Advertisment

Health Tips: ଖରାଦିନେ କେଉଁ ପାନୀୟ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ

ଆଖୁ ହେଉଛି ପ୍ରାକୃତିକ ଶର୍କରାର ଉତ୍ସ। ଏହା ଯକୃତ କାର୍ଯ୍ୟକାରିତା ବଢ଼ାଇବା ସହ ପାଟିର ଗନ୍ଧ କମ୍ କରି ଦାନ୍ତ କ୍ଷୟ ହେବା କମାଏ। ଖରାଦିନେ ଆଖୁରସରୁ ଏକ ଗ୍ଲାସ୍ ପିଇବା ଦ୍ୱାରା ତ୍ୱରିତ ଶକ୍ତି ବା ଇନଷ୍ଟାଣ୍ଟ ଏନର୍ଜି ମିଳେ। ଏଥିରେ ଥିବା ପଲିଫେନଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଆଦି ପୋଷକ ଏହାକୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ପାଇଁ ଅନୁକୂଳ କରିଥାଏ। ଏହା ପ୍ରାକୃତିକ ଶର୍କରା ହୋଇଥିବାରୁ ଡାଇବେଟିସ୍ ଥିବା ବ୍ୟକ୍ତି ମଧ୍ୟ ଅଳ୍ପ ପରିମାଣରେ ଏହାକୁ ପିଇ ପାରିବେ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ଖରାଦିନିଆ ପାନୀୟ

ଖରାଦିନିଆ ପାନୀୟ

ଖରାଦିନ ଆରମ୍ଭରେ ତାତି ବଢ଼ିବାକୁ ଲାଗିଲେ ଆପଣମାନେ ଖୋଜନ୍ତି ବିଭିନ୍ନ ପାନୀୟ ଯାହା ପାଟିକୁ ସ୍ୱାଦଯୁକ୍ତ ଲାଗିବା ସହ ଦେହର ଜଳୀୟ ଅଂଶ ବଜାୟ ରଖିବ। ତେବେ ବଜାରରେ ଉପଲବ୍ଧ କୋଲ୍ଡଡ୍ରିଙ୍କସ୍, ଲସି ଇତ୍ୟାଦି ନିୟମିତ ପିଇବା ଦ୍ୱାରା ଆପଣଙ୍କ ଶରୀର ଖରାପ ହେବାର ସମ୍ଭାବନା ରହିଛି। ପ୍ରକୃତିଲବ୍ଧ ଅନେକ ଫଳ ଓ ପାନୀୟ ରହିଛି ଯାହା ସେବନ ଦ୍ୱାରା ଆପଣଙ୍କ ଏହି ସବୁ ଶୋଷ ମେଣ୍ଟିବା ସହ ଶରୀରର ଜଳୀୟ ଅଂଶ ଠିକ୍ ରହିବ ଏବଂ କୌଣସି ଅନ୍ୟ ସମସ୍ୟା ଦେଖାଯିବ ନାହିଁ।

Advertisment

ତେବେ ଏହି ସମୟରେ ବଜାରରେ ପ୍ରଚୁର ପରିମାଣରେ ବେଲ, ତରଭୁଜ ଆଦି ବିକ୍ରି ହେବା ଆପଣ ଲକ୍ଷ୍ୟ କରିଥିବେ। ଏହି ଖରାଦିନିଆ ଫଳଗୁଡ଼ିକ ସ୍ୱାଦିଷ୍ଟ ହେବା ସହ ଉପକାରୀ ହୋଇଥାଏ। କୃତ୍ରିମ ରଙ୍ଗ ଓ ମାତ୍ରାଧିକ ମିଠା ରହୁଥିବା ଥଣ୍ଡାପାନୀୟ ତଥା ରେଡିମେଡ୍ ଲସି ଆଦି ନ ପିଇ ବେଲପଣା, ତରଭୁଜ, ବିଭିନ୍ନ ଫଳ ରସ(ଚିନି ନଦେଇ), ଦହି ସର୍ବତ, ଘୋଳଦହି, ନାଣ୍ଡିବାଗୁଲି ପାଣି, ଭୁସି ଇତ୍ୟାଦି ସେବନ କରିପାରିବେ। ତେବେ ଏସବୁର ସ୍ୱାସ୍ଥ୍ୟ ପାଇଁ ଅନେକ ସୁପ୍ରଭାବ ରହିଛି।

ବେଲ- ଭିଟାମିନ୍ ସି ରେ ଭରପୂର ବେଲ ଦେହର ଜଳୀୟ ଅଂଶ ଠିକ୍ ରଖିବାରେ ସାହାଯ୍ୟ କରେ। ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍‌ ଥିବା ଏହି ଫଳ ଆପଣଙ୍କ ପାଚନତନ୍ତ୍ରକୁ ଠିକ୍ ରଖିବା ଦ୍ୱାରା ବିଭିନ୍ନ ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟାକୁ ଦୂରେଇ ରଖେ। ଟାଣ ଖରାରେ ଆପଣଙ୍କ ତ୍ୱଚା ପାଇଁ ଏହା ଅତ୍ୟନ୍ତ ଉପାଦେୟ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଯୋଗୁଁ ଏହା ବୟସାଧିକ୍ୟ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରେ। ଏହାର ଶସରେ ପଣା ପ୍ରସ୍ତୁତ କରି ପିଇଲେ ଏହା ଅନ୍ୟ କୌଣସି ଥଣ୍ଡାପାନୀୟଠାରୁ ଯଥେଷ୍ଟ ଅଧିକ ପରିମାଣରେ ଆପଣଙ୍କୁ ଶାନ୍ତି ଦେବ।

Advertisment

ତରଭୁଜ- ଆପଣ ଯଦି ଓଜନ ହ୍ରାସ କରିବାକୁ ଇଛୁକ ଏବଂ ଆପଣଙ୍କୁ ଫଳ ଖାଇବାକୁ ଭଲ ଲାଗେ, ତେବେ ତରଭୁଜଠାରୁ ଭଲ ପସନ୍ଦ ଆଉ କିଛି ହୋଇନପାରେ। 100 ଗ୍ରାମ୍ ପ୍ରତି ମାତ୍ର 45 କ୍ୟାଲୋରୀ ଦେଉଥିବା ଏହି ଫଳରେ ସୁଗର୍ ପରିମାଣ ମଧ୍ୟ କମ୍ ଥାଏ। ଏଣୁ ଏହାକୁ ଡାଇବେଟିସ୍ ଥିବା ରୋଗୀ ସୀମିତ ପରିମାଣରେ ଖାଇପାରିବେ। ଏହା ଛଡ଼ା ଏହା ପୋଟାସିୟମ୍‌ରେ ଭରା ଯାହା ଏହାର ଉପାଦେୟତାକୁ ବଢ଼ାଇଥାଏ। ବାହାରେ ଯିବା ସମୟରେ ଆପଣଙ୍କୁ ଶୋଷ ହେଉଥିଲେ ଗୋଟିଏ ତରଭୁଜ କିଣି ଖାଆନ୍ତୁ, ଦେଖିବେ, ଶୋଷ ମେଣ୍ଟିବା ସହ ଆପଣଙ୍କୁ ଫ୍ରେଶ୍ ଲାଗିବ। ଏଥିସହିତ ଏଥିରେ ରହିଥିବା ଲାଇକୋପିନ୍ ଓ ଅନ୍ୟାନ୍ୟ ମିନେରାଲ୍ସ ଏହାକୁ ଆହୁରି ସ୍ୱାସ୍ଥ୍ୟକର କରେ। ତେବେ ଯଦି ଆପଣ ଦୈନିକ କରଭୁଜ ଖାଉଛନ୍ତି ତେବେ ଏହାର ପରିମାଣ ନିୟନ୍ତ୍ରଣରେ ରଖିବେ।

ଘୋଳଦହି- ଦହିରେ ଥିବା ବ୍ୟାସିଲସ୍ ବ୍ୟାକ୍ଟେରିଆ ଆମର ଖାଦ୍ୟନଳୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଦରକାରୀ। ଏଥିସହିତ ଦହି ଏକ ଭଲ ପ୍ରୋବାୟୋଟିକ୍ ଏବଂ ଭାଇଟାମିନ୍ ବି ର ଉତ୍ସ। ତେବେ ଘୋଳଦହି କହିଲେ ଆମେ କଣ ବୁଝୁ। ଏହାର ଅର୍ଥ ଦହିକୁ ପାଣିରେ ଫେଣ୍ଟାଯାଇ ପତଳା କରି ଏଥିରେ ଲୁଣ, କଞ୍ଚାଲଙ୍କା ଦେଇ ଏହାକୁ ରଖାଯାଏ। କିଛି ସମୟ ପରେ ଏହାର ସ୍ୱାଦ ଅପୂର୍ବ ମନେ ହୁଏ। ଅତ୍ୟଧିକ ଚିନି ମିଶ୍ରିତ ଲସି ଅପେକ୍ଷା ଏହା ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ। ଖରାଦିନେ ଅତ୍ୟଧିକ ଝାଳ ବୋହିବା ଯୋଗୁଁ ଜଳୀୟଅଂଶ କମିଯାଇ ଡିହାଇଡ୍ରେସନ୍ ହେବାର ଆଶଂକା ଥାଏ। ଘୋଳଦହି ଏପରି ସ୍ଥିତିରେ ଏକ ଇଲେକ୍ଟ୍ରୋଲାଇଟ୍ ପରି କାମ ଦିଏ ଏବଂ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଏ।

ନାଣ୍ଡିବାଗୁଲି(ଚିଆ ସିଡ୍ସ) ପାନୀୟ- ରାତିରେ ପାଣିରେ ଭିଜାଇ ଏହାର ମଞ୍ଜିକୁ ସକାଳୁ ପିଆଯାଏ। ଏହିମଞ୍ଜି ଦେଖିବାକୁ ଖୁବ୍ ଛୋଟ କିନ୍ତୁ ପାଣିରେ ଭିଜିବା ପରେ ଜେଲି ପରି ଦେଖାଯାଏ। ଏହା ସହ ଲେମ୍ବୁ ଚୁପୁଡ଼ି ପିଇବା ଦ୍ୱାରା ଏହାର ଲାଭ ଦ୍ୱିଗୁଣିତ ହୁଏ। ଏହା ପ୍ରୋଟିନ୍ ଓ ଫାଇବର୍‌ରେ ଭରପୂର, ଯାହା ଶରୀର ପାଇଁ ଉପକାରୀ ହୋଇଥାଏ। ଏଥିସହିତ ଏଥିରେ କ୍ୟାଲସିୟମ୍, ଫସପରସ୍, ଆଇରନ୍ ଓ ଭିଟାମିନ୍ ବି ପରି ଆବଶ୍ୟକ ପୋଷକ ତତ୍ୱ ମଧ୍ୟ ରହିଥାଏ। ଅତ୍ୟନ୍ତ ଖରାରେ ଏହା ଦେହକୁ ଥଣ୍ଡା ରଖିବା ସହିତ ଭୋକ କମାଏ ଏବଂ ଓଜନ ନିୟନ୍ତ୍ରିତ ରଖିବାରେ ମଧ୍ୟ ସହାୟ ହୋଇଥାଏ।

ଆଖୁ ରସ- ଆଖୁ ହେଉଛି ପ୍ରାକୃତିକ ଶର୍କରାର ଉତ୍ସ। ଏହା ଯକୃତ କାର୍ଯ୍ୟକାରିତା ବଢ଼ାଇବା ସହ ପାଟିର ଗନ୍ଧ କମ୍ କରି ଦାନ୍ତ କ୍ଷୟ ହେବା କମାଏ। ଖରାଦିନେ ଆଖୁରସରୁ ଏକ ଗ୍ଲାସ୍ ପିଇବା ଦ୍ୱାରା ତ୍ୱରିତ ଶକ୍ତି ବା ଇନଷ୍ଟାଣ୍ଟ ଏନର୍ଜି ମିଳେ। ଏଥିରେ ଥିବା ପଲିଫେନଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଆଦି ପୋଷକ ଏହାକୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ପାଇଁ ଅନୁକୂଳ କରିଥାଏ। ଏହା ପ୍ରାକୃତିକ ଶର୍କରା ହୋଇଥିବାରୁ ଡାଇବେଟିସ୍ ଥିବା ବ୍ୟକ୍ତି ମଧ୍ୟ ଅଳ୍ପ ପରିମାଣରେ ଏହାକୁ ପିଇ ପାରିବେ।

ଖରାଦିନର ପ୍ରବଳ ଖରାରେ ଦେହକୁ ଶୀତଳତା ପ୍ରଦାନ ସହ ଶୋଷ ମେଣ୍ଟାଇବାକୁ ଉପର ବର୍ଣ୍ଣିତ ପାନୀୟମାନ ସେବନ କରିବା ଦ୍ୱାରା ଶରୀରରେ କୌଣସି ଖରାପ ପ୍ରଭାବ ନ ପଡ଼ି ଏହା ଆମକୁ ସୁସ୍ଥ ଓ ସକ୍ରିୟ ରଖେ। ଏଥିସହ ବଜାରରେ ମିଳୁଥିବା କମଳା, ସପୁରୀ, ସେଓ, ଅଙ୍ଗୁର ଆଦି ଫଳ ରସ ଘରେ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ। ଏଥିରେ କୌଣସି ପ୍ରକାର ରିଫାଇନଡ୍ ସୁଗାର ବା ଚିନି ନମିଶାଇଲେ ଏହାର ଉପକାରିତା ଆମକୁ ସମ୍ପୂର୍ଣ୍ଣ ମିଳିପାରିବ।

ଏଥିସହ ଆଉ କେତୋଟି ଉପକାରୀ ପାନୀୟ ହେଲା ରାତିରେ ପାନମହୁରୀ, ଭୁସି, ଜାଇଫଳ ଭିଜାଇ ସକାଳୁ ଏହାକୁ ବାଟି ମିଶ୍ରି ପାଣିରେ ଏହାର ପାନୀୟ ପ୍ରସ୍ତୁତ କରି ପିଇବା। ଏହା ପାଟିକୁ ସୁଆଦ ସହ ପେଟ ଥଣ୍ଡା ରଖେ। ପୁରୀର ସ୍ଥାନୀୟ ଅଞ୍ଚଳରେ ଏହା ହାତପାଣି ନାମରେ ଲୋକାଦୃତ। ଖରାଦିନେ ଏପରି ପ୍ରାକୃତିକ ପାନୀୟ ପିଇବା ପରେ ଆପଣ କୋଲ୍ଡଡ୍ରିଙ୍କସ୍ ଆଦି କ୍ଷତିକାରକ ପାନୀୟକୁ ନିଶ୍ଚିତ ଭୁଲିଯିବେ।

Drinks Healthy Diet Healthy Health Tips Otv Odia Health Tips
Advertisment
Advertisment