Dry Mouth
ଭୟ କିମ୍ବା ବହୁତ ସମୟ ଖରାରେ ବୁଲିବା, କମ ପାଣି ପିଇବା କାରଣରୁ କେବେ କେମିତି ପାଟି ଭିତର ଶୁଖିଲା ଓ ଅଠା ଅଠା ଲାଗିବା ପ୍ରାୟ ସମସ୍ତେ ଅନୁଭବ କରିଥିବେ। କିନ୍ତୁ ଯଦି ଏହା ଲଗାତାର ଦେଖାଯାଏ ଏବଂ ଖାଦ୍ୟ ଚୋବାଇବା ଠାରୁ ଆରମ୍ଭ କରି ଢୋକିବା ପର୍ଯ୍ୟନ୍ତ ଆପଣ ଅସୁବିଧା ଅନୁଭବ କରନ୍ତି ତାହାଲେ ଆପଣ ଜେରୋଷ୍ଟୋମିଆ ନାମକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥାଇ ପାରନ୍ତି। ଚାଲନ୍ତୁ ଜାଣିବା କ’ଣ ଏହି ଜେରୋଷ୍ଟୋମିଆ ଏବଂ କ’ଣ ଉପାୟ କରିବେ ପାଟି ଏମିତି ଶୁଖିଲା ଓ ଅଠାଅଠା ଲାଗିଲେ।
ଜେରୋଷ୍ଟୋମିଆ କ’ଣ: ଭୟ, ଅତ୍ୟଧିକ ଗରମ, ଡିହାଇଡ୍ରେସନ୍ ଆଦି କାରଣରୁ ଲାଳ ବା ସାଲାଇଭା ସିକ୍ରେସନ୍ ବା କ୍ଷରଣ ବାଧାପ୍ରାପ୍ତ ହୋଇ, ପାଟି ଶୁଖିଲା ବା ଡ୍ରାଏ ରହିବା ଗୋଟିଏ ସାଧାରଣ ଏବଂ ସାମୟିକ ସମସ୍ୟା। କିନ୍ତୁ ଯଦି କେହି ବ୍ୟକ୍ତି ଏହି ସମସ୍ୟା ଲଗାତାର ଓ ଲମ୍ବା ସମୟ ପାଇଁ ଭୋଗନ୍ତି ଏବଂ ଏହି ପରିସ୍ଥିତି କେବଳ ତାଙ୍କର ପାଟି ଶୁଖିଲା ଲାଗିବା କିମ୍ବା ଅଠା ଲାଗିବା ଭିତରେ ସୀମିତ ନରହି ଖାଦ୍ୟ ଚୋବାଇବା, ଢୋକିବା ଏମିତିକି କଥା କହିବାରେ ମଧ୍ୟ ଅସୁବିଧା ଉତ୍ପନ୍ନ କରିଥାଏ ତାହାଲେ ଏହାକୁ ଶୁଷ୍କ ମୁଖ ଗହ୍ବର ବା ଡ୍ରାଏ ମାଉଥ୍ ବା ଜେରୋଷ୍ଟୋମିଆ କୁହାଯାଏ। ଏହା ମୁଖ ଗହ୍ଵରର ସ°କ୍ରମଣ ଏବଂ ଦାନ୍ତ ନଷ୍ଟ ହେବାର ମଧ୍ୟ କାରଣ ହୋଇଥାଏ।
ସାଲାଇଭା ବା ଲାଳ କ’ଣ: ଆମ ପାଟିରେ ଥିବା ଲାଳ ବା ଛେପ ଆମ ମୁଖ ଗହ୍ଵରରେ ଥିବା ୪ ପ୍ରକାର (ପ୍ୟାରୋଟିଡ୍, ସବ୍ ମାଣ୍ଡିବୁଲାର୍, ସବ୍ ଲିଙ୍ଗୁଆଲ୍ ଏବଂ ପାଟିର ତଳ ବା ଫ୍ଲୋରରେ ଥିବା ୬୦୦-୧୦୦୦ଟି ଛୋଟ ଛୋଟ ଗ୍ରନ୍ଥି) ଲାଳ ଗ୍ରନ୍ଥି ବା ସାଲାଇଭାରୀ ଗ୍ଲାଣ୍ଡରୁ କ୍ଷରଣ ହୋଇଥାଏ। ଏହି ଲାଳ ବା ଛେପ ଯେ କେବଳ ଆମ ମୁଖ ଗହ୍ଵରକୁ ଓଦା ରଖେ ତା ନୁହେଁ ବରଂ ଏହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ ମଧ୍ୟ। ଲାଳ ବା ସାଲାଇଭା ଆମର ନିମ୍ନ ଲିଖିତ କାମରେ ଆସିଥାଏ:
ଏହା ଖାଦ୍ୟ କୁ ଓଦା ଓ ନରମ କରି ଭାଙ୍ଗି ଛୋଟ ଆକାରର ହେବାରେ ସାହାଯ୍ୟ କରିଥାଏ, ଯାହାଦ୍ଵାରା ଖାଦ୍ୟ ସହଜରେ ଚୋବାଇ ହୁଏ ଏବଂ ଢୋକି ହୁଏ
ଦାନ୍ତରେ ଲାଗିଥିବା କ୍ଷୁଦ୍ର ଖାଦ୍ୟ କଣିକାକୁ ପାଟିରୁ ସଫା ବା ନିଷ୍କାସିତ କରିବାରେ ସାହାଯ୍ୟ କରେ, ଯାହା ଦ୍ବାରା ମୁଖ ଗହ୍ଵର ସଫା ରୁହେ ତଥା ଦାନ୍ତ ଏବଂ ମାଢିରେ ସ°କ୍ରମଣରୁ ରକ୍ଷା ମିଳିଥାଏ
ଅଧିକ ପଢ଼ନ୍ତୁ: ରାତିରେ ଯେତେ ଶୋଇଲେ ବି ଦିନରେ ନିଦ ଲାଗୁଛି କି… ହୋଇପାରେ ଏହିସବୁ ସାଙ୍ଘାତିକ ରୋଗ
ଲାଳରେ ଥିବା କ୍ୟାଲସିୟମ ଏବଂ ଫସଫରସ ଦାନ୍ତକୁ ସୁସ୍ଥ ରଖେ
ଏଥିରେ ଥିବା ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ପଦାର୍ଥ ମୁଖ ଗହ୍ଵରକୁ ବାହ୍ୟ ସଂକ୍ରମଣରୁ ସୁରକ୍ଷିତ ରଖେ।
ଜେରୋଷ୍ଟୋମିଆ ବା ଶୁଷ୍କ ମୁଖ ଗହ୍ଵରର ଲକ୍ଷଣ:
ପାଟି ଶୁଖିଲା ଓ ଅଠାଳିଆ ଲାଗିବା
ଖାଦ୍ୟ ଚୋବାଇବା ଓ ଢୋକିବାରେ ସମସ୍ୟା ଦେଖାଯିବା
ପାଟି ଭିତରେ ଜଳାପୋଡା ହେବା
ଓଠ ଫାଟିବା
ଜିଭ ଶୁଷ୍କ, ଟାଣ ଏବଂ ଖଦଡିଆ ଲାଗିବା
ବାରମ୍ବାର ପାଟି ଘା’ ହେବା
ବାରମ୍ବାର ମୁଖ ଗହ୍ଵର ସ°କ୍ରମଣ ଦେଖାଯିବା
ପାଟି ଦୁର୍ଗନ୍ଧ ହେବା
ଜେରୋଷ୍ଟୋମିଆର ସମ୍ଭାବ୍ୟ କାରଣ:
ଔଷଧ ସେବନ- ଉଚ୍ଚ ରକ୍ତଚାପ, ଅବସାଦ, ଆଲର୍ଜି ଆଦି ର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ତଥା କର୍କଟ ରୋଗର ଚିକିତ୍ସା ପାଇଁ କେମୋଥେରାପି ଓ ରେଡ଼ିଓ ଥେରାପିର ପାର୍ଶ୍ଵ ପ୍ରତିକ୍ରିୟା କାରଣରୁ ଡ୍ରାଏ ମାଉଥ ହୋଇପାରେ
ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା: ମଧୁମେହ, ଏଚ୍ ଆଇ ଭି ସଂକ୍ରମଣ, ସୋଗ୍ରେନ୍’ସ ଡିସିଜ୍, ଲାଳ ଗ୍ରନ୍ଥିର ବ୍ୟାଧି
ସ୍ନାୟୁ ଗତ: ଲାଳ ଗ୍ରନ୍ଥୀ ବା ସାଲାଇଭାରି ଗ୍ଲାଣ୍ଡକୁ ସପ୍ଲାଇ ହୋଇଥିବା ସ୍ନାୟୁ ନଷ୍ଟ ହୋଇଯିବା
ପାଟି ପଟେ ନିଶ୍ବାସ ନେବା
ମଦ୍ୟପାନ, ଧୂମପାନ ଏବଂ ନିଶା ସେବନ
ବୟସ ବଢିବା
ଜେରୋଷ୍ଟୋମିଆ ଡାଏଗ୍ନୋସିସ୍:
ଔଷଧ ସେବନର ତାଲିକା
ଅନ୍ୟାନ୍ୟ ସମ୍ଭାବ୍ୟ ବ୍ୟାଧି ପାଇଁ ରକ୍ତ ପରୀକ୍ଷା
ସାଲାଇଭାରୀ ଗ୍ଲାଣ୍ଡର ପରୀକ୍ଷା: ଲାଳ କ୍ଷରଣର ମାତ୍ରା ଜାଣିବା ପାଇଁ ସାଲାଇଭା କଲେକ୍ସନ୍, ସାଇଲୋମେଟରୀ ଏବଂ ସାଲାଇଭାରୀ ଗ୍ଲାଣ୍ଡର ଇମେଜି° ବା ସିଣ୍ଟିଗ୍ରାଫି, ସାଲାଇଭାରୀ ଗ୍ଲାଣ୍ଡର କୋଷ ଗୁଡିକର ପରୀକ୍ଷା ବା ବାୟୋପ୍ସି
ଚିକିତ୍ସା: ଜେରୋଷ୍ଟୋମିଆର ଚିକିତ୍ସା ତା’ର କାରଣ ଉପରେ ନିର୍ଭର କରେ
ଜେରୋଷ୍ଟୋମିଆରୁ ଉପଶମର ଉପାୟ:
ନିୟମିତ, ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ପାଣି ପିଅନ୍ତୁ
ପାଟିରେ ବରଫ ରଖନ୍ତୁ କିମ୍ବା ସୁଗାର-ଫ୍ରି ଆଇସ୍ କ୍ୟାଣ୍ଡି ବ୍ୟବହାର, ଜାଇଲିଟଲ୍ ଲଜେନ୍ସ ପାଟିରେ ରଖି ହେବ
ତନ୍ତୁ ଯୁକ୍ତ ଫଳ-ପନିପରିବା ଖାଆନ୍ତୁ: ଗାଜର, ଜାମୁରୋଳ, ନାସପାତି, ଆପେଲ୍, କାକୁଡି ଆଦି ଚୋବାଇ ଚୋବାଇ ଖାଆନ୍ତୁ
ଫ୍ଲୋରାଇଡ୍ ଟୁଥ୍-ପେଷ୍ଟ ଏବଂ ନନ୍-ଆଲକୋହଲିକ୍ ମାଉଥ୍ଓ୍ବାସ୍ ବ୍ୟବହାର କରନ୍ତୁ, ସଫ୍ଟ ବ୍ରିସଲ୍ ଟୁଥ୍-ବ୍ରସ୍ ବ୍ୟବହାର କରନ୍ତୁ
ଘରେ ନିଜ କକ୍ଷରେ ହ୍ୟୁମିଡିଫାଏର ବ୍ୟବହାର କରନ୍ତୁ
ସାଲାଇଭା ବା ଲାଳର ସବଷ୍ଟିଚ୍ୟୁଟ୍ ହିସାବରେ ଜେଲ୍ ଏବଂ ସ୍ପ୍ରେ ବ୍ୟବହାର କରି ପାରିବେ
କ’ଣ କରିବେ ନାହିଁ:
କଫି ସେବନ କରନ୍ତୁ ନାହିଁ
ମଦ୍ୟପାନ, ଧୂମପାନ କରନ୍ତୁ ନାହିଁ
ଅତ୍ୟଧିକ ମିଠା, ସୁଗାର, ତେଲ-ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
ଆଲକୋହଲ୍ ଯୁକ୍ତ କମର୍ସିଆଲ ମାଉଥ୍ଓ୍ବାସ୍ ବ୍ୟବହାର କରନ୍ତୁ ନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dry_Mouth_1750076905.jpg)