Skin Care
କେବଳ ଯେ ଖରା, ଗରମ, ତୀକ୍ଷ୍ଣ ସୂର୍ଯ୍ୟ କିରଣ, ଆପେକ୍ଷିକ ଆର୍ଦ୍ରତା ଏବଂ ଝାଳ ହିଁ ଗ୍ରୀଷ୍ମ ଋତୁର ସମସ୍ୟା ତା' ନୁହେଁ। ବରଂ ଏସବୁ କାରଣରୁ ମଣିଷ ଚର୍ମର ମଧ୍ୟ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଆମ ଭିତରୁ ପ୍ରାୟ ସମସ୍ତେ ଘିମିରି, ପାଣି ଫୋଟକା, ଅଗିଆବାତ, ଚମଡା ଜଳାପୋଡା ହେବା, କୁଣ୍ଡାଇ ହେବା ଆଦି ଭୋଗିଥିବେ । ଯଦି ଏହି ସମସ୍ୟା ଗୁଡ଼ିକ ଉପୁଜିବା ସମୟରେ ଚର୍ମ କୌଣସି ଜୀବାଣୁ ଦ୍ବାରା ସଂକ୍ରମିତ ନହୁଏ ତାହେଲେ ଏଥିରୁ ଏମିତି କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ ନାହିଁ। କିନ୍ତୁ ଅନେକ ସମୟରେ ଏହାକୁ ସାଧାରଣ ଋତୁ ଜନିତ ସମସ୍ୟା ଭାବି ସମସ୍ତେ ଏଡାଇ ଦେବା ସମୟରେ ଭୁକ୍ତଭୋଗୀ ଅତ୍ୟନ୍ତ ଯନ୍ତ୍ରଣା ପାଇଥାଏ ଏବଂ ତା’ର ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୁଏ। ତେଣୁ ମୂଳରୁ ସମସ୍ୟାକୁ ଚିହ୍ନଟ କରି ଏବଂ ଆଗୁଆ ସାବଧାନତା ଅବଲମ୍ବନ କଲେ ଚର୍ମର ଏହି ସମସ୍ୟା ଗୁଡ଼ିକୁ ରୋକିବା ସହ ସେକେଣ୍ଡାରୀ ଜୀବାଣୁ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ।
(୧) ଘିମିରି (ପ୍ରିକଲି ହିଟ୍/ ମିଲିଆରିଆ):
ବେକ, ହାତ, ପିଠି, ପେଟ, ଜଂଘ ଆଦି ଅଂଶରେ ସ୍ୱେଦ ବା ସ୍ବେଟ୍-ଗ୍ଲାଣ୍ଡ ଗୁଡ଼ିକ ରୁଦ୍ଧ ବା ବ୍ଲକ୍ ହୋଇ ଚମଡା ଉପରେ ଛୋଟଛଟ, ନାଲି ନାଲି, ରିବରିବ୍ ହୋଇ ଫଳି ଯାଏ ବା ରାସେସ୍ ହୁଏ। ଛୁଞ୍ଚି ଫୋଡି ହେବା ପରି ଲାଗିବା, କୁଣ୍ଡାଇ ହେବା ସହ ଭୀଷଣ ଜଳାପୋଡା ହୁଏ। ତୀକ୍ଷ୍ଣ ଖରା ଏବଂ ଗରମରେ ବାହାରକୁ ନଯିବା ସହ ଢିଲା, ସୂତା କପଡା ପୋଷାକ ପିନ୍ଧନ୍ତୁ। ଛାଇ ଥିବା ଏବଂ ପବନ ଆତଯାତ ସ୍ଥାନରେ ରୁହନ୍ତୁ। ବଜାରରେ ଉପଲବ୍ଧ ପ୍ରିକଲି-ହିଟ୍ ପାଉଡର ସହ ଆଲୋବେରା ଜେଲ୍ ମଧ୍ୟ ଜଳାପୋଡା ଏବଂ କୁଣ୍ଡାଇ ହେବାରେ ଆରାମ ଦେଇଥାଏ। ଅତ୍ୟଧିକ କୁଣ୍ଡାଇ ହେବା କ୍ଷେତ୍ରରେ ହୋମିଓପାଥିକ ଔଷଧ ଇଚିନାସିଆ Q ପାଞ୍ଚ –ଛ’ ଟୋପା ଗୋଟିଏ କପ୍ ପାଣିରେ ମିଶାଇ (ପାଣିରେ ନମିଶାଇ ଲଗାଇବେ ନାହିଁ) ଘିମିରି ହୋଇଥିବା ଅଂଶରେ ଲଗାଇଲେ ଉପସମ ମିଳିଥାଏ। କଞ୍ଚା ହଳଦୀ ଏବଂ ନିମ୍ବ ପତ୍ରର ଲେପ ମଧ୍ୟ ଏହି ସମସ୍ୟାରେ ଆରାମ ଦେଇଥାଏ। ଯଦିଓ ଏହା ଗୁରୁତର ସମସ୍ୟା ସୃଷ୍ଟି କରେନି କିନ୍ତୁ କିଛି ବ୍ୟକ୍ତିଙ୍କ ଠାରେ 3rd Degree ମିଲିଆରିଆ ହୋଇ ଚମଡା ଫାଟି ଯାଏ, ଭୀଷଣ ଜଳାପୋଡା ହୁଏ।
ଅଧିକ ପଢ଼ନ୍ତୁ: ଶୋଇବାକୁ ଗଲାବେଳେ ଦେହହାତ ଅଧିକ ଘୋଳାବିନ୍ଧା ହେଉଛି କି...କ’ଣ ଏହାର ଉପଚାର ?
(୨) ସନ୍ ରାସେସ୍ (ପଲିମରଫିକ୍ ଲାଇଟ୍ ଇରପସନ୍):
ଅତ୍ୟଧିକ ଏବଂ ତୀବ୍ର ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରର ଅନାବୃତ ଅଂଶରେ ଦେଖାଯାଏ। ତୀବ୍ର ସୂର୍ଯ୍ୟ କିରଣ କାରଣରୁ ଚର୍ମ କୁଣ୍ଡାଇ ହୋଇ ଫଳି ଯାଏ। ଏଥିରୁ ରକ୍ଷା ପାଇବା ପାଇଁ ସବୁଠାରୁ ଉପଯୁକ୍ତ ଉପାୟ ହେଉଛି ଏସ୍ ପି ଏଫ୍ ୩୦-୫୦ ଯୁକ୍ତ ସନ୍-ସ୍କ୍ରିନ୍ ବ୍ୟବହାର କରିବା। ଖରାକୁ ବାହାରିବା ସମୟରେ ଦେହ ହାତ ପରି ମୁହଁକୁ ମଧ୍ୟ ଢାଙ୍କିବା ଆବଶ୍ୟକ। ଏବେ ୟୁଭିରେ ପ୍ରୋଟେକ୍ଟେଡ୍ କପଡା ଏବଂ ଛତା ମିଳୁଛି। ସନ୍ ରାସେସ୍ ସାଧାରଣତଃ ସମ୍ବେଦନଶୀଳ ଚର୍ମ ଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଏ।
(୩) କଣ୍ଟାକ୍ଟ ଡର୍ମାଟାଇଟିସ୍:
ଡିଓ, ପରଫ୍ୟୁମ୍, ବିଭିନ୍ନ ପ୍ରସାଧାନ ସାମଗ୍ରୀ ଏପରିକି କପଡା ରଙ୍ଗ ସହ ଶରୀରରୁ ନିର୍ଗତ ଝାଳ ସହ ରିଆକସନ୍ ବା ପାର୍ଶ୍ୱ ପ୍ରତିକ୍ରିୟା କରିବା କାରଣରୁ ଶରୀରର ବିଭିନ୍ନ ଅଂଶରେ ନାଲିନାଲି ହୋଇ ଫଳି କୁଣ୍ଡାଇ ହୁଏ। କିଛି ବ୍ୟକ୍ତିଙ୍କ ଠାରେ ଫୋଟକା ମଧ ହୋଇଯାଏ। ଏପରି କ୍ଷେତ୍ରରେ ଚିକିତ୍ସା ପାଇଁ ଆଣ୍ଟି-ଆଲର୍ଜିକ୍ ଔଷଧ ତଥା ଲୋସନର ବ୍ୟବହାର କରାଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଢିଲା ଓ ସୂତା କପଡା ପୋଷାକ ପିନ୍ଧନ୍ତୁ, ଝାଳ ହୋଇଥିବା ପିନ୍ଧାଲୁଗା ଧୋଇ ନିଅନ୍ତୁ, ଆଲକହଲ୍ ନୁହେଁ ଆକ୍ବା-ବେସ୍ ପରଫ୍ୟୁମ୍/ଡିଓ ବ୍ୟବହାର କରନ୍ତୁ, ପ୍ରସାଧନ ସାମଗ୍ରୀର ବ୍ୟବହାର ସୀମିତ ରଖନ୍ତୁ।
(୪) ଚେଫିଂ ରାସ୍:
ବାହୁତଳ, ଜଂଘ, ପିଠି କିମ୍ବା ଅଣ୍ଟା ଆଦି ଅଂଶରେ ଅଧିକ ସମୟ ଧରି କପଡା ଚାପି ହୋଇ ରହିବା ଦ୍ବାରା କିମ୍ବା ଅନ୍ୟ କୌଣସି କାରଣରୁ ଶରୀରର କୌଣସି ଅଂଶ ଲଗାତାର ଚାପି ହୋଇ ରହିବା ଦ୍ବାରା ନାଲି ପଡି ପୋଡ଼ାଜଳା ହୋଇଥାଏ। ଅନେକ ସମୟରେ ସ୍କ୍ରିନ୍ ବୋଲ୍ଡ ବା ସନ୍ଧି ଅଂଶ ଗୁଡିକରେ ଚମଡା ଫାଟିଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଢିଲା ପୋଷାକ ପିନ୍ଧିବା, ଝାଳ ହେଉଥିଲେ ଶୁଖାଇ ନେବା, ସନ୍ଧି ଅଂଶ ଗୁଡିକରେ ପାଉଡର ବ୍ୟବହାର କରିବା। ଚେଫିଂ ରାସ୍ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆଣ୍ଟି- ଚେଫି° କ୍ରିମ ବ୍ୟବହାର କରାଯାଏ।
(୫) ଯାଦୁ ବା ଫଙ୍ଗାଲ୍ ଇନ୍ଫେକସନ୍:
ଝାଳ କାରଣରୁ ଅଧିକ ସମୟ ଧରି ଓଦା ଏବଂ ସନ୍ତସନ୍ତିଆ ରହୁଥିବା ଅଂଶରେ ଶୀଘ୍ର ଫଙ୍ଗାଲ୍ ଇନ୍ଫେକସନ୍ ହୋଇଯାଏ ବା ଯାଦୁ ଦେଖାଯାଏ। ଚର୍ମ ଚେକା ଚେକା ହୋଇ ଲାଲ୍ ପଡ଼ିଯାଏ, ଚକା ପଡ଼ିଥିବା ଅଂଶର ଧାରରେ ରିବରିବ୍ ଦେଖାଯାଏ, ଭୀଷଣ କୁଣ୍ଡାଇ ହୁଏ। ଆଣ୍ଟି-ଫଙ୍ଗାଲ୍ ଔଷଧ ଏବଂ କ୍ରିମ ବ୍ୟବହାର ଦ୍ୱାରା ଶୀଘ୍ର ଆରାମ ମିଳିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସ୍କ୍ରିନ୍ ଫୋଲ୍ଡ ଗୁଡିକରେ ଆଣ୍ଟି-ଫଙ୍ଗାଲ୍ ପାଉଡର ବ୍ୟବହାର କରାଯାଏ। ଢିଲା ସୂତା କପଡାର ପୋଷାକ ପିନ୍ଧିବା ସହ ଝାଳ ହେଉଥିବା ଅଂଶକୁ ଶୁଖାଇ ନେବା ଦ୍ବାରା ଆଶଙ୍କା କମିଯାଏ।
ଗ୍ରୀଷ୍ମରେ ସୁସ୍ଥ ଚର୍ମ ପାଇଁ କେତୋଟି ସାଧାରଣ ଉପାୟ:
● ତୀବ୍ର ଖରା ବା ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରନ୍ତୁ ନାହିଁ ।
● ଛାଇ ଥିବା ଏବଂ ପବନ ଆତଯାତ ସ୍ଥାନରେ ରୁହନ୍ତୁ ।
● ଢିଲା ସୂତା ବା କଟନ୍ ପୋଷାକ ପିନ୍ଧନ୍ତୁ।
● ଝାଳକୁ ଶୁଖାଇ ନେବା ଭଲ, ସାଧାରଣତଃ ସ୍କିନ୍ ବୋଲ୍ଡ ବା ସନ୍ଧିରୁ। ଆଣ୍ଟି-ଫଙ୍ଗାଲ୍ ପାଉଡର ବ୍ୟବହାର କରି ପାରନ୍ତି।
● ହାଲକା ବା ମାଇଲ୍ଡ ସୋପ୍ ବା ସାଓ୍ବାର-ଜେଲ୍ ବ୍ୟବହାର କରନ୍ତୁ। ଗାଧୋଇବା ପାଣିରେ ଲେମ୍ବୁ ରସ କିମ୍ବା ୫ ଟୋପା ଆଜାଦିରେକ୍ଟା ଇଣ୍ଡିକା Q କିମ୍ବା ୫ ଟୋପା ସାଇଟ୍ରସ ଲେମୋନମ୍ Q ମିଶାଇ ଗାଧୋଇ ପାରନ୍ତି।
● ପାଣି, ପଇଡ଼ ପାଣି, ଦହି, ଋତୁଗତ ଫଳ, କାକୁଡି ଆଦି ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Skin_Care_1746880558.jpg)