

ଏସବୁ ପ୍ରକାର ବାସନ ବାଦ ଦେଲେ ବଜାରରେ ଉପଲବ୍ଧ ଆଉ କେତେକ ପାତ୍ର ହେଲା ସେରାମିକ୍, କାଚ, ପଥରରେ ତିଆରି ପାତ୍ର। ଏସବୁରେ ରୋଷେଇ ଅସମ୍ଭବ ଲାଗୁଥିଲେ ମଧ୍ୟ ବର୍ତ୍ତମାନ ଉନ୍ନତମାନର ସେରାମିକ୍ ପରସ୍ତ ଦିଆଯାଇଥିବା କୁକ୍‌ୱେୟର ଉପଲବ୍ଧ ହେଲାଣି ଯାହା ନନ୍ ଷ୍ଟିକ୍ ପରି ଦେଖାଯାଏ। ସେରାମିକ୍ ମୁଖ୍ୟତଃ ବାଲି ବା ସିଲିକାରେ ଗଠିତ ଏବଂ ଏହା ଖାଦ୍ୟ ସହ କୌଣସି ପ୍ରତିକ୍ରିୟା କରିନଥାଏ, ଫଳରେ ଏହା ଏକ ସୁସ୍ଥ ରୋଷେଇ ପାତ୍ର ବିକଳ୍ପ ବୋଲି ଧାରାଯାଇପାରେ। କିନ୍ତୁ ଏହାର ଅଧିକ ମୂଲ୍ୟ ଏହାକୁ ବଜେଟ୍ ଅନୁକୁଳ କରିପାରେନାହିଁ। ଏହା ବ୍ୟତୀତ କାଚ ଓ ମେଲାମାଇନ୍ ବାଉଲ୍ ଓ ମଗ୍ ଆଦି କେବଳ ମାଇକ୍ରୋୱେଭ୍ ଉପଯୋଗୀ ହୋଇଥାଏ।

ବର୍ତ୍ତମାନ ବ୍ୟସ୍ତବହୁଳ ଯୁଗରେ ରନ୍ଧନ ପାଇଁ ବିଭିନ୍ନ ବିକଳ୍ପ ବାହାରୁଥିବା ବେଳେ ଓଭନ୍ ଓ ଇଣ୍ଡକ୍ସନ୍ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରଖୁଛି। ତେବେ ଭାରତୀୟ ରନ୍ଧନର ପ୍ରକ୍ରିୟା ଧୀର ଓ ସମୟସାପେକ୍ଷ ହୋଇଥାଏ। ଏଣୁ ଏହାକୁ ଚୁଲା ଉପରେ ନିଆଁ ଆଞ୍ଚରେ ବସାଇ କଡ଼େଇ କିମ୍ୱା ଡେକ୍ଚିରେ ରନ୍ଧନ କରିବାର ବିଧି ସର୍ବାଦୃତ। କିନ୍ତୁ ସମୟ ବଞ୍ଚାଇବାକୁ ତଥା ଦୀର୍ଘ ସମୟ ଧରି ରନ୍ଧନ କରିବାର ନଥିଲେ ସାଧାରଣ ସେକିବା, କେକ୍ ଆଦି କରିବା, ସିଝାଇବା ଆଦି ପାଇଁ ଓଭନ୍‌ର ବ୍ୟବହାର କରିହେବ। କିନ୍ତୁ ମନେ ରଖନ୍ତୁ ଓଭନ୍‌ର ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରଶ୍ମି ସର୍ବଦା ଆମ ଖାଦ୍ୟ ଉପରେ ପଡ଼ିଲେ ଆମର ପ୍ରତିକୂଳ ସ୍ୱାସ୍ଥ୍ୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଣୁ ରନ୍ଧନ ପାଇଁ ପାତ୍ର କିଣିବା ବେଳେ ଏହି କେତୋଟି କଥା ଧ୍ୟାନରେ ରଖିବେ ନିଶ୍ଚୟ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now