ହାଇପୋଥାଇରଏଡିଜମ୍ କ’ଣ:
Also Read
ମଣିଷ ଗଳାର ସମ୍ମୁଖ ପାଖରେ, ଠିକ୍ ଶ୍ବାସନଳୀ ଆରମ୍ଭ ହେବା ପୂର୍ବରୁ, ପ୍ରଜାପତି ଆକାରର ଗୋଟିଏ ଗ୍ଲାଣ୍ଡ ଥାଏ, ଯାହାକୁ ଥାଇରଏଡ୍ (Thyroid) ଗ୍ଲାଣ୍ଡ୍ କୁହାଯାଏ। ଏଥିରୁ ଥାଇରଏଡ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ, ଯାହା ଶରୀରରେ metabolism (ଖାଦ୍ୟ ପାଚନ ପରେ ଖାଦ୍ୟସାରରୁ ଉର୍ଜା ପ୍ରସ୍ତୁତ କରିବା ପ୍ରକ୍ରିୟା) ଏବଂ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ। ଯେତେବେଳେ ଏହି ଗ୍ଲାଣ୍ଡ୍ ମୋଟା ହୋଇ ହରମୋନର ମାତ୍ରା ବାଧାପ୍ରାପ୍ତ ହୁଏ ବା ଥାଇରଏଡ୍ ହରମୋନ୍ ଆବଶ୍ୟକତା ଠାରୁ କମ୍ କ୍ଷରଣ ହୋଇଥାଏ, ସେତେବେଳେ ଏହାକୁ ହାଇପୋଥାଇରଏଡିଜମ୍ (Hypothyroidism) ବୋଲି କୁହାଯାଏ। ରକ୍ତ ପରୀକ୍ଷା ଦ୍ଵାରା ଶରୀରରେ ଥାଇରଏଡ୍ ହରମୋନର ମାତ୍ରା ଓ ଅସନ୍ତୁଳନ ବିଷୟରେ ଜାଣି ହୁଏ ଏବଂ ଡାକ୍ତରଙ୍କ ପରାମର୍ଶ (Endocrinologist) ଅନୁସାରେ ଔଷଧ ସେବନ ଦ୍ବାରା ଏହାର ନିୟନ୍ତ୍ରଣ ଏବଂ ଚିକିତ୍ସା ସମ୍ଭବ ହୋଇଥାଏ।
ହାଇପୋଥାଇରଏଡିଜମର ଲକ୍ଷଣ:
- ହଠାତ୍ ଓ ଅନିୟନ୍ତ୍ରିତ ଭାବରେ ଓଜନ ବଢିବା
- ଗୋଡହାତ ଏବଂ ଶରୀରର ଅନ୍ୟାନ୍ୟ ମା°ସପେଷୀ ଘୋଳା ବିନ୍ଧା ହେବା, ଦରଜ ରହିବା
- ଥକ୍କା ବା ହାଲିଆ ଲାଗିବା
- ହାତ ଏବଂ ପାଦ ଝିମଝିମ୍ ଲାଗିବା
- ମୁହଁ ଫୁଲିଲା ପରି ଦେଖାଯିବା (puffiness of face), ଉପର ଆଖିପତା ତଳକୁ ଓହଳି ରହି ରହିବା ଏବଂ ତଳ ଆଖିପତା ଫୁଲା ରହିବା
- ତ୍ବଚା ଏବଂ କେଶ ଶୁଷ୍କ ହୋଇଯିବା, କେଶ ଝଡିବା
- କଣ୍ଠସ୍ବର ମୋଟା ଓ ଭାରି ଶୁଭିବା (hoarseness)
- ଋତୁସ୍ରାବରେ ଅନିୟମିତତା ଏବଂ ଅତ୍ୟଧିକ ଋତୁସ୍ରାବ ହେବା
- ଥଣ୍ଡା ପାଗ ବା କମ୍ ତାପମାତ୍ରା ସହି ନପାରିବା
- ରକ୍ତରେ ଚର୍ବି ବା cholesterol ମାତ୍ରା ବୃଦ୍ଧି ପାଇବା
- ମାନସିକ ଅବସାଦ (depression) ଏବଂ ଦୁଶ୍ଚିନ୍ତା (anxiety) ଦେଖାଯିବା
- ସ୍ମରଣ ଶକ୍ତି ଓ ଏକାଗ୍ରତା ହ୍ରାସ ପାଇବା (Brain Fog)
ହାଇପୋଥାଇରଏଡିଜମର କୁପ୍ରଭାବ:
ଅନିୟନ୍ତ୍ରିତ ହାଇପୋଥାଇରଏଡିଜମ୍, ଉଚିତ ଚିକିତ୍ସା ଅଭାବ ଏବଂ ଔଷଧ ସେବନରେ ଅନିୟମିତତା କ୍ଷେତ୍ରରେ ଏହା ଶରୀର ଉପରେ ଆହୁରି ଗଭୀର ପ୍ରଭାବ ପକାଇ ଥାଏ।
ଗଏଟର୍ (goiter) : ଥାଇରଏଡ୍ ଗ୍ଲାଣ୍ଡ୍ ଫୁଲି, ବଡ ହୋଇ ଗଳାର ସାମନା ଅ°ଶରେ ଏକ ଥଳି ଭଳି ଦେଖାଯାଏ। ସାଧାରଣତଃ ଆୟୋଡିନ୍ ଅଭାବରୁ ଏହା ଘଟିଥାଏ।
ହୃଦୟରୋଗ: ହୃଦୟର ସ୍ପନ୍ଦନ ଅନିୟମିତ ଏବଂ ବଢିଯିବା (arrhythmia), ହୃଦୟର କାର୍ଯ୍ୟକ୍ଷମତା ବଧାପ୍ରାପ୍ତ ହେବା, ଉଚ୍ଚରକ୍ତଚାପ, ହୃଦଘାତ ଆଦି ଦେଖାଯାଏ।
ବନ୍ଧ୍ୟାଦୋଷ (infertility):
ଗର୍ଭପାତ ଏବଂ ଗର୍ଭସ୍ଥ ଶିଶୁର ବିକାଶ ବାଧାପ୍ରାପ୍ତ ହେବା
ହାତ-ପାଦ ଝିମଝିମ୍ ଲାଗିବା, ପିମ୍ପୁଡି ଚାଲିବା ପରି ଲାଗିବା (peripheral neuropathy)
ମିକ୍ସିଡିମା କୋମା: ଏଥିରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ (organs) ପ୍ରଭାବିତ ହୋଇଥାନ୍ତି ଏବଂ ଏହା ପ୍ରାଣଘାତକ ହୋଇ ପାରେ।
ହାଇପୋଥାଇରଏଡିଜମରେ କ’ଣ ଖାଇବେ ନାହିଁ:
ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ପାଳଙ୍ଗ ଶାଗ ପରି ପରିବା (cruciferous vegetables): ଏଥିରେ goitrogenic compounds ରହିଥାଏ ଯାହା ଥାଇରୋଏଡ୍ ହରମୋନ୍ କ୍ଷରଣରେ ଵାଧା ସୃଷ୍ଟି କରେ।
ସୋୟାବିନ୍ ଏବଂ ସୋୟାଜାତ ଦ୍ରବ୍ଯ: ଏଥିରେ ଥିବା goitrogenic compounds and phytoestrogen ପ୍ରଭାବରେ ଶରୀର ଥାଇରଏଡ୍ ହରମୋନ୍ ଔଷଧକୁ ସଠିକ ଭାବରେ ଗ୍ରହଣ କରିପାରେନି ଏବଂ ଏହାର କାର୍ଯ୍ୟକ୍ଷମତା ବାଧା ପ୍ରାପ୍ତ ହୁଏ।
ଚର୍ବି ଜାତୀୟ ଖାଦ୍ୟ: ଅଧିକ ଚର୍ବି ବା ଫ୍ୟାଟି ଖାଦ୍ୟ ପ୍ରଭାବରେ ଶରୀର ଥାଇରଏଡ୍ ହରମୋନ୍ ଔଷଧକୁ ଠିକ୍ ଭାବରେ ଗ୍ରହଣ କରି ପାରେନି। ଯେହେତୁ ଶରୀରର ମେଟାବୋଲିଜିମ୍ ଶିଥିଳ ଥାଏ ତେଣୁ ଚର୍ବିଜାତୀୟ ପଦାର୍ଥର ପାଚନ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଅଧିକ ଓଜନବୃଦ୍ଧିର ମଧ୍ୟ କାରଣ ହୋଇଥାଏ। ହାଇପୋଥାଇରଏଡିଜମ୍ ରେ ପିଡୀତ ବ୍ୟକ୍ତି ଛଣାଛଣି ଖାଦ୍ୟ, ଲହୁଣୀ, mayonnaise, margarine ଆଦି ଖାଇବା ଅନୁଚିତ।
ଗହମ, ବାର୍ଲି ଏବଂ ରେ’: ଏହିସବୁ ଗ୍ଲୁଟିନ୍ ଯୁକ୍ତ ଖାଦ୍ୟ କ୍ଷୁଦ୍ରାନ୍ତ ଉପରେ କୁପ୍ରଭାବ ପକାଏ ଯାହା ଶରୀରର ଥାଇରଏଡ୍ ହରମୋନ୍ ଔଷଧ ଗ୍ରହଣ କରିବା ହ୍ରାସ କରେ।
ଅଧିକ ଶର୍କରା ଯୁକ୍ତ ଖାଦ୍ୟ: କେକ୍, ପ୍ୟାଷ୍ଟ୍ରି, କ୍ୟାଣ୍ଡି, ସୁଗାର ସିରପ୍ ଏବଂ ଥଣ୍ଡା ମୃଦୁ ପାନୀୟ ଶରୀରକୁ କୌଣସି ବିଶେଷ ଉପକାରୀ ଖାଦ୍ୟସାର ଯୋଗାନ୍ତି ନାହିଁ କିନ୍ତୁ ଓଜନବୃଦ୍ଧିର କାରଣ ହୋଇଥାନ୍ତି।
କଫି/ କ୍ୟାଫେନ୍ ଯୁକ୍ତ ଖାଦ୍ୟ: ଶରୀରର ଥାଇରଏଡ୍ ହରମୋନ୍ ଔଷଧର ଗ୍ରହଣ କରିବା କ୍ଷମତା ହ୍ରାସ କରେ ଏବଂ ପ୍ରାକୃତିକ ଭାବରେ T4 ନାମକ ଥାଇରଏଡ୍ ହରମୋନର କ୍ଷରଣ ହ୍ରାସ କରେ।
ଆଲକୋହଲ୍ ବା ମଦ ଶରୀରର ଥାଇରଏଡ୍ ହରମୋନର ବ୍ୟବହାର କରିବା କ୍ଷମତାକୁ ହ୍ରାସ କରେ।
ପ୍ରୋସେସ୍ଡ ମିଟ୍: ଏଥିରେ ଥିବା ନାଇଟ୍ରେଟ୍ସ ଏବଂ ଅନ୍ୟାନ୍ୟ ପ୍ରିଜରଭେଟିଭ୍ ଶରୀରର ଆୟୋଡିନ୍ ଗ୍ରହଣ କରିବା କ୍ଷମତାକୁ ହ୍ରାସ କରେ।
ଚିନାବାଦାମ ଏବଂ ପାଇନ୍ ନଟ୍ସ।
ହାଇପୋଥାଇରଏଡିଜମରେ କ’ଣ ଖାଇବେ:
ଫଳ ଓ ପନିପରିବା: ଏଥିରେ ଥିବା ବିଭିନ୍ନ ପ୍ରକାରର ମାଇକ୍ରୋନ୍ୟୁଟ୍ରିଏଣ୍ଟସ, ଆଣ୍ଟିଅକ୍ସିଡାଣ୍ଟସ ଥାଇରୋଏଡ୍ ଗ୍ଲାଣ୍ଡର କାର୍ଯ୍ୟ କ୍ଷମତା ବଢାଇ ଥାଏ ଓ ହରମୋନ୍ କ୍ଷରଣରେ ସାହାଯ୍ୟ କରେ।
ପ୍ରୋଟିନ୍ ବା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯେମିତିକି ଅଣ୍ଡାର ଧଳା ଅ°ଶ, ମାଛ, ଡାଲିଜାତୀୟ ଦ୍ରବ୍ୟ, ନିଶ୍ଚିତ ଭାବରେ ପ୍ରତ୍ୟେକ ମିଲରେ ସାମିଲ କରିବା ଉଚିତ।
ନାଲି ଚାଉଳ, ବାଜରା ଏବଂ ଓଟ୍ସ ପରି ସମ୍ପୂର୍ଣ୍ଣ ଶଷ୍ୟକୁ ଖାଦ୍ୟରେ ସାମିଲ କରିବା ଜରୁରୀ, ଏଥିରେ ଥିବା complex ଶ୍ବେତସାର ଶରୀରକୁ ପୋଷଣ ଏବଂ ଉର୍ଜା ଯୋଗାଇ ଥାଏ।
ଆୟୋଡିନ୍ ଯୁକ୍ତ ଖାଦ୍ୟ ଯେମିତିକି ଅଣ୍ଡା, ସମୁଦ୍ରଜାତ ମାଛ, ଦୁଗ୍ଧଜାତ ଦ୍ରବ୍ଯ ଏବଂ ଆୟୋଡାଇଜ୍ଡ ସଲ୍ଟ ଆଦି (କିଛି ପ୍ରକାରର ହାଇପୋଥାଇରଏଡିଜମ୍ କ୍ଷେତ୍ରରେ ଆୟୋଡିନ୍ ଗ୍ରହଣକୁ ବାରଣ କରାଯାଏ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ) ଏହା ଶରୀରରେ ଥାଇରଏଡ୍ ହରମୋନ୍ ତିଆରିରେ ସାହାଯ୍ୟ କରେ।
ସେଲେନିୟମ୍ ଯୁକ୍ତ ଖାଦ୍ୟ ଯଥା ବିଭିନ୍ନ ପ୍ରକାର ଡାଲି, ଚୁନା ମାଛ, ଅଣ୍ଡା, ବ୍ରାଜିଲ୍ ନଟ୍ସ ଆଦି ଗ୍ରହଣ କରିବା ଉଚିତ, ଏହା ମଧ୍ୟ ଥାଇରଏଡ୍ ହରମୋନ୍ ତିଆରିରେ ସାହାଯ୍ୟ କରେ।
ସ୍ନେହସାର ପାଇଁ ଅଲିଭ୍ ଅଏଲ୍, ଆଭୋକାର୍ଡୋ ଅଏଲ୍, ନଡ଼ିଆ ତେଲ ଭଲ ବିକଳ୍ପ ଅଟେ।
ମସଲା ଓ ଗୁଳ୍ମ: ଗୋଲମରିଚ, ସାଫରନ୍, ହଳଦୀ, ସୋରିଷ ତଥା ତୁଳସୀ, ବାସିଲ୍ ଓ ରୋଜମେରୀ ପତ୍ର (ଚା’ ମଧ୍ୟ) ହାଇପୋଥାଇରଏଡିଜମ୍ ରେ ଉପକାରୀ।
ଭାଇଟାମିନ୍ A, D, B12 ଏବଂ ଜିଙ୍କ୍, ମ୍ୟାଗନେସିୟମ୍, କ୍ୟାଲସିୟମ୍, ଲୌହସାର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉପଯୋଗୀ ହୋଇଥାଏ।
ହାଇପୋଥାଇରଏଡିଜମରେ ଜୀବନଶୈଳୀ:
ରାତ୍ରି ଭୋଜନ ସନ୍ଧ୍ୟାରେ ଜଲଦି କରିବା ସହ ଖାଦ୍ୟର ପରିମାଣ କମ୍ ରଖନ୍ତୁ।
ଓଜନକୁ ନିୟନ୍ତ୍ରଣ କରନ୍ତୁ। ଓଜନ ବଢିବା ଦ୍ବାରା ହାଇପୋଥାଇରଏଡିଜମ୍ ଅବସ୍ଥା ଆହୁରି ବିଗିଡ଼ି ଯାଏ।
ଚିନ୍ତା ଓ ଅବସାଦକୁ ନିୟନ୍ତ୍ରଣ କରନ୍ତୁ। Psychiatristଙ୍କ ସାହାଯ୍ୟ ମଧ୍ୟ ନେଇ ପାରନ୍ତି।
ନିୟମିତ ବ୍ୟାୟାମ କରନ୍ତୁ। ପ୍ରଫେସନାଲ୍ ଫିଜିକାଲ୍ ଟ୍ରେନର୍ ଏବଂ ଡାକ୍ତରଙ୍କ ସାହାଯ୍ୟ ନେଇ ପାରନ୍ତି।
ନିୟମିତ ଚିକିତ୍ସା, ଉଚିତ ଜୀବନଶୈଳୀ ତଥା ଖାଦ୍ୟଗ୍ରହଣରେ ନିୟନ୍ତ୍ରଣ ଦ୍ବାରା ହାଇପୋଥାଇରଏଡିଜମ୍ ର ଚିକିତ୍ସା ସମ୍ଭବ ହୋଇଥାଏ।