GBS Outbreak in Pune: ପୁଣେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଆତଙ୍କ, ୧୨ ଜଣ ଭେଣ୍ଟିଲେଣ୍ଟରରେ...

GBS ଏକ ବିରଳ ସ୍ନାୟୁଗତ ରୋଗ । ହସ୍ପିଟାଲରେ ଥିବା ୫୯ ଜଣଙ୍କ ମଧ୍ୟରୁ ୧୨ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି ।

ନୂଆ ରୋଗ ଆତଙ୍କ

ଭାରତରେ ୨୦୧୯ ମସିହାରେ କରୋନା ଦ୍ରୁତଗତିରେ ସଂକ୍ରମିତ ହୋଇଥିଲା । ବର୍ତ୍ତମାନ ଯାଏଁ ଏହାର ଭୟ ମନରୁ ଲିଭିନଥିବା ବେଳେ ପୁଣି ମାଡ଼ିଆସୁଛି ଅନ୍ୟ ଏକ ବିପଦ । ଏକ ନିର୍ଦ୍ଧିଷ୍ଟ ରୋଗରେ ଶିକାର ହୋଇଛନ୍ତି ଗୋଟିଏ ସହରର ୫୯ ଜଣ । ରୋଗୀମାନଙ୍କ ମଧ୍ୟରେ ଛୋଟ ଛୁଆ ଠାରୁ ଆରମ୍ଭ କରି ୮୦ ବର୍ଷୀୟ ବୃଦ୍ଧ ମଧ୍ୟ ରହିଛନ୍ତି । ତେବେ ହସ୍ପିଟାଲରେ ପରୀକ୍ଷା କରାଯିବା ପରେ ଏହା ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ବୋଲି ଜଣାପଡିଛି । ଏହା ଏକ ବିରଳ ସ୍ନାୟୁଗତ ରୋଗ । ହସ୍ପିଟାଲରେ ଥିବା ୫୯ ଜଣଙ୍କ ମଧ୍ୟରୁ ୧୨ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବାପରେ ଭୟଭୀତ ହୋଇଛନ୍ତି ସାଧାରଣ ଲୋକେ । ହଠାତ୍ ବୃଦ୍ଧି ପାଉଥିବା ଏହି ରୋଗ ବ୍ୟାପିବାର କାରଣ ଖୋଜିବା ପାଇଁ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଏକ ଡାକ୍ତରୀ ଦଳ ଗଠନ କରିଛି ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଛୁଆ ବିସ୍କୁଟ‌ ଖାଉଛି କି...ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ...

ମୋଟ ୫୯ ଜଣ GBS ରୋଗୀଙ୍କ ମଧ୍ୟରୁ ୩୮ ଜଣ ପୁରୁଷ ଏବଂ ୨୧ ଜଣ ମହିଳା ବୋଲି ଜଣାପଡିଛି । ଡାକ୍ତରଙ୍କ କହିବା ଅନୁସାରେ ଜୀବାଣୁ ଦ୍ୱାରା ବ୍ୟାପିଥାଏ ରୋଗ । ଜଣକ ଠାରୁ ଜଣକୁ ସଂକ୍ରମଣ ସାଧାରଣତଃ GBS ର କାରଣ ହୋଇଥାଏ । ଏହା ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ । ଏହା ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳିଥାଏ । କିନ୍ତୁ  GBS ମହାମାରୀ ସୃଷ୍ଟି କରିବାର ସମ୍ଭାବନା ନାହିଁ ।

ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) କ'ଣ?

ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ଏକ ବିରଳ ସ୍ନାୟୁଗତ ରୋଗ । ଯାହା ଶରୀରର ସ୍ନାୟୁଗୁଡ଼ିକୁ ଆକ୍ରମଣ କରିଥାଏ । ଫଳରେ ଦୁର୍ବଳ ଅନୁଭବ ହୋଇଥାଏ । ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ବେଳେବେଳେ ପକ୍ଷାଘାତ ଭଳି ଭୟଙ୍କର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଜି.ବି.ଏସ. ଏକ ବିରଳ ରୋଗ ହୋଇଥିବା ବେଳେ ଏହା ବ୍ୟାପିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ରୋଗ ହେବାର ପ୍ରାୟ ୬ ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଇଥାଏ ।

ଏହି ରୋଗହେଲେ ପ୍ରଥମେ ପାଦ ଭିତରେ ଦୁର୍ବଳତା ଅନୁଭବ ହୁଏ । ଏହାପରେ ଶରୀରର ବିଭିନ୍ନ ଅଙ୍ଗକୁ ଏହି ଦୁର୍ବଳତା ବ୍ୟାପିଥାଏ । ଏଥିରେ ପିଡ଼ୀତ ଥିବା ବ୍ୟକ୍ତି ସିଡ଼ି ଚଢ଼ିବା ଏବଂ ଚାଲିବା ସମୟରେ କଷ୍ଟ ଅନୁଭବ କରିଥାଏ । GBS ଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଯାଇଥାଏ । ଏହା ଦ୍ୱାରା ଦୃଷ୍ଟିଶକ୍ତି କମିଯିବା ସହ ଖାଦ୍ୟ ଖାଇବା ସମୟରେ ସମସ୍ୟା ହୋଇଥାଏ । ଏପର୍ଯ୍ୟନ୍ତ GBS ରୁ ମୁକ୍ତି ପାଇବା ପାଇଁ କୌଣସି ଚିକତ୍ସା ପଦ୍ଧତି ଆବିଷ୍କାର ହୋଇପାରିନାହିଁ । କିଛି ଥେରାପି ଦ୍ୱାରା ଏହାଦ୍ୱାରା ହେଉଥିବା ଯନ୍ତ୍ରଣାକୁ କିଛି ମାତ୍ରାରେ କମ କରିବାକୁ ସକ୍ଷମ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍