ବାପା ମାଆ ଭାବରେ, ଆପଣ ଆପଣଙ୍କ ପିଲାକୁ ଖୁସି, ଆତ୍ମବିଶ୍ୱାସୀ ଏବଂ ଚିନ୍ତାମୁକ୍ତ ଦେଖିବାକୁ ଚାହାଁନ୍ତି ନିଶ୍ଚିତ। କିନ୍ତୁ ବେଳେବେଳେ, ଯେତେବେଳେ ବାହାରେ ସବୁକିଛି ସ୍ୱାଭାବିକ ଦେଖାଯାଉଥାଏ, ସେତେବେଳେ ଆପଣଙ୍କ ପିଲା ପାଖରେ ଏମିତି କିଛି ନୀରବ ସଂକେତ (silent symptoms) ଦେଖାଯାଏ ଯାହା ପିଲାଟି ଭିତରେ ଉଦବେଗ ବା ଆଙ୍ଗଜାଇଟି ସୃଷ୍ଟି ହେବାର ପ୍ରାରମ୍ଭିକ ଲକ୍ଷଣ । ମୁଁ ଯେଉଁ ପିଲାମାନଙ୍କ ସହିତ କାମ କରିଛି ସେମାନଙ୍କ ପାଖରେ ଏସବୁ ଦେଖିବାର ଅଭିଜ୍ଞତା ମୋର ରହିଛି । ଏବଂ ମୁଁ ଭଲଭାବେ ଜାଣେ ଯଦି ଆପଣ ସେଗୁଡ଼ିକ ବିଷୟରେ ପୂର୍ବରୁ ଅବଗତ ନଥା'ନ୍ତି, ତେବେ ସେସବୁ ଚିହ୍ନିବା କେତେ କଷ୍ଟକର !
ପିଲାମାନେ ସର୍ବଦା ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷତଃ ଆଙ୍ଗଜାଇଟି ବିଷୟରେ। କହିବା ପରିବର୍ତ୍ତେ ସେମାନେ ସେମାନଙ୍କର ଆଚରଣ, କାର୍ଯ୍ୟ ଏବଂ ଶାରୀରିକ ପ୍ରତିକ୍ରିୟା ମାଧ୍ୟମରେ ଏହାକୁ ଦର୍ଶାଇଥା'ନ୍ତି । ଏଠାରେ ମୁଁ ପିଲାମାନଙ୍କ ମଧ୍ୟରେ ଆଙ୍ଗଜାଇଟିକୁ ସୂଚାଉଥିବା ସେଇ ୧୦ଟି ଲକ୍ଷଣ ସମ୍ପର୍କରେ କହିଛି, ଯାହାକୁ ଅଣଦେଖା କରିବା ସହଜ କିନ୍ତୁ ଡେରି ହେବା ଆଗରୁ ଠିକ୍ ସମୟରେ ଚିହ୍ନିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
୧. କ୍ରମାଗତ ପେଟ ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧାର ଅଭିଯୋଗ
ଆପଣ ଲକ୍ଷ୍ୟ କରିଥିବେ ଯେ ଆପଣଙ୍କ ପିଲା ବାରମ୍ବାର ପେଟ ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧାର ଅଭିଯୋଗ କରୁଛି, ବିଶେଷ କରି ସ୍କୁଲ୍ ଯିବା ପୂର୍ବରୁ କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମ ପୂର୍ବରୁ । ପ୍ରାୟତଃ ଏହି ଶାରୀରିକ ଲକ୍ଷଣଗୁଡ଼ିକ ଉଦବେଗ ସହିତ ଜଡ଼ିତ । ମୋର ମନେ ଅଛି ମୋର ଜଣେ ପୁତୁରା ସ୍କୁଲ ଯିବା ପୂର୍ବରୁ ଅନେକ ସମୟରେ “ପେଟ ଯନ୍ତ୍ରଣା” ଅଭିଯୋଗ କରେ । ପ୍ରଥମେ ସମସ୍ତେ ଭାବିଲେ ସେ ସ୍କୁଲ୍ ନଯିବା ପାଇଁ ବାହାନା କରୁଛି, କିନ୍ତୁ ମୁଁ ଯେତେବେଳେ ଟିକେ ଖୋଳତାଡ଼ କଲି, ସେତେବେଳେ ଯାଇ ଜାଣିଲି ଯେ ସ୍କୁଲ୍ ତାକୁ ଭଲ ତ ଲାଗୁଛି, କିନ୍ତୁ ଇଂରାଜୀ ବିଷୟ ଓ ତାକୁ ପଢ଼ାଉଥିବା ଶିକ୍ଷକଙ୍କୁ ତା'ର ଡର ଓ ସେଇ ଡରରୁ ଏହି ଉଦବେଗ । ଏହା କେବଳ ଗୋଟିଏ କାରଣ ଓ ଗୋଟିଏ ପରିବେଶ ସମ୍ପର୍କିତ। ଆହୁରି ଅନେକ ଓ ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି। କୌଣସି ବ୍ୟକ୍ତିକୁ ଭେଟିବାକୁ ନେଇ ମଧ୍ୟ ଏହା ହୋଇପାରେ, କୌଣସି ପରିବେଶକୁ ବା ପରିସ୍ଥିତିକୁ ନେଇ ବି ହୋଇପାରେ।
୨. ଶୋଇବାରେ ଅସୁବିଧା ଓ ଦୁଃସ୍ୱପ୍ନ
ଯଦି ଆପଣଙ୍କ ପିଲା ସହଜରେ ଶୋଇପାରୁନି କିମ୍ବା ଦୁଃସ୍ୱପ୍ନ ହେତୁ ବାରମ୍ବାର ନିଦରୁ ଉଠି ପଡ଼ୁଛି, ତେବେ ଏହା ଉଦବେଗର ସଙ୍କେତ ହୋଇପାରେ। ମୋର ଜଣେ ଘନିଷ୍ଠ ବନ୍ଧୁ ମୋତେ କହିଥିଲେ ଯେ, ଯେତେବେଳେ ତାଙ୍କ ପୁଅ ଏକ ନୂଆ ସ୍କୁଲକୁ ଯାଉଥିଲା, ସେ କେମିତି ରାତି ଅଧରେ ହଠାତ୍ ଉଠିବା ଆରମ୍ଭ କଲା। ଆଗରୁ ସେ ବେଶ୍ ଭଲରେ ଶୋଇ ପଡୁଥିଲା। ଏବେ କିନ୍ତୁ ସେ ନୂଆ ସାଙ୍ଗମାନଙ୍କ ସହିତ କେମିତି ଖାପ୍ ଖୁଆଇବ ଆଉ ସାଙ୍ଗ ହେବ ସେ ନେଇ ଚିନ୍ତିତ ଥିଲା ଏବଂ ରାତିରେ ଶୋଇଥିବା ବେଳେ ତା'ର ସେଇ ଚିନ୍ତା ସବୁ ସାମ୍ନାକୁ ଆସିଯାଉଥିଲା ।
୩. ସହଜରେ ବିରକ୍ତ ହେବା କିମ୍ବା ରାଗିଯିବା
ଉଦବେଗ ସହିତ ଯୁଝି ହେଉଥିବା ପିଲାମାନେ ଏହାକୁ ସର୍ବଦା ଦୁଃଖ କିମ୍ବା ଭୟ ମାଧ୍ୟମରେ ପ୍ରକାଶ କରନ୍ତି ନାହିଁ । ସେମାନେ ପ୍ରାୟତଃ ବିରକ୍ତ ହୁଅନ୍ତି କିମ୍ବା ରାଗିଯାଆନ୍ତି । ମୋର ମନେ ଅଛି, ମୋର ଏକ ସାଙ୍ଗର କୁନି ଝିଅ ଗୋଟେ କିପରି ଛୋଟ ଛୋଟ ଜିନିଷ ଉପରେ ରାଗିଯାଏ; ଯେପରି ପେନ୍ସିଲ୍ ଭାଙ୍ଗିବା, ଭୁଇଁକୁ ମାରିବା, ଖେଳନା ଫିଙ୍ଗିବା, ବହି ଚିରିବା, ଗୋଡ଼ କଚାଡ଼ିବା ଇତ୍ୟାଦି । ପରେ ଜଣାପଡ଼ିଲା ଯେ ସେ ତା' ବୟସର ଅନ୍ୟମାନଙ୍କ ପରି ଭଲ ଭାବରେ କଥା କହିପାରୁନଥିବାରୁ ଏମିତି ହେଉଥିଲା।
୪. ନିରନ୍ତର ବିବ୍ରତ ହେବା
କିଛି ପିଲା ପ୍ରକୃତିଗତ ଭାବେ ବହୁତ ଚିନ୍ତା କରନ୍ତି। କିନ୍ତୁ ଯେତେବେଳେ ସେମାନଙ୍କର ଚିନ୍ତା ଅନେକ ଦିନ ଧରି ଲାଗି ରହେ, ଯାହା ସେମାନଙ୍କ ବୟସ ଅନୁସାରେ ସ୍ୱାଭାବିକ ନୁହେଁ ସେତେବେଳେ ତାହାକୁ ଆଙ୍ଗଜାଇଟିର ପ୍ରାରମ୍ଭିକ ଲକ୍ଷଣ ଭାବରେ ଧରିନେବାକୁ ହେବ। ଯଥା; ନିଜ ସୁରକ୍ଷା ବିଷୟରେ, ପରୀକ୍ଷାର ଫଳାଫଳ ବିଷୟରେ , ଅତିଥି ଅଭ୍ୟାଗତଙ୍କ ସାମ୍ନାରେ ନିଜ ପୋଷାକ ଓ ବ୍ୟବହାର ବିଷୟରେ ଭାବି ବିବ୍ରତ ହେବା ଇତ୍ୟାଦି। ମୁଁ ଏକ ପିଲାକୁ ଭେଟିଥିଲି ଯିଏ ବାର ବାର ମୋ ହୋମୱାର୍କ ଠିକ୍ ଅଛି ତ, ସ୍କୁଲ୍ ବ୍ୟାଗରେ ସବୁ ଜିନିଷ ଅଛି ତ ଇତ୍ୟାଦି ବିଷୟରେ ଭାବୁଥିଲା । ଏହି ବିବ୍ରତ ହେବା ତା'ର ଉଦବେଗର ସୂଚ଼ନା ଯାହା ତା' ମନରେ ଅନବରତ ଭାବରେ ଚାଲୁଥିଲା ।
୫. ସାମାଜିକ ଘଟଣାକୁ ଏଡ଼ାଇବା
ଯଦି ପୂର୍ବରୁ ସାଙ୍ଗସାଥିମାନଙ୍କ ସହିତ ଖେଳିବାକୁ ଭଲ ପାଉଥିବା ଆପଣଙ୍କ ପିଲା ହଠାତ୍ ଜନ୍ମଦିନ ପାର୍ଟି କିମ୍ବା ସାଙ୍ଗମାନଙ୍କୁ ଭେଟିବାକୁ ମନା କରେ, ତେବେ ଏହା ଉଦବେଗର ସଙ୍କେତ ହୋଇପାରେ । ମୋ ପରିଚ଼ିତ ଜଣେ ଲାଜକୁଳା ପିଲା ପାର୍କରେ ସାଙ୍ଗମାନଙ୍କ ସହିତ ଖେଳିବାକୁ ଭଲ ପାଉଥିଲା, କିନ୍ତୁ ହଠାତ୍ ସେ ସେଠାକୁ ଯିବାକୁ ମନା କଲା । ପରେ ମୁଁ ତା ସହ କଥା ହୋଇ ଜାଣିଲି ଯେ ସେ ତା ସାଙ୍ଗମାନଙ୍କୁ କ’ଣ କହିବ, କ'ଣ ନକହିବ ନେଇ ଚିନ୍ତିତ ଥିଲା, ଯାହା ଏକ ଖୁବ୍ ସାଧାରଣ ଚ଼ିନ୍ତା ।
ବେଳେବେଳେ, ଯେଉଁ ପିଲାମାନେ ସ୍ୱାଭାବିକ ଭାବରେ ଲାଜକୁଳା କିମ୍ବା ଭାବୁକ, ସେମାନେ ସେମାନଙ୍କର ସାଙ୍ଗସାଥିଙ୍କ ଉପସ୍ଥିତିକୁ ଉପଭୋଗ କରନ୍ତି କିନ୍ତୁ ଦଳ ଭିତରେ ପାରସ୍ପରିକ କଥାବାର୍ତ୍ତା ପାଇଁ ଡରନ୍ତି । ସେମାନେ ତାଙ୍କ ଅତି ପରିଚିତ ଲୋକମାନଙ୍କ ଆଗରେ ମଧ୍ୟ କାଳେ ଭୁଲ୍ କଥା କହି ପକାଇବେ ସେ ବିଷୟରେ ଚିନ୍ତା କରନ୍ତି। ସେମାନେ ହୁଏତ ଭାବନ୍ତି, ଯଦି ମୁଁ କିଛି ନିର୍ବୋଧ କଥା କହିଦିଏ ଏବଂ ସମସ୍ତେ ମୋ ଉପରେ ହସନ୍ତି? କିମ୍ବା ଯଦି ସେମାନେ ଭାବନ୍ତି ମୁଁ ତାଙ୍କୁ ବୋର୍ କରୁଛି?
୬. ନିଖୁଣତାର ଅଭ୍ୟାସ
ଚିନ୍ତାଗ୍ରସ୍ତ ପିଲାମାନେ ପ୍ରାୟତଃ ନିଜ ପାଇଁ ଅତି ଅବାସ୍ତବ ଓ ଅତ୍ୟଧିକ ଉଚ୍ଚ ମାନ ସ୍ଥିର କରିପକାନ୍ତି ଏବଂ ଯଦି ସେମାନେ ସେହି ମାନଦଣ୍ଡ ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ନିଜ ପ୍ରତି ବହୁତ କଠିନ ହୁଅନ୍ତି । ପରିଚିତ ପିଲା ଜଣେ ତା' ହୋମୱାର୍କକୁ ବାରମ୍ବାର ସଂଶୋଧନ କରିବାକୁ ଚେଷ୍ଟା କରେ ଓ ତାକୁ ନିଖୁଣ ବା ପରଫେକ୍ଟ କରିବା ପାଇଁ ଚେଷ୍ଟାକରେ। ଯଦି ଦୈବାତ୍ ଗୋଟିଏ ଛୋଟ ଭୁଲ୍ ରହିଯାଏ, ସେଥିରେ ସେ କାନ୍ଦେ ଏବଂ କହେ ଯେ ସେ କେଉଁଥିରେ ଭଲ ନୁହେଁ । ଏହା ତା'ର ଏକାଡେମିକ୍ ପ୍ରଦର୍ଶନକୁ ନେଇ ଥିବା ଚିନ୍ତାର ଫଳାଫଳ ।
୭. ଜାବୋଡ଼ି ଧରିବା
ଛୋଟ ପିଲାମାନେ ସ୍ଵାଭାବିକ ଭାବରେ ଅଲଗା ପ୍ରକାରର ଭାବନ୍ତି। କିନ୍ତୁ ଯଦି ଆପଣଙ୍କର ବଡ଼ ପିଲା ଆପଣଙ୍କ ବିନା କୌଣସି ସ୍ଥାନକୁ ନ ଯାଏ, ଯିବା ଆଗରୁ ଆପଣଙ୍କୁ ହଠାତ୍ ଜାବୁଡ଼ି ଧରେ, ତେବେ ଏହା ଉଦବେଗର ସଙ୍କେତ ହୋଇପାରେ । ଉଦାହରଣ ସ୍ଵରୁପ, ଯେଉଁ ପିଲା ଖୁସିରେ ସ୍କୁଲ୍ ଯାଉଥିଲା କିମ୍ବା ଏକାକୀ ସାଙ୍ଗମାନଙ୍କ ଘରକୁ ଯାଉଥିଲା, ସେ ବର୍ତ୍ତମାନ ବାପାମାଆ କିମ୍ବା ଯତ୍ନ ନେଉଥିବା ବ୍ୟକ୍ତିଙ୍କ ନିକଟରେ ରହିବାକୁ ଜିଦ୍ ଧରିପାରେ। ସେ ଏକା ଶୋଇବାକୁ, ପରିବାରର ବିଭିନ୍ନ ସମାବେଶରେ ଯୋଗଦେବାକୁ ମନା କରିପାରେ। ପିଲାଟି ହୁଏତ କହିପାରେ, "ଯଦି ତୁମେ ମୋ ସହିତ ଆସିବ ନାହିଁ, ମୁଁ ଯିବି ନାହିଁ," କିମ୍ବା ଅଲଗା ହେଇଯିବାର ଡରରେ ତୁମେ ତା' ପାଖରେ ଅଛ କି ନାହିଁ ବାରମ୍ଵାର ଦେଖେ ।
ଏହି ପରିସ୍ଥିତିରେ, ଜାବୋଡ଼ି ଧରିବା କେବଳ ସ୍ନେହ ପାଇବାର ଗୋଟେ ଇଚ୍ଛା ନୁହେଁ ବରଂ ଅନିଶ୍ଚିତତା ଓ ଅସୁରକ୍ଷିତ ପରିସ୍ଥିତିକୁ ନେଇ ତିଆରି ହେଉଥିବା ଉଦବେଗକୁ ମୁକାବିଲା କରିବାର ଏକ ଉପାୟ ଭାବରେ ବୁଝିବାକୁ ହେବ ।
୮. ପୂର୍ବରୁ ଭଲ ପାଉଥିବା କାର୍ଯ୍ୟକଳାପରୁ ହଠାତ ଦୂରେଇ ରହିବା
ଯଦି ଆପଣଙ୍କର ପିଲା ପୂର୍ବରୁ ଫୁଟବଲ୍ ଖେଳିବାକୁ କିମ୍ବା ଚିତ୍ର କରିବାକୁ ଭଲ ପାଉଥିଲା ଓ ହଠାତ୍ ଏହି କାର୍ଯ୍ୟକଳାପ ପ୍ରତି ଆଗ୍ରହ ହରାଏ, ଏହା ମଧ୍ୟ ଉଦବେଗର କାରଣ ହୋଇପାରେ । ଉଦାହରଣ ସ୍ୱରୂପ, ଆପଣଙ୍କ ପିଲା ଫୁଟବଲ୍ ଖେଳିବାକୁ ଭଲ ପାଉଥିଲା ଏବଂ ପ୍ରତି ସପ୍ତାହରେ ଅଭ୍ୟାସ କରିବାକୁ ଯାଉଥିଲା । କିନ୍ତୁ ଧୀରେ ଧୀରେ ଆପଣ ଦେଖିଲେ ଯେ ସେ ଆଉ ଖେଳିବାକୁ ଯିବରେ ଆଗ୍ରହ ଦେଖାଉନି ଓ ନ ଯିବା ପାଇଁ ବିଭିନ୍ନ ବାହାନା କରୁଛି। ଯେପରିକି, "ମୋର ଆଜି ଖେଳିବାକୁ ଯିବାକୁ ଇଚ୍ଛା ନାହିଁ" କିମ୍ବା "ମୁଁ ଆଉ ଫୁଟବଲ୍ ଭଲ ଖେଳିପାରୁନି ।" ବାସ୍ତବରେ, ପିଲା ହୁଏତ ପଡ଼ିଆରେ ଭୁଲ୍ କରିବାକୁ କିମ୍ବା ତା'ର ସାଥୀ ଅବା କୋଚ୍ କ'ଣ କହିବେ ଚିନ୍ତା କରୁଥାଇପାରେ, ଯାହା ତାକୁ ଦିନେ ଭଲ ପାଉଥିବା ଖେଳରୁ ଦୂରେଇ ରଖେ ।
ଅନ୍ୟ ଏକ ଉଦାହରଣ ହେଲା ଚିତ୍ର ଆଙ୍କିବାକୁ ଭଲ ପାଉଥିବା ଗୋଟେ ପିଲା ଯିଏ ଘଣ୍ଟା ଘଣ୍ଟା ବସି ଚିତ୍ର ଆଙ୍କେ। ଯଦି ସେ ହଠାତ୍ ଚିତ୍ରାଙ୍କନରୁ ଦୂରେଇ ରୁହେ କିମ୍ବା “ମୁଁ ଆଉ କ’ଣ ଆଙ୍କିବି ଜାଣେ ନାହିଁ” କିମ୍ବା “ମୁଁ ଅନ୍ୟ ପିଲାମାନଙ୍କ ପରି ଚିତ୍ର ଭଲ କରିପାରେନି” ଭଳି କଥା କହେ, ତେବେ ହୁଏତ ସେ ଖୁବ୍ ଭଲ ପ୍ରଦର୍ଶନ କରିବାର ଚାପ ଅନୁଭବ କରିଥାଇପାରେ କିମ୍ବା ଭୟ କରୁଥାଇପାରେ । ଏହି ଉଦବେଗ ଓ ଚିନ୍ତା ପିଲାଙ୍କ ଆତ୍ମବିଶ୍ୱାସକୁ କମାଇ ଦେଇପାରେ ଓ ତଦ୍ବାରା ଯାହା ସେମାନଙ୍କୁ ଥରେ ଭଲ ଲାଗୁଥିଲା ତାହା ଛାଡ଼ିବାକୁ ପ୍ରବର୍ତ୍ତାଏ । କାରଣ ସମ୍ଭାବ୍ୟ ବିଫଳତା କିମ୍ବା ସମାଲୋଚନାର ସମ୍ମୁଖୀନ ହେବା ଅପେକ୍ଷା ଏହା ଅଧିକ ନିରାପଦ ମନେ ହୁଏ |
ଉଭୟ କ୍ଷେତ୍ରରେ, ପ୍ରତ୍ୟାହାର ପ୍ରକୃତ ଆଗ୍ରହ ହରାଇବା ଲାଗି ନୁହେଁ; ଏହା ସେହି କାର୍ଯ୍ୟକଳାପକୁ ନେଇ ଆସୁଥିବା ଅସୁବିଧା କିମ୍ବା ଚାପକୁ ଏଡ଼ାଇବା ଲାଗି ।
୯. ବିଦ୍ୟାଳୟର ପ୍ରଦର୍ଶନରେ ହଠାତ୍ ହ୍ରାସ
ଉଦବେଗ ଏକ ଶିଶୁର ଏକାଗ୍ରତା, ସୂଚନା ପ୍ରକ୍ରିୟାକରଣ ଏବଂ ସେ ଯାହା ଶିଖିଛି ତାହା ମନେ ରଖିବା କ୍ଷମତାକୁ ପ୍ରଭାବିତ କରିଥାଏ। ଏହା ପ୍ରାୟତଃ ସେମାନଙ୍କ ବିଦ୍ୟାଳୟର କାର୍ଯ୍ୟଦକ୍ଷତାରେ ବହୁମାତ୍ରାରେ ହ୍ରାସ ଘଟାଇଥାଏ । ପିଲାଟି ସ୍କୁଲରେ ଆଗରୁ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଏହି ହ୍ରାସ ହଠାତ୍ ହୋଇପାରେ । ଉଦାହରଣ ସ୍ୱରୂପ, ଯେଉଁ ପିଲା ପୂର୍ବରୁ ଉଚ୍ଚ ଗ୍ରେଡ୍ ପାଇଥିଲା ସେ ପରୀକ୍ଷା ଏବଂ ଆସାଇନମେଣ୍ଟ ପୁରା କରିବାକୁ ସମୟ ଲଗାଇପାରେ। ସେ ସ୍କୁଲ୍ କାମରେ କମ୍ ବ୍ୟସ୍ତ ଥିବା ପରି ମନେହୁଏ କିମ୍ବା ଅସମ୍ପୂର୍ଣ୍ଣ ଏବଂ ଖରାପ ଆସାଇନମେଣ୍ଟ ଦାଖଲ କରିବା ଆରମ୍ଭ କରେ । ଏହାର କାରଣ ନୁହେଁ ଯେ ସେ ହଠାତ୍ ନିଜର ଦକ୍ଷତା କିମ୍ବା ଶିକ୍ଷଣ ପ୍ରତି ଆଗ୍ରହ ହରାଇଛି। ଏହା ସାଧାରଣତଃ ଉଦବେଗ ଯାହା ତା'ର ଏକାଗ୍ରତା କ୍ଷମତାକୁ ବାଧା ଦିଏ । ଏହି ଚିନ୍ତା ହେତୁ ସେ ପରୀକ୍ଷା ସମୟରେ ଅସ୍ଥିର ଅନୁଭବ କରିପାରେ, ସରଳ ସମସ୍ୟା ବିଷୟରେ ଅଧିକ ଚିନ୍ତା କରେ, କିମ୍ବା ଯେତେବେଳେ ସେମାନେ କିଛି ବୁଝିପାରନ୍ତି ନାହିଁ ସେତେବେଳେ ସାହାଯ୍ୟ ମାଗିପାରନ୍ତି ନାହିଁ, ଯାହା ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଅଧିକ ଭାବରେ ପ୍ରଭାବିତ କରିଥାଏ |
ଏକାଡେମିକ୍ ପ୍ରଦର୍ଶନରେ ଏହି ହଠାତ୍ ପରିବର୍ତ୍ତନ ପ୍ରାୟତଃ ଆଙ୍ଗଜାଇଟି ପାଇଁ ଏକ ସତର୍କ ଘଣ୍ଟି। ବିଶେଷତଃ ଯଦି ପିଲା ହ୍ରାସର ଅନ୍ୟ କୌଣସି ସ୍ପଷ୍ଟ କାରଣ ଦେଖାଯାଏ ନାହିଁ, ଯେପରିକି ଶିକ୍ଷଣ ଅକ୍ଷମତା କିମ୍ବା ସେମାନଙ୍କ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ।
୧୦. ଅତ୍ୟଧିକ ଅସ୍ଥିର ହେବା କିମ୍ବା ନଖ କାମୁଡ଼ିବା
ପିଲାମାନଙ୍କ ଠାରେ ବାରମ୍ବାର ଅସ୍ଥିର ଗତିବିଧି; ଯେପରିକି ନଖ କାମୁଡ଼ିବା, ପାଦ ହଲାଇବା କିମ୍ବା କେଶ ସହିତ ଖେଳିବା ଆଦି ଦେଖା ଦେବା ଆଙ୍ଗଜାଇଟିର ସଙ୍କେତ ହୋଇପାରେ । ଏହି ଅଭ୍ୟାସଗୁଡ଼ିକ ପ୍ରାୟତଃ ପିଲାଟିଏ ଚିନ୍ତିତ ଥିବା ବେଳେ ଅସଚ଼େତନ ଭାବରେ କରୁଥିବାର ଦେଖାଯାଇଥାଏ। ସେମାନେ କାହିଁକି ଏହା କରୁଛନ୍ତି ନବୁଝି ଚିନ୍ତାର ମୁକାବିଲା କରିବା ପାଇଁ ଏକ ଉପାୟ ଭାବରେ ଏମିତି କରୁଥାଆନ୍ତି।
ଉଦାହରଣ ସ୍ୱରୂପ, ପରୀକ୍ଷା କିମ୍ବା ଏକ ବଡ଼ ଘଟଣା ପୂର୍ବରୁ ଆପଣଙ୍କ ପିଲା ଅନବରତ ନଖ କାମୁଡ଼ିବାର ଲକ୍ଷ୍ୟ କରିଥିବେ । ପଚାରିଲେ କହିବେ, "ମୁଁ ଜାଣେ ନାହିଁ, କିନ୍ତୁ ଏହା ମୋତେ ଭଲ ଲାଗେ।" ଏହି କାର୍ଯ୍ୟଗୁଡ଼ିକ ସେମାନଙ୍କୁ କିଛି ମାନସିକ ଆରାମ ଦେଇଥାଏ। ମୁଁ ପିଲାମାନଙ୍କୁ ଦେଖିଛି, ଯେଉଁମାନେ ବାରମ୍ବାର ସେମାନଙ୍କ ବହି କିମ୍ବା କିଛି ଗୋଟିଏ ଜିନିଷ ସହିତ ଖେଳନ୍ତି, ଯେପରିକି କ୍ରମାଗତ ଭାବରେ ଗୋଟିଏ କଲମ ଠିପିକୁ ଠକ୍ ଠକ୍ କରିବା କିମ୍ବା କ୍ଲାସ ସମୟରେ ସେମାନଙ୍କ ପାଦ ହଲାଇବା । ଏହି ଛୋଟ କାର୍ଯ୍ୟଗୁଡ଼ିକ ସାମାନ୍ୟ ମନେହୁଏ, କିନ୍ତୁ ସେମାନେ ସୂଚିତ କରନ୍ତି ଯେ ପିଲାଟି ଚାପ କିମ୍ବା ଚିନ୍ତା ସହିତ ସଂଘର୍ଷ କରୁଛି ।
ଆପଣ କ'ଣ କରିପାରିବେ?
ଯଦି ଆପଣ ଆପଣଙ୍କ ପିଲାଙ୍କ ଠାରେ ଏହି ଲକ୍ଷଣଗୁଡ଼ିକ ଦେଖୁଛନ୍ତି, ତେବେ ପ୍ରଥମ ପଦକ୍ଷେପ ହେଉଛି ସେଗୁଡିକ ଶୁଣିବା ଏବଂ ସେମାନଙ୍କ ଭିତରେ ଏକ ସୁରକ୍ଷିତ ଭାବନା ତିଆରି କରିବା । ଯଦ୍ୱାରା ସେମାନେ ସେମାନଙ୍କର ଭାବନାକୁ ପ୍ରକାଶ କରିପାରିବେ । ଏଥିସହିତ ଆଉ କିଛି ସହଜ ପଦକ୍ଷେପ ନିମ୍ନରେ ଦିଆଯାଇଛି।
୧. କଥାବାର୍ତ୍ତା ହୁଅନ୍ତୁ
ଖୋଲାଖୋଲି କଥାବାର୍ତ୍ତାକୁ ଉତ୍ସାହିତ କରୁଥିବା ପ୍ରଶ୍ନ ପଚାରନ୍ତୁ । ଯେପରିକି "ସ୍କୁଲ୍ ବିଷୟରେ ତୁମେ କ’ଣ ଭାବୁଛ?" କିମ୍ବା "କିଛି ଘଟଣା ତୁମକୁ କଷ୍ଟ ଦେଉଛି କି?" ଏହା ଦ୍ୱାରା ଆପଣଙ୍କ ପିଲା କୌଣସି ଭୟ ବିନା ନିଜର ଭାବନା ପ୍ରକାଶ କରିବାର ସୁଯୋଗ ପାଇବ ।
୨. କୌଣସି ବିଚାର ନକରି କେବଳ ଶୁଣନ୍ତୁ
ପିଲାମାନଙ୍କର ଅନାବନା ସବୁ କଥା ଶୁଣିବା ପାଇଁ ସମୟ ଦିଅନ୍ତୁ ଏବଂ ତୁରନ୍ତ ସମାଧାନ ପ୍ରଦାନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବେଳେବେଳେ ପିଲାମାନେ କେବଳ ଜାଣିବାକୁ ଚାହାନ୍ତି ଯେ, କେହି ଜଣେ ତାଙ୍କ କଥା ଶୁଣିବାକୁ ଅଛି । ବାସ୍ ସେତିକି।
୩. ସେମାନଙ୍କର ଭାବନାକୁ ସ୍ୱୀକାର କରନ୍ତୁ
ଆପଣ ପିଲାଙ୍କୁ ଜଣାନ୍ତୁ ଯେ, ବ୍ୟସ୍ତ ଅନୁଭବ କରିବା ସ୍ୱାଭାବିକ ଏବଂ ସେମାନଙ୍କର ଭାବନା ଠିକ୍ ଅଛି । “ବେଳେବେଳେ ନର୍ଭସ ଅନୁଭବ କରିବା ସ୍ୱାଭାବିକ” ପରି କଥା ସବୁ ସେମାନଙ୍କୁ ସାନ୍ତ୍ୱନା ଦେଇପାରେ ।
୪. ଏକ ଆରାମଦାୟକ ରୁଟିନ୍ ତିଆରି କରନ୍ତୁ
ରାତିରେ ଚିନ୍ତା କମାଇବା ପାଇଁ ଶୋଇବା ପୂର୍ବରୁ ଶାନ୍ତ ଭାବେ ନିତ୍ୟକର୍ମ କରିବାରେ ସାହାଯ୍ୟ କରନ୍ତୁ ଓ ତାଙ୍କ ସହ ମିଶି ନିଜେ ବି କରନ୍ତୁ । ପଢ଼ିବା କିମ୍ବା ଗଭୀର ନିଶ୍ୱାସ ନେବା ଭଳି କାର୍ଯ୍ୟକଳାପ ଆରାମ କରିବାରେ ସାହାଯ୍ୟ କରିଥାଏ।
୫. ସକରାତ୍ମକ କଥନକୁ ଉତ୍ସାହିତ କରନ୍ତୁ
ପିଲାଙ୍କୁ ନକାରାତ୍ମକ ଚିନ୍ତାଧାରା ବଦଳରେ ସକରାତ୍ମକ ହେବାରେ ସାହାଯ୍ୟ କରନ୍ତୁ । ଯେପରିକି “ମୁଁ ଯଥେଷ୍ଟ ଭଲ ନୁହେଁ” କୁ “ମୁଁ ଯଥାସମ୍ଭବ ଚେଷ୍ଟା କରୁଛି,” ଏବଂ "ତାହା ଯଥେଷ୍ଟ" ଆଦି କଥା କହିବା ଅଭ୍ୟାସ କରିବା ।
୬. ଅତ୍ୟଧିକ ଚାପରୁ ରକ୍ଷା ପାଇବାରେ ସାହାଯ୍ୟ କରନ୍ତୁ
ପିଲାଙ୍କୁ ଅତ୍ୟଧିକ ଚାପଗ୍ରସ୍ତ ପରିସ୍ଥିତିରୁ ଦୂରେଇ ରଖିବାରେ ସାହାଯ୍ୟ କରନ୍ତୁ କିମ୍ବା କାମଗୁଡ଼ିକୁ ସହଜ ମନେ ହେବା ଭଳି ଛୋଟ ଛୋଟ କରି ଭାଗ କରି ଦିଅନ୍ତୁ ।
୭. ଆରାମଦାୟକ କୌଶଳ ଅଭ୍ୟାସ କରନ୍ତୁ
ପିଲାମାନଙ୍କୁ ସେମାନଙ୍କର ଉଦବେଗକୁ ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ ଗଭୀର ଶ୍ଵାସକ୍ରିୟା, ଭଲ ଲାଗୁଥିବା କାମ ମାଧ୍ୟରେ ଏକାଗ୍ର ହେବା ପରି କୌଶଳ ସହିତ ପରିଚିତ କରାନ୍ତୁ ।
୮. ପ୍ରଶଂସା କରି ଆତ୍ମବିଶ୍ୱାସ ବଢ଼ାନ୍ତୁ
କେବଳ ସଫଳତା ନୁହେଁ ସେମାନଙ୍କ ଉଦ୍ୟମ ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ପିଲାଙ୍କୁ ସମର୍ଥ ଅନୁଭବ କରାଇବ ଏବଂ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବ ।
୯. ପ୍ରଫେସନାଲ୍ ଙ୍କ ସହାୟତା ନିଅନ୍ତୁ
ଯଦି ଆଙ୍ଗଜାଇଟି ବହୁତ ବେଶୀ ବଢ଼ିଯାଏ ଓ ନକମି ଅନେକ ଦିନ ଧରି ଲାଗି ରହେ ତେବେ କାଉନସିଲରଙ୍କ ସାହାଯ୍ୟ ନିଅନ୍ତୁ । ଏଠାରେ ବିଫଳ ହେଲେ ଯାଇ ଶିଶୁ ସାଇକୋଲୋଜିଷ୍ଟଙ୍କ ସହାୟତା ନିଅନ୍ତୁ । ମୋର ବିଶ୍ୱାସ ୯୯ ପ୍ରତିଶତ କ୍ଷେତ୍ରରେ ପିଲାଙ୍କୁ ଔଷଧ ଦେବାର ଆବଶ୍ୟକତା ନାହିଁ । ଏହାର ବହୁତ କୁପ୍ରଭାବ ପଡ଼େ । ତେବେ ସେ ସମ୍ପର୍କରେ ବିଷଦ ଭାବରେ ଆଉ କେବେ ଲେଖିବି ।
୧୦. ନିଜେ ଉଦାହରଣ ହୁଅନ୍ତୁ
ପିଲାମାନେ ପ୍ରାୟତଃ ନିଜ ବାପା ମାଆଙ୍କୁ ଦେଖି ଚାପର ମୁକାବିଲା କରିବା ଶିଖନ୍ତି । ଆପଣ ନିଜ ଜୀବନରେ ଶାନ୍ତ ଓ ଧୈର୍ଯ୍ୟବାନ୍ ରହି ଉଦାହରଣ ହୁଅନ୍ତୁ ଯାହା ଆପଣଙ୍କ ପିଲାକୁ ଏକ ସୁସ୍ଥ ଢଙ୍ଗରେ ଚାପର ମୁକାବିଲା କରିବା ଶିଖାଇବ ।
ଆଙ୍ଗଜାଇଟି ପିଲାମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ, କିନ୍ତୁ ସଠିକ୍ ବୁଝାମଣା, ସମର୍ଥନ ଏବଂ ସାହାଯ୍ୟ ପାଇଲେ ପିଲାମାନେ ଏହାକୁ ଦୂର କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନୀରବ ଲକ୍ଷଣଗୁଡ଼ିକୁ ଧ୍ୟାନ ଦେବା ଏବଂ ସମୟ ଥାଉ ଥାଉ ହସ୍ତକ୍ଷେପ କରିବା । ଯେତେବେଳେ ଆମେ ଆମର ପିଲାମାନଙ୍କର ଭାବନାକୁ ବୁଝିବା ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେବା, ସେତେବେଳେ ଆମେ ସେମାନଙ୍କୁ ଏକ ସୁସ୍ଥ ଏବଂ ସୁଖମୟ ଜୀବନଯାପନ କରିବାର ସୁଯୋଗ ଦେଇପାରିବା ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)