• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶସ୍ତାରେ ହେବ ହୃଦୟ ପ୍ରତିରୋପଣ । ହାର୍ଟ ଟ୍ରାନ୍ସପ୍ଲାଣ୍ଟ (heart transplant) କରିନପାରି ଆଉ ଗରିବ କିମ୍ବା ମଧ୍ୟବିତ୍ତ ଲୋକଙ୍କର ଅକାଳରେ ଜୀବନ ଯିବନି । ଦେଶରେ ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଗାମୀ ସମୟରେ ସୁଲଭ ମୂଲ୍ୟରେ ଏହି ଚିକିତ୍ସା ହୋଇପାରିବ । ଆଇଆଇଟି କାନପୁର(IIT Kanpur)ର ବିଶେଷଜ୍ଞମାନେ ତିଆରି କରିଛନ୍ତି ଏକ କୃତ୍ରିମ ହୃଦୟ । ଏହି ଉପକରଣ ମାନବ ଶରୀରରେ ହୃଦସ୍ପନ୍ଦନକୁ ଚଳାଇବା ପାଇଁ ହାର୍ଟ ବିଟ୍‌ ରୂପରେ କାମ କରିପାରିବ । ନବବର୍ଷକୁ ସ୍ୱାଗତ କରିବା ପୂର୍ବରୁ ଏପରି ଏକ ଖୁସି ଖବର ଆସିଛି ।

ଆଇଆଇଟି ବୈଜ୍ଞାନିକ ମନଦୀପ ନିଜ ଟିମ୍‌ ସହିତ ଏପରି ଏକ ହାର୍ଟ ଉପକରଣ ବିକଶିତ କରିଛନ୍ତି, ଯାହା ମାନବ ଶରୀରରେ ହୃଦୟ ପରି କାମ କରିବ । କୌଣସି ରୋଗୀଙ୍କର ହାର୍ଟଫେଲ୍‌ ହେବା ପରେ ଏହି ଡିଭାଇସକୁ ସେହି ସ୍ଥାନରେ ଲଗାଯାଇ ପାରିବ,ଯାହା ହାର୍ଟ ବିଟ୍‌କୁ ଅକ୍ଷୁର୍ଣ୍ଣ ରଖିବ । ବହୁ ବର୍ଷର ପରିଶ୍ରମ ପରେ ଆଇଆଇଟି ବୈଜ୍ଞାନିକମାନେ ଦେଶର ବଡ଼ ବଡ଼ ହୃଦ ଡାକ୍ତର ଏବଂ ଅନ୍ୟାନ୍ୟ ବୈଜ୍ଞାନିକଙ୍କ ସହିତ ପରାମର୍ଶ କରି କୃତ୍ରିମ ହୃଦୟ ତିଆରି କରିଛନ୍ତି । ଏହା ଦ୍ୱାରା ବୈଜ୍ଞାନିକମାନେ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଷ୍ଟୋନ୍‌ ତିଆରି କରିଛନ୍ତି କହିଲେ ଚଳେ ।

ଅଧିକ ପଢ଼ନ୍ତୁ: ଚୀନ୍ କରିଛି କୃତ୍ରିମ ସୂର୍ଯ୍ୟ : ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣ କ୍ଷମତାସମ୍ପନ

୨୦୨୩ରେ ପଶୁମାନଙ୍କ ଉପରେ ପରୀକ୍ଷା

ଆଇଆଇଟି କାନପୁରର ନିର୍ଦ୍ଦେଶକ ଅଭୟ କହିଛନ୍ତି , ନୂଆବର୍ଷ ପରେ ହିଁ ଏହି ଯନ୍ତ୍ର ପଶୁମାନଙ୍କ ଉପରେ ପରୀକ୍ଷା କରାଯିବ । ଫଳରେ ଆଗାମୀ ସମୟରେ ହୃଦୟ ପ୍ରତିରୋପଣ ସହଜ ହେବ । କେବଳ ଏତିକି ନୁହେଁ ଗୁରୁତର ରୋଗୀଙ୍କ ଠାରେ ମଧ୍ୟ ଏହି କୃତ୍ରିମ ହୃଦୟ ପ୍ରତିରୋପଣ କରାଯାଇପାରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଦୁନିଆର ସବୁଠାରୁ ଶସ୍ତା ହୃଦୟ ଯନ୍ତ୍ର ହେବ । ଏହାପୂର୍ବରୁ ଆମେରିକାର ଦୁଇଟି କମ୍ପାନୀ ଏହି ପ୍ରକାରର ହୃଦୟ ଯନ୍ତ୍ର ତିଆରି କରୁଛନ୍ତି । ହେଲେ ସେଗୁଡ଼ିକର ମୂଲ୍ୟ ଆକାଶଛୁଆଁ । ସାଧାରଣ ଲୋକ ଅଧିକ ଟଙ୍କା ଦେଇ ଏହି ଚିକିତ୍ସା କରିପାରୁନାହାନ୍ତି । ଆମେରିକୀୟ କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା ଯନ୍ତ୍ରର ମୂଲ୍ୟ ପ୍ରାୟ ୧.୫ କୋଟିରୁ ଅଧିକ । ତେବେ ଏବର ପରୀକ୍ଷଣରେ ସଫଳତା ପାଇବା ପରେ ଦୁଇ ବର୍ଷ ମଧ୍ୟରେ ମଣିଷ ଦେହରେ ଏହି ଉପକରଣ ପ୍ରତିରୋପଣ କରାଯାଇପାରିବ ।

ଅଭୟ କହିଛନ୍ତି, ବର୍ତ୍ତମାନ ସମୟରେ ହୃଦରୋଗୀଙ୍କ ସଂଖ୍ୟା ଆଶାତୀତ ଭାବରେ ବଢ଼ିବାରେ ଲାଗିଛି । ଆଉ ବହୁ ସଂଖ୍ୟକ ରୋଗୀଙ୍କୁ ହୃଦୟ ପ୍ରତିରୋପଣ ପାଇଁ ପରାମର୍ଶ ଦିଆଯାଉଛି । ଏଭଳି ସ୍ଥିତିରେ ରୋଗୀଙ୍କ ଅସୁବିଧା ଦୂର କରିବା ପାଇଁ କୃତ୍ରିମ ହୃଦୟ ବିକଶିତ କରାଯାଉଛି ।