ଭାରତରେ ୨୦୧୯ ମସିହାରେ କରୋନା ଦ୍ରୁତଗତିରେ ସଂକ୍ରମିତ ହୋଇଥିଲା । ବର୍ତ୍ତମାନ ଯାଏଁ ଏହାର ଭୟ ମନରୁ ଲିଭିନଥିବା ବେଳେ ପୁଣି ମାଡ଼ିଆସୁଛି ଅନ୍ୟ ଏକ ବିପଦ । ଏମିତିକି ଏକ ନିର୍ଦ୍ଧିଷ୍ଟ ରୋଗରେ ଶିକାର ହୋଇ ମହାରାଷ୍ଟ୍ରର ସୋଲାପୁର(Solapur) ଜିଲ୍ଲାର ଜଣେ ମୃତ୍ୟୁବରଣ କରିଛନ୍ତି । ଏହି ନୂଆ ରୋଗ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ସଂକ୍ରମିତ ହେଉଛି । ତେବେ ହସ୍ପିଟାଲରେ ପରୀକ୍ଷା କରାଯିବା ପରେ ଏହା ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ବୋଲି ଜଣାପଡିଛି । ଏହା ଏକ ବିରଳ ସ୍ନାୟୁଗତ ରୋଗ । ଏମିତିକି ଏହି ରୋଗରେ ଆକ୍ରାନ୍ତ ହେବା ପରେ ଭେଣ୍ଟିଲେଣ୍ଟର ଚିକିତ୍ସାର ଆବଶ୍ୟକ ମଧ୍ୟ ପଡୁଛି । ଏହି ଘଟଣା ସାମ୍ନାକୁ ଆସିବାପରେ ଭୟଭୀତ ହୋଇଛନ୍ତି ସାଧାରଣ ଲୋକେ । ହଠାତ୍ ବୃଦ୍ଧି ପାଉଥିବା ଏହି ରୋଗ ବ୍ୟାପିବାର କାରଣ ଖୋଜିବା ପାଇଁ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଏକ ଡାକ୍ତରୀ ଦଳ ଗଠନ କରି ସର୍ଭେ ଜାରିରଖିଛି । ସରକାରଙ୍କ ଦ୍ୱାରା ରୋଗ ବ୍ୟାପୁଥିବା ଅଞ୍ଚଳରୁ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ରୋଗ ବ୍ୟାପୁଥିବା ଅଞ୍ଚଳର ଲୋକଙ୍କୁ ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି ।
ରବିବାର ପର୍ଯ୍ୟନ୍ତ ମୋଟ GBS ରୋଗୀଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି । ମୋଟ ୧୦୧ ଜଣ GBS ରୋଗୀଙ୍କ ମଧ୍ୟରୁ ୬୮ ଜଣ ପୁରୁଷ ଏବଂ ୩୩ ଜଣ ମହିଳା ବୋଲି ଜଣାପଡିଛି । ରୋଗୀମାନଙ୍କ ମଧ୍ୟରୁ ୧୯ ଜଣଙ୍କ ବୟସ ୯ ବର୍ଷରୁ କମ୍ ଏବଂ ୨୩ ଜଣଙ୍କ ବୟସ ୫୦ ବର୍ଷରୁ ୮୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ହସ୍ପିଟାଲରେ ଥିବା ରୋଗୀଙ୍କ ମଧ୍ୟରୁ ୧୬ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଆପଣଙ୍କ ଛୁଆ ବିସ୍କୁଟ ଖାଉଛି କି...ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ...
ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) କ'ଣ?
ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ଏକ ବିରଳ ସ୍ନାୟୁଗତ ରୋଗ । ଯାହା ଶରୀରର ସ୍ନାୟୁଗୁଡ଼ିକୁ ଆକ୍ରମଣ କରିଥାଏ । ଫଳରେ ଦୁର୍ବଳ ଅନୁଭବ ହୋଇଥାଏ । ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ବେଳେବେଳେ ପକ୍ଷାଘାତ ଭଳି ଭୟଙ୍କର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଜି.ବି.ଏସ. ଏକ ବିରଳ ରୋଗ ହୋଇଥିବା ବେଳେ ଏହା ବ୍ୟାପିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ରୋଗ ହେବାର ପ୍ରାୟ ୬ ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଇଥାଏ ।
ଏହି ରୋଗହେଲେ ପ୍ରଥମେ ପାଦ ଭିତରେ ଦୁର୍ବଳତା ଅନୁଭବ ହୁଏ । ଏହାପରେ ଶରୀରର ବିଭିନ୍ନ ଅଙ୍ଗକୁ ଏହି ଦୁର୍ବଳତା ବ୍ୟାପିଥାଏ । ଏଥିରେ ପିଡ଼ୀତ ଥିବା ବ୍ୟକ୍ତି ସିଡ଼ି ଚଢ଼ିବା ଏବଂ ଚାଲିବା ସମୟରେ କଷ୍ଟ ଅନୁଭବ କରିଥାଏ । GBS ଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଯାଇଥାଏ । ଏହା ଦ୍ୱାରା ଦୃଷ୍ଟିଶକ୍ତି କମିଯିବା ସହ ଖାଦ୍ୟ ଖାଇବା ସମୟରେ ସମସ୍ୟା ହୋଇଥାଏ । ଏପର୍ଯ୍ୟନ୍ତ GBS ରୁ ମୁକ୍ତି ପାଇବା ପାଇଁ କୌଣସି ଚିକତ୍ସା ପଦ୍ଧତି ଆବିଷ୍କାର ହୋଇପାରିନାହିଁ । କିଛି ଥେରାପି ଦ୍ୱାରା ଏହାଦ୍ୱାରା ହେଉଥିବା ଯନ୍ତ୍ରଣାକୁ କିଛି ମାତ୍ରାରେ କମ କରିବାକୁ ସକ୍ଷମ ହୋଇଥାଏ ।
GBS ରୋଗର ଚିକିତ୍ସା ମଧ୍ୟ ଖୁବ୍ ମହଙ୍ଗା ବୋଲି ଜଣାପଡିଛି । ଏହାର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ଇମ୍ୟୁନୋଗ୍ଲୋବୁଲିନ୍ (immunoglobulin)(IVIG) ଇଞ୍ଜେକ୍ସନର ମୂଲ୍ୟ ୨୦,୦୦୦ ଟଙ୍କା ବୋଲି ଜଣାପଡିଛି । ରୋଗୀମାନଙ୍କ ଚିକିତ୍ସା ପାଇଁ ଏକାଧିକ ଇଞ୍ଜେକ୍ସନ ଆବଶ୍ୟକ ହୋଇଥାଏ । ତେଣୁ ରୋଗୀମାନଙ୍କ ଚିକିତ୍ସାପାଇଁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମାଗଣାରେ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ତେବେ GBS ମହାମାରୀ ସୃଷ୍ଟି କରିବାର ସମ୍ଭାବନା ନାହିଁ ।