• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋର୍ଦ୍ଧା(ବଳରାମ ଲେଙ୍କା) : ନାହିଁ ନାହିଁରେ ରୋଗୀସେବା । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ଏକ ରେଫରାଲ ସେଣର । କେଉଁ ବିଭାଗରେ ଡାକ୍ତର ନାହାନ୍ତି ତ ଆଉ କେଉଁଠି ନାହିଁ ଆବଶ୍ୟକ ସଂରଞ୍ଜାମ । ରାତିଅଧରେ ପ୍ରସୂତି ମାନେ ଡାକ୍ତର ନଥିବା କାରଣରୁ ଡାକ୍ତରଖାନା ଛାଡି ପଳାଉଥିବାର ଅଭିଯୋଗ ହେଉଛି । ସେପଟେ ୬ ବର୍ଷ ତଳେ ଉଦ୍‌ଘାଟିତ ଟ୍ରମା କେୟାର କାର୍ଯ୍ୟକାରୀ ହୋଇନଥିବା ବେଳେ ବିଭିନ୍ନ ପରିକ୍ଷା ପାଇଁ ରୋଗୀ ବହାରକୁ ଯିବା ଏଠି ନିତିଦିନିଆ ଘଟଣା । ଆଉ ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏସବୁର ସମୀକ୍ଷା କରିବା ସହିତ ଖୁବ୍ ଶୀଘ୍ର ସମାସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ରାଜଧାନୀ ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଥିବା ଏହି ଜିଲ୍ଲା ହସ୍ପିଟାଲ ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ । ହେଲେ ବିଭିନ୍ନ କାରଣ ପାଇଁ ଏହି ଡାକ୍ତରଖାନା ଏବେ ଏକ ରେଫରାଲ ହସପିଟାଲ ହୋଇ ଯାଇଥିବା ଅଭିଯୋଗ ହୋଇଛି । ୬ ମହଲା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୨ ଜଣ ଡାକ୍ତର ।

ଫଳରେ ପ୍ରସୂତି ମାନେ ଚିକିତ୍ସା ନପାଇ ରାତି ଅଧରେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଛାଡି ଘରୋଇ ହସପିଟାଲକୁ ଯିବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି । ଏପରିକି ଏଠାରେ ଅଲଟ୍ରାସାଉଣ୍ଡ ସହିତ ଅନେକ ପରିକ୍ଷା ରୋଗୀ ମାନେ ଘରୋଇ କ୍ଲିନିକରେ କରୁଥିବା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଶୀତ ଦିନେ ବାରଣ୍ଡାରେ ରୋଗୀ ଏବଂ ଛୋଟ ଛୋଟ ଶିଶୁ ରହୁଥିବାରୁ ଏଠାରେ ରୋଗୀସେବା କିଭଳି ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

କେବଳ ସେତିକି ନୁହେଁ ଜିଲ୍ଲା ହସପିଟାଲରେ ୬୭ ଜଣ ଡାକ୍ତରଙ୍କ ଯାଗାରେ ମାତ୍ର ୩୨ ଜଣ କାମ କରୁଛନ୍ତି । ଆଉ ୧୨ ଜଣ ଡାକ୍ତରଙ୍କୁ ଡେପୁଟେସନରେ ଜିଲ୍ଲାର ଅନ୍ୟାନ୍ୟ ଡାକ୍ତରଖାନାକୁ ପଠାଇ ଦେଇଛି ବିଭାଗ । ଫଳରେ ବିଭିନ୍ନ ବିଭାଗରେ ରୋଗୀ ସେବା ଯଥେଷ୍ଟ ପ୍ରଭାବିତ ହେଉଛି ।

ସେପଟେ ୨୦୧୬ ମସିହାରୁ ଜିଲ୍ଲାରେ ଟ୍ରମାକେୟାର ଉଦଘାଟନ ହେବା ପରେ ଦୁର୍ଘଟଣାରେ ଆହତ ରୋଗୀ ମାନଙ୍କ ଚିକିତ୍ସା ହୋଇପାରିବ ବୋଲି ଆଶା କରାଯାଇଥିଲା । କିନ୍ତୁ ଦିର୍ଘ ୬ ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ନପାରିବା ଫଳରେ ଏହି ବିଲିଡିଂଟିରେ ଏବେ ଅର୍ଥୋପେଡିକ ବିଭାଗ କାମ କରୁଛି । ଏଭଳି ମାଳ ମାଳ ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରି ଖୁବ୍ ଶିଘ୍ର ଏସବୁ ସମାସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।