ପ୍ରକୃତରେ ଚିନ୍ତା ବା Stress ବା ଚାପ ହେଉଛି ଶରୀରକୁ କାମ କରାଇବା ପାଇଁ ମସ୍ତିଷ୍କର ଗୋଟିଏ ରେସ୍ପନ୍ସ ମେକାନିଜମ୍ ବା କାର୍ଯ୍ୟପ୍ରଣାଳୀ। ଉଦାହରଣ ସ୍ୱରୂପ ହଠାତ୍ ସାମନାରେ ଭୟଙ୍କର ଜୀବ ଆସିଗଲେ ବା କିଛି ଘଟଣା ଘଟିଗଲେ, ସେତେବେଳେ ଲକ୍ଷ୍ୟ କରିଥିବେ ଆପଣଙ୍କ ହୃତସ୍ପନ୍ଦନ ଓ ନିଃଶ୍ୱାସର ଗତି ଓ ରକ୍ତଚାପ ବଢିଯାଏ। ଏଭଳି ପରିସ୍ଥିତିରେ ପ୍ରଥମେ ଆପଣଙ୍କୁ ଟିକେ ଭୟ ଲାଗେ, ମାନସିକ ସ୍ତରରେ ଆପଣ ଚିନ୍ତିତ ହୋଇପଡନ୍ତି ବା ଷ୍ଟ୍ରେସ୍ ହୁଏ। ଏହି ଷ୍ଟ୍ରେସ୍ କାରଣରୁ କର୍ଟିସୋଲ୍ ଓ ଆଡ୍ରେନାଲିନ୍ ପରି ହରମୋନ କ୍ଷରଣ ଓ ରକ୍ତରେ ସେମାନଙ୍କ ମାତ୍ରା ବଢେ। ଏହି ହର୍ମୋନ୍ ପ୍ରଭାବରେ ରକ୍ତବାହୀ ନଳୀଗୁଡିକରେ ଚାପ ସୃଷ୍ଟିହୋଇ ରକ୍ତଚାପ, ହୃଦୟ ଓ ନିଃଶ୍ୱାସର ଗତି ବଢିଥାଏ। ଏହି ପ୍ରକ୍ରିୟା ହିଁ ଆମକୁ ସେଇ ଭୟାନକ ପରିସ୍ଥିତିରେ ଦୌଡିବା ଓ ମୁକାବିଲା କରିବା ପାଇଁ ଶକ୍ତି ଓ ସାହସ ଦେଇଥାଏ। ସେମିତି ଘରେ, କାର୍ଯ୍ୟକ୍ଷେତ୍ରରେ, ବନ୍ଧୁଙ୍କ ଗହଣରେ ମଧ୍ୟ ସାଧାରଣ ନିତିଦିନିଆ କାମ କରିବା ସମୟରେ ପ୍ରଶଂସା ପାଇବା ପାଇଁ ହେଉ କିମ୍ବା ନିନ୍ଦାରୁ ବଞ୍ଚିବା ପାଇଁ ହେଉ, ମଣିଷ ପ୍ରତ୍ୟେକ କାମକୁ ସୁଚାରୁ ଭାବରେ ତୁଲାଇବା ପାଇଁ ପ୍ରାଣପଣେ ଚେଷ୍ଟା କରେ, ଏହା ପାଇଁ ମଧ୍ୟ ଶରୀରରେ Anxiety ବା ସାମାନ୍ୟ ଚିନ୍ତାର ବାତାବରଣ ହିଁ କାମ କରେ। ଷ୍ଟ୍ରେସ୍ ଯଦିଓ ଆମ ମସ୍ତିଷ୍କରୁ ଆରମ୍ଭ ହୁଏ କିନ୍ତୁ ଉପରୋକ୍ତ ବ୍ୟାଖ୍ୟାରୁ ଆପଣ ବୁଝିସାରିବେଣି ଯେ ଏହାର ପ୍ରଭାବ ଆମ ଶରୀର ଉପରେ କେମିତି ରହିଥାଏ। ଆଉ ଯେତେବେଳେ ମଣିଷ ବାରମ୍ବାର ଏମିତି ଷ୍ଟ୍ରେସ୍ ବା ଚାପରେ ରୁହେ ଏହି ହର୍ମୋନାଲ୍ ରେସ୍ପନ୍ସ ଓ ଫିଜିଓଲୋଜିକାଲ୍ ଚେଞ୍ଜ୍ ମଧ୍ୟ ବାରମ୍ବାର ହୋଇ ବିଭିନ୍ନ ଶାରୀରିକ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇଥାଏ। ଯିଏ ଏହି ଚାପ ବା ଷ୍ଟ୍ରେସ୍ କୁ ନିଜ ଜୀବନକୁ ପ୍ରଭାବିତ କରିବା ପାଇଁ ଦିଏନି ସିଏ ହିଁ ଆନନ୍ଦ ଓ ନିରୋଗ ରୁହେ।
ଷ୍ଟ୍ରେସ୍ ବା ଦୁଶ୍ଚିନ୍ତାରୁ ମୁକ୍ତିର ସରଳ ଉପାୟ:
ନିୟମିତ ବ୍ୟାୟାମ କରନ୍ତୁ। ଖୋଲା ଜାଗାରେ ହାଲୁକା ବ୍ୟାୟାମ କିମ୍ବା ଏରୋବିକ୍ସ ଶରୀରରେ ଏଣ୍ଡୋରଫିନ୍ ନାମକ ହରମୋନ୍ କ୍ଷରଣ କରିଥାଏ, ଯାହାକି ମଣିଷ ମନକୁ ପ୍ରାକୃତିକ ଉପାୟରେ ପ୍ରଫୁଲ୍ଲ ଓ ପ୍ରସନ୍ନ ରଖେ।
ଡିପ୍-ବ୍ରିଦି° ବ୍ୟାୟାମ, ମସଲ୍ ରିଲାକ୍ସି° ବ୍ୟାୟାମ, ଯୋଗ, ମେଡିଟେସନ୍ ଆଦି ଅଭ୍ୟାସ ମଧ୍ୟ ଉପକାରୀ।
ସକାଳ ଖରାରେ ଭ୍ରମଣ କରନ୍ତୁ, ଏହା ଶରୀରରେ ଭିଟାମିନ୍ D ର ମାତ୍ରା ସନ୍ତୁଳିତ ରଖେ, ଯାହା ଦୁଶ୍ଚିନ୍ତାରୁ ମୁକ୍ତି ଦିଏ। ସେମିତି ସବୁବେଳେ ଗୋଟିଏ ରାସ୍ତାରେ ନଯାଇ ବାସସ୍ଥଳୀର ବିଭିନ୍ନ ଅଚିହ୍ନା ରାସ୍ତାରେ ଚଲାବୁଲା କରନ୍ତୁ। ବର୍ତ୍ତମାନ “ଫରେଷ୍ଟ ବାଥି°” ଦୁଶ୍ଚିନ୍ତା ଦୂର କରିବାର ଗୋଟିଏ ନୂତନ ଓ ଲୋକପ୍ରିୟ ପଦ୍ଧତି ପାଲଟିଛି। ପାହାଡ ଚଢିବା, ଜଙ୍ଗଲିଆ ରାସ୍ତାରେ ଲକ୍ଷ୍ୟହୀନ ଭାବରେ ଚାଲିବା, ଆଖପାଖର ଜୀବଜନ୍ତୁଙ୍କୁ ଲକ୍ଷ୍ୟ କରିବା ଏସବୁ ମଣିଷ ମନକୁ ପ୍ରଫୁଲ୍ଲିତ କରେ।
ଅଧିକ ପଢ଼ନ୍ତୁ : ସୁସ୍ଥ କେଶ ଓ ନଖ ପାଇଁ କେଉଁ ଖାଦ୍ୟରୁ ପାଇବେ ‘ବାୟୋଟିନ୍’
ଉପଯୁକ୍ତ ମାତ୍ରାରେ ନିଦ୍ରା: ରାତ୍ରି ଭୋଜନ ସନ୍ଧ୍ୟା ୮ଟା ସୁଦ୍ଧା ଶେଷକରି, ଜଲ୍ଦି ଶୋଇବା ପାଇଁ ଚେଷ୍ଟା କରନ୍ତୁ। ମୋବାଇଲ କିମ୍ବା ସୋସିଆଲ୍ ମିଡିଆର ବ୍ୟବହାର ନକରି ଭଲ ଫିକ୍ସନ୍ ପଢି ପାରନ୍ତି କିମ୍ବା ମୃଦୁ ସଙ୍ଗୀତ ମଧ୍ୟ ସୁଖ ନିଦ୍ରା ପାଇଁ ଉପକାରୀ। ରାତ୍ରି ଭୋଜନ ପରେ ହାଲୁକା ଉଷୁମ ପାଣିରେ ଗାଧେଇବା ଦ୍ବାରା ଶରୀରର ମା°ସପେଶୀ ରିଲାକ୍ସ ହୋଇ ଭଲ ନିଦ ହୁଏ। ରାତିରେ ଅତି କମରେ ୭-୮ ଘଣ୍ଟାର ନିଦ ଦୁଶ୍ଚିନ୍ତାରୁ ମୁକ୍ତି ଦିଏ। ସନ୍ଧ୍ୟାରେ ପରଦିନ ପାଇଁ କାମ ଓ ରୁଟିନ୍ ବନାଇ ରଖିଦେଇ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ।
ନିଜ ପାଇଁ ସମୟ ବାହାର କରନ୍ତୁ: କେବଳ କାମ କିମ୍ବା ଟାର୍ଗେଟ ଉପରେ କିମ୍ବା ପରିବାର ଓ ବନ୍ଧୁବାନ୍ଧବଙ୍କୁ ଖୁସି ଓ ପ୍ରସନ୍ନ ରଖିବା ପାଇଁ କାମ ନକରି ନିଜ ପାଇଁ ମଧ୍ୟ ସମୟ ବାହାର କରନ୍ତୁ। ଖୋଲା ଆକାଶ ତଳେ ବିଲକୁଲ୍ କୌଣସି କାମ ନକରି ବସିବା, ସୂର୍ଯ୍ୟାସ୍ତ ଦେଖିବା, ଛବି ଆଙ୍କିବା, ବଗିଚା କାମ କରିବା, ବହି ପଢିବା, କଫି ହାଉସରେ ଏକା ବସିବା, ବୃଦ୍ଧାଶ୍ରମରେ ଶ୍ରମ ଦାନ କରିବା, ଲଙ୍ଗ ଡ୍ରାଇଭ୍ ଆଦି ଦ୍ବାରା ଆପଣ ନିଜକୁ ନିଜେ ସମୟ ଦିଅନ୍ତୁ। ନିଜକୁ ଆଦର କରନ୍ତୁ। ନିଜକୁ ନିଜେ ସ୍ନେହ କରିବା ଦ୍ବାରା ଦୁଶ୍ଚିନ୍ତାରୁ ମୁକ୍ତି ମିଳେ।
ଫୋନ୍ ଏବଂ ସୋସିଆଲ୍ ମିଡିଆରୁ ବିରତି ନେଇ ନିଜ ପୁରୁଣା ସାଙ୍ଗ ମାନଙ୍କୁ ଭେଟନ୍ତୁ, ନୂଆ ସାଙ୍ଗ ବନାନ୍ତୁ। ସେମାନଙ୍କ ସହ ବସି ହସନ୍ତୁ, ଇଣ୍ଡୋର ଗେମ୍ସ କିମ୍ବା ବ୍ୟାଡମିଣ୍ଟନ୍, କ୍ରିକେଟ ଖେଳନ୍ତୁ। ଏହି ସବୁ କାର୍ଯ୍ୟକଳାପ ଶରୀରରେ ଏଣ୍ଡୋରଫିନ୍ ନାମକ ଷ୍ଟ୍ରେସ୍ ଫ୍ରି ହରମୋନ୍ କ୍ଷରଣ କରେ।
ଧୂମପାନ କିମ୍ବା ନିକୋଟିନର ସେବନରୁ ଦୂରେଇ ରୁହନ୍ତୁ। ଏହା ସାମୟିକ ମୁଡକୁ ପ୍ରଫୁଲ୍ଲ କରି ପାରେ କିନ୍ତୁ ଏହାର କୁପ୍ରଭାବରେ ବାଧା ଦେବା ସହ ନିଃଶ୍ୱାସପ୍ରଶ୍ବାସ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି କରେ। ତଥା ପୁରୁଣା ଘୋଳାବିନ୍ଧାକୁ ମଧ୍ୟ ବଢାଇଦିଏ, ଯାହାକି ଆହୁରି ଷ୍ଟ୍ରେସ୍ ବା ଚିନ୍ତାର କାରଣ ହୋଇଥାଏ। ସେହିପରି ଅନେକ ବ୍ୟକ୍ତି ଚିନ୍ତାରେ ମଦ୍ୟପାନ କରନ୍ତି, ଏହା ହୁଏତ ସାମୟିକ ଆରାମ ଦେଇଥାଏ, କିନ୍ତୁ ପରେ ମୁଣ୍ଡବିନ୍ଧା ଏବଂ ଷ୍ଟ୍ରେସର କାରଣ ହୁଏ।
କେହି କେହି ଦୁଶ୍ଚିନ୍ତା କାରଣରୁ ଖାଇବା ଛାଡି ଦିଅନ୍ତି ତ କେହି କେହି ନିଜ ଖାଇବା ଉପରେ ନିୟନ୍ତ୍ରଣ ହରାଇ, ବେଶୀ ବେଶୀ ଖାଆନ୍ତି। କିନ୍ତୁ ଉଭୟ ପରିସ୍ଥିତି ପରବର୍ତ୍ତୀ ସମୟରେ ଶାରୀରିକ ଏବଂ ମାନସିକ କ୍ଷତି ଘଟାଇଥାଏ। ସନ୍ତୁଳିତ ଏବଂ ସଠିକ୍ ମାତ୍ରାର ଖାଦ୍ୟ ସହ ଉପଯୁକ୍ତ ମାତ୍ରାର ପାଣି ପିଇବା ମଣିଷ ଶରୀରର ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ସୁଚାରୁ ଭାବରେ ତୁଲାଏ। ନିଜ ଖାଦ୍ୟରେ ପନିପରିବା, ଶାଗ, ତଟକା ଫଳ, ତନ୍ତୁ ଜାତୀୟ ଖାଦ୍ୟର ମାତ୍ରା ଶସ୍ୟ ଏବଂ ଡାଲି ଠାରୁ ଅଧିକ ରଖନ୍ତୁ। ଚିଆ ସିଡ୍ସ, ଆଭୋକାର୍ଡୋ, ଆମଣ୍ଡ୍, ପାଳଙ୍ଗ ଶାଗ ଏବଂ ଡାର୍କ ଚକୋଲେଟ୍ ଆଦି ଗ୍ରହଣ କରିବା ଦ୍ୱାରା ଷ୍ଟ୍ରେସ୍ ଲେବଲ୍ କମିଥାଏ। ଅଧିକ କଫି କିମ୍ବା ଚା’ ନପିଇ, ହର୍ବାଲ୍ କିମ୍ବା ଫୁଲର ଚା’ ପିଇ ପାରନ୍ତି।
ନିଜକୁ ନିଜେ ଚିହ୍ନନ୍ତୁ, ଆକଳନ କରନ୍ତୁ। ନିଜ ବୁଦ୍ଧି, ସାଧ୍ୟ ଏବଂ ଦକ୍ଷତା ଅନୁସାରେ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ, କାମ କରନ୍ତୁ। ଅନ୍ୟକୁ ଦେଖି କିମ୍ବା ଅନ୍ୟ ସହ ତୁଳନା କରି କାମ କରିବା ବିଫଳତା ଆଣିବା ସହ ଦୁଶ୍ଚିନ୍ତାର କାରଣ ହୋଇଥାଏ।