ଅନେକ ବାପା-ମା’ ଅଭିଯୋଗ କରନ୍ତି ତାଙ୍କ ସନ୍ତାନ ବର୍ଷସାରା ଏତେ ପରିଶ୍ରମ କରି ବର୍ଷସାରା କ୍ଲାସ୍ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ମଧ୍ୟ, ବାର୍ଷିକ ପରୀକ୍ଷା କିମ୍ବା ବୋର୍ଡ ପରୀକ୍ଷାରେ ଆଶାନୁରୂପ ଫଳ ଆଣି ପାରେନି। ସନ୍ତାନ ଅପେକ୍ଷା ଅଭିଭାବକ ହିଁ ମାତ୍ରାଧିକ ଭାବରେ ନିରାଶ ହୋଇ ଯା’ନ୍ତି। ସନ୍ତାନଟିର ପ୍ରକୃତ ସମସ୍ୟା ବୁଝିବା ପୂର୍ବରୁ ତା’ ଉପରେ ବିରକ୍ତ ହୁଅନ୍ତି ଏବଂ ତା’ ଉପରେ ଆହୁରି ପରିଶ୍ରମ କରିବା ପାଇଁ ଚାପ ପ୍ରୟୋଗ କରନ୍ତି, ନୂଆ ଟ୍ୟୁସନ୍ କିମ୍ବା କୋଚିଂର ବ୍ୟବସ୍ଥା କରନ୍ତି। ଏପରି ପରିସ୍ଥିତିରେ ଅଧିକାଂଶ ସମୟରେ ଅଭିଭାବକ ନିଜ ସନ୍ତାନର କୌଣସି ମାନସିକ ଚାପ କିମ୍ବା ସମସ୍ୟା ବିୟଷକୁ ଗ୍ରହଣ କରିବା ପାଇଁ ରାଜି ହୁଅନ୍ତି ନାହିଁ। ଏମିତି ପରିସ୍ଥିତିରେ ଯେକୌଣସି ଛାତ୍ରଛାତ୍ରୀର ସବୁଠାରୁ ସାଧାରଣ ବା common ସମସ୍ୟା ଥାଏ ଏକାଗ୍ରତାର ଅଭାବ। ଏହି ଏକାଗ୍ରତାର ଅଭାବ ହିଁ ବର୍ଷ ସାରାର ପରିଶ୍ରମର ଆଶାନୁରୂପ ଫଳ ଦିଏ ନାହିଁ।
ଏକାଗ୍ରତା ଅଭାବର କାରଣ:
ନିଦ୍ରାର ଅଭାବ: ରାତିରେ ୬-୭ ଘଣ୍ଟାର ସୁଖ ନିଦ୍ରା ମଣିଷ ମସ୍ତିଷ୍କର ସୁସ୍ଥ କାରବାର, ପରିଚାଳନା ଏବଂ ସ୍ମୃତିଶକ୍ତି ପାଇଁ ଜରୁରୀ। ଲଗାତାର ରାତି ଅନିଦ୍ରା, ଦିନରେ କମ୍ ସମୟ ଶୋଇବା, ନିଦ ପୁରା ନହେବା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକାଗ୍ରତାର ଅଭାବ ଦେଖାଯାଏ, ତେଣୁ ସେମାନେ ନା’ ଠିକ୍ ଭାବରେ କୌଣସି ବିଷୟକୁ ବୁଝିପାରନ୍ତି ନା’ ପଢି ମନେ ରଖି ପାରନ୍ତି।
Also Read
ମାନସିକ ଚାପ ଓ ଦୁଶ୍ଚିନ୍ତା: ଅଭିଭାବକ, ଆତ୍ମୀୟ ଏବଂ ସ୍କୁଲ ତରଫରୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାର ଲଗାତାର ଚାପ ଏବଂ ପରୀକ୍ଷାରେ ଭଲ ରେଜଲ୍ଟ ନହେଲେ ଆଗକୁ ଭବିଷ୍ୟତ ନଷ୍ଟ ହୋଇଯିବାର ଡରାଣ, ଛାତ୍ରଛାତ୍ରୀଙ୍କ ମନରେ ଅତ୍ୟଧିକ ଚାପ ଓ ଚିନ୍ତାର କାରଣ ହୋଇଥାଏ। ଏହା ଅନେକ ସମୟରେ ଭୟର ମଧ୍ୟ କାରଣ ହୋଇଥାଏ। ଲଗାତାର ଚାପ ଓ ଚିନ୍ତାରେ ରହୁଥିବା ମସ୍ତିଷ୍କ ଏକାଗ୍ରତା ରଖିପାରେ ନାହିଁ ଏବଂ ପରୀକ୍ଷାରେ ଆଶାନୁରୂପ ଫଳ ମିଳେ ନାହିଁ।
ପୌଷ୍ଟିକ ଖାଦ୍ୟ ଓ ଉପଯୁକ୍ତ ପରିମାଣର ଜଳର ଅଭାବ: ଅଭିଭାବକଙ୍କ ଦ୍ଵାରା ପାଠପଢାକୁ ବାରମ୍ବାର ତାଗିଦ ଦ୍ବାରା ଅନେକ ସମୟରେ ଚାପରେ ରହି ଛାତ୍ରଛାତ୍ରୀ ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ସେମିତି ଅଧିକ ସମୟ ପାଠପଢା ପାଖରେ ବସି ସେମାନଙ୍କର ଜଳ ଗ୍ରହଣର ମାତ୍ରା ମଧ୍ୟ ପ୍ରଭାବିତ ହୋଇ ଥାଏ। ପାଠପଢ଼ାରେ ଏକାଗ୍ରତା ଏବଂ ସ୍ମୃତିଶକ୍ତି ପାଇଁ ଶରୀର ପାଇଁ ଉପଯୁକ୍ତ ମାତ୍ରାରେ ଖାଦ୍ୟ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟସାରର ଆବଶ୍ୟକତା ରହିଥାଏ। ସେମିତି ଅନେକ ସମୟରେ ବାରମ୍ବାର ଶୌଚାଳୟ ଯିବାର ସମସ୍ୟାକୁ ଏଡାଇବା ପାଇଁ ଛାତ୍ରଛାତ୍ରୀ ସଠିକ୍ ପରିମାଣର ପାଣି ପିଅନ୍ତିନାହିଁ। ଏହା ଡିହାଇଡ୍ରେସନର କାରଣ ହୋଇଥାଏ। ଖାଦ୍ୟସାର ଅଭାବ ପରି, ଡିହାଇଡ୍ରେସନ୍ ମଧ୍ୟ ଏକାଗ୍ରତା ଭଙ୍ଗ କରେ।
ଶାରୀରିକ ପରିଶ୍ରମ/ବ୍ୟାୟାମର ଅଭାବ:
ଅନେକ ଅଭିଭାବକ ପରୀକ୍ଷା ପୂର୍ବରୁ ଖେଳକୁଦ କିମ୍ବା ବ୍ୟାୟାମ କରିବା ଦ୍ୱାରା ସମୟ ନଷ୍ଟ ହୋଇଯାଏ ବୋଲି ଭାବନ୍ତି। କିନ୍ତୁ ସବୁବେଳେ ଗୋଟିଏ ସ୍ଥାନରେ ବସିରହି ପଢିବା ଏବଂ ଶାରୀରିକ ପରିଶ୍ରମର ଅଭାବ କାରଣରୁ ଛାତ୍ରଛାତ୍ରୀ ମାନ୍ଦା ଅନୁଭବ କରନ୍ତି, ଥକ୍କାପଣର ଶିକାର ହୁଅନ୍ତି ଏବଂ ପାଠପଢାରେ ସ୍ପୃହା ରୁହେ ନାହିଁ। ଯାହା ତାଙ୍କର ଏକାଗ୍ରତା କମାଇ ଥାଏ।
Distraction ବା ଧ୍ୟାନ ବାଣ୍ଟି ହେବା:
ଆଖପାଖରେ କୌଣସି ସାମାଜିକ ଅନୁଷ୍ଠାନ, ମେଲଣ କିମ୍ବା ତୀବ୍ର ଶବ୍ଦରେ ଗୀତ ବାଜିବା କିମ୍ବା ପାରିବାରିକ ସମସ୍ୟା, ପାଠପଢାର ପରିବେଶକୁ ନଷ୍ଟ କରିଥାଏ। ସେମିତି ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ମଧ୍ୟ ଛାତ୍ରଛାତ୍ରୀଙ୍କ distraction ବା ଧ୍ୟାନ ବାଣ୍ଟି ହେବାର କାରଣ ହୋଇ ଏକାଗ୍ରତାରେ ବାଧା ଆଣେ।
କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାର ବିଷୟବସ୍ତୁ ନବୁଝିପାରିବା, ପ୍ରଚଳିତ ପାଠପଢାର ପ୍ରଣାଳୀ ସହ ଖାପ ନଖୁଆଇ ପାରିବା, ପାଠ ଗ୍ରହଣ ଏବଂ ଶିଖିବାରେ ବିଳମ୍ବ ହେବା, ଏସବୁ ସମସ୍ୟା ମଧ୍ୟ ଏକାଗ୍ରତା ଉପରେ କୁପ୍ରଭାବ ପକାଇ ଥାଏ।
ନିଶା ସେବନ:
National Drug Dependence Treatment Centre (NDDTC), of All India Institute of Medical Sciences ଦ୍ବାରା ଦେଶର ୧୦ଟି ସହରରେ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ଗୋଟିଏ ସର୍ଭେ ଅନୁସାରେ ପାଖାପାଖି ୧୦.୩% ପିଲା ନିଶାଦ୍ରବ୍ୟ ସେବନ କରନ୍ତି (ଗଞ୍ଜେଇ, ଅଫିମ, ଚରସ୍, ହେରୋଇନ୍, ତମ୍ବାଖୁ, ମଦ ଯେକୌଣସିଟି ହୋଇପାରେ)। ଏବଂ ନିଶାସେବନ ଦ୍ବାରା ମସ୍ତିଷ୍କ ସୁସ୍ଥ ଭାବରେ କାମ କରିପାରେ ନାହିଁ ଏବଂ ଛାତ୍ରଛାତ୍ରୀ ଏକାଗ୍ରତା ହରାଇ ଥା’ନ୍ତି।
କେମିତି ବଢାଇବେ ଏକାଗ୍ରତା:
ଉପଯୁକ୍ତ ମାତ୍ରାରେ ନିଦ୍ରା: ଅନେକ ପିଲା ରାତି ଅନିଦ୍ରା ରହି ଏକାନ୍ତରେ, ଅଳ୍ପ ଆଲୋକରେ ପଢନ୍ତି, କିନ୍ତୁ ପରୀକ୍ଷା ପୂର୍ବରୁ ଏପରି କରିବା ମାନସିକ ସ୍ବାସ୍ଥ୍ୟ, ସ୍ମୃତିଶକ୍ତି ଓ ଶରୀର ପାଇଁ ବିପଦଜନକ ହୋଇପାରେ। ଆଖିବ୍ୟଥା, ଦୃଷ୍ଟି ଶକ୍ତି ପ୍ରଭାବିତ ହେବା, ମୁଣ୍ଡ ବିନ୍ଧିବା ଓ ଭାରି ଲାଗିବା, ଚିଡା ଲାଗିବା, ଅଇ ଉଠେଇବା ଓ ବାନ୍ତି ହେବା, ପେଟ ଫମ୍ପେଇବା, ବଦହଜମି ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦିଏ। ଅନେକ ସମୟରେ ଡେରି ରାତିରେ ପଢିଥିବା ପାଠ ସକାଳକୁ ମନେ ରୁହେ ନାହିଁ। ରାତିରେ କମ୍ ସମୟ ଶୋଇଥିବା କାରଣରୁ ଦିନରେ ଥକ୍କା ଲାଗିବା, ମାନ୍ଦା ଲାଗିବା, ହାଇ ଆସିବା, ଚିଡାଲାଗି ପଢିବାକୁ ଇଚ୍ଛା ନହେବା ଆଦି ସମସ୍ୟା ଲାଗି ରୁହେ। ତେଣୁ ରାତିରେ ୬-୭ ଘଣ୍ଟାର ଭଲ ନିଦ୍ରାଯାଇ ପାହାନ୍ତାରୁ ଉଠି ପଢିବା ଉଭୟ ମନ ଓ ଶରୀର ପାଇଁ ହିତକର। ସେହିପରି ରାତିରେ ନିଦ୍ରାଯିବା ଆଗରୁ ୩୦ ମିନିଟ ଦିନସାରା ପଢିଥିବା ପାଠଗୁଡିକୁ ମନେ ପକାଇଲେ/ revise କଲେ ସେସବୁ ପାଠ ଭଲ ମନେ ରୁହେ।
ପଢା ମଝିରେ ସ୍ବଳ୍ପ ବିରତି: ଦିନରେ ୧୫-୧୮ ଘଣ୍ଟା ବହି ସାମନାରେ ବସି ରହିଲେ ଯେ ପରୀକ୍ଷାରେ ସୁଫଳ ମିଳିବ ଏହା ଗୋଟିଏ ଭୁଲ୍ ଧାରଣା। ପିଲାମାନଙ୍କୁ ମଝିରେ ମଝିରେ ସ୍ବଳ୍ପ ସମୟର ବିରତି ଦିଅନ୍ତୁ। ବଗିଚାରେ ପାଣି ଦେବା, ଘର ସଫା କରିବା, ଲୁଗାପଟା ସଜାଡିବା, ମନପସନ୍ଦ ଗୀତ ଶୁଣିବା, ଛବି ଆଙ୍କିବା ଏସବୁ ଅଳ୍ପ ଅଳ୍ପ ସମୟ ପାଇଁ କରିବାର ସୁଯୋଗ ଦିଅନ୍ତୁ। ବହି ସାମନାରୁ ଉଠି ନିଜକୁ ଏମିତି କିଛି କାମରେ ବ୍ୟସ୍ତ ରଖିବା ଅନେକ ସମୟରେ ପିଲାମାନଙ୍କୁ ମନ ଭିତରେ ରିଭିଜନ୍ କରିବାରେ ସାହାଯ୍ୟ କରେ, ମନ ଫୁର୍ତ୍ତି ହୁଏ ଏବଂ ପଢିବା ପାଇଁ ଆଗ୍ରହ ବଢେ।
ଶାରୀରିକ ବ୍ୟାୟାମ:
କେବଳ ଗୋଟିଏ ଜାଗାରେ ବସି ନରହି ପ୍ରତ୍ୟେକ ଦିନ କିଛି ସମୟ ଖେଳିବା ପାଇଁ, ଦୌଡକୁଦ ଏବଂ ହାଲୁକା ବ୍ୟାୟାମ ପାଇଁ ପ୍ରୋତ୍ସାହିତ କରନ୍ତୁ। ଶାରୀରିକ ପରିଶ୍ରମ ଶରୀର ଓ ମନ ଉଭୟକୁ ଫୁର୍ତ୍ତି କରେ। ଯଦି ରୁଚି ଥାଏ ତେବେ ମେଡିଟେସନ୍ ପାଇଁ ପ୍ରୋତ୍ସାହିତ କରିପାରନ୍ତି।
ମାନସିକ ଚାପ ଓ ଅଭିଭାବକଙ୍କ ଦାୟିତ୍ୱ:
ପଡୋଶୀ କିମ୍ବା ବନ୍ଧୁବାନ୍ଧବଙ୍କ ପିଲାଙ୍କୁ ନେଇ ତୁଳନା କରିବା ଏବଂ ସବୁ ସମୟରେ ପରୀକ୍ଷା ଫଳ ଓ ଭବିଷ୍ୟତକୁ ନେଇ ତାଗିଦ କରିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମାନସିକ ଚାପ ଓ ଦୁଶ୍ଚିନ୍ତାର ସବୁଠାରୁ ବଡ କାରଣ ହୋଇଥାଏ। ପ୍ରଥମେ ଅଭିଭାବକ ନିଜକୁ ଏଥିରୁ ଦୂରେଇ ରଖିବା ଆବଶ୍ୟକ। ଯେମିତି ଆପଣ ନିଜେ, ଆପଣଙ୍କଠାରୁ ଅଧିକ ସଫଳ ବନ୍ଧୁଙ୍କ ଠାରୁ ସଫଳ ହୋଇ ପାରି ନାହାଁନ୍ତି, ସେମିତି ଜରୁରୀ ନୁହେଁ ଯେ ସ°ସାରର ସବୁ ପିଲା ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିବେ। ଏଇ ପରିପ୍ରେକ୍ଷୀରେ ଥରେ ଆଇନଷ୍ଟାଇନ୍ କହିଥିଲେ "Everybody is a genius. But if you judge a fish by its ability to climb a tree, it will spend its whole life believing that it is stupid.”
ସବୁବେଳେ କେବଳ ତାଗିଦ କରିବା ପରିବର୍ତ୍ତେ ରିଓ୍ବାର୍ଡ ବା ପୁରସ୍କାର କିମ୍ବା ଭ୍ରମଣ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ। ଆପଣ ନିଜ ସନ୍ତାନକୁ ଯେତେ ବନ୍ଧୁତାପୂର୍ଣ୍ଣ ପରିବେଶ ଦେବେ ସେ ପରୀକ୍ଷା ସମୟରେ ସେତେ ଏକାଗ୍ରତା ଦେଖାଇ ପାରିବ ଏବଂ ଭବିଷ୍ୟତରେ ଆପଣଙ୍କ ସହ ସମ୍ପର୍କ ମଧ୍ୟ ମଜବୁତ ହେବ।
ଖାଦ୍ୟ ପାନୀୟର ନିୟମ:
ଅଧିକ ସମୟ ଖାଲି ପେଟରେ ରହିବା ଏବଂ ଏକାଥରେ ବହୁତ ଗୁଡା ଖାଇବା, ଉଭୟ ଶରୀର ପାଇଁ କ୍ଷତିକାରକ। ହାଲକା ଘର-ତିଆରି ଖାଦ୍ୟକୁ ଅଳ୍ପଅଳ୍ପ ମାତ୍ରାରେ ୨ -୩ ଘଣ୍ଟାରେ ଥରେ ଖାଇବା ଭଲ। ବହୁତ ଜଣ ନିଜକୁ ସଜାଗ ଓ ଅନିଦ୍ରା ରଖିବା ପାଇଁ ବିସ୍କିଟ୍, ଚିପ୍ସ, ଓ୍ବାଫର୍ସ ପରି ୟାଡୁସ୍ୟାଡୁ ଜିନିଷ ଖାଉଥା'ନ୍ତି ଯାହାକି ମେଦବହୁଳତା, ଉଚ୍ଚରକ୍ତଚାପ, ବଦହଜମି, ବାନ୍ତି ଓ ଅବସାଦର କାରଣ ମଧ୍ୟ ହୋଇପାରେ। ତେଣୁ ମୁଡ୍ ଫ୍ରେସ ପାଇଁ ଘରତିଆରି ଜଳଖିଆ, ବାଦାମ- ଚଣା ଭଜା, ଗଜା ମୁଗ-ବୁଟ, ଡ୍ରାଇ ଫ୍ରୁଟ୍ସ ଓ ନଟ୍ସ ପାଖରେ ରଖନ୍ତୁ। ସେମିତି ବହୁତ ପିଲା ନିଦକୁ ଦୂର କରିବା ପାଇଁ ବାରମ୍ବାର ଚା ଓ କଫି ପିଅନ୍ତି, କିନ୍ତୁ ଏହା ପରୀକ୍ଷା ପୂର୍ବରୁ ପିଲାମାନଙ୍କର ଡିହାଇଡ୍ରେସନ୍ ର କାରଣ ହୋଇପାରେ। ଚା' କିମ୍ବା କଫି ନପିଇ ତୁମେ ମାନେ ଅନ୍ୟ ହେଲ୍ଥ ଡ୍ରିଙ୍କ୍ସ, ସୁପ୍, ଜିଞ୍ଜର-ତୁଲସୀ ଟି ଆଦି ନେଇପାର। ଆଉ ନିଜକୁ ହାଇଡ୍ରେଟେଡ୍ ରଖିବା ପାଇଁ ବାରମ୍ବାର ଗ୍ଲାସ ଗ୍ଲାସ ପାଣି ପିଇବା ଦରକାର ନାହିଁ। ପ୍ରତି ଘଣ୍ଟାରେ କିଛି ଢୋକ ପାଣି ଯଥେଷ୍ଟ। ସେମିତି ବିଲକୁଲ ଖାଇବା ପିଇବା ଛାଡି ପଢିଲେବି ଶରୀରରେ ଆବଶ୍ୟକତା ଅନୁସାରେ ଶର୍କରା ଓ ଶକ୍ତିର ଅଭାବ କାରଣରୁ ଚିଡାଲାଗି ପାଠପଢାରେ ମନଲାଗେନି ଏବଂ ପଢିଥିବା ପାଠ ମନେ ମଧ୍ୟ ରୁହେ ନାହିଁ।
ପଢିବା ପାଇଁ ବାତାବରଣ:
ତୁମକୁ ଯେଉଁ ଜାଗାରେ ବସି ପଢିବାକୁ ସବୁଠାରୁ ସହଜ ଓ ଭଲ ଲାଗୁଛି ସେଇ ଜାଗାଟିକୁ ବାଛ। କିଛି ଜଣ ନିଚ୍ଛାଟିଆ, ଏକାନ୍ତରେ ବସି ପଢନ୍ତି ତ କିଏ ଲାଇବ୍ରେରୀରେ କି ପାର୍କରେ କିମ୍ବା ଛାତ ଉପରେ, କିଏ ଟେବଲ-ଚେୟାରରେ ତ କିଏ ସପ କିମ୍ବା ଦରି ପାରି। ତୁମ ନିଜକୁ ସବୁଠୁ ଯେଉଁଠି ସହଜ ଓ ସୁରକ୍ଷିତ ମନେକର ସେଇଠି ବସି ପଢ। ଜରୁରୀ ନୁହେଁ ପଢିବାବେଳେ "ପିନ୍-ଡ୍ରପ ସାଇଲେନ୍ସ" ରହିବା ଦରକାର। ତୁମେ ମ୍ୟୁଜିକ କିମ୍ବା ରେଡ଼ିଓ କିମ୍ବା କୌଣସି ଖେଳର କମେଣ୍ଟ୍ରି ଶୁଣିଶୁଣି ମଧ୍ୟ ନିଜ ପଢା ପୂରାକରି ପାରିବ। ମନ ପସନ୍ଦର ଜାଗା ନହେଲେ ତୁମ ମନ ଅଶାନ୍ତ, ବିଚଳିତ, ଚିଡଚିଡା ଲାଗିବା ସହ ସ୍ମୃତି ଶକ୍ତି ଉପରେ କୁପ୍ରଭାବ ପକାଇବ। ପଢିବା ପାଇଁ ସଠିକ୍ ଜାଗା ବାଛିବା ହିଁ ଜଣେ ଛାତ୍ରର ପଢାକୁ ଶୃଙ୍ଖଳିତ ଓ ଉପଯୋଗୀ କରିଥାଏ। ହଠାତ କରି ପରୀକ୍ଷା ପୂର୍ବରୁ ନୂଆ ଅଥରଙ୍କ ନୂଆ ବହି, କିମ୍ବା ନୂଆ ଟିଚର ବାଛନ୍ତୁ ନାହିଁ। ପରୀକ୍ଷା ପୂର୍ବରୁ ବିଚଳିତ ଓ ଅଶାନ୍ତ ମନରେ ନୂତନ ଶୈଳୀ ସହ ପରିଚିତ ହୋଇ ବୁଝିବା କଷ୍ଟକର ହୋଇପଡେ ଓ ଛାତ୍ରଟିର ମନୋବଳ ଭାଙ୍ଗିଯାଇ ପାରେ।