• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆପଣଙ୍କ ଘରେ ଯଦି ଜଣେ ବୃଦ୍ଧ ବୟସର ବ୍ୟକ୍ତି ଅଛନ୍ତି, ତାଙ୍କ ଖାଇବା ପିଇବା ନେଇ କୌଣସି ସ୍ୱାସ୍ଥ୍ୟ ସମସ୍ୟା ପାଇଁ କେବେ ଆପଣ ଚିନ୍ତିତ ହୋଇଛନ୍ତି କି? ଯଦି ସବୁ ସମୟରେ ଆମ ଘରର ବୁଢ଼ା ବାପା ମା ତଥା ଅନ୍ୟ ବୟସ୍କ ସଦସ୍ୟମାନଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆପଣ ଅସୁବିଧାରେ ପଡ଼ୁଛନ୍ତି, ତେବେ ଏଠାରେ ଆପଣଙ୍କୁ ସବୁ ଉତ୍ତର ମିଳିଯିବ। ଆଜି ଆମେ ସେମାନଙ୍କ ଖାଦ୍ୟାଭ୍ୟାସ ବିଷୟରେ ଆଲୋଚନା କରିବା।

ସାଧାରଣତଃ ବୃଦ୍ଧ ବ୍ୟକ୍ତିମାନଙ୍କ ଭୋକ ଲାଗିବାରେ ସମସ୍ୟା ଆସେ। ବୟସ ହେବା ସଙ୍ଗେ ସଙ୍ଗେ ଶାରୀରିକ ମେଟାବଲିଜିମ୍ କମିବା ଯୋଗୁଁ ଏପରି ଘଟେ। ଏଥିସହିତ ଦାନ୍ତ ଦୁର୍ବଳ ହୋଇଆସୁଥିବା ହେତୁ ଚୋବାଇବାରେ ମଧ୍ୟ ସମସ୍ୟା ଉପୁଜେ। ଫଳସ୍ୱରୂପ ହଜମ କ୍ରିୟା ଧୀର ହୋଇଯାଏ। ଏଣୁ ସର୍ବଦା ବୃଦ୍ଧ ବା ବୟସାଧିକ ବ୍ୟକ୍ତିମାନଙ୍କୁ ସହଜରେ ହଜମ ହେଉଥିବା ପରି ଖାଦ୍ୟ ଦେବାକୁ ପରାମର୍ଶ ଦିଆଯାଏ। ନିୟମିତ ଭୋକ ନ ହେବା ପରି ଲକ୍ଷଣ ଦେଖାଗଲେ ତୁରନ୍ତ କୌଣସି ଡାକ୍ତର କିମ୍ୱା ଖାଦ୍ୟ ବିଶେଷଜ୍ଞଙ୍କ ସହ ଦେଖା କରିବା ଜରୁରୀ।

ବୟସ ବଢ଼ିଲେ ଆମ ଶରୀରର ଅସ୍ଥିରେ କାର୍ଟିଲେଜ୍ ବା ଅସ୍ଥିମଜ୍ଜା କମିବାକୁ ଲାଗେ। ଏହା ଫଳରେ ଧିରେ ଧିରେ ହାଡ଼ ମଧ୍ୟ ଦୁର୍ବଳ ହୁଏ। ଯଦି ବ୍ୟକ୍ତିଙ୍କ ଓଜନ ଦରକାରଠୁ ଅଧିକ ଥାଏ ତେବେ କଷ୍ଟ ଦ୍ୱିଗୁଣିତ ହୋଇଯାଏ। ଏଣୁ ଖାଦ୍ୟରେ ବିଭିନ୍ନ ପ୍ରକାର ଖଣିଜ ଲବଣ ବା ମିନେରାଲ୍ସ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ମ୍ୟାଗ୍ନେସିୟମ୍, ପୋଟାୟିୟମ୍, କ୍ୟାଲସିୟମ୍ ଆଦି ଭରପୂର ଥିବା ଶାଗ, ପରିବା ଆଦି ମଧ୍ୟମ ପରିମାଣରେ ନେଇପାରିବା। ଧ୍ୟାନ ରଖନ୍ତୁ ମିନେରାସଲ୍ସ ଅଧିକ ହେଲେ ମଧ୍ୟ ତାହାର ପ୍ରତିକୂଳ ପ୍ରଭାବ ପଡ଼େ।

ଖାଦ୍ୟରେ ଅତ୍ୟଧିକ ପ୍ରୋଟିନ୍ ବା ପୁଷ୍ଟିସାରରୁ ଦୂରେଇ ରଖନ୍ତୁ। ସାଧାରଣତଃ ଘରେ କୌଣସି ବଡ଼ ଲୋକଙ୍କ ଦେହ ଖରାପ ହେଲେ ଯିଏ ବନ୍ଧୁବାନ୍ଧବ ବା ସାଇ ଭାଇ ଦେଖବାକୁ ଆସନ୍ତି ସେମାନେ ସାଙ୍ଗରେ ପ୍ରୋଟିନ୍ ପାଉଡର୍ ଓ ଫଳ ନେଇ ଆସନ୍ତି। ହେଲେ, ଆମେ ଜାଣି ରଖିବା ଉଚିତ୍, ଆମର ଓଜନ କିଗ୍ରା ପିଛା ଦୈନିକ ଏକ ଗ୍ରାମ୍ ପ୍ରୋଟିନ୍ ଏକ ସୁସ୍ଥ ମଣିଷ ହିଁ ହଜମ କରିପାରେ। ବୟସ ବଢ଼ିଲେ ଶରୀରର ପାଚନତନ୍ତ୍ର ଧୀର ହେବାରୁ ହଜମ ଶକ୍ତି କମିଥାଏ। ଏଣୁ ପ୍ରୋଟିନ୍ ପାଉଡର୍ ନେବା ଦ୍ୱାରା ଏହା ଶରୀରରେ ହଜମ ନ ହୋଇ ପୁଷ୍ଟିସାର ଜମା ହୋଥଏ। ତରଳ ଝାଡ଼ା ଓ କିଡନି ସମସ୍ୟା ଆଦି ପରିଶେଷରେ ଦେଖାଯିବାର ନଜିର ରହିଛି।

ମାଛର ଚର୍ମ, ମୁଣ୍ଡ ଓ ଲାଞ୍ଜ ନ ଦେଇ ପେଟ ଖାଇବା ଉଚିତ୍। କାରଣ ଏହା ଅତି ବେଶୀ କ୍ୟାଲୋରୀ ଯୁକ୍ତ ହୋଇଥାଏ। ଖାଦ୍ୟରେ ମିଶ୍ରିତ ପରିମାଣର ଫାଇବର୍, ପ୍ରୋଟିନ୍, ଶ୍ୱେତସାର ଓ ସ୍ନେହସାର ରହିବା ଆବଶ୍ୟକ। ଯଦି ବୃଦ୍ଧଜଣକ ଡାଇବେଟିସ୍ କିମ୍ୱା ବ୍ଲଡ୍ ପ୍ରେସରରେ ଆକ୍ରାନ୍ତ ତେବେ କୌଣସି ଡାଏଟ୍ ପରିବର୍ତ୍ତନ ପୂର୍ବରୁ ପ୍ରଥମେ ଡାଏଟିସିଆନ୍‌ଙ୍କ ସହ କଥା କୁହନ୍ତୁ। ଅତ୍ୟଧିକ ମିଠା ମଧ୍ୟ ବାରଣ କରିବେ। ଏଥିସହିତ ସେଓ, କମଳା, ପିଜୁଳି, ତରଭୂଜ ପରି ଫଳ ମଧ୍ୟ ସେମାନଙ୍କୁ ନିୟମିତ ଦେବା ଦରକାର। ଫ୍ରିଜ୍‌ରୁ କାଢ଼ି ସଙ୍ଗେସଙ୍ଗେ ସେମାନଙ୍କୁ ଦେବେନି। ଏଥିସହିତ ବାସି ଖାଦ୍ୟ, ବେଶୀ ଗରମ ଖାଦ୍ୟ ତଥା ସିଗାରେଟ୍ ଆଦି ସେବନରୁ ସେମାନଙ୍କୁ ବିରତ ରଖିବାକୁ ପଡ଼େ।

ମୁଖ୍ୟତଃ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି12 ପରି ଖାଦ୍ୟସାର ବୟସ୍କ ବ୍ୟକ୍ତିମାନଙ୍କ ଠାରେ ଅଭାବ ହେବା ଦେଖାଯାଏ। ଏଥିପାଇଁ, ଉଷୁନା ଭାତ, ଫଳ ଓ ସବୁଜ ପନିପରିବା (ଭଲରେ ରନ୍ଧାଯାଇଥିବା), ଛେନା, ସିଝା କ୍ଷୀର, ଡାଲି, ଆଦି ଦେଇପାରିବେ। ଯଦି ବ୍ୟକ୍ତିଜଣଙ୍କର ଲାକ୍ଟୋଜ୍ ଇନଟଲେରାନ୍ସ ବା ଦୁଗ୍ଧଜନିତ ଆଲର୍ଜି ରହିଛି ତେବେ କ୍ଷୀରଜାତ ଖାଦ୍ୟ ଦିଅନ୍ତୁ ନାହିଁ। ଖାଦ୍ୟରୁ ଆବଶକୀୟ ପୋଷଣ ମିଳି ନପାରିଲେ, ସପ୍ଲିମେଣ୍ଟ ଆକାରରେ ନେବା ପାଇଁ ଡାକ୍ତରଙ୍କ ସହ କଥା ହୁଅନ୍ତୁ। ବଜାରରେ ମିଳୁଥିବା ରେଡିମେଡ୍ ଜୁସ୍ ଆଦି ନ ଦେଇ ଘରେ ସୁନ୍ଦର ଭାବେ ପ୍ରସ୍ତୁତ ପାନୀୟ ଦିଅନ୍ତୁ।

ଘରେ ରହୁଥିବା ବୃଦ୍ଧମାନଙ୍କର ଶାରୀରିକ ସହ ମାନସିକ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖିବାକୁ ପଡ଼େ। ମନରେ ଆମ ବୁଢ଼ାବାପା ମାଆଙ୍କର ଅଧିକ ଧ୍ୟାନ ରଖିବାକୁ ପଡ଼ଡେ। ମାନେ ଯେତେ ସୁଖୀ ରୁହନ୍ତି ସେତେ ସେମାନଙ୍କ ଶରୀରର ରୋଗଗ୍ରସ୍ତ ହେବାରୁ ଦୂରରେ ରୁହେ ବୋଲି ଜଣାଯାଏ। ଏଣୁ ବୟସ୍କମାନଙ୍କୁ ମଧ୍ୟ ବାହାରେ ବୁଲିବାକୁ ଯିବାକୁ ଦେବା, ଯୋଗ ପରି କାର୍ଯ୍ୟକଳାପ କରି ସେମାନଙ୍କ ମନ ଖୁସୀ ରଖିହେବ। ସେମାନଙ୍କ ମନର କଥା ବୁଝି ସେମାନଙ୍କ ସହ ଟିକେ ସ୍ନେହଭରା କଥା ହୋଇଗଲେ ହିଁ ତାହା ତାଙ୍କ ପାଇଁ ଥେରାପି ପରି କାମ କରେ। ଆବଶ୍ୟକ ସ୍ଥଳେ ସେମାନେ ନେଉଥିବା ଔଷଧ ପ୍ରତି ଧ୍ୟାନ ଦେଇ ସେହି ଅନୁସାରେ ଖାଦ୍ୟରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏପରି ହେଲେ ବୃଦ୍ଧାବସ୍ଥାରେ ମଧ୍ୟ ସେମାନେ ଖୁସିରେ ଜୀବନଯାପନ କରିବେ ଓ ସୁସ୍ଥ ରହିବେ।