• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗଛମୂଳେ ଲୋକେ ବସିଛନ୍ତି, ଗୁଣିଆ ମନ୍ତ୍ର ପାଠ କରି ଚେର ମୂଳି ଦେଉଛି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଆଜିକା ସମୟରେ ଗୁଣିଗାରେଡି ଉପରେ ଲୋକେ ବିଶ୍ୱାସ କରୁଛନ୍ତି ? ଦେହ ଖରାପ ହେଲେ ଲୋକେ ମେଡିକାଲ ଯିବେ । ହେଲେ ଏଇଠି ଏମିତି କିଛି ହେଉନି । ବରଂ ଚିକିତ୍ସା ସେବା ନପାଇ ଜୀବନ ବଂଚାଇବାକୁ ଗୁଣିଆ ପାଖକୁ ଯିବାକୁ ପଡୁଛି ବୋଲି କହୁଛନ୍ତି ଲୋକେ ।

ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି । ୫ଟି ବିଭାଗରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ନଥିବା ବେଳେ କିଛି ବିଭାଗରେ ଜଣିଏ ଲେଖାଏଁ ବିଶେଷଜ୍ଞ ଅଛନ୍ତି ।

ସ୍ଥିତି ଏମିତି ହେଲାଣି ଯେ ମେଡିକାଲରେ ଚିକିତ୍ସା ନପାଇବାରୁ ମାଲକାନଗିରି ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତର କୁମ୍ଭଗୁଡା ଗାଁର ଲୋକେ ଗୁଣିଆ ପାଖରେ ବସି କରୁଛନ୍ତି ଚିକିତ୍ସା । ଦୀର୍ଘଦିନ ହେବ ଜ୍ୱରରେ ପଡିବା ପରେ ମେଡିକାଲ ନଯାଇ ଗୁଣିଆ ପାଖରେ କରୁଛନ୍ତି ଚିକିତ୍ସା ।

କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ ବରଂ ଧର୍ମପାଲୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବି ସମାନ ଅବସ୍ଥା  । ସେଇଠି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ । ଯଦିଓ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି, ହେଲେ ସେ ଯଦି ଛୁଟିରେ ରହିଲେ ତେବେ ଫାର୍ମାସିଷ୍ଟ ଲୋକଙ୍କ ସାହାଭରସା । ପୂରା ଜିଲ୍ଲାରେ ଏବେ ଡାକ୍ତର ମରୁଡି । ମୁଖ୍ୟ ଚିକିତ୍ସାଳୟରେ ୧୦୯ ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୩୩ ଜଣ ଅଛନ୍ତି । ଜିଲ୍ଲାରେ ମୋଟ୍‌ ୨୭୭ ଜଣ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୦୯ । ଅଧିକାଂଶ ବିଭାଗରେ ଡାକ୍ତର ନାହାନ୍ତି । ତେଣୁ ନାହିଁନଥିବାର ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

ମୋଟ୍‌ ଉପରେ ଚିକିତ୍ସା କ୍ଷେତ୍ରରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ତେଣୁ ଯାହାଙ୍କ ପାଖରେ ପଇସା ଅଛି ସେମାନେ ଘରୋଇ ମେଡିକାଲ ଯାଇ ଚିକିତ୍ସିତ ହେଉଛନ୍ତି ଆଉ ଗରିବମାନେ ଗୁଣିଆ ଭରସାରେ ବଞ୍ଚୁଛନ୍ତି । ସେପଟେ ପୂରା ଘଟଣାକୁ ସ୍ୱୀକାର କରିବା ସହିତ ଚିକିତ୍ସା ଅସୁବିଧା ହେଉଥିବା କହିଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ । ସେପଟେ  ସିଡିଏମଓ କହୁଛନ୍ତି, କିଛି ଡାକ୍ତର ପିଜି କରିବାକୁ ଯାଇଥିବାରୁ ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ସୃଷ୍ଟି ହେଉଛି । ସ୍ୱାସ୍ଥ୍ୟ ସେବାକୁ ସୁଧାରିବାକୁ ଆମେ ଚେଷ୍ଟା କରୁଛୁ ।

 

  • Reported by:
  • JITENDRA BEURA