• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯେତେବେଳେ ସ୍ୱାସ୍ଥ୍ୟ କଥା ଉଠେ ପ୍ରାୟ ସମସ୍ତେ ହୃଦୟ ଏବଂ ମନ ଉପରେ ଅଧିକ ଧ୍ୟାନ ଦିଅନ୍ତି। ସେମାନେ ଭୁଲିଯାଆନ୍ତି ଯେ ଆମର ବି ଏକ ଲିଭର ଅଛି ଆଉ ତା’ ପ୍ରତି ବି ଯତ୍ନବାନ ହେବା ଜରୁରୀ। ଯେତେବେଳେ ବି ଖାଦ୍ୟକୁ ନେଇ ଆଲୋଚନା ହୁଏ ସେତେବେଳେ ମସ୍ତିଷ୍କ, ହୃଦୟ ଏବଂ ଅନ୍ୟାନ୍ୟ ଶାରୀରିକ ରୋଗ ପାଇଁ ଉପଦେଶ ଶୁଣାଯାଏ, କିନ୍ତୁ ଲିଭର ପାଇଁ କୁହାଯାଏ ନାହିଁ।

ଆଜିକାଲି ପ୍ରାୟ ସମସ୍ତେ ଓଜନ କମ କରିବା ନେଇ ବିଭିନ୍ନ ଉପାୟ ପଛରେ ଧାଇଁଛନ୍ତି। ଏବେ ଏହାକୁ ନେଇ ଏକ ନୂଆ ଅଧ୍ୟୟନ ଏକ ନୂଆ ତଥ୍ୟ ଦେଇଛି। ଏହି ଅଧ୍ୟୟନରେ କୁହାଯାଇଛି ଯେ ଓଜନ ହ୍ରାସ କରିବା ଲିଭରଜନିତ ମାରାତ୍ମକ ରୋଗ ପାଇଁ ବିଶେଷ ଲାଭଦାୟକ ହୋଇପାରେ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଓଜନ ହ୍ରାସ ନନ୍ ଆଲ୍‌କୋହୋଲିକ୍ ଷ୍ଟିଟୋହେପାଟାଇଟିସ୍ (non alcoholic steatohepatitis) ଯାହାକୁ NASH ମଧ୍ୟ କୁହାଯାଏ, ପାଇଁ ବିଶେଷ ଲାଭଦାୟକ ହୋଇଥାଏ।

NASH(ନାଶ୍) କ’ଣ:

ଦୁନିଆର ପ୍ରାୟ ୨ ପ୍ରତିଶତ ବୟସ୍କ ବ୍ୟକ୍ତି ନାଶ୍‌ ରୋଗରେ ପୀଡିତ, ଯାହା ଅଣ-ମଦ୍ୟପ ଫ୍ୟାଟି ଲିଭର ରୋଗର ଏକ ଉନ୍ନତ ପର୍ଯ୍ୟାୟ। ଯେତେବେଳେ ଲିଭରରେ ଚର୍ବି ସୃଷ୍ଟି ହେବାକୁ ଲାଗେ, ଏହା ଫୁଲିବା ସହ କ୍ଷତ ଭଳି ସମସ୍ୟା ସୃଷ୍ଟି କରେ। ଯଦି ଏହାର ଚିକିତ୍ସା କରା ନ ଯାଏ, ତେବେ ଏହି ରୋଗ ଲିଭର୍ ସିରୋସିସ୍‌ରେ ପରିଣତ ହୋଇପାରେ। ଏହା ବ୍ୟତୀତ ହୃଦଘାତ ଭଳି ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇପାରେ।

କୌଣସି ଔଷଧ ନାହିଁ:

ବର୍ତ୍ତମାନ NASH ର ଚିକିତ୍ସା ପାଇଁ କୌଣସି ଔଷଧ ନାହିଁ। ବର୍ତ୍ତମାନ ଏହାର ଚିକିତ୍ସାର ମୂଳ ହେଉଛି ଓଜନ ହ୍ରାସ କରିବା। କିନ୍ତୁ ସାଧାରଣତ ଲୋକମାନେ ଯେପରି ଭାବରେ ସେମାନଙ୍କର ଓଜନ ହ୍ରାସ ପଦ୍ଧତି ଗ୍ରହଣ କରନ୍ତି, ସେହି ପଦକ୍ଷେପଗୁଡ଼ିକ ଲିଭରରେ ଥିବା ଚର୍ବିକୁ ହ୍ରାସ କରିପାରିବ ନାହିଁ।

ବିଶେଷ ଅଧ୍ୟୟନ:

ଏହି ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ‘ସୁପ୍ ଏବଂ ଶେକ୍’ ମାଧ୍ୟମରେ ଦ୍ରୁତ ଓଜନ ହ୍ରାସ ରେସିପି NASHର ଗମ୍ଭୀରତାକୁ ହ୍ରାସ କରିପାରେ। ମେଦବହୁଳତା ଏବଂ ଟାଇପ୍-୨ ମଧୁମେହ ଭଳି ସମସ୍ୟାରେ ଶୀଘ୍ର ଓଜନ ହ୍ରାସ ପାଇଁ ଏହି ପ୍ରତିକାର ଗ୍ରହଣ କରାଯାଏ। ଏହି ଅଧ୍ୟୟନ ପାଇଁ, ଗବେଷକମାନେ ମେଦବହୁଳତା, NASH ଏବଂ ସାମାନ୍ୟ ଯକୃତ କ୍ଷତ ଥିବା ୧୬ ଜଣ ଅଂଶଗ୍ରହଣକାରୀଙ୍କୁ ନେଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୧୧ ଜଣ ପୁରୁଷ ଥିଲେ।

ଡାଏଟ୍ ପ୍ରୋଗ୍ରାମ୍:

ସମସ୍ତ ଅଂଶଗ୍ରହଣକାରୀ ଓଜନ ହ୍ରାସ କାର୍ଯ୍ୟକ୍ରମ ‘ସୁପ୍ସ ଆଣ୍ଡ୍ ଶେକ୍’ରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେମାନଙ୍କୁ ନିୟମିତ ଖାଦ୍ୟ ବଦଳରେ ୧୨ ସପ୍ତାହ ପାଇଁ ସ୍ୱତନ୍ତ୍ର ପ୍ରକାରର ସୁପ୍ ଏବଂ ଶେକ୍ ଦିଆଯାଇଥିଲା। ସେମାନେ ଚୟନ କରିଥିବା ଚାରୋଟି ଉତ୍ପାଦରେ ସମସ୍ତ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ପ୍ରାୟ ୮୮୦ କ୍ୟାଲୋରୀ ଶକ୍ତି ଯୋଗାଇ ଦିଆଗଲା। ଜଣେ ଡାଏଟିସିଆନଙ୍କ ସହାୟତା ମଧ୍ୟ ଦିଆଯାଇଥିଲା।

ସମସ୍ତ ପ୍ରକାର ପରୀକ୍ଷା:

ପ୍ରଥମେ ଅଂଶଗ୍ରହଣକାରୀମାନଙ୍କ ଓଜନ, ରକ୍ତଚାପ, ରକ୍ତ ପରୀକ୍ଷା, ଏବଂ ସେମାନଙ୍କର ଲିଭରର ସ୍ୱାସ୍ଥ୍ୟ ମାପିବା ପାଇଁ ଦୁଇଟି ସ୍କାନ୍‌ କରାଯାଇଥିଲା। ଏହି ସ୍କାନରୁ ସେମାନଙ୍କର ଲିଭରର ଅବସ୍ଥା ଓ ଚର୍ବି ବିଷୟରେ ଯାଞ୍ଚ କରାଯାଇଥିଲା। ୧୨ ରୁ ୨୪ ସପ୍ତାହ ପରେ ଆଉଥରେ ପରୀକ୍ଷା କରାଯାଇଥିଲା। ଦେଖାଯାଇଥିଲା ଯେ ଅଂଶଗ୍ରହଣକାରୀଙ୍କ ଶରୀରର ୧୫ ପ୍ରତିଶତ ଓଜନ ହ୍ରାସ ହୋଇଛି।

ସଫଳତା:

ଅଧ୍ୟୟନରୁ ଜଣାପଡିଛି ଯେ ଶୀଘ୍ର ଓଜନ ହ୍ରାସ କୌଣସି କ୍ଷତି କରି ନଥିଲ। ପୂର୍ବରୁ NASH ରୋଗୀଙ୍କୁ ଏହିପରି ଡାଏଟ୍ ପ୍ରୋଗ୍ରାମ୍ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇ ନଥିଲା। ତେବେ ଏହି ପ୍ରକ୍ରିୟାରେ ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଥିଲା କୋଷ୍ଠକାଠିନ୍ୟ, କିନ୍ତୁ ଏହା ଏକ ଅସ୍ଥାୟୀ ଏବଂ ସାମାନ୍ୟ ସମସ୍ୟା ଥିଲା। ସ୍କାନ୍‌ରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଅଧିକାଂଶ ଅଂଶଗ୍ରହଣକାରୀଙ୍କ ଲିଭରରେ ଥିବା ଚର୍ବି କମିବା ସହିତ ଫ୍ୟାଟି ଲିଭର ଏବଂ କ୍ଷତରେ ଉନ୍ନତି ଆସିଛି।

ଅନୁସନ୍ଧାନରେ ଏହା ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି ଯେ ଏହି କାରଣରୁ ଲିଭର ସମସ୍ୟାର ଗମ୍ଭୀରତା ବହୁ ପରିମାଣରେ କମିଛି। ଅନ୍ୟପକ୍ଷରେ, ଏହି ପଦ୍ଧତିରେ ଦେଖାଯାଇଥିବା ସଫଳତା ଏପର୍ଯ୍ୟନ୍ତ କୌଣସି ଔଷଧ କ୍ଷେତ୍ରରେ ଦେଖାଯାଇ ନାହିଁ।