‘ଏ ବାବୁ ମୋ ନାତିକୁ ବଞ୍ଚେଇ ଦିଅ’ ! ନାତିକୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଇଁଲା ବୁଢୀ ମା, ତଥାପି....

ବିଚିତ୍ର ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଚିତ୍ର ଆମ ସରକାରୀ ବାବୁ । ସକାଳ ପହରୁ ସଞ୍ଜ ଯାଏଁ ବୁଢୀ ମାଆଟିଏ ତା’ ମାସକର ନାତିକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲା ପଛେ ସ୍ୱାସ୍ଥ୍ୟ ସେବା ପାଇଲା ନାହିଁ ।

କି ବିକଳ ଏ ଦୃଶ୍ୟ

‘ହେ ବାବୁ ମୋ ନାତିକୁ ବଞ୍ଚେଇ ଦିଅ । ମୋ ନାତି ଆଉ କାନ୍ଦୁନି । ତା’ର କ’ଣ ହୋଇଛି ଟିକେ କହିଦିଅ । ତୁମେ ଟିକିଏ ଚେଷ୍ଟାକର ଡାକ୍ତର ବାବୁ ମୋ ନାତିଟା ବଞ୍ଚିଯିବ । ଏଭଳି କିଛି ଗୁହାରୀ କରି କୋଳରେ ଏକମାସର ନାତିକୁ ଧରି ଏତେ ବଡ ଖରାରେ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଧାଉଁଥିଲା ବୁଢ଼ୀ ମା’ ଜଣକ । ହେଲେ ବିଚିତ୍ର ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଚିତ୍ର ଆମ ସରକାରୀ ବାବୁ... ସିଡିଏମଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦଉଡ଼ି ଦଉଡ଼ି ନାତି ଆଖି ବୁଜିଲା ପଛେ ସ୍ୱାସ୍ଥ୍ୟସେବା ମିଳିଲାନି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ।

ଅଭିଯୋଗ ଅନୁସାରେ ଗାଁର ସମ୍ରାଟ ପଧାନ ଏବଂ କୁନି ପଧାନଙ୍କ ମାସକର ଶିଶୁପତ୍ର ହଠାତ ଅସୁସ୍ଥ ହୋଇପଡ଼ିଥିଲା । ତୁରନ୍ତ ପିଲାଟିକୁ ଜିଲ୍ଲାର ପ୍ରସୂତିକାଳୀନ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବୁର୍ଲା ମେଡିକାଲକୁ ରେଫର୍ କରିଦେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ନେଇଥିଲେ ପରିବାର ଲୋକେ । ଅଧାବାଟରେ ଶିଶୁଟିର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ବାପାମା’ ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ।

ହେଲେ ଦୁର୍ଭାଗ୍ୟ ସେଠାରେ ଡାକ୍ତରମାନେ ଶିଶୁଟିର ଚିକିତ୍ସା କରିବା ବଦଳରେ ପୁଣି ଥରେ ସୋନପୁରକୁ ପଠାଇ ଦେଇଥିଲେ । ସେଠାରେ ପହଞ୍ଚିବା ପରେ ନିଶ୍ଚଳ ହୋଇ ଶୋଇ ରହିଥିବା ଶିଶୁଟିକୁ କେହି ଟିକେ ଦେଖିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଫଳରେ ଅନ୍ୟ ଉପାୟ ନପାଇ ସିଡିଏମଓ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଉଡ଼ିଥିଲେ ପିଲାଟିର ବାପାମା ଓ ବୁଢ଼ୀ ମା’ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରସୂତକାଳୀନ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁଟିର ସ୍ୱାସ୍ଥ୍ୟ ଯାଞ୍ଚ କଲାବେଳକୁ ଶିଶୁଟି ଆଖିବୁଜି ସାରିଥିଲା । ସେପଟେ ଏନେଇ ପ୍ରତିକ୍ରିୟା ରଖି ସିଡିଏମଓ, ଅଭିଭାବକଙ୍କ ଉପରକୁ ଦୋଷାରୋପ କରିଛନ୍ତି।....