Advertisment

World Heart Day: ଖାଲି ଔଷଧ ନୁହେଁ, ହୃଦୟ ପାଇଁ ହୃଦୟଟିଏ ଲୋଡ଼ା

ଏମିତି ଧାଇଁ ଧାଇଁ ମଣିଷ ଶେଷରେ ପାଏ କ’ଣ ? ଯେଉଁ ସୁଖର ସନ୍ଧାନରେ ଏମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥାଏ ସେ ସୁଖ କ’ଣ ସତରେ ମିଳେ ? ଯଦି ମିଳେନି ତେବେ ମଣିଷ କାହିଁକି ଏମିତି ଧାଏ ? ଯଦି ମିଳେନି ତେବେ କେତେଦିନ ଏମିତି ଧାଇଁବ ? କ’ଣ ଏହାର ସମାଧାନ ? ଏହାର ସମାଧାନ ପାଇଁ ଦରକାର ସୁସ୍ଥ ହୃଦୟଟିଏ। ମାନସିକ ଶାନ୍ତି ଟିକିଏ।

ଅଦ୍ୟତନ ହୋଇଛି
World Heart Day 2022

world heart day

Advertisment

ରାତିରେ ଶୋଇବା ପୂର୍ବରୁ ସକାଳର ପ୍ଲାନିଂ। ସମୟ କମ୍‌, ହେଲେ ହାତରେ କାମର ଲମ୍ବା ତାଲିକା। ତଥାପି ନିର୍ଦ୍ଧାରିତ ସମୟରେ ସବୁକାମ ସାରିବାକୁ ପଡିବ । ଦିନ ଯାକର ଚାପ ଭିତରେ ନିଜ କଥା ଭାବିବା ପାଇଁ କା ପାଖରେ ବା ସମୟ ଥାଏ ? ପାରିବାରିକ ସମସ୍ୟା, ବୃତ୍ତିଗତ ସମସ୍ୟା ସାଙ୍ଗକୁ ସମ୍ପର୍କ ସହ କେତେବେଳେ ଲଢିବାକୁ ପଡୁଛି ତ କେତେବେଳେ ସାଲିସ କରିବାକୁ ପଡୁଛି। ଏସବୁ ଚାପ ଭିତରେ ଶାନ୍ତିରେ ଆଖିବନ୍ଦ କଲାବେଳକୁ ମନ ଭିତରକୁ ଧସେଇ ପଶିଆସେ ଅନେକ ଚିନ୍ତା। କେତେବେଳେ ଅବସାଦ ତ କେତେବେଳେ ଅନୁଶୋଚନା। କେତେବେଳେ ଅନୁତାପ ତ କେତେବେଳେ ଅସନ୍ତୋଷ। ଆଖିରୁ ହଜିଯାଏ ନିଦ। ଆଉ ନିଦ ଆସୁ ଆସୁ ସରିଯାଏ ରାତି । କାମର ବୋଝ ହାତ ଟାଣି ଉଠାଇ ଦିଏ। ଏମିତି ଚାଲେ ଦିନ ପରେ ଦିନ, ମାସ ପରେ ମାସ । ଏସବୁ ଚାପ ଭିତରେ କେତେବେଳେ ଆୟୁଷ ସରିଯାଏ ମଣିଷ ଜାଣିପାରେନି।

Advertisment

ହେଲେ ଏସବୁ ଭାବିଲେ ମନରେ ପ୍ରଶ୍ନ ଉଠେ, ଏମିତି ଧାଇଁ ଧାଇଁ ମଣିଷ ଶେଷରେ ପାଏ କ’ଣ ? ଯେଉଁ ସୁଖର ସନ୍ଧାନରେ ଏମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥାଏ ସେ ସୁଖ କ’ଣ ସତରେ ମିଳେ ? ଯଦି ମିଳେନି ତେବେ ମଣିଷ କାହିଁକି ଏମିତି ଧାଏ ? ଯଦି ମିଳେନି ତେବେ କେତେଦିନ ଏମିତି ଧାଇଁବ ? କ’ଣ ଏହାର ସମାଧାନ ? ଏହାର ସମାଧାନ ପାଇଁ ଦରକାର ସୁସ୍ଥ ହୃଦୟଟିଏ। ମାନସିକ ଶାନ୍ତି ଟିକିଏ।

ଅନ୍ୟପକ୍ଷରେ ଥରେ ଭିନ୍ନ ଦୃଷ୍ଟିରେ ଭାବି ଦେଖନ୍ତୁ ତ ! ମଣିଷ ପାଖରେ ମଣିଷଟିଏ ଠିଆ ହୋଇଥିବ। ହୃଦହର ସହ ଛିଡା ହୋଇଥିବ। ସେ ହୃଦହରେ ଥିବ ସ୍ନେହ, ଶ୍ରଦ୍ଧା, ଭଲ ପାଇବା। ସେ ମଣିଷଟିର ଉପସ୍ଥିତିରେ ଥିବ ଆଶ୍ୱସ୍ତି, ଥିବ ଆଶ୍ୱାସନା। ଜୀବନ ଥିଲେ ତ ସମସ୍ୟା ରହିଛି। ହେଲେ ସମ୍ପର୍କରେ ମଧୁରତା ଥିଲେ, ବିଶ୍ୱସନୀୟତା ଥିଲେ, ସେ ସମସ୍ୟାର କେତେ ବା ସାମର୍ଥ୍ୟ? ଏମିତି ହୃଦୟଟିଏ ପାଖରେ ଥିଲେ ସେ ଲଢିବାରେ କଷ୍ଟ ନ ଥିବ କି ହାରିବାର ଭୟ ନ ଥିବ।

Advertisment

ଏକଥା ସତ ଯେ, ଆଜିର କର୍ମବ୍ୟସ୍ତ ଜୀବନରେ ଶାନ୍ତି ଅପେକ୍ଷା ଅବସାଦ ବେଶି। ସେହି ଅବସାଦ ହିଁ ଡାକିଆଣେ ରୋଗ। ଏହି ମାନସିକ ଅବସାଦ, କର୍ମଜଞ୍ଜାଳ ଚାପ, ସ୍ନେହ, ଶ୍ରଦ୍ଧା, ବୁଝାମଣାର ଅଭାବ ହିଁ ତ ହୃଦ ରୋଗର ମୁଖ୍ୟ କାରଣ। ତେଣୁ ରୋଗରେ ପଡିଲେ ଡାକ୍ତରଙ୍କ ପରାମର୍ଶ, ଔଷଧର ଯେତିକି ଆବଶ୍ୟକତା ଅଛି, ସ୍ନେହ ବୋଳା କଥା ପଦଟିଏ, ମିଠା ଧମକ ଟିକିଏର ସେତିକି ଆବଶ୍ୟକତା ଥାଏ।

ଆଜି ସେପ୍ଟେମ୍ବର ୨୯। ବିଶ୍ୱ ହୃଦୟ ଦିବସ। ୱାର୍ଲଡ ହାର୍ଟ ଡେ-୨୦୨୨ର ଥିମ ରହିଛି-ହୃଦୟ ପାଇଁ ହୃଦୟଟିଏ। ଦିନେ ବିଶ୍ୱାସ କରାଯାଉଥିଲା ହୃଦରୋଗ ପାଇଁ ସଚେତନତା ଆବଶ୍ୟକ। ଔଷଧ ଆବଶ୍ୟକ। ବାଇପାସ, ଓପେନ ହାର୍ଟ ସର୍ଜରୀ ଆବଶ୍ୟକ। ହେଲେ ସୁସ୍ଥ ହୃଦୟ ପାଇଁ ଏସବୁ ସହିତ ହୃଦୟଟିଏ ବି ଦରକାର ଏକଥା ମଣିଷ ଏବେ ବୁଝିଲାଣି। ତେବେ ଆସନ୍ତୁ, ଆମ ହୃଦୟକୁ ବାଣ୍ଟି ଦେବା, ହୃଦୟ ଦେଇ ହୃଦୟ ପାଇବା, ନିଜ ହୃଦୟକୁ ସୁସ୍ଥ ରଖିବା ଆଉ ଅନ୍ୟର ହୃଦୟକୁ ବି ସୁସ୍ଥ ରଖିବା।

Advertisment
Heart Attack Heart Defect World Heart Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ