ଯଦି ଆପଣଙ୍କୁ କେହି ଭାରତୀୟ ବଜାରରେ ମିଳୁଥିବା ସାମ୍ପୁ ଗୁଡିକର ନାଁ ପଚାରେ, ତାହେଲେ ଆପଣ ଟିକେ ବି ବିଳମ୍ବ ନକରି ଶହେଟି ବ୍ରାଣ୍ଡ୍ ଗଣି ଯିବେ। ସେଥିରୁ ପୁଣି କିଏ କେରାଟିନ୍, ପ୍ରୋଟିନ, ଆଲୋଭେରା, ଆଲ୍ମଣ୍ଡ, ଅଅଁଳା ତ କିଏ ମିଲ୍କ କିମ୍ବା ଆଉ କିଛି ଫଳର ଗୁଣଯୁକ୍ତ। ନିଜ କିଶୋରାବସ୍ତାରୁ ଏ ଭିତରେ ଅଗଣିତ ଲୋକଙ୍କ ପରାମର୍ଶ ଅନୁସାରେ ଆପଣ କେତେଥର ଯେ ସାମ୍ପୁ ବଦଳାଇ ଥିବେ ତା’ର ଠିକଣା ନାଇଁ। ହେଲେ ଆଶାନୁରୂପ ଫଳ ଆପଣ ଆଜି ବି ଖୋଜୁଥିବେ। କାରଣ ସାମ୍ପୁର କାମ କେଶକୁ ପୋଷକ ତତ୍ତ୍ୱ ଯୋଗାଇ ତାକୁ ସୁସ୍ଥ ରଖିବା ଆଦୌ ନୁହେଁ। ସାମ୍ପୁ ହେଉଛି ଗୋଟିଏ ଭିସକସ୍ ଲିକ୍ବିଡ୍ (ସାବୁନ ଏବଂ ପାଉଡର ଆକାରରେ ମଧ୍ୟ ଉପଲବ୍ଧ) ଯାହାର କାମ ମୁଣ୍ଡର ଖପୁରୀ ଏବଂ କେଶ ମୂଳରେ ଜମା ହୋଇଥିବା ତୈଳିୟ ପଦାର୍ଥ, ମଇଳା, ମୃତ ଚର୍ମକୋଷ, ରୂପି, ପ୍ରଦୂଷଣକାରୀ ତତ୍ତ୍ୱ ଏବଂ ସ°କ୍ରମଣକାରୀ ପଦାର୍ଥକୁ ଧୋଇଦେଇ, ଖପୁରୀକୁ ସଫା କରିବା।
ସାମ୍ପୁର ଇତିହାସ:
Also Read
ଇତିହାସକୁ ଲକ୍ଷ୍ୟ କଲେ ଜଣାପଡେ ଯେ, ସାମ୍ପୁ ବା କେଶ ସଫା କରିବା ପାଇଁ ବିଭିନ୍ନ ପଦାର୍ଥର ବ୍ୟବହାର ଭାରତୀୟ ଭୂଖଣ୍ଡରେ ସିନ୍ଧୁନଦୀ ସଭ୍ୟତାରୁ ଆରମ୍ଭ ହୋଇଥିଲା। ସିନ୍ଧୁନଦୀ ସଭ୍ୟତାର ଲୋକମାନେ ସେତେବେଳେ ସାପିଣ୍ଡିସ୍ ବା ସୋପ୍-ବେରିଜ୍ ବା ରିଠା ବ୍ୟବହାର କରୁଥିଲେ, ଯାହାକୁ ସ°ସ୍କୃତରେ ‘କ୍ଷୁଣ’ କୁହାଯାଏ। ସ°ସ୍କୃତ ଗ୍ରନ୍ଥ ଗୁଡିକରେ ଏହି କ୍ଷୁଣକୁ ‘ଫେଣକ’ ଅର୍ଥାତ ଫେଣ ସୃଷ୍ଟିକାରୀ ତତ୍ତ୍ୱ ହିସାବରେ ବର୍ଣ୍ଣନା କରାଯାଇଛି। ଏହି କ୍ଷୁଣ ସହ ଅଅଁଳା ଏବଂ ଅନ୍ୟାନ୍ୟ ଜଡିବୁଟିକୁ ଏକାଠି ସିଝାଇ, ଛାଣି, ପ୍ରାପ୍ତ ହେଉଥିବା ତରଳ ପଦାର୍ଥକୁ ମୁଣ୍ଡ/ଖପୁରୀ ସଫା ପାଇଁ ବ୍ୟବହାର କରା ଯାଉଥିଲା।
ରିପୋର୍ଟ ଅନୁସାରେ ଇଂରାଜୀ ଭାଷାରେ “ସାମ୍ପୁ” ଶବ୍ଦର ବ୍ୟବହାର ୧୭୬୨-୬୪, ଉପନିବେଶ ବା କଲୋନିଆଲ୍ କାଳରେ ଆରମ୍ଭ ହୋଇଥିଲା। ଭାରତୀୟ ହିନ୍ଦୀ ଶବ୍ଦ “ଚମ୍ପୋ” (ମର୍ଦ୍ଦନ କରିବା, ଧୋଇବା) ଶବ୍ଦରୁ, ଇଂରେଜ ମାନଙ୍କ ଉଚ୍ଚାରଣ ଶୈଳୀ କାରଣରୁ ସାମ୍ପୁ ଶବ୍ଦର ସୃଷ୍ଟି ହୋଇଛି।
ରିପୋର୍ଟ ଅନୁସାରେ ଭାରତୀୟ ମୂଳର ଶେଖ୍ ଦିନ୍ ମହମ୍ମଦ ସାମ୍ପୁର ଜନକ ଭାବରେ ପରିଗଣିତ। ୧୮୧୪ ମସିହାରେ ସେ ବ୍ରିଟେନରେ “ଇଣ୍ଡିଆନ୍ ମେଡିକେଟେଡ୍ ଭ୍ୟାପର ବାଥ୍” ନାମକ ଗୋଟିଏ ସ°ସ୍ଥା ସ୍ଥାପନ କରିଥିଲେ। ତାଙ୍କରି ଭ୍ୟାପର ବାଥ୍ ସେଣ୍ଟରରୁ ପ୍ରେରଣା ପାଇ ସି-ସାଇଡ୍ ସ୍ପାର ଆରମ୍ଭ ହୋଇଥିଲା ଏବଂ ଇ°ଲଣ୍ଡର ବିଭିନ୍ନ ବାରବର ସପ୍ ଗୁଡିକ ସାବୁନକୁ ପାଣିରେ ଘୋଳି, ସେଥିରେ ଜଡିବୁଟି ମିଶାଇ ଲୋକଙ୍କ ମୁଣ୍ଡ ସଫା କରିବା ଆରମ୍ଭ କଲେ।
୧୯୦୦ ମସିହାରେ ଜର୍ମାନ ପରଫ୍ୟୁମର୍ ଏବଂ ହେୟାର୍ ଷ୍ଟାଇଲିଷ୍ଟ ଜୋସେଫ୍ ଓ୍ବିଲହୋମ୍ ରଅସ୍କ, ପ୍ରଥମ ତରଳ/ଲିକ୍ବିଡ୍ ସାମ୍ପୁ ତିଆରି କରିଥିଲେ, ଏହାର ନାଁ ସେ “ସ୍ୟାମ୍ପୁଇ°ଗ୍ (Champooing)” ରଖିଥିଲେ।
ବର୍ଲିନ୍, ଜର୍ମାନୀରେ ହାନ୍ସ ସ୍କିଓ୍ବାର୍ଜକଫଙ୍କ ଦ୍ବାରା ୧୯୨୭ ମସିହାରେ ତରଳ ସାମ୍ପୁ ପ୍ରସ୍ତୁତ କରାଯାଇ ବ୍ୟବସାୟ ଏବଂ ବଜାର ପାଇଁ ଉପଲବ୍ଧ କରାଗଲା। ଆମେ ବର୍ତ୍ତମାନ ଦେଖୁଥିବା ଏବଂ ବ୍ୟବହାର କରୁଥିବା ସାମ୍ପୁକୁ ସର୍ବପ୍ରଥମେ ୧୯୩୦ ମସିହାରେ ଡ୍ରେନେଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା।
ସାମ୍ପୁ କରିବାର ସଠିକ୍ ଉପାୟ:
ସଲଫର ଏବଂ ପାରାବେନ୍ ଫ୍ରି ସ୍ୟାମ୍ପୁ ବାଛନ୍ତୁ। ହୋମିଓପ୍ୟାଥିକ ଷ୍ଟୋରରେ ଉପଲବ୍ଧ ଆର୍ନିକା ଏବଂ ଜୋବୋରାଣ୍ଡି ସାମ୍ପୁ ମଧ୍ୟ ଖପୁରୀ ଚମଡାକୁ ସୁସ୍ଥ ରଖିବା ପାଇଁ ଭଲ। ଯଦି ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିକେଟେଡ୍ ସ୍ୟାମ୍ପୁ ବ୍ୟବହାର କରୁଥାନ୍ତି, ତାକୁ ମଧ୍ୟ ମନଇଚ୍ଛା ଏକାଧିକ ଥର ବ୍ୟବହାର ନକରି କେତେଦିନ ବ୍ୟବହାର କରିବେ ବୁଝି ନିଅନ୍ତୁ।
ସପ୍ତାହକୁ ଅତି ବେଶୀରେ ଦୁଇଥର ସ୍ୟାମ୍ପୁ ବ୍ୟବହାର କରନ୍ତୁ। ଅଧିକ ଥର ସ୍ୟାମ୍ପୁ କରିବା ଦ୍ବାରା ଖପୁରୀ ଚର୍ମ ସହ କେଶ ମଧ୍ୟ ଶୁଷ୍କ ଏବଂ ଭଙ୍ଗୁର ହୋଇଯାଏ। ପ୍ରାକୃତିକ ଚମକ ନଷ୍ଟ ହୁଏ।
କେଶର ଘନତା ଏବଂ ଲମ୍ବା ହିସାବରେ ସ୍ୟାମ୍ପୁ ନେଇ, ଗୋଟିଏ ମଗ୍ ପାଣିରେ ମିଶାଇ ପ୍ରଥମେ ଫେଣ କରି, ତା’ ପରେ ସେହି ପାଣିକୁ ଅଳ୍ପ ଅଳ୍ପ କରି ଖପୁରୀରେ ଲଗାଇ, ହାଲୁକା ହାତରେ ମାଲିସ୍ କଲେ ସୁଫଳ ମିଳେ। କପଡା ସଫା କଲା ପରି, କେଶର ଦୈର୍ଘ୍ୟକୁ ଏକଦମ୍ ଦଳି-ମକଚି ସଫା ନକରି ଏକଦମ୍ ହାଲୁକା ଚାପରେ ସଫା କରନ୍ତୁ। ସ୍ୟାମ୍ପୁକୁ ଖପୁରୀରେ ଅଧିକ ସମୟ ରହିବା ପାଇଁ ଦେଲେ ଅଧିକ ସୁଫଳ ମିଳେ ନାହିଁ।
ସାମ୍ପୁ ପରେ ନିଜ କେଶର ପ୍ରକାର ତଥା ଆବଶ୍ୟକତା ଅନୁସାରେ କଣ୍ଡିସନର୍ ଲଗାଇବା ଭଲ। ନଚେତ କେଶ ହାଲୁକା ଶୁଖି ଆସିଲା ବେଳକୁ ଅଳ୍ପ ନଡ଼ିଆ ତେଲ ଲଗାଇ ଦେଲେ କେଶ ଶୁଖିଲା ନଦିଶି ଚମକପ୍ରଦ ଓ ମସୃଣ ରୁହେ।
ସାମ୍ପୁ କରିସାରି, ଏକଦମ୍ ଓଦା ଥିବା କେଶକୁ କୁଣ୍ଡାନ୍ତୁ ନାହିଁ, ଏହା ଦ୍ବାରା ଅଡ଼ୁଆ ହୋଇ ଅଧିକ କେଶ ଉପୁଡି ଯାଏ। ଜଲ୍ଦି ଶୁଖିବା ପାଇଁ ଅଧିକ ବ୍ଲୋ-ଡ୍ରାଏଅରର ବ୍ୟବହାର ମଧ୍ୟ କେଶକୁ ଶୁଷ୍କ ଓ ଚମକ ହୀନ କରିଦିଏ। କେଶ ପ୍ରାକୃତିକ ଉପାୟରେ ଶୁଖିଲେ ହିଁ ଏଥିରେ ଆବଶ୍ୟକ ମୁତାବକ ଆଦ୍ରତା ରହିବା ସହ, ନରମ ଓ ସାଇନି ହୁଏ।
ଘରୋଇ ସ୍ୟାସା:
ଯଦି ଆପଣ ବଜାରରେ ମିଳୁଥିବା କେମିକାଲ୍ ଯୁକ୍ତ ସ୍ୟାମ୍ପୁ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ ତାହେଲେ ଅତି ସହଜରେ ଘରେ ଏହାର ବ୍ୟବସ୍ଥା କରି ପାରିବେ। ୨ ଚାମଚ ଲେଖାଏଁ ଅଅଁଳା, ରିଠା ଏବଂ ସିକାକାଇ ଗୁଣ୍ଡ ନେଇ ୧ ଲିଟର ପାଣିରେ ଗୋଳାଇ, ଫୁଟାଇ ନିଅନ୍ତୁ। ଚାହିଁଲେ ସେଥିରେ ଅଳ୍ପ ମେଥି ଗୁଣ୍ଡ ଏବଂ ମନ୍ଦାର ଫୁଲ ମଧ୍ୟ ମିଶାଇ ପାରନ୍ତି (କିନ୍ତୁ ମନ୍ଦାର ଫୁଲ ଲାଳୁଆ କରିଦିଏ)। ପାଣି ଫୁଟି ୫୦୦-୬୦୦ ମିଲି ରହିଲେ, ଥଣ୍ଡା କରି ଛାଣି ନିଅନ୍ତୁ। ଏହି ଘୋଳକୁ ଆପଣ କାଚ ବଟଲରେ ମାସେ-ଦୁଇ ମାସ ଯାଏଁ ଫ୍ରିଜରେ ରଖି ପାରିବେ। ସାମ୍ପୁ କରିବା ଦିନ ଏଥିରୁ ୫୦ମିଲି ନେଇ ଗୋଟିଏ ମଗ୍ ପାଣିରେ ମିଶାଇ ଧିରେ ଧିରେ ଖପୁରୀରେ ଚାରିଆଡେ ମାଲିସ କରନ୍ତୁ। ବଜାରରେ ଉପଲବ୍ଧ ସାମ୍ପୁ ପରି ବହୁତ ଫେଣ ନହେଲେ ବି ଏହା ସୁନ୍ଦର ଭାବରେ କେଶ ମୂଳ ସଫା କରିଦିଏ। କିନ୍ତୁ ପ୍ରାକୃତିକ ଭାବି ଏହି ଘୋଳକୁ ବି ମନଇଚ୍ଛା ବ୍ୟବହାର କରନ୍ତୁ ନାହିଁ। ଅଧିକ ବ୍ୟବହାର କଲେ ଏହା ମଧ୍ୟ ଚର୍ମର ପ୍ରାକୃତିକ ତୈଳକୁ ନଷ୍ଟ କରି, କେଶକୁ ଶୁଷ୍କ ଓ ଭଙ୍ଗୁର କରିଦିଏ। ସେହିପରି ଗହ୍ମାରି ଗଛର ପତ୍ରକୁ ପାଣିରେ କିଛି ସମୟ ଭେଦାଇ, ଚକଟି ଦେବେ। ଗୋଟିଏ କପଡା ସାହାଯ୍ୟରେ ଛାଣି, ଉକ୍ତ ପାଣିରେ ମଧ୍ୟ କେଶ ସଫା କରାଯାଇ ପାରିବ। ଏଥିରେ ଭଲ ଫେଣ ମଧ୍ୟ ହୁଏ।
କେଶ ପାଇଁ ଖାଦ୍ୟ:
କଶର ଉତ୍ପତ୍ତି ଆମ ଚର୍ମ ମଧ୍ୟରେ ଥିବା ହେଆର୍ ଫଲିକଲ୍ସରୁ ହୋଇଥାଏ। ତେଣୁ କେବଳ ଖପୁରୀ ଉପରେ ଦାମିକା ସାମ୍ପୁ କିମ୍ବା ତେଲ ଲଗାଇଦେଲେ ଏହା ସୁସ୍ଥ ହୋଇଯିବ ଭାବିବା ବୋକାମି। ତା’ପାଇଁ ଜରୁରୀ ପୁଷ୍ଟିକାରକ ଖାଦ୍ୟର।
କେଶ ପାଇଁ ସବୁଠାରୁ ଜରୁରୀ ହେଉଛି ପୁଷ୍ଟିସାର ବା ପ୍ରୋଟିନ୍, ଅଣ୍ଡାର ଧଳା ଅ°ଶ, ସୋୟାବିନ୍ ଓ ବଢି, ଗଜା ମୁଗ ଏବଂ ଚଣା।
ସେମିତି ବାୟୋଟିନ୍ ମଧ୍ୟ କେଶ ପାଇଁ ଭଲ, କିନ୍ତୁ ଏହା ପାଇଁ କୌଣସି କ୍ୟାପସୁଲ୍ ନୁହେଁ ଅଣ୍ଡା କେଶର, ଓଟ୍ସ ମିଲ୍, ସୋୟାବିନ୍, ଗାଜର, ବାଦାମ, ଓ୍ବାଲନଟ୍, ଆଲ୍ମଣ୍ଡସ, ଷ୍ଟ୍ରବେରି ଉତ୍ତମ।
ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ସୁସ୍ଥ କେଶ ପାଇଁ ଜରୁରୀ, ଏଥି ପାଇଁ ସମୁଦ୍ର ମାଛ, ସୋୟାବିନ୍, ଫ୍ଲାକ୍ସ/ ଅଳସି ମଞ୍ଜି, କଖାରୁ ମଞ୍ଜି, ଛତୁ, ପାଳଙ୍ଗ ଶାଗ, ଚିଆ ସିଡ୍ସ ଭଲ ସ୍ରୋତ।
ଭିଟାମିନ୍-ସି ମଧ୍ୟ କେଶ ପାଇଁ ଜରୁରୀ, ଏଥିପାଇଁ ଅଅଁଳା, ଲେମ୍ବୁ, କମଳା, ଟମାଟୋ, ଅମୃତଭଣ୍ଡା, ବ୍ରୋକଲି ଖାଇବା ଆବଶ୍ୟକ।
ଭୁର୍ସଙ୍ଗ ପତ୍ର ମଧ୍ୟ କେଶ ପାଇଁ ଉପକାରୀ, ଏଥିରେ ଥିବା ବିଟା-କ୍ୟାରୋଟିନ୍ କେଶ ଝଡିବାରୁ ରକ୍ଷା କରେ ଓ ପତଳା ହେବାକୁ ଦିଏନି।
ସ୍ୟାମ୍ପୁର କାମ ହେଉଛି ଖପୁରୀ ଚର୍ମ ଏବଂ କେଶ ମୂଳକୁ ସଫା କରିବା। କେବଳ ନାମିଦାମୀ ବ୍ରାଣ୍ଡର ସାମ୍ପୁ ବ୍ୟବହାର କରିଦେଲେ ଯେ ବିଜ୍ଞାପନର ମଡେଲ୍ ମାନଙ୍କ ପରି ଆପଣଙ୍କ କେଶ ଲମ୍ବା, ମସୃଣ, ଚିକଚିକିଆ ଦେଖାଯିବ ତା’ ନୁହେଁ। ଆଉ ତା’ପରେ ଆପଣ ବିଜ୍ଞାପନରେ କେବଳ ଗୋଟିଏ ଛବି ଦେଖନ୍ତି, ଯାହାକୁ ଆଧୁନିକ ପଦ୍ଧତିରେ ଏଡିଟ୍ ମଧ୍ୟ କରାଯାଇ ପାରିବ। ତେଣୁ ଉତ୍ତମ କେଶ ପାଇବା ପାଇଁ ଭଲ ବ୍ରାଣ୍ଡର ସାମ୍ପୁ ସହ ପ୍ରୟୋଗର ସଠିକ୍ ପ୍ରଣାଳୀ, ଗ୍ରହଣ କରୁଥିବା ଖାଦ୍ୟ ଏବଂ ଜୀବନଶୈଳୀ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।