Advertisment

ସ୍ତନ କର୍କଟ ଚିକିତ୍ସାକୁ ବଳ,ବ୍ରେଷ୍ଟ କ୍ୟାନସରର କାରଣ ସାଜିଥିବା ଜିନ୍ ଚିହ୍ନଟ କଲା ILS ଭୁବନେଶ୍ୱର

ସ୍ତନ କର୍କଟ ଆରୋଗ୍ୟ ଦିଗରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSକୁ ସଫଳତା। ଗୋଟିଏ ପଟେ ବ୍ରେଷ୍ଟ କ୍ୟାନସରକୁ ବଢ଼ାଉଥିବା ଏକ ନୂଆ ମଲିକୁଲ୍ ଆବିଷ୍କାର କରିଛିପ୍ରତିଷ୍ଠାନ।

author-image
Prangyan Parimita
ଅଦ୍ୟତନ ହୋଇଛି
Breast cancer

Breast cancer

ILS ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା । ଚିହ୍ନଟ କରିଛି ସ୍ତନ କର୍କଟ ବଢ଼ାଉଥିବା ନୂଆ ମଲିକୁଲ୍ 'ଜି ପ୍ରୋଟିନ୍ କପଲଡ ରିସେପ୍ଟର 141' ବା GPR 141 । କୌଣସି ବ୍ୟକ୍ତିଙ୍କ ଶରୀରରେ GPR 141 ମାତ୍ରା ଅଧିକ ରହିଲେ, ତାହା ସ୍ତନ କର୍କଟକୁ ବଢ଼ାଉଥିବା ପ୍ରମାଣ ମିଳିଛି। ILS ଭୁବନେଶ୍ୱରରେ ଦଶନ୍ଧିରୁ ଅଧିକ ସମୟ ହେଲା ସ୍ତନ କର୍କଟ ଉପରେ ଗବେଷଣା ଚଳାଇଥିବା ବରିଷ୍ଠ ବୈଜ୍ଞାନିକ ସନ୍ଦୀପ କେ. ମିଶ୍ରଙ୍କ ଅଧୀନରେ ରିସର୍ଚ୍ଚ କରୁଥିବା ମୋନାଲିସା ପରିଜା ପ୍ରଥମେ ଏହି ମଲିକୁଲକୁ ଚିହ୍ନଟ କରିଥିଲେ। ଏହାପରେ ଡକ୍ଟର ମିଶ୍ର ଲ୍ୟାବରେ ଟିସୁ କଲ୍ଚର ତଥା ମୂଷା ଶରୀରରେ ଏହାକୁ ପରୀକ୍ଷଣ କରି ମଧ୍ୟ ପ୍ରମାଣିତ କରିଛନ୍ତି ।

Advertisment

ତେବେ ଆଶ୍ୱାସନାର ବିଷୟ ହେଉଛି, ଯଦି GPR 141କୁ କୌଣସି ମତେ ନିଷ୍କ୍ରିୟ କରାଯାଇପାରୁଛି, ତାହାହେଲେ ସ୍ତନ କର୍କଟ ଭଲ ହୋଇପାରୁଛି। ଏନେଇ ଲ୍ୟାବ୍ ତଥା ମୂଷା ଶରୀରରେ ପରୀକ୍ଷଣ ପରେ ପ୍ରମାଣ ମିଳିଛି। ଏବେ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ GPR 141କୁ ନିଷ୍କ୍ରିୟ କରିପାରୁଥିବା ଇନହିବିଟର ଉପରେ ଗବେଷଣା ଜାରି ରଖିଛି ILS ଭୁବନେଶ୍ୱର। ଯଦି ଏହା ସଫଳ ହେବ, ତେବେ ସ୍ତନ କର୍କଟ ନେଇ ଔଷଧ ବାହାର କରିବାର ବାଟ ଫିଟିବ ବୋଲି କୁହାଯାଇଛି।

ଏଣେ ୨୦୧୮ ମସିହାରେ ଡକ୍ଟର ମିଶ୍ର ସ୍ତନ କର୍କଟ ରୋଗ ଲାଗି ଆବିଷ୍କାର କରିଥିବା ୱାଣ୍ଡର ଡ୍ରଗ୍ DZNEP-A (ଡିଜିନେପ୍-ଏ) ଇନହିବିଟର ବ୍ୟବହାର କରି ଔଷଧ ପ୍ରସ୍ତୁତି ଲାଗି ପ୍ରି-କ୍ଲିନିକାଲ ଟ୍ରାଏଲ ପାଇଁ ନିକଟରେ ILS ଭୁବନେଶ୍ବରକୁ ମିଳିଛି ଆର୍ଥିକ ଅନୁଦାନ । ଏହାପରେ ପ୍ରି-କ୍ଲିକିନିକାଲ ଟ୍ରାଏଲ ଲାଗି ଏମ୍ସ ଭୁବନେଶ୍ବର ଓ ଅନ୍ୟ କିଛି ସଂସ୍ଥା ସହବନ୍ଧିତ ହୋଇଛି ଜୀବ ବିଜ୍ଞାନ ପ୍ରତିଷ୍ଠାନ। ଯଦି ପ୍ରି-କ୍ଲିନିକାଲ ଟ୍ରାଏଲ ସଫଳ ହୁଏ, ଆଗାମୀ ୨ ବର୍ଷ ମଧ୍ୟରେ ସ୍ତନ କର୍କଟ ରୋଗ ଲାଗି ସଞ୍ଜୀବନୀ ନେଇ ବିଶ୍ବକୁ ମିଳିବ ଖୁସି ଖବର। 

Advertisment

ସୂଚନା ଅନୁଯାୟୀ, ଦେଶର ମୋଟ୍ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ସ୍ତନ କର୍କଟରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏବେ ସମସ୍ତଙ୍କ ନଜର, ଡିଜିନେପ୍-ଏ ପ୍ରି-କ୍ଲିନିକାଲ ଟ୍ରାଏଲ ଉପରେ। କାରଣ ପ୍ରି-କ୍ଲିନିକାଲ ଟ୍ରାଏଲ ସଫଳ ହେଲେ ଆରମ୍ଭ ହେବ ମାନବ ଟ୍ରାଏଲ୍। ଆଉ ତାପରେ ବର୍ଷ ବର୍ଷ ଧରି ଚାଲିଥିବା ସ୍ତନ କର୍କଟ ଚିକିତ୍ସା ଗବେଷଣାରେ ଲେଖାହେବ ନୂଆ ଅଧ୍ୟାୟ।....

ILS Bhubaneswar Breast Cancer
Advertisment
Advertisment