ପ୍ୟାକେଟ ଫୁଡ୍ କେତେ ଉପଯୋଗୀ
ବର୍ତ୍ତମାନ ଆମମାନଙ୍କ ଜୀବନଶୈଳୀ ଏତେ ବ୍ୟସ୍ତତାପୂର୍ଣ୍ଣ ହୋଇଯାଇଛି ଯେ ଆମେ ଚାହୁଁଛେ ଆମର ସମସ୍ତ କାର୍ଯ୍ୟକଳାପ ଯନ୍ତ୍ରବତ୍ ହୋଇଯାଆନ୍ତା। ଆମ ଅଫିସ୍ କାମରୁ ଆରମ୍ଭ କରି, ଯାତାୟତ, ଖାଦ୍ୟ ପ୍ରସ୍ତୁତି ଏବଂ ଏହିପରି ଦୈନନ୍ଦିନ କାର୍ଯ୍ୟସବୁ ଆପେ ଆପେ ଖୁବ୍ କମ୍ ସମୟରେ ହୋଇଯାାନ୍ତା। ଆମର ଏହି ମାନସିକତାକୁ ଲକ୍ଷ୍ୟ ରଖି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସଂସ୍ଥାମାନେ ଆମ ପାଇଁ ଆଣିଦେଉଛନ୍ତି ପ୍ରି-ପ୍ରିପେୟାରଡ୍ ଫୁଡ୍ ବା ପ୍ୟାକେଜ୍ଡ ଫୁଡ୍। ସହର ବଜାରରେ କୌଣସି ବି ତେଜରାତି ଦୋକାନରେ କିମ୍ୱା ସୁପରମାର୍କେଟରେ ଏହା ସହଜଲବ୍ଧ। ବିଭିନ୍ନ ବ୍ରାଣ୍ଡ୍ର କର୍ଣ୍ଣଫ୍ଲେକ୍ସ, ମୁସେଲି, ଚକୋଫ୍ଲେକ୍ସ ଏବଂ ରେଫ୍ରିଜରେଟେଡ୍ ହୋଇ ମଧ୍ୟ ଅନେକ ଖାଦ୍ୟ ଯେପରି ଫ୍ରେଞ୍ଚ ଫ୍ରାଏ, ଚିଜ୍ ବଲ୍ସ, ବିଭିନ୍ନ ନଗେଟ୍ସ ତଥା ଗ୍ରୀନ ମଟର ଓ ମକା ମଧ୍ୟ ଫ୍ରୋଜେନ୍ ଭାବେ ଉପଲବ୍ଧ। ତେବେ ଆସନ୍ତୁ ଆଜି କଥା ହେବା ଏସବୁ ଖାଦ୍ୟପଦାର୍ଥର ଦୀର୍ଘକାଳିନ ବ୍ୟବହାର ଫଳରେ ଆମକୁ କି ପ୍ରକାର ଶାରୀରିକ ଅସୁବିଧାର ସାମ୍ନା କରିବାକୁ ହୁଏ।
ଅଧିକ ପଢ଼ନ୍ତୁ : Excess Protein: ଅତ୍ୟଧିକ ପ୍ରୋଟିନ୍ ସେବନ ଆଣିପାରେ ଏହି ସମସ୍ୟା
ପ୍ରଥମେ ଜାଣିବା ଏସବୁ ପ୍ୟାକ୍ ହୋଇ ମିଳୁଥିବା ପରିବା ବା ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଏତେ ଦିନ ସତେଜ ରହୁଛି କିପରି। ଆପଣ ଘରକୁ ଯଦି କୌଣସି ରନ୍ଧା ଦ୍ରବ୍ୟ ଆଣୁଛନ୍ତି ତାହା ଅତିବେଶୀରେ ୪ରୁ ୫ଦିନ ପର୍ଯ୍ୟନ୍ତ ହିଁ ଉପଯୋଗୀ ହୋଇଥାଏ। ତେବେ ପ୍ୟାକେଟ୍ରେ ରହି ଫ୍ରୋଜେନ୍ ହେବା ଫଳରେ ଏହି ଖାଦ୍ୟରେ ପୋଷକ ତତ୍ୱ ଥାଏ କି ନାହିଁ? ଏହାର ମୁଖ୍ୟ ଉପାଦାନ ହେଉଛି ପ୍ରିଜରଭେଟିଭ୍। ତେବେ ମାଂସ ଓ ମାଛ ପରି ଖାଦ୍ୟ ଫ୍ରୋଜେନ୍ ହୋଇ ରଖାଯିବାରେ କୌଣସି ପୋଷକ ନଷ୍ଟ ହୁଏ ନାହିଁ। ମଟର ଓ ମକା ଆଦି ମଧ୍ୟ ଫ୍ରୋଜେନ୍ ହେବା ପରେ ଏହାର ଜଳୀୟ ଅଂଶ ବରଫ ହୋଇଯାଏ ଯାହା ପୋଷକ ତତ୍ୱ ଓ ଏହାର କୌଣସି ଅଂଶ ନଷ୍ଟ ହେବାରୁ ରକ୍ଷା କରେ। ତେବେ ଏଥିରେ ସୋଡିୟମ୍ ପରିମାଣ ବଢ଼ିଯାଇଥାଏ ଏବଂ ଏହା ଓଜନ ବଢ଼ାଇବାରେ ଦାୟୀ ରହେ।
ବଜାରରେ ମିଳୁଥିବା ବିଭିନ୍ନ ପ୍ୟାକେଟ୍ ଜଳଖିଆ ଯେପରିକି କର୍ଣ୍ଣଫ୍ଲେକ୍ସ ଓ ମୁସେଲି ଆଦି ପ୍ରକ୍ରିୟାକୃତ ବା ପ୍ରୋସେସଡ୍ ହୋଇଥାଏ ଏବଂ ଏଥିରେ ଅତ୍ୟଧିକ ପରିମାଣରେ ଆଡେଡ୍ ସୁଗର୍ ରହିଥାଏ। ଏସବୁ ତେଲରେ ପ୍ରକ୍ରିୟାକୃତ ହୋଇ ବ୍ୟବହୃତ ହୁଏ ଏବଂ ଏହାର ପଲିଅନସାଟୁରେଟେଡ୍ ଫ୍ୟାଟିଏସିଡ୍ ଖୁବ୍ ଅଧିକ ଥାଏ। ଏହି ସବୁ ବ୍ରେକ୍ଫାଷ୍ଟ ସିରିଏଲ୍ ପ୍ରତିଦିନ ଏକ ବାଓଲ୍ ନେବା ଆପଣ ପାଖାପାଖି ଏକ ବଡ଼ଚାମଚ ଚିନି ଖାଇବା ସହ ସମାନ। ଏହି ଖାଦ୍ୟ ଆମେ ଅତ୍ୟାବଶ୍ୟକ ସ୍ଥଳେ କୌଣସି ବିକଳ୍ପ ନଥିବା ବେଳେ ବ୍ୟବହାର କରିପାରିବା କିନ୍ତୁ ନିୟମିତ ରୂପେ ଏହାର ସେବନ ଆପଣଙ୍କର ସୁଗର ସ୍ତର ବଢ଼ାଇବା ସହ ଶରୀରରେ ଥିବା ଖରାପ ଫ୍ୟାଟ ମଧ୍ୟ ବଢ଼େ। ଏଣୁ କର୍ଣ୍ଣଫ୍ଲେକ୍ସ ମୁସେଲି ଆଦି ନିୟମିତ ବ୍ୟବହାର ନ କରି କେବଳ ସାମୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରଖନ୍ତୁ। ଏହା ବଦଳରେ ଆପଣ ବେସନ ଚକୁଳି, ଓଟ୍ସ ଉପମା, ଛତୁଆ ଆଦି ଜଳଖିଆ ଖଆଇପାରିବେ ଯାହା ଖୁବ୍ କମ୍ ସମୟରେ ପ୍ରସ୍ତୁତ କରାଯାଇପାରିବ।
କେତେକ ସଂସ୍ଥା ପକ୍ଷରୁ ବିଭିନ୍ନ ରନ୍ଧା ଖାଦ୍ୟ ତଥା ଚିଜ୍ ବଲ୍, ଫ୍ରେଞ୍ଚ ଫ୍ରାଏ ଆଦି ପ୍ୟାକେଟରେ ରଖି ଫ୍ରୋଜେନ୍ ଫୁଡ୍ ଭାବେ ମିଳେ। ଏହା ଘରକୁ ଆଣି ଡିପ୍ ଫ୍ରାଏ କରି ବା ତେଲରେ ଛାଣି ଆପଣ ଖାଇପାରିବେ। ତେବେ ଫ୍ରୋଜେନ୍ ରହିବା ଦ୍ୱାରା ଏଥିରେ କୃତ୍ରିମ ଟ୍ରାନ୍ସ ଫ୍ୟାଟ୍ ତିଆରି ହୁଏ। ଏହାର ପ୍ରକ୍ରିୟାକରଣରେ ଖୁବ୍ ଶସ୍ତା ତେଲ ଯେପରି ମଞ୍ଜିରୁ ବାହାରୁଥିବା ତେଲ ତଥା ସନଫ୍ଲାୱାର ଅଏଲ୍ ଆଦି ବ୍ୟବହାର କରାଯାଉଥିବାରୁ ଏହା ଛାଣି ଖାଇବା ଦ୍ୱାରା ଶରୀରର ଏଲ୍.ଡି.ପି ତଥା ଖରାପ କୋଲେଷ୍ଟରଲ୍ ସ୍ତର ବଢ଼ିଥାଏ। ଏହା ମଧ୍ୟ ଶାରୀରର ସୋଡିୟମ୍ ସ୍ତର ବଢ଼ାଏ। ଏହା ପରେ ଆପଣଙ୍କ ବ୍ଲଡ୍ ପ୍ରେସର୍, ଡାଇବେଟିସ୍ ତଥା ହୃଦ୍ରୋଗ ଆଦିର କାରଣ ହୋଇଥାଏ.
ଆମ ଭାରତୀୟ ଖାଦ୍ୟ ବ୍ୟବସ୍ଥାରେ ଅନେକ ପ୍ରକାର ଖାଦ୍ୟ ଦ୍ରବ୍ୟ ରହିଛି ଯାହା ଖୁବ୍ କମ୍ ସମୟରେ ପ୍ରସ୍ତୁତ କରାଯାଇପାରିବ, ଯେପରିକି ପୂର୍ବରୁ ପ୍ରସ୍ତୁତ ଛତୁଆ, ଅଟା ଚକୁଳି(ବିନା ମିଠା), ଭେଜିଟେବଲ୍ ଉପମା, ଭେଜିଟେବଲ୍ ବେସନ ଚକୁଳି, ଓଟ୍ସ ଉପମା, ଦଲିଆ ଉପମା, ଏହିପରି ଅନେକ ଖାଦ୍ୟ ଯାହାର ପ୍ରସ୍ତୁତି ଖୁବ୍ କମ୍ ସମୟ ଦରକାର କରିଥାଏ। ଏଗୁଡ଼ିକ ସେବନ ଦ୍ୱାରା ଆପଣ ସମୟ ବଞ୍ଚାଇବା ସହ ଶରୀରକୁ ସୁସ୍ଥ ରଖିପାରିବେ। ସର୍ବଦା ଚେଷ୍ଟା କରନ୍ତୁ ଯେ, କମ୍ ପ୍ରକ୍ରିୟାକୃତ ଖାଦ୍ୟ ସେବନ କରିବେ। ଏହା ଦ୍ୱାରା ଖାଦ୍ୟ ଉପାଦାନର ପୋଷକ ସଂରକ୍ଷିତ ରହିବ ଏବଂ ଆବଶ୍ୟକ ଫାଇବର ମଧ୍ୟ ମିଳିବ। ଏହା ଶରୀରରେ ଖରାପ ଫ୍ୟାଟ୍ ଶୋଷଣ ହେବାରୁ ବଞ୍ଚାଏ। ସକାଳର ପ୍ରଥମ ଖାଦ୍ୟ ଯେତେ ପ୍ରୋଟିନ୍ ତଥା ଫାଇବରରେ ଭରପୂର ହେବ ସେତେ ଦିନସାରାର ଖାଦ୍ୟ ଠିକ୍ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739340738.jpg)