• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

'ମଙ୍କି ଫିଭର' ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଅନେକ ରାଜ୍ୟରେ ଏହି ମାମଲା ସାମ୍ନାକୁ ଆସିଛି । ବିଶେଷକରି କର୍ଣ୍ଣାଟକରେ ଏହି ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଏବେ ସୁଦ୍ଧା ୬୪ଟି ‘ମଙ୍କି ଫିଭର’ ମାମଲା ସାମ୍ନାକୁ ଆସିଛି । ତେବେ ଦୁଇ ଜଣଙ୍କ ମତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡ୍‌କୁ ଆସିଛି ।

ଏହି ଭାଇରାଲ୍ ସଂକ୍ରମଣର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ବିଭିନ୍ନ ସ୍ତରରେ ସମୀକ୍ଷା କରୁଛନ୍ତି । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଉଚ୍ଚ ତାପମାତ୍ରାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା, ବାନ୍ତି ଏବଂ ଝାଡ଼ା ହେଉଛି ଏହି ରୋଗର ଲକ୍ଷଣ । ଏପରି ପରିସ୍ଥିତିରେ, କେବଳ ସତର୍କତା ଅବଲମ୍ବନ କରି ଏହି ରୋଗଠାରୁ ଦୂରେଇ ରହିପାରିବା ।

ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, 'ମଙ୍କି ଫିଭର' ହେଉଛି ଏକ ପ୍ରକାର କ୍ୟାସାନୁର ଫରେଷ୍ଟ ଡିଜିଜ୍‌ ବା KFD । ଏହି ରୋଗ ଜନିତ ପ୍ରଥମ ମୃତ୍ୟୁ ଜାନୁଆରୀ ୮ରେ ଶିବମୋଗା ଜିଲ୍ଲାର ହୋସାନଗରରେ ହୋଇଥିଲା । ଜଣେ ୧୮ ବର୍ଷର ଯୁବତୀ ଏଥିରେ ପ୍ରାଣ ହରାଇଥିଲେ । ଦ୍ୱିତୀୟ ମୃତ୍ୟୁ ଉଡୁପି ଜିଲ୍ଲାର ମଣିପାଲରେ ଘଟିଥିଲା । ସେତେବେଳେ ଚିକ୍‌‌ମେଙ୍ଗାଲରୁର  ଶ୍ରୀଙ୍ଗେରୀରେ ଜଣେ ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

କେଏଫଡି ମାମଲାରେ ବୃଦ୍ଧି ଏବଂ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ପରେ ଏହି ରୋଗ ସହ ମୁକାବିଲା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ।

‘ମଙ୍କି ଫିଭର’ ଏକ ଭାଇରାଲ୍ ରୋଗ, ଯାହାକି କ୍ୟାସାନୁର ଫରେଷ୍ଟ ଡିଜିଜ୍‌ ଭାଇରସ୍‌ ଯୋଗୁଁ ବ୍ୟାପିଥାଏ । ପଶୁମାନଙ୍କଠାରୁ ମଣିଷଙ୍କୁ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ । ବିଶେଷକରି ଏହା ସେହି ଅଞ୍ଚଳରେ ଅଧିକ ବ୍ୟାପିଥାଏ ଯେଉଁଠାରେ ମାଙ୍କଡମାନଙ୍କର ସଂଖ୍ୟା ଅଧିକ । ଏହି ରୋଗ ୧୯୫୭ ମସିହାରେ କର୍ଣ୍ଣାଟକର ଘଞ୍ଚ ଜଙ୍ଗଲରେ ପ୍ରଥମେ ଦେଖାଦେଇଥିଲା । ସେବେଠାରୁ ଦକ୍ଷିଣ ଏସିଆର ଅନେକ ଅଞ୍ଚଳରେ ଏହାର ସଂକ୍ରମଣ ଦେଖାଦେଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ମାଙ୍କଡଙ୍କୁ କାମୁଡ଼ୁଥିବା କିଛି ଟିଙ୍କ ବା ପୋକ ଯଦି ମଣିଷକୁ କାମୁଡ଼ୁଥାଏ, ତେବେ ତାହା ମଣିଷମାନଙ୍କ କ୍ଷେତ୍ରରେ ସଂକ୍ରମିତ ହୁଏ । ଏପରି ପରିସ୍ଥିତିରେ କେବଳ ସତର୍କତା ଅବଲମ୍ବନ କଲେ ହିଁ ଏହି ରୋଗଠାରୁ ଦୂରେଇ ରହିପାରିବା ।