• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମୟ ସକାଳ ପ୍ରାୟ ୯ଟା । ସ୍ଥାନ କ୍ୟାପିଟାଲ ହସ୍ପିଟାଲ । ରାଜଧାନୀର ମୁଖ୍ୟ ସରକାରୀ ଚିକିତ୍ସାଳୟରେ ସକାଳୁ ସକାଳୁ ରୋଗୀ ଓ ଅସୁସ୍ଥଙ୍କ ଅସମ୍ଭବ ଭିଡ଼ । ସେବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ମହିଳାଙ୍କଠୁ ବୟୋଜ୍ୟେଷ୍ଠ । କୁହାଯାଉଛି, ଉପକୂଳ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟା ପରେ କ୍ୟାପିଟାଲ ହସ୍ପିଟାଲରେ ଆଶାତୀତ ଭାବେ ବଢ଼ିଯାଇଛି ରୋଗୀଙ୍କ ସଂଖ୍ୟା । ବିଶେଷକରି ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ଏହା ରେଫରାଲ ହସ୍ପିଟାଲ ହୋଇଥିବାରୁ ଏସବୁ ଜିଲ୍ଲାରୁ କ୍ୟାପିଟାଲ ହସ୍ପିଟାଲ ମୁହାଁ ଶହ ଶହ ରୋଗୀ ।

ଏଣେ ରାଜଧାନୀବାସୀଙ୍କ ପାଇଁ ଏ ହସ୍ପିଟାଲ ବି ଲାଇଫ୍ ଲାଇନ୍ ହୋଇଥିବାରୁ ସାଧାରଣ ରୋଗ ପାଇଁ ସେମାନେ ବି ନିର୍ଭରଶୀଳ । ଏପରିସ୍ଥଳେ ଏକାବେଳକେ ଏତେ ସଂଖ୍ୟାରେ ରୋଗୀଙ୍କ ପାଇଁ ବେଡ୍ ସୁବିଧା ନଥିବାରୁ ବାଧ୍ୟ ହୋଇ ବାରଣ୍ଡାରେ ପଡ଼ି ରହୁଛନ୍ତି ରୋଗୀ ।

ବନ୍ୟାଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା କଥା ଯଦି ଦେଖିବା, ତେବେ ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଶୋଚନୀୟ । ଏବେବି ପାଣି ଘେରରେ ହଜାର ହଜାର ବିପନ୍ନ । ହଠାତ ଜ୍ୱର, ଝାଡ଼ା କି ଆଉ କିଛି ଅସୁବିଧା ହେଲେ ଲୋକେ ତୁରନ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ସମ୍ପୂର୍ଣ୍ଣ ବଞ୍ଚିତ । ରୋଗୀଙ୍କୁ ବି ଯିବାକୁ ପଡୁଛି ପାଣି ଭିତରେ । ବ୍ଲକର କେଉଁଠି କେଉଁଠି ଔଷଧ ସହ ଆଶାକର୍ମୀ ମହଜୁଦ ଥିଲେ ବି ସବୁ ଅଞ୍ଚଳରେ ସେ ସୁବିଧା ନାହିଁ ।

ଏପଟେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବନ୍ୟା ଛାଡ଼ିବା ପରେ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି ଚର୍ମ ରୋଗ । ବାଙ୍କୀ ବିଲିପଡ଼ା ମନ୍ତ୍ରୀ ସାହି ଗାଁରେ ଏବେ ପିଲାଠୁ ବୁଢା ଯାଏଁ ସମସ୍ତଙ୍କୁ ନାକେଦମ୍ କଲାଣି ଏ ସମସ୍ୟା । ଲୋକଙ୍କ ଅଭିଯୋଗ, ବନ୍ୟା ପରେ ପରେ ଏବେ ଭୀଷଣ ଭାବେ ଦେହ କୁଣ୍ଡାଇ ହେବା ସାଙ୍ଗକୁ ଫୋଟକା ଭଳି ଫଳି ଯାଉଛି ।