• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚିନ୍ତା ବଢ଼ାଇଲାଣି ଅଣ-ସଂକ୍ରାମକ ରୋଗ

  • ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତା

  • ଆସୋଚାମ୍ ସର୍ଭେ ରିପୋର୍ଟ କହୁଛି ଜାତୀୟ ତୁଳନା ହାରରେ ରାଜ୍ୟରେ ସ୍ଥିତି ଖରାପ

ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ) : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ଅଣସଂକ୍ରାମକ ରୋଗ । କାରଣ ଜାତୀୟ ସ୍ତରରୁ ଏବେ ଓଡ଼ିଶାରେ ଏହି ସଂଖ୍ୟା ଦୁଇ ଗୁଣରୁ ଅଧିକ। ଆସୋଚାମର ସର୍ଭେ ରିପୋର୍ଟରେ ଅନେକ ଏପରି ତଥ୍ୟ ରହିଛି, ଯାହା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଲୋକଙ୍କ ଭିତରେ ଥିବା ସମସ୍ୟା ସାମ୍ନାକୁ ଆସିଛି । ବିଶେଷ ଭାବେ ସନ୍ତୁଳିତ ଖାଦ୍ୟ ଓ ହେଲଥ୍ ଚେକ୍ ଅପରେ ରାଜ୍ୟବାସୀ ପଛୁଆ ।

ରାଜ୍ୟରେ କରୋନା ପ୍ରକୋପ କମିନଥିବା ବେଳେ ଚିନ୍ତା ବଢ଼ାଇଲାଣି ଅଣ-ସଂକ୍ରାମକ ରୋଗ ବା-NCD । ମଧୁମେହ, ରକ୍ତଚାପ, ବଦହଜମି, କିଡନୀ, ହୃଦରୋଗ ଭଳି ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି । ଆସୋସିଏସେଟ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ-ଆସୋଚାମର ସଦ୍ୟତମ ସର୍ଭେ ରିପୋର୍ଟ ନନ୍ କମ୍ୟୁନିକେବଲ୍ ଡିଜିଜେସ୍ ଇନ୍ ଇଣ୍ଡିଆରେ ଏଭଳି କିଛି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି । ଜାତୀୟ ସ୍ତରରେ ପ୍ରତି ହଜାରରେ ୧୧୬ ଜଣ ଏଥିରେ ପୀଡ଼ିତ ହେଉଥିବା ବେଳେ ରାଜ୍ୟରେ ଏହା ଦୁଇ ଗୁଣରୁ ଅଧିକ । ରାଜ୍ୟରେ ପ୍ରତି ହଜାରରେ NCD କବଳରେ ୨୭୧ ଜଣ । ରିପୋର୍ଟ କହିଛି, ରାଜ୍ୟର ୧୫.୯୧ ପ୍ରତିଶତ ଲୋକ ବଦହଜମି ରୋଗରେ ପୀଡ଼ିତ, ଜାତୀୟସ୍ତରରେ ଯାହାକି ୩.୧୯% । ମଧୁମେହରେ ୩.୭୬%, ଶ୍ୱାସଜନିତ ରୋଗରେ ୩.୭୪% ଏବଂ ମସ୍ତିଷ୍କ ରୋଗରେ ଶିକାର ହୋଇଛନ୍ତି ୧.୭୫% ଲୋକ ।

ଜାତୀୟ ସ୍ତରରେ ୩.୬ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲା ବେଳେ ଓଡ଼ିଶାରେ କିନ୍ତୁ ଏହି ସଂଖ୍ୟା ପ୍ରାୟ ୩ ଗୁଣା-୯.୪୨ ପ୍ରତିଶତ । ହେଲେ ଆଶ୍ୱସ୍ତିର ବିଷୟ, ଓଡ଼ିଶାରେ କ୍ୟାନସର୍, କିଡନୀ ସମସ୍ୟା ଓ ହୃଦ୍ରୋଗ ଭଳି ରୋଗୀଙ୍କ ହାର ଜାତୀୟ ହାର ତୁଳନାରେ କମ୍ ରହିଛି । ବିଶେଷଜ୍ଞଙ୍କ ମତ, ଓଡ଼ିଶାର ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ସେତେଟା ସଚେତନ ନୁହନ୍ତି, ଯାହା ରିପୋର୍ଟରେ ବି ଦର୍ଶାଯାଇଛି । ରାଜ୍ୟର ୫୮ ପ୍ରତିଶତ ଜନସଂଖ୍ୟା ହେଲଥ୍ ଚେକ୍ଅପ୍ କରନ୍ତିନି । ଏହାର ପ୍ରମୁଖ କାରଣ ଆବଶ୍ୟକ ସମ୍ବଳ ଲୋକଙ୍କ ପାଖରେ ନଥାଏ । ଯେଉଁଥିପାଇଁ ଅଣ-ସଂକ୍ରାମକ ରୋଗରେ ରାଜ୍ୟ ଏକ ଅଲୋଡ଼ା ରେକର୍ଡ କରିଛି ।

ଓଡ଼ିଶାର ଲୋକମାନେ ପ୍ରାୟତଃ ମାଂସପ୍ରିୟ । ଆସୋଚାମର ସର୍ଭେ ବେଳେ ରାଜ୍ୟର ୯୧.୬% ଆମିଷାଶୀ ବୋଲି ଜଣାପଡ଼ିଛି । କିନ୍ତୁ ସର୍ବଭାରତୀୟ ସ୍ତରରେ ଏହି ସଂଖ୍ୟା ମାତ୍ର ୬୫.୬% । ଏମିତିକି ଓଡ଼ିଶାରେ ଦୁଗ୍ଧ ଓ ଫଳ ବ୍ୟବହାର ଜାତୀୟ ହାରଠାରୁ କମ୍ ଥିବା ବେଳେ ଜଙ୍କ୍ ଫୁଡ୍ ବ୍ୟବହାର ଢେର୍ ଅଧିକ । ମାନସିକ ରୋଗ ବିଶେଷଜ୍ଞଙ୍କ ମତ, ଲୋକଙ୍କ ଲାଇଫ୍ ଷ୍ଟାଇଲ ବଦଳିଛି, ବ୍ୟାୟାମ କରିବା ଖୁବ୍ କମି ଯାଇଛି । ଜଳବାୟୁ ପରିବର୍ତ୍ତନ ହୋଇଥିବା ବେଳେ ରାଜ୍ୟରେ ବାୟୁ ପ୍ରଦୂଷଣ ମଧ୍ୟ ବଢ଼ିଛି । ୮୩% ରାଜ୍ୟବାସୀ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଥିପାଇଁ ଯତ୍ନବାନ ହେବା ସହ ଜଙ୍କଫୁଡ୍ ଛାଡ଼ି ବ୍ୟାୟାମ ଉପରେ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି ।