Advertisment

Mental Health Awareness : ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କେତେବେଳେ ନେବେ, ଜାଣନ୍ତୁ ସଠିକ୍ ଲକ୍ଷଣ

ଦୈନନ୍ଦିନ ଜୀବନ ଭିତରେ ଦିନେଅଧେ ମନ ଦୁଃଖ ହେବା କିମ୍ବା କାମ କରିବା ପାଇଁଁ ସ୍ପୃହା ନରହିବା ସାଧାରଣ କଥା, କିନ୍ତୁ କୌଣସି କାରଣ ନଥାଇ ଦିନଦିନ ଧରି ଏମିତି ଲାଗି ରହିବା, ମାନସିକ ସ୍ତରରେ ଅସହାୟ ଲାଗିବା କିମ୍ବା ଲମ୍ବା ସମୟ ପାଇଁ ଏକୁଟିଆ ଲାଗିବା ଆଦି ଜଣେ ବ୍ୟକ୍ତିର ମାନସିକ ସ୍ଵାସ୍ଥ୍ୟକୁ ନେଇ ଚେତାବନୀ ହୋଇପାରେ। ଚାଲନ୍ତୁ ଆଜି ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ ଯେତେବେଳେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଜରୁରୀ ହୋଇ ପଡେ।

author-image
Ipsita Pradhan
ଅଦ୍ୟତନ ହୋଇଛି
ମାନସିକ ସ୍ୱାସ୍ଥ୍ୟ ସଚେତନତା

ମାନସିକ ସ୍ୱାସ୍ଥ୍ୟ ସଚେତନତା

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ପୃଥିବୀରେ ପ୍ରତି ଆଠ ଜଣରେ ଜଣେ ବ୍ୟକ୍ତି ବା ପାଖାପାଖି ୯୭ କୋଟି ଲୋକ କୌଣସି ନା କୌଣସି ମାନସିକ ରୋଗ ଦ୍ଵାରା ଆକ୍ରାନ୍ତ। ଅବିକଶିତ ଏବଂ ବିକାଶଶୀଳ ଦେଶରେ, ମାନସିକ ରୋଗ ଭୋଗୁଥିବା ପାଖାପାଖି ୭୬ -୮୫ % ଲୋକ କୌଣସି ପ୍ରକାର ଚିକିତ୍ସା କରାନ୍ତି ନାହିଁ। ୨୦୨୧ରେ ବିଶ୍ଵ ସ୍ଵାସ୍ଥ୍ୟ ସପ୍ସଗଠନ ଦ୍ବାରା  କରାଯାଇଥିବା ଏକ ଆକଳନରେ କୁହାଯାଇଥିଲା ଯେ ପୃଥିବୀରେ ଯେକୌଣସି ମଣିଷ ତା’ ସମୁଦାୟ ଜୀବନରେ ଭୋଗିଥିବା ଅକର୍ମଣ୍ୟତାର ବର୍ଷ ଗୁଡ଼ିକର ୧୭.୨% କେବଳ ମାନସିକ ଅସୁସ୍ଥତା କାରଣରୁ ହୋଇଥାଏ। ଏବେ ସୁଦ୍ଧା ପୃଥିବୀରେ ମାନସିକ ଅବସାଦ, ଦୁଶ୍ଚିନ୍ତା, ଡିତେନସିଆ, ବାଇପୋଲାର୍ ଡିଜଅର୍ଡର, ସ୍କିଜୋଫ୍ରେନିଆ ପୃଥିବୀରେ ଦେଖା ଯାଉଥିବା  ମାନସିକ ବ୍ୟାଧିର ପ୍ରକାର ଭିତରୁ ସର୍ବାଧିକ ଅଟେ।

Advertisment

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ମାନସିକ ସ୍ତରରେ ସୁସ୍ଥତା କ’ଣ: କେବଳ କୌଣସି ମାନସିକ ରୋଗର ଅନୁପସ୍ଥିତି ନୁହେଁ ବରଂ ଏହା ହେଉଛି ମଣିଷ ମସ୍ତିଷ୍କ ଓ ଶରୀରର ଏମିତି ଗୋଟିଏ ସକାରାତ୍ମକ ଅବସ୍ଥା ଯେଉଁଠି ମଣିଷ ନିଜକୁ ସୁସ୍ଥ ମନେ କରିବା ସହ ନିଜର କାର୍ଯ୍ୟଦକ୍ଷତା ବିଷୟରେ ଅବଗତ ରହି, ଦୈନନ୍ଦିନ ଜୀବନର ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଫଳପ୍ରଦ କାର୍ଯ୍ୟ କରି ପାରୁଥିବ ଏବଂ ସମାଜ ପାଇଁ ଗଠନମୂଳକ ଅବଦାନ ରହିଥିବ।

କେତେବେଳେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବେ:

(୧) ଦିନେଅଧେ ନୁହେଁ ଆପଣ ଲଗାତାର ଅନେକ ଦିନ ଧରି, ସପ୍ତାହ ପରେ ସପ୍ତାହ ଦୁଃଖି ଅନୁଭବ କରୁଛନ୍ତି। ଦିନର ଅଧିକାଂଶ ସମୟ ଆପଣ ଦୁଃଖ ବା ବିଷାଦଗ୍ରସ୍ଥ ରହୁଛନ୍ତି। କୌଣସି କାମରେ ସ୍ପୃହା ଆସୁ ନାହିଁ ଏବଂ ପୂର୍ବରୁ ଉତ୍ସାହିତ କରୁଥିବା କଥା କିମ୍ବା କାମ ଆଗ ପରି ଆନନ୍ଦ ଦେଉନି।

Advertisment

(୨) ଦିନ ତମାମ ବା ଲଗାତାର ଆପଣଙ୍କ ଭିତରେ ଗୋଟିଏ ଆଶଙ୍କା, ଆତଙ୍କିତ ଭାବ, ଦୁଶ୍ଚିନ୍ତା ଲାଗି ରହୁଛି। ଛୋଟ ଛୋଟ କଥାକୁ ନେଇ ଆପଣ ଲଗାତାର ଭାବି ହେଉଛନ୍ତି ଏବଂ ମନେମନେ ସେହି ବିଷୟକୁ ନେଇ ଯାବତୀୟ ପ୍ରଶ୍ନ, ଉତ୍ତର ଓ ତର୍ଜମା କରୁଛନ୍ତି। ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରୁଛନ୍ତି ଏବଂ କୌଣସି ସମୟରେ ରିଲାକ୍ସ ହୋଇ ପାରୁ ନାହାଁନ୍ତି।

(୩) ଅତି ଛୋଟଛୋଟ କଥାରେ ଆପଣ ଉତ୍ତେଜିତ ହୋଇ ପଡ଼ୁଛନ୍ତି। ଅତି ସାଧାରଣ କଥାରେ ରାଗିଯିବା, ହତାଶ ହୋଇପଡିବା, ବିଷାଦଗ୍ରସ୍ତ ରହିବା, ବାରମ୍ବାର ମୁଡ୍-ସ୍ବିଙ୍ଗ ହେବା।

(୪) ଛ’ -ସାତ ଘଣ୍ଟା ନିଦ ପୁରା କରି ଉଠିବା ପରେ ମଧ୍ୟ ଆପଣଙ୍କୁ ହାଲିଆ, ଉର୍ଜାହୀନ ଏବଂ ଅନ୍ତସାର ଶୂନ୍ୟ ଲାଗୁଛି। ଉଚିତ ନିଦ୍ରା, ଉପଯୁକ୍ତ ଖାଦ୍ୟ ଏବଂ ଆତ୍ମୀୟଙ୍କ ମଧ୍ୟରେ ରହି ମଧ୍ୟ ଆପଣଙ୍କୁ ସବୁବେଳେ ଥକ୍କା ବା ହାଲିଆ ଲାଗୁଛି।

(୫) ଆବଶ୍ୟକତା ଠାରୁ ଅଧିକ ସମୟ ଶୋଇବା। ଦିନଦିନ ଧରି ଶଯ୍ୟାରେ ପଡି ରହିଲେ ମଧ୍ୟ ଅନିଦ୍ରା ରହୁଛନ୍ତି କିମ୍ବା ଦିନରେ ଘଣ୍ଟା ଘଣ୍ଟା ଧରି ଶୋଇଲେ ମଧ୍ୟ ନିଦ ପୁରା ହେଉନାହିଁ।

(୬) ଆପଣ ନିଜର ପେଷା, ଅଭ୍ୟାସ/ହବି, ପ୍ରିୟ ଖାଦ୍ୟ, ସିନେମା, ଭ୍ରମଣ, ବନ୍ଧୁ ଆଦି କୌଣସି ବିଷୟରେ ଉତ୍ସାହ କିମ୍ବା ଆଗ୍ରହ ଦେଖାଉନାହାନ୍ତି। ଦୈନନ୍ଦିନ ଜୀବନ ପ୍ରତି ଆପଣଙ୍କ ଆଗ୍ରହ ଓ ଉତ୍ସାହ କମି ଯାଉଛି ବା ରହୁ ନାହିଁ। ସବୁ କାମ ଟାଣି ହୋଇ, ବାଧ୍ୟ ବାଧକତାରେ କରିବା ପାଇଁଁ ପଡୁଛି।

(୭) ବନ୍ଧୁ ମିଳନ, ପାରିବାରିକ ଓ ସାମାଜିକ ଅନୁଷ୍ଠାନ, ସଭା-ସମିତି ପ୍ରତି ଆପଣଙ୍କର ତୀବ୍ର ଅନାଗ୍ରହ ଓ ବିତୃଷ୍ଣା ଆସୁଛି। ଆପଣ ଲଗାତାର ଭାବରେ ସମସ୍ତଙ୍କ ସହ ସମ୍ପର୍କ ବିଛିନ୍ନ କରି ନିଜକୁ ଏକୁଟିଆ ରଖିବା ପାଇଁ ଚେଷ୍ଟା କରୁଛନ୍ତି।

(୮) ଏକାଗ୍ରତାର ଅଭାବ, ନିଷ୍ପତ୍ତି ନେବାରେ ଦୁର୍ବଳତା ଏବଂ ସ୍ମରଣଶକ୍ତି ହ୍ରାସ ଆପଣଙ୍କ ଦୈନନ୍ଦିନ ଜୀବନରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ନିଜ କାମ ଓ ଦୈନନ୍ଦିନ ଜୀବନରେ ଏକାଗ୍ରତା ଏବଂ ଚିନ୍ତା କରିବା ଶକ୍ତି ବାଧାପ୍ରାପ୍ତ ହେଉଛି।

(୯) ଆପଣ ନିଜକୁ ପରିବାର, କାର୍ଯ୍ୟକ୍ଷେତ୍ର ଏବଂ ସମାଜ ପାଇଁ ଅଦରକାରୀ ଭାବୁଛନ୍ତି। ନିଜକୁ ଅନାବଶ୍ୟକ, ଅଦରକାରୀ ଭାବିବା ଏବଂ ମନରେ ଲଗାତାର ଅସୁରକ୍ଷାର ଭାବନା ଲାଗି ରହିବା।

(୧୦) ମାନସିକ ଅବସାଦ,  ଦୁଶ୍ଚିନ୍ତା, ଅସୁକ୍ଷାର ଭାବନା ଏବଂ ନିଜକୁ ସମାଜ ଠାରୁ ଦୂରେଇ, ଲୁଚାଇ ରଖିବା ପାଇଁ ଆପଣ ଅଧିକରୁ ଅଧିକ ନିଶା ବା ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ଜଙ୍କ ବା ଫାଷ୍ଟ ଫୁଡ୍ ଖାଉଛନ୍ତି, ଅଧିକ ସମୟ ଟିଭି କିମ୍ବା ଓଟିଟି ପ୍ଲାଟଫର୍ମ ଦେଖୁଛନ୍ତି ତାହେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନିଅନ୍ତୁ।

ମନେ ରଖନ୍ତୁ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ କିମ୍ବା  ପରାମର୍ଶ ନେବାର ଅର୍ଥ ଆଦୌ ନୁହେଁ ଯେ ଜଣେ ମଣିଷ ପାଗଳ। କିମ୍ବା ମାନସିକ ରୋଗର ଚିକିତ୍ସା ସମୟରେ ଯେ ସଦା ସର୍ବଦା କେବଳ ନିଦ ବଟିକାର ବ୍ୟବହାର କରାଯାଏ ତାହା ମଧ୍ୟ ଗୋଟିଏ ଭ୍ରାନ୍ତ ଧାରଣା। ଅନେକ ସମୟରେ ବିନା ଔଷଧରେ କେବଳ ଉଚିତ କାଉଁନସିଲ ମାଧ୍ୟମରେ ମଧ୍ୟ ଚିକିତ୍ସା ସମ୍ଭବ ହୋଇଥାଏ। କେବଳ ଶରୀର ନୁହେଁ ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବା ମଧ୍ୟ ଜରୁରୀ।

Mental Health Mental Health Awareness Mental Health Problems
Advertisment
Advertisment